ଅକାଳ ମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ 'ଅକ୍ଷର ପୁରୁଷ'
ମଙ୍ଗଳମୟ ଶିବ ଶଙ୍କର ସମସ୍ତ ଅନିଷ୍ଟକାରୀ ଶକ୍ତିକୁ ସଂହାର କରି ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି। ସେ ଆଶୁବର ପ୍ରଦାନକାରୀ ଆଶୁତୋଷ, ଅକାଳ ମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ। ଅକ୍ଷର ବ୍ରହ୍ମଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ଅସାଧ୍ୟ ହେଲେ ମଧ୍ୟ ଶ୍ରଦ୍ଧାଳୁ ଭକ୍ତ, ସାଧକ, ଯୋଗୀ ଓ ମୁନିଋଷିଙ୍କର ସେ ଅନୁଭବ।
सौराष्ट्रे सोमनाथं च श्रीशैले मल्लिकार्जुनम् उज्जयिन्यां महाकालं ओम्कारममलेश्वरम् ॥
परल्यां वैद्यनाथं च डाकिन्यां भीमशंकरं सेतुबन्धे तु रामेशं नागेशं दारुकावने ॥
वारणस्यां तु विश्र्वेशं त्रयंम्बकं गौतमीतटे हिमालये तु केदारं घृश्नेशं च शिवालये ॥
एतानि ज्योतिर्लिङ्गानि सायं प्रातः पठेन्नरः सप्तजन्मकृतं पापं स्मरणेन विनश्यति ॥
ସୃଷ୍ଟିର ପ୍ରାରମ୍ଭରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ୱରୂପରେ ବ୍ରହ୍ମ ବିକଟିତ ହୋଇଥିଲେ। ଭଗବାନ ବିଷ୍ଣୁ ଓ ବ୍ରହ୍ମଦେବ, ପରସ୍ପର ମଧ୍ୟରୁ ପ୍ରଥମେ କାହାର ଆବିର୍ଭାବ! ଦୁଇ ଦେବତା ଏନେଇ କୌଣସି ସିଦ୍ଧାନ୍ତରେ ପହଁଚି ନପାରି ଦେବାଧିଦେବ ମହାଦେବଙ୍କ ଆଦିଅନ୍ତ ଅନ୍ୱେଷଣରେ ବାହାରିଲେ। ସର୍ବଶେଷରେ ପବିତ୍ର ପ୍ରଭାସ ତୀର୍ଥରେ ଭଗବାନ ବିଷ୍ଣୁ ଓ ବ୍ରହ୍ମଦେବଙ୍କୁ ଦିବ୍ୟ ଜ୍ୟୋତିର୍ଲିଂଗ ଦର୍ଶନର ସୌଭାଗ୍ୟ ପ୍ରାପ୍ତ ହେଲା। ମର୍ତ୍ତ୍ୟଲୋକର କଲ୍ୟାଣ ନିମନ୍ତେ ମହାଦେବ ଦ୍ୱାଦଶ ଜ୍ୟୋତିର୍ଲିଂଗ ଧାରଣ କରିଛନ୍ତି। ତ୍ରେତୟା ଏବଂ ଦ୍ୱାପର ଯୁଗରୁ ପୂଜା ପାଇ ଆସୁଥିବା ଜ୍ୟୋତିର୍ଲିଂଗ କଳିଯୁଗର ଅକ୍ଷର ପୁରୁଷ।
ତେଜୋଦୀପ୍ତ ସୋମନାଥ ଦେବ
ଦେବ ଦେବ ମହାଦେବଙ୍କ ତେଜୋଦୀପ୍ତ ଜ୍ୟୋତିର ସ୍ୱୟଂ ପ୍ରକାଶ ହିଁ ଜୋତିର୍ଲିଂଗ। ଭାରତର ପଶ୍ଚିମ ତଟରେ, ଗୁଜୁରାଟର ପବିତ୍ର ପ୍ରଭାସ ପାଟନ୍, ସୌରାଷ୍ଟ୍ର କ୍ଷେତ୍ରରେ ଅପୂର୍ବ ଶୋଭାମୟୀ ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ଶ୍ରୀସୋମନାଥ ଦେବ। ଆରବ ସାଗରରେ ପବିତ୍ର ସରସ୍ୱତୀ ଏବଂ ହିରଣ୍ୟ ଓ କପିଳ ନଦୀର ସମ୍ମିଳିତ ତ୍ରିବେଣୀ ଧାରା ସଂଗମ ସ୍ଥଳରେ ଏହି ତୀର୍ଥକ୍ଷେତ୍ର, ଯେପରି ମହାସମୁଦ୍ର ଗର୍ଭରୁ ଉଭା ହୋଇଛି ଏହି ଅପରୂପ ମନ୍ଦିର ତଥା ଆରବ ସାଗରର ଢେଉ ମନ୍ଦିରର ପ୍ରାଚୀରରେ ମଥା ପିଟି ଜ୍ୟୋତିର୍ଲିଙ୍ଗ ଶ୍ରୀସୋମନାଥ ଦେବଙ୍କୁ ବାରମ୍ବାର ପ୍ରଣାମ କରୁଛି।
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରେ ସର୍ବବୃହତ ଶ୍ରୀସୋମନାଥ ଦେବ। ପ୍ରଭୂଙ୍କ ବୈଭବମୟ ମନ୍ଦିର କାଳଚକ୍ରରେ ବହୁବାର ଧ୍ୱଂସ ପାଇ ବାରମ୍ବାର ଗଢା ହୋଇଛି। ପୁରାଣ ବିଶାରଦଙ୍କ ମତରେ ଶ୍ରୀସୋମନାଥଙ୍କ ପ୍ରଥମ ମନ୍ଦିର ୭ କୋଟି ୯୯ ଲକ୍ଷ ୨୫ ହଜାର ୧୦୫ ବର୍ଷ ତଳେ ନିର୍ମାଣ ହୋଇଥିଲା। କେତେକ କାରଣବଶତଃ ବିଭିନ୍ନ ସମୟରେ ମନ୍ଦିର ଧ୍ୱଂସ ମୁଖରେ ପଡିବା ପରେ ମହାଦେବଙ୍କ ଅପାର ଆଶୀର୍ବାଦରୁ ଏହାର ପୁନଋତ୍ଥାନ ଘଟିଛି। ଭୋଳାନାଥ ସତ୍ୟଯୁଗରେ ଭୈରବେଶ୍ୱର, ତ୍ରେତୟାରେ ଶ୍ରାବଣୀକେଶ୍ୱର, ଦ୍ୱାପର ଯୁଗରେ ଶ୍ରୀଗାଲେଶ୍ୱର ନାମରେ ପୂଜା ପାଇ ଆସୁଥିବା ସହ କଳିଯୁଗରେ ସୋମନାଥ ଜ୍ୟୋତିର୍ଲିଙ୍ଗ ଭାବରେ ଶ୍ରଦ୍ଧାଳୁଙ୍କୁ ଆଶିଷ ପ୍ରଦାନ କରୁଛନ୍ତି।
ନର୍ମଦା ଦ୍ୱୀପରେ ଓଁକାରେଶ୍ୱର
ନମୋ ଓଁକାର ରୂପାୟ ଦେବ ରୂପାୟ ତେ ନମଃ,
ଅଲିଙ୍ଗଲିଙ୍ଗ ରୂପାୟ ବିଶ୍ୱରୂପାୟ ତେ ନମଃ।
ନମୋ ମୋକ୍ଷପ୍ରଦେ ସଦାଶିବଂ ତୁଭ୍ୟଂ ନମୋନମଃ,
ନମଃ ଶଦ୍ଦ ରୂପାୟ ରୂପାତୀତାୟ ତେ ନମଃ।।
ମଧ୍ୟପ୍ରଦେଶ ନର୍ମଦା ନଦୀର ଏକ ଦ୍ୱୀପାଞ୍ଚଳରେ ଓଁକାରେଶ୍ୱର ଏବଂ ମାମଲେଶ୍ୱର ଭାବେ ନାମିତ ଦୁଇ ଦିବ୍ୟ ଲିଙ୍ଗ ଆବାହମାନ କାଳରୁ ପୂଜିତ। ଆଶୁତୋଷଙ୍କର ଏହି ଜ୍ୟୋତିର୍ଲିଂଗ ଗୋଟିଏ ଲିଙ୍ଗର ଦୁଇଟି ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ପୁରାଣକାର କୁହନ୍ତି ଶ୍ରୀଓଁକାରେଶ୍ୱର ହେଲେ ସ୍ୱୟମ୍ଭୁ। ଉଜ୍ଜୟନୀରୁ ଖଣ୍ଡୱା ଅଭିମୁଖେ ଥିବା ରେଲୱେର ମୋରଟକ୍କା ଷ୍ଟେସନରୁ ପ୍ରଭୂ ଓଁକାରେଶ୍ୱରଙ୍କ ମନ୍ଦିରର ଦୂରତ୍ୱ ପ୍ରାୟ ୧୮ କି.ମି। ପ୍ରଭୁଙ୍କ ଦର୍ଶନ ପାଇଁ ନୌକାରେ ନର୍ମଦା ନଦୀ ପାର ହେବାକୁ ପଡିଥାଏ। ମହାନ ‘ଶିବ ପୁରାଣ’ରେ ଉଲ୍ଲେଖ ଅଛି, ନର୍ମଦା ନଦୀରେ ସ୍ନାନ କରି ଓଁକାରେଶ୍ୱର ଜ୍ୟୋତିର୍ଲିଂଗ ଦର୍ଶନ କଲେ ଲୌକିକ ଓ ପରଲୌକିକ ପୂର୍ଣ୍ଣ୍ୟ ପ୍ରାପ୍ତ ହୁଏ। ସୁକ୍ଷ୍ମ କାରୁକାର୍ଯ୍ୟ ବିମଣ୍ଡିତ ଏହି ମନ୍ଦିର ପାଞ୍ଚ ମହଲା ବିଶିଷ୍ଟ। ପ୍ରଥମ ମହଲାରେ ବିଦ୍ୟମାନ ମହାପ୍ରଭୁ ଓଁକାରେଶ୍ୱର ଜ୍ୟୋତିର୍ଲିଂଗ। ପ୍ରଭୂଙ୍କ ମନ୍ଦିର ଚତୁଃପାର୍ଶ୍ଵ ଜଳମଗ୍ନ, ପ୍ରଭୁଙ୍କ ଦର୍ଶନ ଲାଗି ଆସୁଥିବା ଭକ୍ତ ଓଁକାରେଶ୍ୱର ଜ୍ୟୋତିର୍ଲିଂଗଙ୍କୁ ସ୍ପର୍ଶ କରି କୃତାର୍ଥ ହୁଅନ୍ତି।
ଉଜ୍ଜୟନୀ ଅଧିଶ୍ୱର ମହାକାଳେଶ୍ୱର
ମଧ୍ୟପ୍ରଦେଶ ମାଲୱା କ୍ଷେତ୍ରରେ ଉଜ୍ଜୟନୀର ପବିତ୍ର ସିପ୍ରା ନଦୀ କୂଳରେ ଶ୍ରୀମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ବିରାଜମାନ କରିଛନ୍ତି। ପ୍ରାଚୀନ ଉଜ୍ଜୟନୀ ଥିଲା ଅବନ୍ତିକାପୁର। ଏଠାରେ ଆବହମାନ କାଳରୁ ପୂଜିତ ଜ୍ୟୋତିର୍ଲିଙ୍ଗଙ୍କ ଭସ୍ମ ଆରତୀ ଦେଖିବାକୁ ଭକ୍ତ ବିଭୋର। ଶ୍ରୀମହାକାଳେଶ୍ୱରଙ୍କ ଦିବ୍ୟ ଆଳତି ପାଇଁ ନିଶାର୍ଦ୍ଧ ସମୟରେ ଶ୍ମଶାନରୁ ସଦ୍ୟ ଭସ୍ମୀଭୂତ ଶରୀରର ଚିତାଭସ୍ମ ସଂଗ୍ରହ କରାଯାଇ ପ୍ରଭୁଙ୍କ ଶ୍ରୀଲିଙ୍ଗରେ ସିଞ୍ଚନ କରାଯାଏ। ଏଥିପାଇଁ ନିୟୋଜିତ ଭକ୍ତ, ରାତି ଅଧରେ ଉଲଗ୍ନ ହୋଇ ଶ୍ମଶାନଘାଟରେ ଜଳୁଥିବା ଜୁଇ ନିକଟରୁ ଉତପ୍ତ ଭସ୍ମ ସଂଗ୍ରହ କରନ୍ତି ଏବଂ ସେହି ଭସ୍ମରେ ଶ୍ରୀ ମହାକାଳେଶ୍ୱରଙ୍କ ଆଳତି ହୁଏ। ମୃତ୍ୟୁ ପରେ ମାନବ ଶରୀର ଶ୍ମସାନରେ ଦାହ ହୋଇ ଭସ୍ମରେ ପରିଣତ ହେଲେ ମଧ୍ୟ, ସେହି ଚିତା ଭସ୍ମ ଦେବତାଙ୍କ ସ୍ପର୍ଶରେ ଦେବତ୍ୱ ଲାଭ କରିଥାଏ। ଭସ୍ମ ଆଳତି ଦର୍ଶନ କରିଥିବା ବ୍ୟକ୍ତି ଅକାଳ ମୃତ୍ୟୁରୁ ରକ୍ଷା ପାଇଥାନ୍ତି। ଏହାସହିତ ପ୍ରତ୍ୟେହ ବିବିଧ ଶୃଙ୍ଗାରରେ ବେଶ ହୁଅନ୍ତି ଶ୍ରୀ ମହାକାଳେଶ୍ୱର।
ବାରଣାସୀ ଅଧୀଶ୍ୱର ଶ୍ରୀବିଶ୍ୱନାଥ
ଉତ୍ତର ପ୍ରଦେଶର ପାବନ କ୍ଷେତ୍ର ବାରାଣାସୀ ଅନ୍ତର୍ଗତ ପ୍ରସିଦ୍ଧ କାଶୀ ନଗରୀରେ ଦେବାଧିଦେବ ମହାଦେବ ଶ୍ରୀବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ ରୂପେ ଅନାଦି କାଳରୁ ବିରାଜିତ। ବିଶ୍ୱାସ ରହିଛି ଭୋଳାନାଥ କେବେ ଏହି କ୍ଷେତ୍ର ପରିତ୍ୟାଗ କରୁ ନଥିବାରୁ ଏହା ହେଉଛି ଅବିମୁକ୍ତ କ୍ଷେତ୍ର। ଅନ୍ୟ ଏକ ବର୍ଣ୍ଣନା ଅନୁସାରେ ଭଗବାନ ବିଷ୍ଣୁ ସୃଷ୍ଟି ସର୍ଜନା ପାଇଁ ଏହି ପାବନ କ୍ଷେତ୍ରରେ ମହାଦେବ ଶଙ୍କରଙ୍କୁ ତପସ୍ୟା କରିଥିଲେ। ଭଗବାନ ବିଷ୍ଣୁଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଏହି କ୍ଷେତ୍ରରେ ଭଗବାନ ଶିବ ଶଙ୍କର ଜ୍ୟୋତିର୍ଲିଙ୍ଗ ରୂପେ ଆବିର୍ଭୁତ ହୋଇ ଶ୍ରୀବିଶ୍ୱନାଥ ନାମରେ ପୂଜା ପାଉଛନ୍ତି। କାଶୀ ନଗରୀର ମାହାତ୍ମ୍ୟ ଭାରତୀୟ ପଣ୍ଡିତ ଓ ପାଶ୍ଚାତ୍ୟ ବିଦ୍ୱାନମାନଙ୍କୁ ସର୍ବଦା ଉଦବୁଦ୍ଧ କରିଆସିଛି। ପବିତ୍ର ପ୍ଲାବନ ବାରାଣାସୀ ଏକ ପ୍ରସିଦ୍ଧ ଧର୍ମକ୍ଷେତ୍ର ଭାବେ ବିଶ୍ୱବିଦିତ। ବିଷ୍ଣୁ ଅଂଶ ସମ୍ଭୁତ ଅବୟ ପୁରୁଷଙ୍କ ଶରୀରରୁ ଉଦ୍ଗମ ବରୁଣା ନଦୀ ଏବଂ ଅସୀ ନଦୀ ଏହି କ୍ଷେତ୍ରରେ ପୂର୍ଣ୍ଣତୋୟା ଗଙ୍ଗା ନଦୀ ସହ ସଂଯୋଗ ହୋଇଛନ୍ତି। ଶାସ୍ତ୍ର, ପୁରାଣ ଓ ଇତିହାସରେ ପବିତ୍ର ବାରାଣାସୀ ନଗରକୁ ଆନନ୍ଦ କାନନ, ରୁଦ୍ର କ୍ଷେତ୍ର ଓ ମୋକ୍ଷ କ୍ଷେତ୍ର ଭଳି ଅନେକ ନାମରେ ନାମିତ କରାଯାଇଛି।
ମୁଖୌଟା ମଧ୍ୟରେ ତ୍ର୍ୟମ୍ବକେଶ୍ୱର
ମୃତ୍ୟୁଞ୍ଜୟ ମହାଦେବଙ୍କୁ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ତ୍ର୍ୟମ୍ବକ ଅର୍ଥାତ୍ ତ୍ରିଲୋଚନ ରୂପେ ଆରାଧନା କରାଯାଏ। ମହାରାଷ୍ଟ ନାସିକ୍ ଜିଲ୍ଲାର ପଞ୍ଚବଟୀରୁ ୨୭ କି.ମି ଦୂର ବ୍ରହ୍ମଗିରି ପର୍ବତ ପାଦଦେଶରେ ପୂର୍ଣ୍ଣ୍ୟତୋୟା ଗୋଦାବରୀ ନଦୀ ତଟରେ ଭଗବାନ ଶ୍ରୀତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ବିରାଜିତ। ଏହି ପାବନ କ୍ଷେତ୍ର ଗୋଦାବରୀ ନଦୀର ଉତ୍ପତି ସ୍ଥଳ। ଏଠାରେ ଶ୍ରୀତ୍ର୍ୟମ୍ବକେଶ୍ୱର ଦିବ୍ୟ ଜ୍ୟୋତିର୍ଲିଙ୍ଗ ରୂପେ ଦର୍ଶନ ଦେଇଥିବାରୁ ଏହାକୁ ତ୍ର୍ୟମ୍ବକ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ।
ତ୍ର୍ୟମ୍ବକେଶ୍ୱରଙ୍କ ଭବ୍ୟ ମନ୍ଦିର ନାଗର ଶୈଳୀରେ ନିର୍ମିତ। ମନ୍ଦିର ଗର୍ଭଗୃହରେ ତିନିମୂର୍ତ୍ତି ଲିଙ୍ଗଙ୍କ ଏକତ୍ର ସମାହାର ଯୋଗୁଁ ସଦାଶିବ ଏଠାରେ ତ୍ର୍ୟମ୍ବକେଶ୍ୱର ନାମରେ ନାମିତ ବୋଲି ବିଶ୍ୱାସ ରହିଛି। କୁହାଯାଏ, ଶ୍ରୀତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଭଗବାନ ବହ୍ମା, ବିଷ୍ଣୁ ଓ ମହେଶ୍ୱର ଏକତ୍ର ସମ୍ମିଳିତ। ପ୍ରଭୁ ତ୍ର୍ୟମ୍ବକେଶ୍ୱର ସର୍ବଦା ଏକ ରୌପ୍ୟ ମୁଖୌଟା ଦ୍ୱାରା ଆବୃତ ହୋଇ ରହିଥାନ୍ତି। ପ୍ରତ୍ୟେହ ଏକ ନିର୍ଦ୍ଧିଷ୍ଟ ସମୟରେ ପ୍ରଭୁଙ୍କ ଶ୍ରୀଅଙ୍ଗରୁ ମୁଖୌଟା କଢା ଯାଇଥାଏ। ମୁଖୌଟା ଅନ୍ତର ହେବାରେ ପ୍ରଭୁଙ୍କ ଜାଜୁଲ୍ୟମାନ ସ୍ୱରୂପର ଦର୍ଶନ ମିଳେ। ପ୍ରତି ୧୨ ବର୍ଷ ଅନ୍ତରରେ ଗୋଦାବରୀ ନଦୀ ତଟରେ ପ୍ରସିଦ୍ଧ କୁମ୍ଭମେଳା ହୁଏ। ଏହି ସମୟରେ ପ୍ରଗଲ୍ଭ ଭକ୍ତ ଶ୍ରୀତ୍ର୍ୟମ୍ବକେଶ୍ୱର ଜ୍ୟୋତିର୍ଲିଙ୍ଗ ଦର୍ଶନ କରି କୋଟି ପୂର୍ଣ୍ଣ୍ୟ ଅର୍ଜନ କରନ୍ତି।
ଅଙ୍ଗୁଳି ଘର୍ଷଣରୁ ଆବିର୍ଭୂତ ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ
ମହାରାଷ୍ଟ୍ର ଏଲୋରା ଗୁମ୍ଫାର ଅନତି ଦୂରରେ ତଥା ଦୌଲତାବାଦ ରେଳଷ୍ଟେସନ ଠାରୁ ୧୮ କି. ମି ଦୂରବର୍ତ୍ତୀ ବେରୁଲ ଗ୍ରାମରେ ଶ୍ରୀଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବ ଘଟିଛି। ପ୍ରବାଦ ଅଛି, ଦେବୀ ପାର୍ବତୀ ଏଠାରେ ଥିବା ଏକ ପୁଷ୍କରିଣୀ ଜଳ ପାପୁଲିରେ ନେଇ ମଥା ସିନ୍ଦୁରକୁ ସେହି ଜଳରେ ମିଶ୍ରଣ କରୁଥିବା ସମୟରେ ମହାଦେବଙ୍କ ମନନରେ ମଗ୍ନ ଥିଲେ। ପାପୁଲିରେ ମାତାଙ୍କ ଅଙ୍ଗୁଳି ଘର୍ଷଣ ବେଳେ ତାଙ୍କ ଚେତନାରେ ପ୍ରଭୁ ଶିବ ଶଙ୍କର ଏକ ଲିଙ୍ଗ ରୂପେ ପ୍ରକଟିତ ହୋଇ ସ୍ୱରୂପ ଧାରଣ କରିଥିଲେ। ସେହି ଜ୍ୟୋତିର୍ଲିଙ୍ଗ ଯୁଗ ଯୁଗ ଧରି ଘୁସୂଣେଶ୍ୱର, ଧୂମେଶ୍ୱର, କୁସୁମେଶ୍ୱର ଓ କୁଙ୍କୁମେଶ୍ୱର ଭଳି ବିଭିନ୍ନ ନାମରେ ପୂଜା ପାଇ ଆସୁଥିଲେ। ଅଧୂନା ଶ୍ରୀଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ଭାବେ ବିଶ୍ଵବିଦିତ। ସୌଭାଗ୍ୟଶାଳୀ ଭକ୍ତ ଶ୍ରୀଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଦୁର୍ଲଭ ଦର୍ଶନ ସହ ମାତା ଘୃଷ୍ଣେଶ୍ୱରୀଙ୍କୁ ଏକତ୍ର ଦର୍ଶନ କରି ଧନ୍ୟ ମନେକରନ୍ତି।
ଶ୍ରୀରାମଲିଙ୍ଗେଶ୍ୱର ରାମେଶ୍ୱର
ରାମନାଥସ୍ୱାମୀ ମନ୍ଦିର ତାମିଲନାଡୁର ରାମେଶ୍ୱରମ ଦ୍ୱୀପରେ ଅବସ୍ଥିତ। ଶ୍ରୀରାମଲିଙ୍ଗେଶ୍ୱର ଜ୍ୟୋତିର୍ଲିଙ୍ଗ ପ୍ରସିଦ୍ଧ ରାମେଶ୍ୱର ତୀର୍ଥକ୍ଷେତ୍ରର ଅଧୀଶ୍ୱର। ସନ୍ଥ ତୁଳସୀ ଦାସଙ୍କ ରଚିତ ଶ୍ରୀରାମଚରିତ ମାନସରେ ଉଲ୍ଳେଖ ଅଛି, “ଯେ ରାମେଶ୍ୱର ଦର୍ଶନ କରିବେ, ସେ ଦେହତ୍ୟାଗ ପରେ ହରିଲୋକ ପ୍ରାପ୍ତ ହେବେ। ଯେ ରାମେଶ୍ୱରଙ୍କୁ ଗଙ୍ଗାଜଳ ଅର୍ପଣ କରିବେ, ସେ ସାଯୁଯ୍ୟ ମୁକ୍ତିଲାଭ କରିବେ।” ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଯେତେବେଳେ ସୀତାମାତାଙ୍କୁ ପରାକ୍ରମୀ ରାକ୍ଷସ ରାଜା ରାବଣ କବଳରୁ ମୁକ୍ତ କରିବା ପାଇଁ ପ୍ରସ୍ତୁତି ଚଳାଇଲେ, ସେତେବେଳେ ପ୍ରଭୂ ଶ୍ରୀରାମ ନିଜ ଆରାଧ୍ୟ ଅକ୍ଷର ପୁରୁଷ ମହାଦେବଙ୍କ ଆଶିର୍ବାଦ ଲୋଡିଥିଲେ। ଏଥିପାଇଁ ପ୍ରଭୂ ଶ୍ରୀରାମ ନିଜ କରକମଳରେ ସମୁଦ୍ର ବାଲୁକାରେ ଏକମୂର୍ତ୍ତି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ। ଦେବାଧିଦେବ ମହାଦେବ ପ୍ରଭୂ ଶ୍ରୀରାମଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ସେଠାରେ ପ୍ରଭୂ ଶ୍ରୀରାମଙ୍କୁ ଦର୍ଶନ ଦେଇଥିଲେ।
ତ୍ରେତୟା ଯୁଗରୁ ଧରି ପ୍ରଭୂ ଶ୍ରୀରାମଙ୍କ ଈଶ୍ୱର ଶ୍ରୀରାମଲିଙ୍ଗେଶ୍ୱର ପ୍ରକାରାନ୍ତରେ ଶ୍ରୀରାମେଶ୍ୱର ଜ୍ୟୋତିର୍ଲିଙ୍ଗ ରୂପେ ପୂଜା ପାଉଛନ୍ତି। ଦକ୍ଷିଣ ଭାରତର ପ୍ରମୁଖ ଶୈବ କ୍ଷେତ୍ର ମଧ୍ୟରୁ ରାମେଶ୍ୱର ତୀର୍ଥସ୍ଥଳ ଖୁବ୍ ପ୍ରସିଦ୍ଧି ଲାଭ କରିଛି। 'ସ୍କନ୍ଦ ପୁରାଣ'ରେ ଉଲ୍ଳେଖ ଅଛି, “ସେତୁ ବନ୍ଧ ତୀର୍ଥେ ରାମେଶ୍ୱର ମହାଦେବ, ବସାଇଛନ୍ତି ଶ୍ରୀରାମ ଘେନି ଭକ୍ତିଭାବ।” ତୀର୍ଥଯାତ୍ରା ସମୟରେ ଦାକ୍ଷିଣାତ୍ୟ ଅଧୀଶ୍ୱର ଶ୍ରୀରାମେଶ୍ୱରଙ୍କୁ ଦର୍ଶନ କରିବା ଲାଗି ଭକ୍ତଗଣ ସର୍ବଦା ବ୍ୟାକୁଳ।
ଓଁକାର ସ୍ୱରୂପ ଶ୍ରୀ ନାଗେଶ୍ୱର
“ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ, ଭସ୍ମାଙ୍ଗରାଗାୟ ମହେଶ୍ୱରାୟ,
ନିତ୍ୟାୟ ଶୁଦ୍ଧାୟ ଦିଗମ୍ବରାୟ, ତସ୍ମୈ ନ କାରାୟ ନମଃ ଶିବାୟ”
ନାଗେଶ୍ୱର ଜ୍ୟୋତର୍ଲିଙ୍ଗ, ଦେବାଧିଦେବା ମହାଦେବଙ୍କ ଅଷ୍ଟମ ଦିବ୍ୟ ସ୍ଵରୂପ ବୋଲି ବିଶ୍ୱାସ କରାଯାଏ। ମହାରାଷ୍ଟ୍ର ହିଙ୍ଗୋଲୀ ଜିଲ୍ଲାର ଔଁଧା ଠାରେ ଜ୍ୟୋତିର୍ଦେବ ନାଗେଶ୍ୱରଙ୍କ ଭବ୍ୟ ମନ୍ଦିର। ପ୍ରସିଦ୍ଧ ଶିବ ପୁରାଣ ‘କୋଟିରୁଦ୍ର ସଂହିତା’ରେ ଲିଖିତ ‘ଦାରୁକାବନେ ନାଗେଶମ୍’ ଅନୁସାରେ ବିଶେଷଜ୍ଞଙ୍କ ମତ ବର୍ତ୍ତମାନ ଔଁଧା ନାମରେ ପରିଚିତ ଏହି ଶୈବ କ୍ଷେତ୍ର ପ୍ରାଚୀନ କାଳରେ ଦାରୁକାବନ ଭାବେ ପରିଚିତ ଥିଲା। ଏହି ପ୍ଳାବନ କ୍ଷେତ୍ରର ଅଧୀଶ୍ଵର ଶ୍ରୀନାଗେଶ୍ୱର ଜ୍ୟୋତର୍ଲିଙ୍ଗ ଦକ୍ଷିଣାଭିମୁଖୀ, ମାତ୍ର ସ୍ତମ୍ଭାକୃତି ନୁହନ୍ତି ଏବଂ ଲିଙ୍ଗ ଶିର ଭାଗ ମସୃଣ ନୁହଁନ୍ତି। ପବିତ୍ର ଦ୍ୱାରକା ଶୀଳାରେ ନିର୍ମିତ ପ୍ରଭୂ ନାଗେଶ୍ୱରଙ୍କ ଜ୍ୟୋତିର୍ଲିଙ୍ଗର ଆକୃତି ତ୍ରିମୁଖୀ ରୁଦ୍ରାକ୍ଷ ଭଳି ତଥା ଓଁକାର ସ୍ୱରୂପରେ ପ୍ରଭୂ ଦର୍ଶନ ଦେଊଛନ୍ତି। ମରାଠୀ ଶିବ ଭକ୍ତ ଶ୍ରଦ୍ଧାରେ ପ୍ରଭୁଙ୍କୁ ଔଁଧା ନାଗନାଥ ନାମରେ ସ୍ମରଣ କରନ୍ତି।
ଶ୍ରୀଶୈଳେ ମଲ୍ଳିକାର୍ଜୁନମ୍
“ସୌରାଷ୍ଟ୍ରେ ସୋମନାଥଂ ଚ ଶ୍ରୀ ଶୈଳେ ମଲ୍ଳିକାର୍ଜୁନମ୍”
ଶ୍ରୀମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଭକ୍ତମାନଙ୍କ ହୃଦୟରେ ଶ୍ରୀଶୈଳ ଭାବେ ସ୍ମରଣୀୟ। ଆନ୍ଧ୍ର ପ୍ରଦେଶ ଉପକଣ୍ଠ କୁର୍ଣ୍ଣଲ୍ ଜିଲ୍ଲାର ରାୟଲାସୀମା ଓ କୃଷ୍ଣା ନଦୀ ତଟକୁ ଛୁଇଁଥିବା ପର୍ବତ ଶିଖରରେ ଶ୍ରୀମଲ୍ଲିକାର୍ଜୁନଙ୍କ ସହ ମାତା ଭ୍ରମରାମ୍ଭା ଦେବୀ ପୂଜା ପାଉଛନ୍ତି। ମନ୍ଦିର ନିର୍ମାଣ ଶୈଳୀରେ ଦ୍ରାବିଡ ପ୍ରତିକୃତିର ଛାପ ଦେଖିବାକୁ ମିଳେ। ମନ୍ଦିର ଚତୁଃପାର୍ଶ୍ଵ ସୁଉଚ୍ଚ ପାଚେରୀ ଦ୍ଵାରା ଆବଦ୍ଧ, ଯେଉଁଥିରେ ଝଟକୁଛି ଚମତ୍କାର କାରୁକାର୍ଯ୍ୟ। ଚାରି ଦିଗକୁ ଚାରୋଟି ପ୍ରବେଶ ପଥ, ଆଞ୍ଚଳିକ ଭାଷାରେ ଏହା ଗୋପୁରମ୍ ଭାବେ ପରିଚିତ। ବୀର ମଣ୍ଡପ, ନନ୍ଦୀ ମଣ୍ଡପ ଓ ରଙ୍ଗ ମଣ୍ଡପ ଅତିକ୍ରମ ପରେ ଗର୍ଭଗୃହରେ ପୂର୍ବାଭିମୁଖୀ ଜ୍ୟୋତିର୍ଲିଙ୍ଗ ଶ୍ରୀମଲ୍ଲିକାର୍ଜୁନଙ୍କ ଦର୍ଶନ ମିଳେ। ତାଜା ମଲ୍ଳୀଫୁଲରେ ମଣ୍ଡିତ ପ୍ରଭୁଙ୍କ ଶ୍ରୀଅଙ୍ଗ ଦର୍ଶନ କରି ଭକ୍ତ ଭାବୁକ ପାଲଟିଯାଏ। ମନ୍ଦିରର ପାରିପାର୍ଶିକ ଦୃଶ୍ୟାବଳୀ ବାସ୍ତବରେ ପ୍ରକୃତି ଦ୍ୱାରା ପ୍ରେରିତ ବ୍ୟାପକ ଆକର୍ଷଣୀୟ ଉପହାର ବୋଲି କହିବାରେ କୌଣସି ଆପତ୍ତି ନାହିଁ।
ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ ଏହି ଶିବଶକ୍ତି ସମ୍ମିଳିତ କ୍ଷେତ୍ରରେ ‘ଶିବାନନ୍ଦ ଲହରୀ’ ପୁସ୍ତକ ରଚନା କରିଥିଲେ। ପ୍ରଭୂଙ୍କ ଆବିର୍ଭାବ ସଂକ୍ରାନ୍ତରେ ‘ଶିବାନନ୍ଦ ଲହରୀ’ ସମେତ ‘ପଦ୍ମ ପୁରାଣ’, ‘ମାର୍କଣ୍ଡେୟ ପୁରାଣ’, ‘ଶିବ ପୁରାଣ’, ‘ରୁଦ୍ର ସଂହିତା’, ‘ଆଦିତ୍ୟ ପୁରାଣ’, ‘ମହାଭାରତ’, ‘ଭାଗବତ’ ଓ ‘ହରିବଂଶ ପୁରାଣ’ରେ ବିସ୍ତୃତ ଭାବେ ବଣ୍ଣନା କରାଯାଇଛି। ଯୋଗେଶ୍ୱରଙ୍କ ରଚିତ ‘କଥାସରିତ୍ ସାଗର’, ଭବଭୂତିଙ୍କ ରଚିତ ‘ମାଳତୀ ମାଧବମ୍’, ବାଣଭଟ୍ଟଙ୍କ ‘କାଦମ୍ବରୀ’, ଶ୍ରୀହର୍ଷଙ୍କ ‘ରତ୍ନାବଳୀ’ ଏବଂ ବିଭିନ୍ନ ତାମିଲ, ତେଲଗୁ, କନ୍ନଡ ଓ ମରାଠୀ ପୁସ୍ତକରେ ମଧ୍ୟ ଶ୍ରୀମଲ୍ଲିକାର୍ଜୁନଙ୍କ ଅବସ୍ଥିତି ଓ ପୂଜାବିଧି ସଂକ୍ରାନ୍ତରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। କେତେକ ନିର୍ଦ୍ଧିଷ୍ଟ ଦିନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ଭକ୍ତମାନେ ଦିବ୍ୟ ଜ୍ୟୋତିର୍ଲିଙ୍ଗଙ୍କୁ ସ୍ପର୍ଶ କରି ପୂଜାର୍ଚ୍ଚନା କରିବା ବିଧି ରହିଛି।
ସହ୍ୟାଦ୍ରି ପର୍ବତରେ ଭୀମଶଙ୍କର
ସମଗ୍ର ସ୍ୱରୂପ ମଧ୍ୟରେ ରୁପାୟିତ ଭଗବାନ ଶିବ ଶଙ୍କର। ଶ୍ରୀଭୀମଶଙ୍କର ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ରହିଛି। ଯାହାର ଆଧାର ଲୋକବାଦ, ବିଶ୍ୱାସ ଏବଂ ବିଭିନ୍ନ ପୌରାଣିକ ତଥ୍ୟ। ମହାନ ‘ଶିବ ପୁରାଣ’ ବର୍ଣ୍ଣନା ଅନୁସାରେ ଆସାମ କାମରୂପ ଜିଲ୍ଲାର ଗୌହାଟି ନିକଟରେ ବ୍ରହ୍ମାପୁର ପାହାଡରେ ପ୍ରଭୂ ଭୀମଶଙ୍କର ବିରାଜମାନ କରିଛନ୍ତି। ପୁଣି ଅନ୍ୟ କେତେକ ବିଶ୍ୱାସ କରନ୍ତି, ନୈନୀତାଲ ଜିଲ୍ଲାର କାଶୀପୁର ଇଲାକାରେ ଥିବା ବିଶାଳ ଶିବ ମନ୍ଦିରରେ ଭୀମଶଙ୍କର ଦେବ ଆବିର୍ଭୂତ।
ବିଶ୍ୱାସ ଆଧାରରେ ପ୍ରଭୂଙ୍କୁ ନିଜ ଅଞ୍ଚଳର ଅଧୀଶ୍ୱର ବୋଲି ଦାବି କରୁଥିବା ରାଜ୍ୟଗୁଡିକ ମଧ୍ୟରୁ ଓଡିଶା ମଧ୍ୟ ବାଦ୍ ପଡିନି। ‘ଲିଙ୍ଗ ପୁରାଣ’ରୁ ମିଳିଥିବା ତଥ୍ୟ ଅନୁସାରେ ଶ୍ରୀଭୀମଶଙ୍କର ଦେବ ଓଡିଶା ରାୟଗଡା ଜିଲ୍ଲାର ଗୁଣୁପୁର ସନ୍ନିକଟ ଭୀମପୁର ଗ୍ରାମରେ ବିରାଜମାନ କରିଛନ୍ତି। ଏହି ବିଶ୍ୱାସକୁ ଅଧିକ ଶାଣିତ କରିଛି ଏଠାକାର ପାରିପାର୍ଶିକ ପରିବେଶ। ଦେବାଧିଦେବ ମହାଦେବ ସବୁଥିରୁ ନିର୍ଲିପ୍ତ, ସମସ୍ତ କାମନା ବାସନାର ଉର୍ଦ୍ଧରେ। ଶ୍ମଶାନ ଯାହାର ବାସସ୍ଥଳ, ଯିଏ ପର୍ବତ ଶିଖରରେ ଧ୍ୟାନ ମଗ୍ନ, ଭୂତ ପ୍ରେତ ଯାହାର ସହଚର ସେ ହିଁ ମହାଦେବ ଶିବ ଶଙ୍କର। ଓଡିଶାର ପୂର୍ଣ୍ଣତୋୟା ମହେନ୍ଦ୍ରତନୟା ନଦୀ ତଟରେ ତଥା ପବିତ୍ର ମହେନ୍ଦ୍ରଗିରି ପର୍ବତାଞ୍ଚଳର ପଶ୍ଚିମ ପାର୍ଶ୍ଵରେ ପ୍ରଭୂ ଭୀମଶଙ୍କରଙ୍କ ଆବାସସ୍ଥଳୀ ବୋଲି ଓଡିଆଙ୍କର ବିଶ୍ୱାସ ରହିଛି।
ଏଭଳି ବିଭିନ୍ନ ବିଶ୍ୱାସ ସିଦ୍ଧ ତଥ୍ୟଗୁଡିକ ସହ ଆସାମର ଗୌହାଟି, ନୈନୀତାଲର କାଶୀପୁର, ଓଡିଶାର ରାୟଗଡା ସହ ଯୋଡିହୋଇଛି “ଡାକିନି”। ପୁରାଣ ବିଶାରଦଙ୍କ ମତରେ ଏକ ପର୍ବତ ଶିଖରର ନାମ “ଡାକିନି”। ଇଂରାଜୀ ଲେଖକମାନେ “ଡାକିନି” ଶବ୍ଦରେ କଣ୍ଟ୍ରି ଯୋଡି ସ୍ଥାନଟିକୁ “ଡାକିନି କଣ୍ଟ୍ରି” ବୋଲି ଲେଖି ଯାଇଛନ୍ତି। ହେଲେ ପ୍ରଭୂ ଭୀମଶଙ୍କରଙ୍କ ଦିବ୍ୟ ଜ୍ୟୋତିର୍ଲିଙ୍ଗ ମହାରାଷ୍ଟ୍ର ସହ୍ୟାଦ୍ରି ପର୍ବତରେ ଆବିର୍ଭୂତ ବୋଲି ଅଧିକାଂଶ ଏକମତ। ସମୁଦ୍ର ପତନରୁ ୩ହଜାର ୫ଶହ ଫୁଟ ଉଚ୍ଚତା ବିଶିଷ୍ଟ ସହ୍ୟାଦ୍ରି ପର୍ବତ ହେଉଛି ଭୀମାନଦୀର ଉତ୍ପତିସ୍ଥଳ। ସହ୍ୟାଦ୍ରି ପାର୍ବତ୍ୟାଞ୍ଚଳରେ ପହଁଚିବା ଲାଗି ବିଭିନ୍ନ ଦିଗରୁ ଗମନାଗମନ ସୁବିଧା ଅଛି। ନାସିକ ଠାରୁ ୧୨୦ ମାଇଲ୍ ଅତିକ୍ରମ କଲେ ମନ୍ଦିରରେ ପହଁଚି ଶ୍ରୀଭିମଶଙ୍କର ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବା ସହଜ।
ଦେଓଘର ହୃଦୟପୀଠରେ ଶ୍ରୀବୈଦ୍ୟନାଥ
ଭଗବାନ ଶିବ ଶଙ୍କର ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ନାମରେ ଝାଡଖଣ୍ଡ ଦେଓଘର ପୀଠରେ ବିରାଜମାନ। ଏଠାରେ ଶ୍ରୀବୈଦ୍ୟନାଥଙ୍କ ଆବିର୍ଭାବ କ୍ଷେତ୍ରକୁ ବୈଦ୍ୟନାଥ ଧାମ ବୋଲି ପରିଚୟ ଦେଇଛି। ବିଶ୍ୱାସ ଆଧାରରେ କୁହାଯାଏ, ଏହି ପୀଠରେ ମହାବଳୀ ଦଶାନନ ରାବଣ ମହାଦେବଙ୍କୁ ପ୍ରଶନ୍ନ କରିବା ଲାଗି କଠୋର ତପସ୍ୟା କରିବା ସହ ନିଜର ୯ଟି ମସ୍ତକ ଗଣ୍ଡିରୁ ଅଲଗା କରି ମହାଦେବଙ୍କ ଉଦ୍ଦେଶ୍ୟରେ ବଳି ଚଢାଇଥିଲେ। ଏଥିରେ ବ୍ୟଥିତ ମହାଦେବ ଜଣେ ଚିକିତ୍ସକ ଭାବେ ରାବଣଙ୍କୁ ଆରୋଗ୍ୟ କରିଥିଲେ। ଦେବାଧିଦେବ ମହାଦେବଙ୍କ ବୈଦ୍ୟରାଜ ସ୍ୱରୂପକୁ ନେଇ ପୀଠାଧିଶଙ୍କ ନାମ ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବୋଲି ବିଶ୍ୱାସ ରହିଛି।
ବୈଦ୍ୟନାଥ ଧାମ ଏକ ଶକ୍ତିପୀଠ ଭାବେ ମଧ୍ୟ ପ୍ରସିଦ୍ଧ। ପୈାରାଣିକ ବର୍ଣ୍ଣନା ଅନୁଯାୟୀ, ମାତା ସତୀ ମହାଦେବଙ୍କ ଉଦ୍ଦେଶ୍ୟରେ ଦକ୍ଷ ପ୍ରଜାପତିଙ୍କ ଅପମାନଜନକ ଶବ୍ଦ ସହ୍ୟ ନକରି ଯଜ୍ଞକୁଣ୍ଡରେ ଧାସ ଦେଇଥିଲେ। ନାରଦ ମୁନିଙ୍କ ଠାରୁ ଏହି ଅଶୁଭ ସମାଚାର ମିଳିବା ପରେ ମହାଦେବଙ୍କ ପ୍ରଚଣ୍ଡ କ୍ରୋଧ ପାଇଁ ମାତା ରୁଦ୍ର ଅବତାରରେ ଅବତୀର୍ଣ୍ଣ ହେଲେ। ଏହି ସ୍ୱରୂପ ଏତେ ଭୟଙ୍କର ଥିଲେ ଯେ, ଯାହା କଳ୍ପନା କରିବାକୁ ସପ୍ତର୍ଶୀ ଅସମର୍ଥ। ଶେଷରେ ମହାଦେବଙ୍କୁ କୋପ ରହିତ କରିବା ଲାଗି ଶ୍ରୀମାଧବ ଉପାୟ ପାଞ୍ଚିଲେ ଏବଂ ଚକ୍ର ଦ୍ୱାରା ମାତା ସତୀଙ୍କ ଶରୀରକୁ ୫୨ ଖଣ୍ଡ କରିଦେଇ ଥିଲେ। ମାତାଙ୍କ ଶରୀରର ଛିନ୍ନାଂଶ ଯେଉଁସବୁ ସ୍ଥାନରେ ବିଛାଡି ହୋଇ ପଡିଥିଲା ସେମଧ୍ୟରୁ ଦେଓଘର ଅନ୍ୟତମ। ଏଠାରେ ସତୀମାତାଙ୍କ ହୃତପିଣ୍ଡ ପଡିଥିଲା ବୋଲି ବିଶ୍ୱାସ ରହିଥିବାରୁ ପୀଠର ଅନ୍ୟନାମ ହୃଦୟପୀଠ ଭାବେ ମଧ୍ୟ ପରିଚିତ। ପୁଣି କେତେକ ଭକ୍ତ ଦାବି କରୁଛନ୍ତି, ମହାରାଷ୍ଟ୍ର ପାର୍ଲି ଠାରେ ଥିବା ମହାଲିଙ୍ଗ ହେଉଛନ୍ତି ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ। କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ। ତେଣୁ ଯିଏ ତାଙ୍କୁ ଯେଉଁଠି ଖୋଜିବେ ସେହି ସ୍ଥାନ ପ୍ଳାବନ ଶୈବ କ୍ଷେତ୍ର ଭାବରେ ପରିଚୟ ବହନ କରିବ।
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଯାତ୍ରା ପୂର୍ଣ୍ଣ କରନ୍ତି କେଦାରନାଥ
ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ ପରେ ସମଗ୍ର ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନର ଆକାଂକ୍ଷା ପୂର୍ଣ୍ଣ ହୋଇଥାଏ। ହିମାଳୟ କୋଳରେ ତଥା ଉତ୍ତରାଖଣ୍ଡ ଗଡବାଲ୍ ଇଲାକାର ପୂର୍ଣ୍ଣତୋୟା ମନ୍ଦାକିନୀ ତଟରେ ଶ୍ରୀକେଦାରନାଥଙ୍କ ଭବ୍ୟ ମନ୍ଦିର। ଏକ ଗଭୀର ଗର୍ତ୍ତ ମଧ୍ୟରୁ ଦିବ୍ୟ ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ, ଯାହାକି ଏକ ମହିଷର ପୃଷ୍ଠଭାଗ ସଦୃଶ ଦୃଶ୍ୟମାନ।
ପ୍ରଭୁଙ୍କ ପୂର୍ବାହ୍ନ ଦର୍ଶନକୁ ନିର୍ବାଣ ଦର୍ଶନ ଏବଂ ଅପରାହ୍ନ ଦର୍ଶନକୁ ଶୃଙ୍ଗାର ଦର୍ଶନ କୁହାଯାଏ। ନିର୍ବାଣ ଦର୍ଶନ ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀକେଦାରନାଥଙ୍କ ଜ୍ୟୋତିର୍ଲିଙ୍ଗ ସ୍ପର୍ଶ କରି ପୂଜାର୍ଚ୍ଚନା ଓ ଅଭିଷେକ କରିଥାନ୍ତି। କିନ୍ତୁ, ହିମାଳୟ ପାଦଦେଶରେ ଅବସ୍ଥିତ ଏହି ପ୍ରସିଦ୍ଧ ଶୈବପୀଠ ପ୍ରତିବର୍ଷ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ଯାଏଁ ବରଫ ଦ୍ୱାରା ଆଚ୍ଛାଦିତ। ଏଥିପାଇଁ ପ୍ରତିବର୍ଷ କେବଳ ଅକ୍ଷୟତୃତୀୟା ତିଥିରୁ ଦିପାବଳୀ ଯାଏଁ ପ୍ରଭୂଙ୍କ ଦର୍ଶନ ପାଇବାର ସୁଯୋଗ ମିଳେ। ଅଲୌକିକ ଘଟଣା ହେଲା ଦିପାବଳୀ ପରଦିନ ମନ୍ଦିରରେ ପହଡ ସମୟରେ ଜ୍ୟୋତିର୍ଲିଙ୍ଗ ପାର୍ଶ୍ଵରେ ଯେଉଁ ଯଜ୍ଞଦୀପ ଜଳାଇ ମନ୍ଦିରରେ କୋଲପ ପକାଯାଏ, ରୁଦ୍ଧ ଦ୍ୱାର ମଧ୍ୟରେ ଜଳୁଥିବା ସେହି ଅଖଣ୍ଡ ଦୀପ ପରବର୍ତ୍ତୀ ଅକ୍ଷୟତୃତୀୟା ତିଥି ଯାଏଁ ସେହିଭଳି ଜଳୁଥାଏ। ଆଶୁବର ପ୍ରଦାନକାରୀ ଆଶୁତୋଷଙ୍କ ଆଶୀର୍ବାଦ ପାଇଁ ଏସବୁ ସମ୍ଭବ ବୋଲି ଶିବଭକ୍ତଙ୍କ ମନରେ ବିଶ୍ୱାସ ଦୃଢିଭୂତ।
ମଙ୍ଗଳମୟ ଶିବ ଶଙ୍କର ସମସ୍ତ ଅନିଷ୍ଟକାରୀ ଶକ୍ତିକୁ ସଂହାର କରି ସୁଖ ସମୃଦ୍ଧି ପ୍ରଦାନ କରିଥାନ୍ତି। ସେ ଆଶୁବର ପ୍ରଦାନକାରୀ ଆଶୁତୋଷ, ଅକାଳ ମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ। ସେହି ବ୍ରହ୍ମଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ଅସାଧ୍ୟ ହେଲେ ମଧ୍ୟ ତାଙ୍କ ପ୍ରତି ଆସ୍ଥା ବିଶ୍ୱାସ ରଖିଥିବା ଶ୍ରଦ୍ଧାଳୁ ଭକ୍ତ, ସାଧକ, ଯୋଗୀ ଓ ମୁନିଋଷିଙ୍କର ସେ ଅନୁଭବ। ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ସମେତ ପ୍ରଭୁଙ୍କର ଅନେକ ରୂପ, ଅନେକ ନାମ, ଅନେକ ଭାବରେ ସେ ଉପାସ୍ୟ। କେବଳ ଭାଗ୍ୟଶାଳୀ ବ୍ୟକ୍ତିବିଶେଷ ସେହି “ଅକ୍ଷର ପୁରୁଷ” ଭୋଳା ଶଙ୍କରଙ୍କ ଦିବ୍ୟ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇବାର ସୁଯୋଗ ଲଭିଥାନ୍ତି। ଜୟ ଭୋଲେନାଥ।
What's Your Reaction?