ମହିଳା ବିକାଶରେ ବାଧା: କିଶୋରାବସ୍ଥାରେ ଗର୍ଭଧାରଣ
ବିଶ୍ୱରେ ହାରାହାରି ୧୪% ଝିଅ ୧୮ ବର୍ଷ ବୟସ ପୂର୍ବରୁ ନିଜର ପ୍ରଥମ ଛୁଆ ପ୍ରସବ କରିସାରିଥାନ୍ତି। ବିଶ୍ୱରେ ୧୫-୧୯ ବର୍ଷ ବୟସ୍କ କିଶୋରୀମାନଙ୍କ ମଧ୍ୟରେ ଦେଖାଯାଉଥିବା ନାନା ସ୍ୱାସ୍ଥ୍ୟ ସମସ୍ୟା ଏବଂ ମୃତ୍ୟୁର ମୂଖ୍ୟ କାରଣଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଏହି କିଶୋରାବସ୍ଥାରେ ଗର୍ଭଧାରଣ।
ନ୍ୟାସନାଲ ରୁରାଲ୍ ହେଲଥ ମିଶନ(ଏନ.ଆର.ଏଚ୍.ଏମ) ରିପୋର୍ଟ୍ ଅନୁସାରେ ଭାରତରେ ହାରାହାରି ୪୩% ଝିଅଙ୍କର ୧୮ ବର୍ଷରୁ କମ୍ ବୟସରେ ବିବାହ କରି ଦିଆଯାଇଥାଏ। ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ପାଖାପାଖି ୨୫ ହଜାର ଝିଅଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ସମୟରେ ମୃତ୍ୟୁ ଘଟିଥାଏ। ସେମଧ୍ୟରୁ ହାରାହାରି ୯% ଝିଅ ୧୫-୧୯ ବର୍ଷ ବୟସର। ୨୦୧୭ରେ ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ-୪(ଏନ.ଏଫ.ଏଚ.ଏସ-୪) ଦ୍ୱାରା ପ୍ରକାଶିତ ରିପୋର୍ଟ ମୁତାବକ ଦେଶରେ ପାଖାପାଖି ୧୧.୮ ମିଲିଅନ ଝିଅ କିଶୋରାବସ୍ଥାରେ ଗର୍ଭଧାରଣ କରନ୍ତି। ସର୍ଭେ ସମୟରେ ଜଣାପଡିଥିଲା ଯେ ୧୫-୧୯ ବର୍ଷ ବୟସର ହାରାହାରି ୭.୯% ଝିଅ ଗର୍ଭବତୀ ଅଛନ୍ତି କିମ୍ବା ମାତୃତ୍ଵ ଲାଭ କରି ସାରିଲେଣି।
ଗ୍ରାମୀଣ ଭାରତରେ ଏହାର ହାର ୯.୨% ରହିଥିବା ବେଳେ ସହରାଞ୍ଚଳରେ ଏହା ୫% ରହିଛି। ଭାରତର ସମସ୍ତ ୩୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ କିଶୋରାବସ୍ଥାରେ ଗର୍ଭଧାରଣ ସର୍ବାଧିକ ତ୍ରିପୁରା (୨୨%), ପଶ୍ଚିମବଙ୍ଗ (୧୬%), ଆନ୍ଧ୍ରପ୍ରଦେଶ (୧୩%), ଆସାମ (୧୨%), ବିହାର (୧୧%) ଏବଂ ଝାରଖଣ୍ଡ (୧୦%)ରେ ଦେଖାଯାଏ। ଏଥିରୁ ହାରାହାରି ୬୦% ଗର୍ଭଧାରଣରେ ଆବଶ୍ୟକ ବ୍ୟବଧାନ ନଥାଏ ଏବଂ ଏହି ଗର୍ଭବତୀ ଝିଅମାନେ ସଠିକ୍ ସ୍ୱାସ୍ଥ୍ୟସେବା ପାଇପାରନ୍ତି ନାହିଁ, ଯାହା ଉଭୟ ମା’ ଓ ଶିଶୁର ଖରାପ ସ୍ୱାସ୍ଥ୍ୟ ଏବଂ ମୃତ୍ୟୁ ପାଇଁ ଦାୟୀ ହୋଇଥାଏ।
କିଶୋରାବସ୍ଥାରେ ଗର୍ଭଧାରଣ କେବଳ ଭାରତ ନୁହେଁ ବିଶ୍ୱ ପାଇଁ ମଧ୍ୟ ଗୋଟିଏ ବିରାଟ ସମସ୍ୟା। ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ହାରାହାରି ୧୪% ଝିଅ ୧୮ ବର୍ଷ ବୟସ ପୂର୍ବରୁ ନିଜର ପ୍ରଥମ ଛୁଆ ପ୍ରସବ କରିସାରିଥାନ୍ତି। ବିଶ୍ୱରେ ୧୫-୧୯ ବର୍ଷ ବୟସ୍କ କିଶୋରୀମାନଙ୍କ ମଧ୍ୟରେ ଦେଖାଯାଉଥିବା ନାନା ସ୍ୱାସ୍ଥ୍ୟ ସମସ୍ୟା ଏବଂ ମୃତ୍ୟୁର ମୂଖ୍ୟ କାରଣଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଏହି କିଶୋରାବସ୍ଥାରେ ଗର୍ଭଧାରଣ। ବିଶ୍ୱବ୍ୟାପି ଏହି ସମସ୍ୟା ଆର୍ଥିକ ଏବଂ ସାମାଜିକ ଦିଗରୁ ପଛୁଆ ଥିବା ଦେଶ ମାନଙ୍କରେ ମାତ୍ରାଧିକ ଦେଖାଯାଏ।
ଏବେ ମଧ୍ୟ ଅନେକ ସମାଜରେ ବାଲ୍ୟ ବିବାହ ପ୍ରଥା ରହିଛି, ୨୦୨୧ର ଆଉ ଏକ ରିପୋର୍ଟ ଅନୁସାରେ ବିଶ୍ୱରେ କିଶୋର କନିଆଁଙ୍କ ସଂଖ୍ୟା ୬୫୦ ମିଲିୟନ ଥିଲା। ଏକ୍ଷେତ୍ରରେ ବିବାହିତା କିଶୋରୀଟିର ଗର୍ଭଧାରଣ ଏବଂ ପରିବାର ନିୟନ୍ତ୍ରଣକୁ ନେଇ କୌଣସି ପ୍ରକାର ନିଷ୍ପତ୍ତି ନେବାର ଅଧିକାର ନଥାଏ। ଏହାଛଡା ଏହିସବୁ ଜାଗାରେ ପରିବାର ନିୟନ୍ତ୍ରଣ ବା ଗର୍ଭନିରୋଧକ ବା କଣ୍ଟ୍ରାସେପ୍ସନ୍’କୁ ନେଇ ଜ୍ଞାନ ଏବଂ ସାଧନ ମଧ୍ୟ ଉପଲବ୍ଧ ନଥାଏ। ସାଧାରଣତଃ ଅର୍ଥାଭାବ, ନିଯୁକ୍ତି ସୁଯୋଗ ଏବଂ ଶିକ୍ଷାର ଅଭାବ ଏହି ସମସ୍ୟାକୁ ଉତ୍କଟ କରିଦିଏ। ଅନେକ ସମୟରେ ଗର୍ଭ ନିରୋଧକ ଉପାୟ ବିଷୟରେ ଜାଣିଥିଲେ ମଧ୍ୟ କିଶୋରୀମାନଙ୍କ କ୍ଷେତ୍ରରେ ସେଗୁଡିକ ଉପଲବ୍ଧ ହେବା ଅସମ୍ଭବ ହୋଇଯାଏ। ଏହା ପଛରେ କେବଳ ଆର୍ଥିକ କାରଣ ନୁହେଁ ବରଂ ସାମାଜିକ କାରଣ ମଧ୍ୟ ରହିଥାଏ।
ବିଶେଷ କରି ଉପଲବ୍ଧ ଉପାୟକୁ ପ୍ରୟୋଗ କରିବାର ସଠିକ୍ ଜ୍ଞାନର ଅଭାବ ଏବଂ ସାମାଜିକ ତଥା ପାରିବାରିକ କାରଣରୁ ଉପାୟକୁ ଅଧାରୁ ଛାଡିଦେବା ମଧ୍ୟ କିଶୋରାବସ୍ଥାରେ ଗର୍ଭଧାରଣ କାରଣ ହୋଇଥାଏ। ଚାଇଲ୍ଡ ସେକ୍ସୁଆଲ୍ ଆବ୍ୟୁସ୍ ମଧ୍ୟ ଏହି ସମସ୍ୟାର ଆଉ ଏକ କାରଣ। ଡବ୍ଲ୍ୟୁ.ଏଚ.ଓ ରିପୋର୍ଟ ଅନୁସାରେ ୨୦୨୦ରେ ୨୦ ବର୍ଷରୁ କମ୍ ଅନ୍ୟୁନ୍ୟ ୧୨୦ ମିଲିୟନ କିଶୋରୀ କୌଣସି ନା କୌଣସି ପ୍ରକାର ସେକ୍ସୁଆଲ୍ ଆବ୍ୟୁସ ଦ୍ୱାରା କ୍ଷତାକ୍ତ। ତା’ଛଡା ପରିବାର ଭରଣପୋଷଣରେ ଆର୍ଥିକ ସାହାଯ୍ୟ କରିବା ପାଇଁ ମଧ୍ୟ ଅନେକ କିଶୋରୀ ଦେହଜୀବୀ ଭାବରେ କାମ କରନ୍ତି ଯାହା ସେମାନଙ୍କର ଅବାଞ୍ଛିତ ଗର୍ଭଧାରଣର କାରଣ ହୋଇଥାଏ। ସେମିତି ସେକ୍ସ ଏଡୁକେସନ୍, ରିପ୍ରଡକ୍ଟିଭ୍ ହେଲଥ ବିଷୟରେ ସଠିକ୍ ଜ୍ଞାନର ଅଭାବ କାରଣରୁ ଅନେକ ସମୟରେ କୌତୁହଳବଶତଃ ମଧ୍ୟ କିଶୋରାବସ୍ଥାରେ ଅବାଞ୍ଛିତ ସେକ୍ସୁଆଲ୍ ଆକ୍ଟିଭିଟିଜ୍ ଏବଂ ପ୍ରେଗନାନ୍ସିର କାରଣ ହୋଇଥାଏ।
କିଶୋରାବସ୍ଥାରେ ଗର୍ଭଧାରଣ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ। ଉଚ୍ଚ ରକ୍ତଚାପ ଏବଂ ପ୍ରିଏକ୍ଲାମ୍ପସିଆ(ଉଚ୍ଚ ରକ୍ତଚାପ, ଗୋଡ ଫୁଲା, ପରିସ୍ରାରେ ପ୍ରୋଟିନ୍ କ୍ଷୟ ହେବା, କିଡନୀ ଏବଂ ଲିଭର ସମସ୍ୟା, ଦୃଷ୍ଟିଶକ୍ତି ବ୍ୟାଘାତ, ପ୍ଲାଟିଲେଟ୍ କାଉଣ୍ଟସ କମିଯିବା, ଫୁସଫୁସରେ ପାଣି ଜମିବା, ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା), ରକ୍ତହୀନତା ବା ଆନେମିଆ, ଜରାୟୁ ଏବଂ ମୂତ୍ର ପ୍ରଣାଳୀରେ ଇନଫେକସନ୍, ପ୍ରିମାଚ୍ୟୋର୍ଡ ଡେଲିଭରି, ଶିଶୁର ଓଜନ କମ୍ ଅଥବା ଲୋ ବାର୍ଥ ୱେଟ ବେବି, ନବଜାତ ଶିଶୁର ଇନଫେକସନ୍; ଉଭୟ ମାତୃ ଏବଂ ନବଜାତ ଶିଶୁର ମୃତ୍ୟୁ। ଏସବୁ ଶାରୀରିକ ସମସ୍ୟା ବ୍ୟତିତ କିଶୋରୀ ମା’ଟିର ମାନସିକ କ୍ଷତି ମଧ୍ୟ ହୋଇଥାଏ।
ସାଧାରଣତଃ ଗର୍ଭଧାରଣ କରିଥିବା କିଶୋରୀଟି ନିଜ ବାପା, ମା’ଙ୍କର ସହଯୋଗ ଏବଂ ଯତ୍ନ ପାଏ ନାହିଁ। କେବଳ ସାମାଜିକ ନୁହେଁ ବରଂ ପାରିବାରିକ ବାଛନ୍ଦର ଶିକାର ମଧ୍ୟ ହୋଇଥାଏ। ଏହା କୋମଳମତି କିଶୋରୀଟିର ମାନସିକ ବିକାଶରେ ବ୍ୟାଘାତ ଦେଇଥାଏ। ମାନସିକ ସ୍ତରରେ ଅତ୍ୟଧିକ ଭାବପ୍ରବଣତା, ପ୍ୟାନିକ୍ ଆଟାକ୍, ମାନସିକ ଅବସାଦ, ଚିନ୍ତା, ଅନିଦ୍ରା, ନିଜକୁ ଶାରୀରିକ ଆଘାତ ଦେବା, ଆତ୍ମହତ୍ୟା ପ୍ରବଣତା ଏବଂ ପୋଷ୍ଟଟ୍ରମାଟିକ୍ ଷ୍ଟ୍ରେସ୍ ଡିଜ୍ଅର୍ଡର ଦେଖାଯାଏ।
ଅନେକ କିଶୋରୀ ନିଶାଦ୍ରବ୍ୟ ସେବନର ଅଭ୍ୟାସରେ ମଧ୍ୟ ପଡି ଯାଆନ୍ତି। ଅନେକ ସମୟରେ ଏହି ଅବାଞ୍ଛିତ ଗର୍ଭଧାରଣ କାରଣରୁ କିଶୋରୀଟିର ଶିକ୍ଷା ଗ୍ରହଣରେ ମଧ୍ୟ ଡୋରି ବନ୍ଧା ହୁଏ। ପରବର୍ତ୍ତୀ ଅବସ୍ଥାରେ ଏହା କେବଳ ଉକ୍ତ କିଶୋରୀ କିମ୍ବା ଗୋଟିଏ ପରିବାର ନୁହେଁ ବରଂ ଗୋଟିଏ ସମ୍ପୂର୍ଣ୍ଣ ସମାଜର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତିକୁ କମଜୋର କରିଦିଏ। ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାବଲମ୍ବୀ ହେବାରେ ବାଧା ଉପୁଜେ। ଡବ୍ଲ୍ୟୁ.ଏଚ.ଓ ଏବଂ ଭାରତ ସରକାର ଏହି ସମସ୍ୟାକୁ ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। କିନ୍ତୁ ସମସ୍ୟାଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଚେଷ୍ଟା ସମାଜର ପ୍ରତ୍ୟେକ ବର୍ଗରୁ ହେବା ଦରକାର।
ଏହି ବ୍ୟବସ୍ଥାରେ ସବୁଠାରୁ ମୂଖ୍ୟ ଭୂମିକା ଗ୍ରହଣ କରିଥାଏ ଶିକ୍ଷା। ଅର୍ଥାତ, କେବଳ ସ୍କୁଲ ଯାଇ ସାର୍ଟିଫିକେଟ ପାଇବା ଅର୍ଥରେ ନୁହେଁ ବରଂ ସମସ୍ତେ ନିଜ ନିଜ ସ୍ତରରେ, ଖାସକରି ମା’-ବାପାମାନେ ନିଜ କିଶୋର ସନ୍ତାନ(ଉଭୟ ଝିଅ ଏବଂ ପୁଅ)କୁ ଉପଯୁକ୍ତ ସେକ୍ସ ଏବଂ ରିପ୍ରଡକ୍ଟିଭ୍ ହେଲଥ ଏଡୁକେସନ୍ ବିଷୟରେ ଆଲୋଚନା ଏବଂ ଶିକ୍ଷା ଦେବା ଜରୁରୀ। କେବଳ ସ୍କୁଲ, କଲେଜ ନୁହେଁ ବରଂ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଶିବିର ମାନ ଆୟୋଜନ କରି କିଶୋରୀମାନଙ୍କ ଭିତରେ ଗର୍ଭ ନିରୋଧକ ଉପାୟ, ରିପ୍ରଡକ୍ଟିଭ୍ ସ୍ୱାସ୍ଥ୍ୟ ବିଷୟରେ ଶିକ୍ଷା ଦେବା ଆବଶ୍ୟକ।
ଏହି ଶିକ୍ଷା ଯେ କେବଳ କିଶୋରୀମାନଙ୍କ ପାଇଁ ଆବଶ୍ୟକ ତା’ ନୁହେଁ ବରଂ କିଶୋରମାନଙ୍କ ପାଇଁ ମଧ୍ୟ ବେଶ୍ ଜରୁରୀ। କାରଣ ଏହା ଖାଲି କିଶୋରୀମାନଙ୍କ ମଧ୍ୟରେ ଗର୍ଭଧାରଣର ସମସ୍ୟାକୁ ନିୟନ୍ତ୍ରଣ କରିବନି ବରଂ ଆମ ଆଗାମୀ ପିଢିକୁ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ରୋଗ ଏବଂ ନିଶାସକ୍ତ ହେବାରୁ ମଧ୍ୟ ରକ୍ଷା କରିବ। ପ୍ରତି ବର୍ଷ ମାର୍ଚ୍ଚ ୮, ଆନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସଭା, ସମିତି, ଭାଷଣ, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୁଏ। ବଡ ବଡ ନିୟମ, ସୁଯୋଗ ଘୋଷଣା ହୁଏ। ହେଲେ ସବୁ ଜାକଜମକ ଭିତରେ ଆମେ କେମିତି କେଜାଣି ଦେଶର ୪୩% କିଶୋରୀଙ୍କ କଥା ବିଲକୁଲ୍ ପାସୋରି ଦେଇଥାଉ!
Dr. Ipsita Pradhan, the writer, is a highly skilled and dedicated professional with expertise in her field. She is committed to providing high-quality services and ensuring the best outcomes for her clients or patients. With her extensive knowledge and experience, Dr. Pradhan is known for her professionalism, compassionate approach, and excellence in her work. She can be contacted at Mob- 8018053395 or via email at ipsitadr@yahoo.in for professional inquiries.


