ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି

ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା -ମନମୋହନ ସାମଲ

Jul 15, 2024 - 12:33
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି
Remix : Suv Bharat Times

ରାଜ୍ୟ ବିଜେପି ସରକାର ପକ୍ଷରୁ ପ୍ରତି ସୋମବାର ଅଭିଯୋଗ ଶୁଣାଣି ପରିପ୍ରେକ୍ଷୀରେ ଜୁଲାଇ ୧୫ରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଏହା ସାଧାରଣ ଜନତା ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉଦ୍ଦେଶ୍ୟରେ କରାଯାଉଛି। ଆଜି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର, ଇଲେକ୍ଟଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଲୋକଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରିବା ସହ ସମସ୍ତ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ, ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ଯୋଗଦେଇ ଲୋକଙ୍କ ସମସ୍ୟା ସମାଧାନ କରିବେ। ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ଶୁଭେଚ୍ଛୁମାନେ ସାମିଲ ହୋଇପାରିବେ। ଏହାଦ୍ୱାରା ବିଜେପି ଲୋକମାନଙ୍କର ଅଧିକ ନିକଟତର ହୋଇପାରିବ। ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ପ୍ରଥମଥର ଏକାକୀ ସରକାର ଗଠନ କରିଛି। ଲୋକଙ୍କ ସୁଖଦୁଃଖରେ ଭାଗୀ ହେବା ଲକ୍ଷରେ, ସରକାର ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସଂକଳ୍ପବଦ୍ଧ।

ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ ସମସ୍ୟା ସହ ନିଜକୁ ଜଡିତ କରି ସମାଧାନ ରାସ୍ତା ବାହାର କରିବା ହେଉଛି ଜନସଂଘରୁ ବିଜେପି ପର୍ଯ୍ୟନ୍ତ ଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ। ପରବର୍ତ୍ତୀ ସମୟରେ ଅନ୍ୟମାନେ ଏହି ପ୍ରକ୍ରିୟାକୁ ଅନୁସରଣ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ନେବା ପରେ ଜନଶୁଣାଣି ଆରମ୍ଭ କରିଥିଲେ ବୋଲି ଶ୍ରୀ ସାମଲ ପ୍ରତିକ୍ରିୟା ରଖିଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଲେ, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପାର୍ଟିରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଲୋକଙ୍କ ସମସ୍ୟା ହେଉଛି ସରକାରଙ୍କ ସମସ୍ୟା। ଏହାର ସମାଧାନ କରିବା ବିଜେପି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଅଭିଯୋଗ ଶୁଣାଣି ଶିବିରରେ ହୋଇଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ ହେବ ସେଥିପାଇଁ ବିଶେଷ ଭାବେ ଦୃଷ୍ଟି ଦିଆଯିବ ଏବଂ ଅଭିଯୋଗଗୁଡ଼ିକୁ ସେହି ବିଭାଗକୁ ପଠାଯାଇ ତୁରନ୍ତ ସମାଧାନ କରିବାକୁ ଜୋର ଦିଆଯିବ। ଯାଜପୁର ସାଂସଦ ରବୀନ୍ଦ୍ର ବେହେରା ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିଭାଗୀୟ ଅଧିକାରୀଙ୍କୁ ଏସଂକ୍ରାନ୍ତରେ ଅବଗତ କରିଛନ୍ତି।

ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅନୁସାରେ, ଅଭିଯୋଗ ଶୁଣିବା ହେଉଛି ସରକାରଙ୍କ ନୀତିଗତ ନିଷ୍ପତ୍ତି, ଯେଉଁଠି ବିଜେପି ସରକାର ରହିଛି ସେଠାରେ ରିତିମତ ଲୋକଙ୍କ ସମସ୍ୟା ଶୁଣାଯାଏ। ପୂର୍ବ ସରକାର ଅମଳରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉନଥିଲା। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା, ମାତ୍ର ବିଜେପି ସରକାର ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଉଛି।  

ଆଜି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଶତାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଉପରେ ଆସିଥିବା ଅଭିଯୋଗ ପ୍ରତି ବିଶେଷ ଧ୍ୟାନ ଦିଆଯିବା ସହ ଅନ୍ୟାନ୍ୟ ଅଭିଯୋଗଗୁଡିକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ରାଜ୍ୟବାସୀଙ୍କ ସମସ୍ୟାର ଆଶୁ ସମାଧାନ ପାଇଁ ଏଭଳି ଅଭିନବ ପ୍ରୟାସକୁ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସମେତ ସାଧାରଣ ଜନତା ଭୂରିୟସୀ ପ୍ରଶଂସା କରିଥିବା ବିଜେପି ମିଡ଼ିଆ ସେଲ୍ ପକ୍ଷରୁ ଜାରି ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ ଅଛି। 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.