ବୃତ୍ତି ସହିତ ବିଶ୍ଵାସଘାତକତା

ଦେଶର ଯୁବପିଢି ଏଣିକି ପ୍ରାଇମ୍- ଟାଇମ୍ ପ୍ରସାରଣ ଉପରେ ନିର୍ଭର ନକରିବା ସହ ଡିଜିଟାଲ୍ ପ୍ଲାଟଫର୍ମ ଓ ସାମ୍ବାଦିକଙ୍କ ପ୍ରତି ବ୍ୟଙ୍ଗାତ୍ମକ ବ୍ୟବହାର କରି ପୁରୁଣା ଚାନାଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଦେଉଛନ୍ତି ।

Sep 16, 2026 - 09:06
ବୃତ୍ତି ସହିତ ବିଶ୍ଵାସଘାତକତା
Betraying the Profession

ଜବାବ ମାଗିବା ମୂହୁର୍ତ୍ତରେ ପ୍ରଶଂସାଗାନ ସମଗ୍ର ବ୍ୟବସ୍ଥାକୁ ବିଗାଡ଼ି ଦେଇଛି । ଦେଶର ଅଧିକାଂଶ ଗଣମାଧ୍ୟମ ସଂସ୍ଥା ଓ ତା’ର ପ୍ରତିନିଧିମଣ୍ଡଳୀ ନିଜ ବୃତ୍ତିକୁ କେବଳ ରାଜନୈତିକ ନେତା ଓ ବ୍ୟକ୍ତିବିଶେଷଙ୍କ ପ୍ରଶଂସକ ଭାବରେ ଉତ୍ସର୍ଗ କରିଛନ୍ତି । ଏପରି ମାନସିକତା ଦେଶର ପାଠକ ଏବଂ ଟେଲିଭଜନ ଦର୍ଶକମାନଙ୍କୁ ମଧ୍ୟ ପ୍ରଭାବିତ କରିଛି । କିନ୍ତୁ, ଏନେଇ ସେମାନେ ଦୃଢ ଭାବରେ ପ୍ରତିବାଦ କରିବାକୁ ଉଚିତ ମନେ କରନ୍ତିନି । କାରଣ, ଅନେକଙ୍କ ଧାରଣା ଯେ ସାମ୍ବାଦିକର ଲେଖନୀ କେବଳ ଦେଶର ସୁରକ୍ଷା ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଯାହା ବୃତ୍ତିରେ ଥିବା ପ୍ରତିନିଧି ଓ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ସମ୍ମାନ ଓ ବିଶ୍ଵାସର ପ୍ରତୀକ । ଏହାସତ୍ବେ ମନରେ ପ୍ରଶ୍ନ ଆସେ, ମେନଷ୍ଟ୍ରିମ୍ ମିଡିଆର ବୋଲକରା ସମ୍ବାଦିକ ବାସ୍ତବରେ କ’ଣ ଏହି ସମ୍ମାନର ହକଦାର? ଆମେ ସେହି ଦୋଗଲାଙ୍କ ବିଷୟରେ ଚିନ୍ତାକରୁ ଯେଉଁମାନେ ତାଙ୍କର ଦୈନନ୍ଦିନ ସୂଚୀରେ କେବଳ ନେତା/ ବିଧାୟକ/ସାଂସଦ/ମନ୍ତ୍ରୀ/ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ବଦଳରେ ତାଙ୍କର ପ୍ରଶଂସାରେ ମାତିଛନ୍ତି ।

ଭାରତର Gen-Z ଦେଶର ଅନେକ ମେନଷ୍ଟ୍ରିମ୍ ନ୍ୟୁଜ୍ ଚାନାଲ୍ ପ୍ରତି ଖୋଲା ଶତ୍ରୁତା ଏବଂ ଗଭୀର ଅବିଶ୍ୱାସ ପ୍ରଦର୍ଶନ କରିଥିଲେ, ସେମାନଙ୍କୁ "ଗୋଦୀ ମିଡିଆ" (ଲାପଡ଼ଗ୍ ମିଡ଼ିଆ) ଭାବେ ଲେବଲ କରିଥିଲେ । ଦେଶର ଯୁବପିଢି ଏଣିକି ପ୍ରାଇମ୍- ଟାଇମ୍ ପ୍ରସାରଣ ଉପରେ ନିର୍ଭର ନକରିବା ସହ ଡିଜିଟାଲ୍ ପ୍ଲାଟଫର୍ମ ଓ ସାମ୍ବାଦିକଙ୍କ ପ୍ରତି ବ୍ୟଙ୍ଗାତ୍ମକ ବ୍ୟବହାର କରି ପୁରୁଣା ଚାନାଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଏଡାଇ ଦେଉଛନ୍ତି । ଚିନ୍ତାର ବିଷୟ ଯେ, ୨୧ଶ ଶତାବ୍ଦୀର ଭାରତ ସତରେ କ'ଣ ସାମ୍ବାଦିକ ବୃତ୍ତି ପ୍ରତି ବିମୁଖ ହୋଇ ପଡିଛି ! କେତେକ ସାମ୍ବାଦିକ ବ୍ୟକ୍ତିଗତ କିମ୍ବା ସାଂସ୍ଥାଗତ ଲାଭ ପାଇଁ ରାଜନୈତିକ ଶକ୍ତି ସହିତ ସମନ୍ୱୟ ସ୍ଥାପନ କରିବାର ପ୍ରବୃତ୍ତି, ହୁଏତ ଏହି ପରିବର୍ତ୍ତନ ପଛର ଏକ ପ୍ରମୁଖ କାରଣ ହୋଇପାରେ । ରାଜନୈତିକ ଚାମଚାଗିରି ଯୋଗୁ ହୁଏତ ସେମାନଙ୍କର ସ୍ୱାଧୀନତା ଓ ବିଶ୍ଵାସନୀୟତା ହ୍ରାସ ହୋଇ ଥାଇପାରେ, ଯେହେତୁ, ଦେଶବାସୀ ଦେଖୁଛନ୍ତି ଫେୟାର ରିପୋର୍ଟିଂ ଅପେକ୍ଷା ଦୁର୍ନୀତିଖୋର ନେତାମାନଙ୍କ ପ୍ରଚାର ପାଇଁ ବୃତ୍ତି ଓ ପ୍ଲାଟଫର୍ମ ଉଭୟ ନିୟୋଜିତ ହୋଇଛନ୍ତି ।

ପ୍ରଶ୍ନ ଉଠିଛି, ଦେଶର ପାଠକ ଓ ଟେଲିଭିଜନ ଦର୍ଶକ ପ୍ରାୟତଃ କେତେକ ପକ୍ଷପାତପୂର୍ଣ୍ଣ ଏକପାଖିଆ ଖବର ଏବଂ ଏହାର ପୃଷ୍ଠପୋଷକମାନଙ୍କ ଉପରେ ବିଶ୍ୱାସ କରିବେ ବା ନ କରିବେ? ଯେହେତୁ, କେତେକ ଗଣମାଧ୍ୟମ ସଂସ୍ଥା ଦୁର୍ନୀତିଖୋର ନେତାଙ୍କ ସହ ଦୋସ୍ତି କରି କର୍ମଠ ସାମ୍ବାଦିକମାନଙ୍କୁ ବଦନାମ କରିଛନ୍ତି । ସେମାନଙ୍କର ଲୋଭନୀୟ ପ୍ରବୃତ୍ତି ଦେଶର ବୃତ୍ତିଗତ ସାମ୍ବାଦିକମାନଙ୍କ ପାଇଁ ବିପଦ ସୃଷ୍ଟି କରିଛି ଏବଂ ଫିଲ୍ଡରେ କାମ କରିବା ସମୟରେ ସେମାନଙ୍କୁ ନାନା ଗାଳି ବେଜିତ୍ ଶୁଣିବାକୁ ପଡୁଛି ଯାହା ସମଗ୍ର ସାମ୍ବାଦିକତା କ୍ଷେତ୍ରକୁ କଳୁଷିତ କରୁଛି । ବର୍ତ୍ତମାନର ଯୁବପିଢ଼ି ଏବଂ ବୁଦ୍ଧିଜୀବୀ ଗ୍ରାଉଣ୍ଡ ରିପୋର୍ଟିଂ ସୂଚନାର ବିକଳ୍ପ ଉତ୍ସ ଖୋଜୁଛନ୍ତି । ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ତର ସ୍ପଷ୍ଟ କରେ ଯେ ବାସ୍ତବରେ ଭାରତରେ ପାଠକ, ଦର୍ଶକ ଓ ସାମ୍ବାଦିକଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇବା ସହ ଦେଶର ୪ର୍ଥ ସ୍ତମ୍ଭ ପ୍ରତି ବିଶ୍ଵାସ କ୍ଷୁଣ୍ଣ ହୋଇଛି । 

Manoranjan Pattanaik Publisher & Editor, Suv Bharat Times