ଅଲ୍ ଓଡ଼ିଶା ଗୋପାଳ ସମାଜ ପକ୍ଷରୁ ରଣ ହୁଙ୍କାର

ପୂର୍ବ ସରକାର ସମୟରେ କ୍ୟାବିନେଟ ବୈଠକରେ ଅନୁମୋଦିତ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ "ଗୋପାଳ ଭବନ" ନିର୍ମାଣ ପାଇଁ ତୁରନ୍ତ ଜମି ହସ୍ତାନ୍ତର ସମେତ ସମୁଦାୟ ୧୨ ଦଫା ଦାବିରେ ରାଜ୍ୟ ମୋହନ ମାଝି ସରକାରଙ୍କୁ ଘେରିବାକୁ ସଂଘ ନିଷ୍ପତ୍ତି ନେଇଛି।

Jan 25, 2026 - 12:09
ଅଲ୍ ଓଡ଼ିଶା ଗୋପାଳ ସମାଜ ପକ୍ଷରୁ ରଣ ହୁଙ୍କାର
Remix : Suv Bharat Times

୨୫ ଜାନୁୟାରୀ, ରବିବାର, ଭୁବନେଶ୍ଵର ନୟାପଲ୍ଲୀ ଦୁର୍ଗା ମଣ୍ଡପ ନିକଟରେ ମିଳିତ ହୋଇଥିଲେ 'ଅଲ୍ ଓଡ଼ିଶା ଗୋପାଳ ସମାଜ' ସଂଗଠନର ହଜାର ହଜାର ସଦସ୍ୟ। ପୂର୍ବ ସରକାର ସମୟରେ କ୍ୟାବିନେଟ ବୈଠକରେ ଅନୁମୋଦିତ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ "ଗୋପାଳ ଭବନ" ନିର୍ମାଣ ପାଇଁ ତୁରନ୍ତ ଜମି ହସ୍ତାନ୍ତର ସମେତ ସମୁଦାୟ ୧୨ ଦଫା ଦାବିରେ ରାଜ୍ୟ ମୋହନ ମାଝି ସରକାରଙ୍କୁ ଘେରିବାକୁ ସଂଘ ନିଷ୍ପତ୍ତି ନେଇଛି।

ଆଜି 'ଅଲ୍ ଓଡ଼ିଶା ଗୋପାଳ ସମାଜ' ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସଂଘ ସ୍ପଷ୍ଟ କରିଛି ଯେ, ଗୋପାଳ ସମାଜର ଅତିଥି ଗୃହ "ଗୋପାଳ ଭବନ" ନିର୍ମାଣ ନିମନ୍ତେ ଆମ୍ଭ ନିବେଦନକୁ ପ୍ରାଧାନ୍ୟ ଦେଇ ନବୀନ ପଟ୍ଟନାୟକ ସରକାରଙ୍କ ସୁପାରିସରେ ଚିଠି ସଂଖ୍ୟା- ୧୧୮୫/୦୯.୦୩.୨୦୨୪, ସଂସଦୀୟ ବ୍ୟପାର ବିଭାଗ, ଓଡ଼ିଶା ସରକାର ୟୁନିଟ-୪୧, ଚନ୍ଦ୍ରଶେଖରପୁର ମୌଜା, ଖାତା ନମ୍ବର -୬୧୯, ପ୍ଲଟ ନମ୍ବର- ୪୫୭(୨) ଏ ୦.୫୦୦(୫ ଶହ) ଡିସିମିଲ ଜ‌ମି ପ୍ରଦାନ ଉପରେ ପ୍ରସ୍ତାବିତ ଚିଠି ରାଜ୍ୟ କ୍ୟାବିନେଟକୁ ହସ୍ତାନ୍ତର କରିଥିଲେ, ଯାହା କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ କରିଛି। ଏହିକ୍ରମରେ ରାଜ୍ୟ ସରକାର ଉକ୍ତ ଜମି ପାଇଁ ପ୍ରିମିୟମ ବାବଦକୁ ୫ କୋଟି ୬ ଲକ୍ଷ ଟଙ୍କା ମଧ୍ୟ ଛାଡ଼ କରିଛନ୍ତି। ପରିତାପର ବିଷୟ, ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ "ଗୋପାଳ ଭବନ" ନିର୍ମାଣ ନିମିତ୍ତ ଯୋଗାଇ ଦିଆଯାଇଥିବା ଏହି ଜମିକୁ 'ଅଲ୍ ଓଡିଶା ଗୋପାଳ ସମାଜ' ନାମରେ ନାମିତ କରିବା ନିମିତ୍ତ ସରକାରୀସ୍ତରରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। 'ଅଲ୍ ଓଡିଶା ଗୋପାଳ ସମାଜ' ସମ୍ପାଦକ ନାରାୟଣ ଡ଼ାଳୁଆ ଏହାକୁ ଦୃଢ ନିନ୍ଦା କରିବା ସହ ରାଜ୍ୟ ସରକାର ଗୋପାଳ ସମାଜ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ବୋଲି ମତ ରଖିଥିଲେ।

ଉକ୍ତ ବୈଠକରେ କର୍ପୋରେଟର ନବକିଶୋର ବେହେରାଙ୍କ ସମେତ ଷ୍ଟାଣ୍ଡିଂ କମିଟି ମେମ୍ବର ମାନସ ଦାସ, ଉପଦେଷ୍ଟା ରବିନ୍ଦ୍ର ପଲେଇ ଓଗେର ଅଲ୍ ଓଡ଼ିଶା ଗୋପାଳ ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଶେଷରେ ଷ୍ଟାଣ୍ଡିଂ କମିଟି ମେମ୍ବର ମାନସ ଦାସ ସମସ୍ତ ଦାବି ଉପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଅବକାରୀ ଓ ଆଇନ ବିଭାଗ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଭେଟିବା ସହ ତାଙ୍କ ସହାୟତାରେ ସଂଗଠନର ଦାବିଗୁଡିକ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଯଥାସାଧ୍ୟ ଚେଷ୍ଟା କରାଯିବ ବୋଲି ସୂଚନା ଦେବା ପରେ ସଂଘ ସଦସ୍ୟବୃନ୍ଦ କରତାଳି ଦେଇ ସ୍ୱାଗତ କରିଥିଲେ। ଉକ୍ତ ଅବସରରେ, 'ଅଲ୍ ଓଡ଼ିଶା ଗୋପାଳ ସମାଜ' ପକ୍ଷରୁ ପ୍ରସ୍ତାବିତ ୧୨ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି।

ସମଗ୍ର ଦାବିଗୁଡିକ ମଧ୍ୟରେ ପ୍ରଥମତଃ, ଓଡ଼ିଶାରେ ବସବାସ କରୁଥିବା ୧ କୋଟିରୁ ଉର୍ଦ୍ଧ ଗୋପାଳ, ଗୌଡ଼ ଏବଂ ଯାଦବ ପରିବାରର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶିକ୍ଷା ଓ କର୍ମନିଯୁକ୍ତି କ୍ଷେତ୍ରରେ ଉନ୍ନତି ପ୍ରତି ରାଜ୍ୟ ମୋହନ ମାଝିଙ୍କ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ। ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଗୋପାଳ, ଗୌଡ଼ ଓ ଯାଦବମାନଙ୍କର ପାରମ୍ପରିକ "ଲଉଡ଼ି ଖେଳ"କୁ ଲୋକକଳାର ମାନ୍ୟତା ମିଳୁ। ଏହି ଲୋକକଳା ମାନ୍ୟତା ବଳରେ ସମସ୍ତ ଗୋପାଳ, ଗୌଡ଼ ଓ ଯାଦବ ପରିବାରର "ଲଉଡ଼ି ଖେଳ" କଳାକାରମାନଙ୍କୁ ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ଦିଆଯାଉ।

୩ୟ ଦାବିରେ ଦର୍ଶାଯାଇଛି, ଭୁବନେଶ୍ଵର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଓ ପୁରୀ ଇତ୍ୟାଦି ସହରଗୁଡିକରେ ଗାଈ ଓ ମଇଁଷି ରଖି ପରିବାର ପ୍ରତିପୋଷଣ ଓ ଜୀବିକା ନିର୍ବାହ କରୁଥିବା ଗୋପାଳ ପରିବାରଗୁଡିକୁ ଇଛେଦ ପୂର୍ବରୁ ସରକାରୀ ଜମିରେ ଥଇଥାନ କରାଯାଉ। ଓଡ଼ିଶାର ସମସ୍ତ ଜିଲ୍ଲାରେ "ଗୋପାଳ ଭବନ" ନିର୍ମାଣ ନିମନ୍ତେ ଓଡିଶା ସରକାରଙ୍କ ତରଫରୁ ସ୍ଥାନ ଓ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉ।

ପ୍ରତ୍ୟେକ ଗୋପାଳ ପରିବାରକୁ ଗାଈ କିମ୍ବା ମଇଁଷି କିଣିବା ନିମନ୍ତେ କମ୍ ସୁଧରେ କୃଷି ଋଣ ଯୋଗାଇ ଦିଆଯାଉ। ଆକସ୍ମିକ ଘଡଘଡି ଓ ବିଜୁଳି ତଥା ପ୍ରାକୃତିକ ଦୁର୍ବିପାକରେ ଗାଈ କିମ୍ବା ମଇଁଷିଙ୍କ ମୃତ୍ୟୁ ଘଟିବା ଦ୍ଵାରା କ୍ଷତିଗ୍ରସ୍ତ ଗୋପାଳ, ଗୌଡ଼ ଓ ଯାଦବ ପରିବାରଙ୍କୁ ତୁରନ୍ତ ଆର୍ଥିକ ସହାୟତା ମିଳୁ। 'ମୋ ଗୁହାଳ ଓ ମୁଖ୍ୟମନ୍ତ୍ରୀ କାମଧେନୁ' ଯୋଜନାରେ ଗୋପାଳ ପରିବାର ସଦସ୍ୟମାନଙ୍କୁ ଗୃହ ନିର୍ମାଣ ସହ ସମସ୍ତ ଅଗ୍ରାଧିକାର ଦିଆଯାଉ।

ବିଭିନ୍ନ ରୋଗରେ ପୀଡିତ ଗୋପାଳ ପରିବାର ସଦସ୍ୟଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଲିଲିଫ ପାଣ୍ଠିରୁ ସହାୟତା ମିଳୁ। ଓଡ଼ିଶାରେ ଗଢ଼ି ଉଠିଥିବା ସମସ୍ତ କ୍ଷୀର ସୋସାଇଟିରେ ଗୋପାଳ ପରିବାରର ସଦସ୍ୟଙ୍କୁ ସୋସାଇଟିର ସମ୍ପାଦକ ପୋଷ୍ଟରେ ନିଯୁକ୍ତି ସମେତ ଦୁଗ୍ଧଜାତ ଦ୍ରବ୍ୟକୁ ସରକାରଙ୍କ ମାଧ୍ୟମରେ କ୍ରୟ ସହ କ୍ଷୀରର ମୂଲ୍ୟ ସର୍ବନିମ୍ନ ୫୦/- (ପଚାଶ ଟଙ୍କା) ରଖାଯିବା ସହ କ୍ଷୀର ସଂଗ୍ରହ ପାଇଁ ଏମ.ଏସ.ପି. ନିର୍ଦ୍ଧାରଣ କରାଯାଉ ଏବଂ ଗୋ-ଖାଦ୍ୟର ମୂଲ୍ୟ ପ୍ରତ୍ୟେକ ସ୍ଥାନରେ ସମାନ ରଖାଯାଉ। ଓଡିଶା ସରକାରଙ୍କ ସମସ୍ତ ସରକାରୀ ଓ ବେସରକାରୀ କମିଟିରେ ଗୋପାଳମାନଙ୍କୁ କମିଟିର ସଦସ୍ୟ ଭାବେ ରଖାଯାଉ।

ଓଡ଼ିଶାର ବିଭିନ୍ନ ଜିଲ୍ଲା, ସହର ଓ ଗ୍ରାମଗୁଡିକରେ ଗଚ୍ଛିତ ଗୋ-ଚାରଣ ଭୂମି ବା ଗୋଚର ଭୂମିକୁ ଜବରଦଖଲ ମୁକ୍ତ କରାଯାଉ। ଓଡ଼ିଶାରେ ଗୋ-ସୁରକ୍ଷା ଆଇନକୁ କଡାକଡି କରାଯାଇ ଗୋ-ମାତାଙ୍କୁ ଜାତୀୟ ପଶୁ ସମ୍ପଦ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ।

ଓଡିଶା ସରକାରଙ୍କ ପକ୍ଷରୁ ତୁରନ୍ତ ଓ.ବି.ସି ଆୟୋଗ ଏବଂ ଓ.ବି.ସି ଅର୍ଥ ଆୟୋଗ କମିଟି ଗଠନ କରି ରାଜ୍ୟର ବେକାର ଓ.ବି.ସି ବର୍ଗର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାରୀ ଓ ବେସରକାରୀ ବ୍ୟାଙ୍କ ମାଧ୍ୟମରେ କମ୍ ସୁଧ ହାରରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ।

ଭାରତ ସରକାରଙ୍କ ବିନ୍ଧ୍ୟ ପ୍ରସାଦ ମଣ୍ଡଳ କମିଶନ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ଵନାଥ ପ୍ରତାପ ସିଂହଙ୍କୁ ଓ.ବି.ସି କମିଶନ ରିପୋର୍ଟ ପ୍ରଦାନ କରିଥିଲେ, ଉକ୍ତ ରିପୋର୍ଟ ଆଧାରରେ ଓଡିଶା ରାଜ୍ୟରେ ୨୭% ଓ.ବି.ସି ସଂରକ୍ଷଣକୁ ଶିକ୍ଷା ଓ ଚାକିରୀ ଇତ୍ୟାଦି କ୍ଷେତ୍ରରେ ଲାଗୁ କରାଯାଉ।

ସର୍ବଶେଷ ଦାବି, ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଗୋପାଳମାନେ ନିଜର ପାରମ୍ପରିକ ନୃତ୍ୟ "କାଠି ଲଉଡ଼ି" ପରିବେଷଣ କରିବାକୁ ଅନୁମତି ଦିଆଯାଉ ଏବଂ ଉକ୍ତ ସମୟରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଖାଦ୍ୟ, ପାନୀୟଜଳ ଏବଂ ରହିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। ଏଭଳି ୧୨ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି।

ଅଲ୍ ଓଡିଶା ଗୋପାଳ ସମାଜ ସମ୍ପାଦକ ନାରାୟଣ ଡ଼ାଳୁଆଙ୍କ ଆବହକତ୍ଵରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ପ୍ରମୁଖ ଜିଲ୍ଲାଗୁଡ଼ିକର ଶତାଧିକ ମହିଳାଙ୍କ ସମେତ ସମ୍ପ୍ରଦାୟର ହଜାର ହଜାର ସଦସ୍ୟ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମାଝି ସଂଘର ଦାବିଗୁଡିକ ଉପରେ ତୁରନ୍ତ ପଦକ୍ଷେପ ନନେଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବାର ଧମକ ଦେଇଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.