ନ୍ୟାୟ ସଂହିତା ପ୍ରଦର୍ଶନୀରେ ଏସଓଜି, ଓଡ୍ରାଫ ଯବାନଙ୍କ ସାହସ, ତାଲିମ ଏବଂ ବିପର୍ଯ୍ୟୟ ଉଦ୍ଧାର ଉତ୍କର୍ଷତାର ଝଲକ

ଏହି ବିଶେଷ ପ୍ରଦର୍ଶନୀରେ ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ଏହି ଡ୍ରୋନ୍ ଏକ ସମୟରେ ୧ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ଉଡ଼ି ପାରେ ଏବଂ ଭୂପୃଷ୍ଠରୁ ପ୍ରାୟ ୪ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇପାରେ।

Mar 8, 2026 - 11:45
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଏସଓଜି, ଓଡ୍ରାଫ ଯବାନଙ୍କ ସାହସ, ତାଲିମ ଏବଂ ବିପର୍ଯ୍ୟୟ ଉଦ୍ଧାର ଉତ୍କର୍ଷତାର ଝଲକ
Remix : Suv Bharat Times

ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ “ନ୍ୟାୟ ସଂହିତା ପ୍ରଦର୍ଶନୀ” ଦର୍ଶକମାନଙ୍କ ମଧ୍ୟରେ  ଆକର୍ଷଣର କେନ୍ଦ୍ର ପାଲଟିଛି। ପ୍ରତିଦିନ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏହି ପ୍ରଦର୍ଶନୀରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି। ବିଶେଷକରି ଏସଓଜି, ଓଡ୍ରାଫ ଏବଂ ଉପକୂଳ ସୁରକ୍ଷା ବିଭାଗର ଷ୍ଟଲ ଦର୍ଶକମାନଙ୍କୁ ବେଶ ଆକର୍ଷିତ କରୁଛି।

ଏସଓଜି ଷ୍ଟଲରେ ମାଓ ଦମନ ଅଭିଯାନରେ ବ୍ୟବହୃତ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ ହେଉଥିବାବେଳେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ଫଟୋ ଚିତ୍ର ମଧ୍ୟ ସ୍ଥାନ ପାଇଛି। 'ଅଶୋକ ଚକ୍ର' ଓ 'ସୌର୍ଯ୍ୟ ଚକ୍ର' ରେ ସମ୍ମାନିତ ଶହୀଦ ବୀର ଯବାନମାନଙ୍କ ଫଟୋ ଚିତ୍ର ଦେଖି ସେମାନଙ୍କ ମାଓ ଦମନ ଅଭିଯାନ ସମ୍ପର୍କରେ ଜାଣିବାକୁ ଦର୍ଶକମାନଙ୍କ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହେଉଛି। ଏହା ସହିତ ଜର୍ମାନୀ, ବଲଗେରିଆ, ଇସ୍ରାଏଲ, ସ୍ୱିଜର୍ଲାଣ୍ଡ, ୟୁଏସଏ, ଅଷ୍ଟ୍ରିଆ ଓ ଭାରତରେ ନିର୍ମିତ ଆଧୁନିକ ବନ୍ଧୁକ ପ୍ରଦର୍ଶିତ ହୋଇଛି, ଏଭଳି ପ୍ରଭାବଶାଳୀ ମାରଣାସ୍ତ୍ର ବିଷୟରେ ଜାଣିବାର ଆଗ୍ରହ ବୃଦ୍ଧି ପାଉଥିବାବେଳେ ଆଗନ୍ତୁକ ଦର୍ଶକମାନେ ଏହି ବନ୍ଧୁକ ସହ ସେଲଫି ନେଉଥିବା ଦେଖାଯାଉଛି।

ଏହି ବିଶେଷ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଉପକୂଳ ସୁରକ୍ଷା ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ଷ୍ଟଲ୍, ଯେଉଁଠି ଉଚ୍ଚ କ୍ଷମତାସମ୍ପନ୍ନ ଡ୍ରୋନ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ଏହି  ଡ୍ରୋନ୍ ଏକ ସମୟରେ ୧ ଘଣ୍ଟା ୨୦ ମିନିଟ ପର୍ଯ୍ୟନ୍ତ ଉଡ଼ି ପାରେ ଏବଂ ଭୂପୃଷ୍ଠରୁ ପ୍ରାୟ ୪ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଯାଇପାରେ। ଏଥିରେ ୨୫X ଅପ୍ଟିକାଲ ଜୁମ୍ ଏବଂ ୪X ଡିଜିଟାଲ ଜୁମ୍ ସହିତ ୩୬୦ ଡିଗ୍ରୀ କ୍ୟାମେରା ସଂଯୋଗ ହୋଇଛି; ଏହି ଡ୍ରୋନ୍ ପ୍ରାୟ ୫ ରୁ ୫୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ କାମ କରିପାରେ, ଯାହା ମେରାଇନ୍ ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ। ରାଜ୍ୟ ପୋଲିସ ନିକଟରେ ଏହି ପ୍ରକାରର ପ୍ରାୟ ୧୦ଟି ଡ୍ରୋନ୍ ଅଦ୍ୟାବଧି ମହଜୁଦ ଅଛି।

ଏହାବ୍ୟତୀତ ଓଡ୍ରାଫ ଷ୍ଟଲ ମଧ୍ୟ ଦର୍ଶକମାନଙ୍କୁ ଖୁବ ଆକର୍ଷିତ କରିଛି; ଯେଉଁଠି ବିଭିନ୍ନ ପ୍ରକାରର ରେସ୍କ୍ୟୁ ଉପକରଣ ଓ ପ୍ରାୟୋଗିକ ଡେମୋ ମାଧ୍ୟମରେ ବିପର୍ଯ୍ୟୟ ସମୟରେ ଓଡ୍ରାଫ ଯବାନମାନଙ୍କ ଅସାଧାରଣ ସାହସିକତା ଓ କୌଶଳ ତଥା ଧନ ଜୀବନର ସୁରକ୍ଷିତ ଉଦ୍ଧାର ପ୍ରକ୍ରିୟା ବିଷୟରେ ଲୋକମାନଙ୍କୁ ସଚେତନ କରିବା ପ୍ରତି ପ୍ରଦର୍ଶନୀରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମୁଖ୍ୟତଃ ଲୋକମାନଙ୍କୁ କିଭଳି ଦ୍ରୁତ ଉଦ୍ଧାର କରାଯାଏ ଓ ସୁରକ୍ଷିତ ସ୍ଥାନରେ ରଖାଯାଏ ତାହାର ଡେମୋ ଦେଖାଇବାର ବ୍ୟବସ୍ଥା ଉପଲବ୍ଧ ରହିଛି।

ଏହି ପ୍ରଦର୍ଶନୀ ମାଧ୍ୟମରେ ଜନସାଧାରଣ ଓଡ୍ରାଫ ଯବାନମାନଙ୍କ ସାହସ, କଠୋର ପ୍ରଶିକ୍ଷଣ ଓ ବିପର୍ଯ୍ୟୟ ସମୟରେ ସେମାନଙ୍କ ଦ୍ରୁତ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ନିକଟରୁ ଜାଣିବାର ସୁଯୋଗ ପାଉଛନ୍ତି, ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏଭଳି ସଚେତନତାମୂଳକ ପଦକ୍ଷେପକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳୁଛି।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.