ଖୋର୍ଦ୍ଧା: ବ୍ଳାକମେଲିଂର ଶିକାର ହେବା ପରେ ସମିତି ସମ୍ପାଦକଙ୍କ ଆତ୍ମହତ୍ୟା ପ୍ରସ୍ତୁତି

ଖୋର୍ଦ୍ଧା ସମବାୟ ବିଭାଗ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଡମିନିଷ୍ଟ୍ରେଟର ଲେଙ୍କା ମାଡାମ୍ ଏବଂ ଏମ.ଆଇ.ସି ପ୍ରମୋଦ ପ୍ରଧାନ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ‘ମୋ ସରକାର’ ସ୍ପଷ୍ଟ କରୁ।

Dec 17, 2023 - 10:29
ଖୋର୍ଦ୍ଧା: ବ୍ଳାକମେଲିଂର ଶିକାର ହେବା ପରେ ସମିତି ସମ୍ପାଦକଙ୍କ ଆତ୍ମହତ୍ୟା ପ୍ରସ୍ତୁତି
Remix - Suv Bharat Times

ରାଜ୍ୟବାସୀଙ୍କ ସେବାରେ ଉତ୍ସର୍ଗୀକୃତ ବୋଲି ବାହାସ୍ଫୋଟ ମାରୁଥିବା ନବୀନ ପଟ୍ଟନାୟକଙ୍କ ‘ମୋ ସରକାର’ ଆୟତରେ ନାହିଁ ଖୋର୍ଦ୍ଧା ଜିଲ୍ଲା ସମବାୟ ବିଭାଗ। ଜିଲ୍ଲା ସମବାୟ ସଂସ୍ଥାର କେତେକ ପଦସ୍ଥ କର୍ମକର୍ତ୍ତାଙ୍କ କାରନାମା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଖୋଦ୍ ‘ମୋ ସରକାର’ର ବରିଷ୍ଠ ଅଧିକାରୀ ମାନେ ଏକଥା ସ୍ୱୀକାର କରିବେ। ଜିଲ୍ଲା ସମବାୟ ସଂସ୍ଥାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଏଭଳି ଶିରୋନାମା ଲେଖିବାକୁ ପ୍ରେରଣା ମିଳୁଛି।

ଘଟଣାର ପୃଷ୍ଠଭୂମି ଖୋର୍ଦ୍ଧା ଜିଲ୍ଲାର ଉତ୍ତେଜ୍ଜନା ପ୍ରବଣ ସୋରଣ ପଞ୍ଚାୟତ। ଏହି ପଞ୍ଚାୟତରେ ଥିବା ସୋରଣ ସେବା ସମବାୟ ସମିତି ଲିଃର ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କୁ ବଳପୂର୍ବକ ଅବସର ଦିଆଯାଇଛି। ପ୍ରକାରାନ୍ତରେ ସମବାୟ ସମିତି ପରିଚାଳନା ପରିଷଦ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ମତାନ୍ତର ମନାନ୍ତର ଲାଗି ରହିଛି। ଏନେଇ ପରିଚାଳନା ପରିଷଦ ସଭାପତି ବିଦ୍ୟାଧର ପ୍ରଧାନ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ନେଇପାରୁ ନଥିବା ବେଳେ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ସମ୍ପାଦକ ଶ୍ରୀ ଆଚାର୍ଯ୍ୟ।

କେ.ସି.ସି.ବି ବାଲୁଗାଁ ଶାଖା ଅଧିନରେ ପରିଚାଳିତ ସୋରଣ ଏସ.ସି.ଏସ ଲିଃର ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟ ଡିସେମ୍ବର ୧୭ ତାରିଖ ରାତିରେ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ହେଉଥିବା ଖବର ହସ୍ତଗତ ହୋଇଛି। ଏ ସଂକ୍ରାନ୍ତରେ ଖବର ସଂଗ୍ରହ ବେଳେ ଶ୍ରୀ ଆଚାର୍ଯ୍ୟଙ୍କ ସହଧର୍ମିଣୀ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଲେ, ‘ମୋ ସ୍ୱାମୀଙ୍କୁ ପୁନଃ ଚାକୀରିରେ ନିଯୁକ୍ତି ଦେବାକୁ କହି ବ୍ଳାକମେଲ୍ କରାଯାଉଛି।

ଆଡମିନିଷ୍ଟ୍ରେଟର ଲେଙ୍କା ମାଡାମ୍ ଏବଂ ପ୍ରମୋଦ ପ୍ରଧାନ ନାମକ ଜଣେ ଏମ.ଆଇ.ସି ମୋ’ ସ୍ୱାମୀ ଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଛନ୍ତି। ଜିଲ୍ଲା ମୁଖ୍ୟାଳୟର ଏ.ଆର.ସି.ଏସ୍ ଅନନ୍ତ ନାୟକଙ୍କ ତ୍ରୁଟି ପାଇଁ ତାଙ୍କୁ ଜବରଦସ୍ତ ପଦବୀରୁ ଅବସର ଦିଆଗଲା। ଏନେଇ ସେ ମାନସିକ ଚାପର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି’।

ଡିସେମ୍ବର ୫ରେ ‘ଶୁଭ୍ ଭାରତ ଟାଇମ୍ସ’ ପୋର୍ଟାଲରେ “ଦୋଷ କଲେ ଖୋର୍ଦ୍ଧା ଏ.ଆର.ସି.ଏସ, ଦଣ୍ଡ ଭୋଗୁଛନ୍ତି ସମିତି ସମ୍ପାଦକ” ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଅଭିଯୋଗ ସଂକ୍ରାନ୍ତରେ କେ.ସି.ସି.ବି ବାଲୁଗାଁ ଶାଖା ଅଧିନରେ ନିଯୁକ୍ତ ଆଡମିନିଷ୍ଟ୍ରେଟର ଲେଙ୍କା ମାଡାମଙ୍କ ଠାରୁ ପ୍ରତିକ୍ରିୟା ସଂଗ୍ରହ ପାଇଁ ବାରମ୍ବାର ଚେଷ୍ଟା ସତ୍ୱେ ତାହା ସମ୍ଭବ ହୋଇନାହିଁ। ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟ ‘ଶୁଭ୍ ଭାରତ ଟାଇମ୍ସ’କୁ ହ୍ୱାଟସଅପ୍ ଜରିଆରେ ଏକ ପତ୍ର ପଠାଇଥିଲେ, ଯେଉଁଥିରେ ଲେଙ୍କା ମାଡାମଙ୍କ ସହ ହୋଇଥିବା ଲାଞ୍ଚ କାରବାର ସମ୍ପର୍କରେ ଉଲ୍ଲେଖ ଥିଲା।

ନିଯୁକ୍ତି ଦେବା ଲୋଭ ଦେଖାଇ ସମ୍ପାଦକ ଆଚାର୍ଯ୍ୟଙ୍କ ଠାରୁ ଲେଙ୍କା ମାଡାମ ୧.୬୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲେ। ଆଭିଯୋଗ ସଂକ୍ରାନ୍ତରେ ଖୋର୍ଦ୍ଧା ଜିଲ୍ଲା ସମବାୟ ବିଭାଗର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ ସତ୍ୱେ ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନଥଲା। ଗତକାଲି ରାତିରେ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ ନିଜ ଘରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବାକୁ ନେଇ ଆଚାର୍ଯ୍ୟଙ୍କ ପତ୍ନୀ ପୁଷ୍ପାରାଣୀ ଆଚାର୍ଯ୍ୟ ଗଣମାଧ୍ୟମ ସାମ୍ନାରେ ଗୁମର ଖୋଲିଥିଲେ।

ପୁଷ୍ପାରାଣୀ ଆଚାର୍ଯ୍ୟଙ୍କ ମୁତାବକ, “ମୋ ସ୍ୱାମୀଙ୍କୁ ଚାକିରୀରେ ପୁନଃ ନିଯୁକ୍ତି ଦେବା ପାଇଁ ଲେଙ୍କା ମାଡାମ୍ ୧.୬୦ଲକ୍ଷ ଟଙ୍କା ନେଇ ଠକି ନେଲେ। ଏଥିରେ ହସ୍ତକ୍ଷେପ କରି ଏମ.ଆଇ.ସି ପ୍ରମୋଦ ପ୍ରଧାନ ତାଙ୍କୁ ଫୁସୁଲାଇ ୧.୫ ଲକ୍ଷ ଟଙ୍କା ନେଇଛନ୍ତି। ଏବେ ଟଙ୍କା ଫେରସ୍ତ ମାଗିବାରୁ ଉଭୟ କର୍ମଚାରୀ ଆମ ପରିବାରକୁ ଧମକ ଦେଉଛନ୍ତି।”

ବିଭାଗୀୟ ଜିଲ୍ଲା ମୁଖ୍ୟାଳୟରେ ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ଦସ୍ତାବିଜରେ ତାଙ୍କ ସାର୍ଟିଫିକେଟ ଜନ୍ମ ତାରିଖକୁ ତ୍ରୁଟିପୂର୍ଣ୍ଣ ଭାବେ ଏଣ୍ଟ୍ରି କରାଯାଇଛି। ଚାକିରୀ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସମ୍ପାଦକଙ୍କୁ ବେଆଇନ ଭାବେ ଅବସର ଦିଆଗଲା। ଏପରିକି ତାଙ୍କର ବକେୟା ଦରମା ଏବଂ ଇନକ୍ରିମେଣ୍ଟ ଇତ୍ୟାଦିରୁ ସେ ବଞ୍ଚିତ। ଖୋର୍ଦ୍ଧା ସମବାୟ ବିଭାଗ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆଡମିନିଷ୍ଟ୍ରେଟର ଲେଙ୍କା ମାଡାମ୍ ଏବଂ ଏମ.ଆଇ.ସି ପ୍ରମୋଦ ପ୍ରଧାନ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ‘ମୋ ସରକାର’ ସ୍ପଷ୍ଟ କରୁ।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.