ବିଶ୍ୱାସଘାତ
ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅସଂଖ୍ୟ ସମର୍ଥକମାନେ କେବଳ ବିଜୁବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳକୁ ଅନ୍ଧ ଭଳି ବିଶ୍ଵାସ କରୁଛନ୍ତି। ସେମାନେ ତୃତୀୟ ମହଲା ସଂକ୍ରାନ୍ତରେ ବିଶେଷ କିଛି ଜାଣିନାହାଁନ୍ତି କିମ୍ବା କେଉଁ ପାଣ୍ଡିଆନ ଫାଣ୍ଡିଆନଙ୍କୁ ଚିହ୍ନିନାହାଁନ୍ତି।।
ଅତି ଅମାନୁଷିକ ନିଷ୍ପତ୍ତିର ଶିକାର ହୋଇଆସୁଛନ୍ତି ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା। ବିଜେଡି ଏଭଳି ଏକ ଦଳ ଯାହାର ସୁପ୍ରିମୋ ନିଜେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ ବୋଲି ତାଙ୍କର ଅନ୍ତରଙ୍ଗ ଚାଟୁକାରମାନେ ଏବେ ପ୍ରତି ପ୍ରଶ୍ନରେ ଏଭଳି ଉତ୍ତର ଦେଉଛନ୍ତି। ସେମାନଙ୍କ ମନସ୍ତାପର କାରଣ ତ ଅନେକ ଅଛି, ହେଲେ ବର୍ତ୍ତମାନ ସମୟର ମୁଖ୍ୟ କାରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ବିଜେଡିର ନିର୍ଦ୍ଧିଷ୍ଟ କେତେକ ନେତା ପବଲିସିଟି ପାଇବାରୁ ବଞ୍ଚିତ ହୋଇଯିବେ। ଦଳର ବ୍ରାଣ୍ଡ ଆମ୍ବାସ୍ୟାଡର୍ ଭଳି ଯେଉଁ ଓଡଆ ଟେଲିଭିଜନ୍ ଚାନାଲ୍ ବିଜେଡିର କେତୋଟି ଅଯୋଗ୍ୟ ନେତାଙ୍କୁ ବାରମ୍ବାର ଅତିଥି ଆସନରେ ବସାଇ ମାଇଲେଜ୍ ସହ କଲେକ୍ସନ୍ ଯୁଟାଉଥିଲା, ସୁପ୍ରିମୋଙ୍କ ନିଷ୍ପତ୍ତି ଯୋଗୁଁ ସେ ମାଉଁସିଆ ପହ୍ନାରୁ ହଠାତ୍ ସେମାନଙ୍କ ଥୋଡି ଛିଡି ପଡିଲା। ନିଜେ ନିଜକୁ ବଖାଣିବା ପାଇଁ ସେମାନଙ୍କୁ ଆଉ କେବେ ସେମିତି ମିଡ଼ିଆ ପ୍ଳାଟଫର୍ମ ହୁଏତ ମିଳିନପାରେ। ସେହି ସୁଯୋଗ ହାତରୁ ଯିବା ପରେ ଏବେ ଦୂତଙ୍କୁ ପଠାଇ ରାଜମହଲ ଛକ ବନାରସି ପାନ ଜାକିବା ଛଡା ଉପାୟ ନାହିଁ। ହୁଏତ ଉକ୍ତ ଟିଭି ଚାନାଲ ଦୟା ଦେଖାଇ ପୁନର୍ବାର ଡାକିପାରନ୍ତି। ମାତ୍ର ଆଙ୍କରମାନେ ବିଜେଡିକୁ ଆଉ ସୁହାଇବା ଭଳି ପ୍ରଶ୍ନ ନପଚାରି ଅତି କଷ୍ଟକର ପ୍ରଶ୍ନ ପଚାରିବେ। ଯଦି ଠିକଠାକ୍ ସବୁ ପାଟିରୁ ବାହାରି ପଡିଲା ତେବେ ବୈଜୟନ୍ତଙ୍କ ଦଶା ଭୋଗିବେ ଅତିଥି।
ପୂର୍ବରୁ ଏଭଳି ଅନେକ ଘଟଣା ଘଟିଯାଇଛି, ଯାହା ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ପ୍ୟାରିମୋହନ ମହାପାତ୍ର ଓ ନିକଟରେ ଡାକ୍ତର ଦାମୋଦର ରାଉତ ଏବଂ ବୈଜୟନ୍ତ ପଣ୍ଡାଙ୍କ ସହ ଘଟିବା ପରେ ଏସବୁ ଘଟଣା ନେତାମାନଙ୍କ ପଲିଟିକାଲ କ୍ୟାରିଅର୍ ଆଗରେ ପ୍ରତିବନ୍ଧକ ସାଜିଛି। ସୁପ୍ରିମୋ ଯେଭଳି ବି ନିଷ୍ପତ୍ତି ନେଉଛନ୍ତି, ତାହାକୁ ଦଳର କେତୋଟି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅତି ଉତ୍ସାହର ସହ ଗ୍ରହଣ କରୁଛନ୍ତି। ଠିକ୍ ଯେମିତି ନବୀନ ପଟ୍ଟନାୟକ ତାଙ୍କ ଜନ୍ମ କଲା ବାପା। ତାହା ବି ଠିକ୍, ନଚେତ ପୁଳାଏ ପାଣିଆ, ପାଣିଚିଆ, ଅଧୂଆମୁହାଁ ନିଜର କୌଣସି ସାଙ୍ଗଠନିକ ଦକ୍ଷତା ନଥାଇ ବିନା ଦ୍ୱିଧାରେ ନିଜ ନିଜ ଆସନରୁ ବିଜେଡ଼ି ଟିକେଟରେ ବିଜୟୀ ହେଉଛନ୍ତି। ସେମାନେ କଷ୍ଟ କରି ନିଜ ଦମ୍ଭରେ ନିର୍ବାଚନ ଜିତିଥିଲେ ଦଳର ବରିଷ୍ଠଙ୍କୁ ସମ୍ନାନ ଦେବା ଶିଖିଥାନ୍ତେ। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ନବୀନ ଦଳର ବାରିଷ୍ଠଙ୍କ ଉପରେ ନେଉଥିବା ନିଷ୍ପତ୍ତିକୁ ଦଳ ପକ୍ଷରୁ ଅଳ୍ପେ ବହୁତେ ବିରୋଧ କରାଯାଇଥିଲେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟବାର, ତୃତୀୟବାର ଓ ବାରମ୍ବାର ନିଜ ନିଜ ଦଳର ସହଯୋଗୀମାନଙ୍କୁ ତଣ୍ଟିଆ ମାରୁନଥାନ୍ତେ। ପରୋକ୍ଷରେ ଏକଥା ସ୍ପଷ୍ଟ ହୋଇଛି ଯେ, ଦଳରେ ନେତାମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ। ତା’ସହ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କଲା ଭଳି ବ୍ୟକ୍ତିତ୍ୱର ଅଭାବ ଦେଖାଦେଇଛି। ବାସ୍ତବରେ ବିଜେଡି ଦଳରେ ଏସବୁ ଆଶା କରାଯିବା ବେକାର।
ଶାସକ ଦଳର ଆଜକୁ ୧୮ ବର୍ଷର ଶାସନକାଳ ମଧ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଛଡା ଦଳର କୌଣସି ନେତା ଓଡ଼ିଶା ରାଜନୀତିର ମଙ୍ଗ ଧରିବାକୁ ଅକ୍ଷମ ବୋଲି ଜନତାଙ୍କ ମନରେ ଧାରଣା ସୃଷ୍ଟି ହେଲାଣି। ଏମାନେ କେବଳ ଅକ୍ଷମ ନୁହନ୍ତି, ସ୍ୱାର୍ଥପର ମଧ୍ୟ। ଏହି ନେତାମାନେ ନବୀନ ନିବାସରେ ଆଡ୍ଡା ଜମାଇଥିବା ଚିଟଫଣ୍ଡ କେଳେଙ୍କାରୀରେ ଜଡ଼ିତ ସରୋଜ ସାହୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ପାଇଁ କେବେ ସାହାସ କରିନାହାଁନ୍ତି। ନେତାମାନଙ୍କ ଅପାରଗତା ପାଇଁ ରାଜ୍ୟର ଲକ୍ଷ ଲକ୍ଷ ଚିଟଫଣ୍ଡ ଜମାକାରୀ ହତାଶ। ଶାସକ ଦଳ ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଚିଟଫଣ୍ଡ ଠକମାନଙ୍କ ଫଟୋ ଦେଖି, ନେତାଙ୍କ ଉପରେ ଆସ୍ଥା ରଖି ଯେଉଁମାନେ ଚିଟଫଣ୍ଡ ସଂସ୍ଥା ଗୁଡିକରେ ଅର୍ଥ ଲଗାଣ କରିଥିଲେ ସେମାନେ ଏବେ ମୁଣ୍ଡ ପିଟି କାନ୍ଦୁଛନ୍ତି। ବିଜେଡ଼ିର କୋଣଠେସା ନେତାଙ୍କ ପାଇଁ ସର୍ବସାଧାରଣରେ ଦଳ ପ୍ରତି ଓ ବିଜୁବାବୁଙ୍କ ପ୍ରତି ରହିଥିବା ସମ୍ନାନ ହ୍ରାସ ପାଇବାରେ ଲାଗିଛି।
ରାଜ୍ୟରେ ଚର୍ଚ୍ଚା ହେଉଛି ବିଜେଡ଼ି ନେତାମାନେ ଏଭଳି ସ୍ୱାର୍ଥସର୍ବସ୍ୱ ରାଜନୀତିରେ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଲଢେଇ କରିବାର ପ୍ରଶ୍ନ ଉଠୁଛି କେଉଁଠି? ସମସ୍ତେ ଅନୁଭବ କଲେଣି, ଦଳ ଧିରେ ଧିରେ ତଳମୁହାଁ ହେଇଗଲାଣି। ଦଳର ଆଉ ପୂର୍ବ ଗ୍ଳେଜ୍ ନାହିଁ। ଏବେ ସୁଦ୍ଧା ଗାଁଗଣ୍ଡା ଲୋକ ମନେ ପକାଉଛନ୍ତି ବିଜୁବାବୁଙ୍କୁ; ସେହି ମହାନ ବ୍ୟକ୍ତିଙ୍କ ନାମରେ ବିଜେଡି ଯେଉଁ ଲୋକପ୍ରିୟତା ଅର୍ଜନ କରିଛି, ଦଳୀୟ ସମ୍ବିଧାନ କ'ଣ ବିଜୁବାବୁଙ୍କ ମହାନତାକୁ ଆଦର୍ଶ ରୂପେ ଗ୍ରହଣ କରିଛି? ଯଦି ଏହି ପ୍ରସଙ୍ଗରେ ରାଜ୍ୟବାସୀ ଏକମତ, ତେବେ ବିତାଡିତ ସାଂସଦ ବୈଜୟନ୍ତ ପଣ୍ଡା ବିଜୁବାବୁଙ୍କ ସମାଧି ନିକଟରେ ଲୁହ ଗଡାଇବା ଭଳି ପରିସ୍ଥିତି ଉପୁଜିନଥାନ୍ତା। ବିଜୁ ଜନତା ଦଳର ଭୋଟରମାନେ ମଧ୍ୟ ପ୍ରଶ୍ନ କରୁଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଏଭଳି ନିଷ୍ଠୁର ରାକ୍ଷସ କେଉଁଠୁ ଜନ୍ମ ନେଇଛି?
ଏଭଳି ପରିସ୍ଥିତିରେ ପୂର୍ବତନ ଆସାମ ରାଜ୍ୟପାଳ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବିଷୟରେ ମଧ୍ୟ ଆଲୋଚନା ଚାଲିଛି। ଜାନକୀବାବୁଙ୍କୁ ଅଞ୍ଜନା ମିଶ୍ର ମାମଲାରେ ଛନ୍ଦି ବଦନାମ କରିଥିବା ତତ୍କାଳୀନ ଜନତା ଦଳର ବହୁ ନେତା ଏବେ ମଧ୍ୟ ବିଜେଡିରେ ଅଛନ୍ତି। ସେମାନେ ଥରେ କୁହନ୍ତୁ, ତାଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଶାସନକାଳରେ ଘଟିଥିବା ବେବିନା, ଇତିଶ୍ରୀ, କୁନ୍ଦୁଲି, ବାଣପୁର ତୁମୁରାପୁଟ ପଞ୍ଚାୟତ ସୁଆଁପଡିଆ ଗ୍ରାମର ଦୁଷ୍କର୍ମ ପୀଡିତା ମୃତ୍ୟୁ ଅଭିଯୋଗ କାହା ମୁଣ୍ଡରେ ଲଦିବେ, ନା ନିଜେ ମୁଣ୍ଡେଇବେ? ଇଏତ କେବଳ ସରକାରୀ ହିସାବ ନିକାଶ। ରାଜ୍ୟର ବିଭିନ୍ନ ଜିଲ୍ଲା ଅଧୀନ ଗାଁଗଣ୍ଡାରେ ପ୍ରାୟ ପ୍ରତ୍ୟେକ ଦିନ ରେଡକ୍ରସ୍ ପାଣ୍ଠିରୁ ଦଶ ଦଶ ହଜାର ଧରେଇ ଦେଇ ଅନେକ ଦୁଷ୍କର୍ମ ପିଡ଼ିତାଙ୍କୁ ପାଉଁଶ କରି ଉଡ଼ାଇ ଦିଆଯାଉଛି।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧି ଦଳ ଭଳି ଦୁର୍ବଳ ହୋଇପଡିଛି। ଓଡ଼ିଶାର ଗଳିକନ୍ଦିରେ ବୁଲି ପ୍ରମାଣ ଖୋଜିବା ଦରକାର ନାହିଁ। ଖୋଦ୍ ରାଜଧାନୀର ଝିଅଟେ ଭୋର ୫ଟାରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ମାଷ୍ଟରକ୍ୟାଣ୍ଟିନକୁ ଜନପଥରେ ଚାଲିଚାଲି ଯାଉଥିବା ବେଳେ ବାରମ୍ବାର ପଛକୁ ଚାହୁଁଛି। ସେହି ସମୟରେ ରାସ୍ତାରେ ଖବରକାଗଜ ବିକ୍ରେତାଙ୍କ ଧାଁ ଦୌଡ ଚାଲିଥିବା ସତ୍ୱେ ଝିଅଟି ନିଜକୁ ଅସୁରକ୍ଷିତ ମନେକରୁଛି। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ବିଜେଡ଼ିରେ ଯେଉଁମାନେ ଅଛନ୍ତି ଏବଂ ଆଉ ଯେଉଁମାନେ ଯୋଗ ଦେଉଛନ୍ତି, ସେମାନେ ନବୀନଙ୍କୁ ଏତେ ଡରନ୍ତି କାହିଁକି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିଲେ କେହି କେବେ କହିବେନି ସେ ରାଗି କିମ୍ବା ଘୁସଖୋର୍ ବୋଲି। ତାଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ବିରୋଧିମାନେ ମଧ୍ୟ ସମ୍ନାନ ଜଣାଇବାକୁ କୁଣ୍ଠାବୋଧ କରନ୍ତିନି। ତେବେ ଡର କାହାକୁ? ହୁଏତ ପାଠକ ବନ୍ଧୁ ତୃତୀୟ ମହଲା ପ୍ରଶ୍ନ ଉଠାଇ ପାରନ୍ତି, ଯେଉଁମାନେ ଆଭ୍ୟନ୍ତରୀଣ ରାଜନୀତି ବିଷୟରେ ଅବଗତ। କିନ୍ତୁ, ଓଡ଼ିଶାର ଆତ୍ମା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅସଂଖ୍ୟ ସମର୍ଥକମାନେ କେବଳ ବିଜୁବାବୁଙ୍କ ନାମରେ ଗଠିତ ବିଜୁ ଜନତା ଦଳକୁ ଅନ୍ଧ ଭଳି ବିଶ୍ଵାସ କରନ୍ତି। ସେମାନେ ତୃତୀୟ ମହଲା ସଂକ୍ରାନ୍ତରେ ବିଶେଷ କିଛି ଜାଣିନାହାଁନ୍ତି କିମ୍ବା କେଉଁ ପାଣ୍ଡିଆନ ଫାଣ୍ଡିଆନଙ୍କୁ ଚିହ୍ନିନାହାଁନ୍ତି।
ସତ୍ ସାହାସ ଅଛିତ, ଥରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁଭବ କରିବାକୁ ପରାମର୍ଶ ଦିଆଯାଉ। ଘରଦ୍ୱାର, ଛୁଆପିଲା ଛାଡି ଲୋୟର୍ ପିଏମଜିରେ ହକ୍ ମାଗୁଥିବା ଆନ୍ଦୋଳନକାରୀ ସଂଗଠନଗୁଡିକର ସଦସ୍ୟମାନଙ୍କ ସହ ମିଶି ସମସ୍ୟା ସୁଧାରିବାର ଉପାୟ କାଢନ୍ତୁ। ଯେଉଁ ସାହାସରେ ତାଙ୍କ ପୂଜ୍ୟପିତା ବିଜୁ ପଟ୍ଟନାୟକ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପେଟ୍ରୋଲ ଦର ବୃଦ୍ଧିକୁ ବିରୋଧ କରି ସାଇକେଲ ଚଳାଇ ନବୀନ ନିବାସରୁ ସଚିବାଳୟ ଆସିଥିଲେ। ନବୀନ ବାବୁ ବିନା ସିକ୍ୟୁରିଟିରେ ଓଡ଼ିଶାର ପୁରପଲ୍ଲୀକୁ ଯାଆନ୍ତୁ, ସେ ନିଶ୍ଚୟ ଅନୁଭବ କରିବେ ଲୋକେ ତାଙ୍କୁ କେତେ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପୁରପଲ୍ଲୀର ଜନସାଧାରଣ ଯେଭଳି କର୍ଡନ କରି ପାଛୋଟି ନେଇ ବିଦାୟ ଦେବେ, ତୁଳନାତ୍ମକ ଭାବେ ବିଜେଡ଼ି ସରକାର ପାଖରେ ଏତେ ସିକ୍ୟୁରିଟି ଫୋର୍ସ ନଥିବେ। ହେଲେ ଆଉ ନୁହେଁ। ସେ ସମୟ ଆଉ ସାଥ୍ ଦେବନି ବୋଲି ବିଜେଡିର ବିଜେପୁର ସଜବାଜ ଓଡ଼ିଶାର ସାଢେ ୪ କୋଟି ଓଡ଼ିଆଙ୍କୁ ବାର୍ତ୍ତା ଦେଇସାରିଛି। ମାତ୍ର ଗୋଟିଏ ନିର୍ବାଚନମଣ୍ଡଳୀର ଉପ-ନିର୍ବାଚନରେ ଦଳ ଯେଉଁଭଳି କଳବଳ କୌଶଳ ପ୍ରୟୋଗ କରୁଛି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜଧାନୀର ପ୍ରତ୍ୟେକ ଚା’ ଖଟିରେ ରୋଚକ ଖବର ପାଲଟିଛି, ରାଜ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଆରମ୍ଭ ହେବା ଠାରୁ ଦଳର ପରାମର୍ଶଦାତାଙ୍କ ମନରେ ଛନକା ପଶିଛି।
ପରାମର୍ଶଦାତା ମଧ୍ୟ ନିଜେ ଅନୁଭବ କଲେଣି ଏଣିକି ଓଡ଼ିଶା ମାଗିବ ଯବାବ। ତୃତୀୟ ମହଲା ଅବଶ୍ୟ ନିଶ୍ଚିନ୍ତ ଯେ, ସହରାଞ୍ଚଳରେ ଲୋକମାନଙ୍କ ପାଇଁ ସରକାର ପକ୍ଷରୁ ୫ ଟଙ୍କିଆ ମିଲ୍ସ ଦିଆଯାଉଛି, ଘର ପାଇଁ କିଲୋ ପିଛା ୨ ଟଙ୍କାରେ ଚାଉଳ ପଠାଯାଉଛି। ଏହା ହେଉଛି ଆମ ରାଜ୍ୟର ପ୍ରଗତିର ଚିତ୍ର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ଧାରରେ ରଖାଯାଇଛି। ନବୀନ ପଟ୍ଟନାୟକ ଓଡ଼ିଆ ଜନମାନସରେ କେବଳ ଜଣେ ସମ୍ଭ୍ରାନ୍ତଶାଳୀ ବ୍ୟକ୍ତି ଏବଂ ବିଜୁବାବୁଙ୍କ ପୁତ୍ର ଭାବେ ପରିଚିତ। ରାଜ୍ୟର ଶାସନ ବ୍ୟବସ୍ଥା, ଓଡ଼ିଆଙ୍କ ଆବଶ୍ୟକତା ସମ୍ପର୍କରେ ନବୀନ ଏତେଟା ଅବଗତ ନୁହଁନ୍ତି। ନବୀନଙ୍କୁ ତାଙ୍କ ପରାମର୍ଶଦାତା ଗୋଷ୍ଠୀ ସବୁବେଳେ ବାସ୍ତବତାରୁ ଦୂରେଇ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମୋହରରେ କୋଟି କୋଟି ଟଙ୍କାର ଖଣି ଖାଦାନ ଲୁଟ୍ ଚାଲିଛି। ରାଜ୍ୟର ସରକାରୀ ଦପ୍ତରରେ ତାମିଳଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଦିବଙ୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ସାଢେ ୪ କୋଟି ଓଡ଼ିଆଙ୍କ ସାମ୍ନାରେ ଅପାରଗ ଏବଂ ଜଣେ ନିର୍ଭରଶୀଳ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରାଯାଉଛି। ଏଭଳି ଦୁର୍ବୁଦ୍ଧିର ସଞ୍ଚାଳକ ଜଣେ ଆଇଏଏସ ଅଫିସର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇବା ଦିନରୁ ବିଜୁ ଜନତା ଦଳ ଲୋକଙ୍କ ବିଶ୍ଵାସ ହରାଉଛି। ସମୟକ୍ରମେ ବିଶ୍ୱାସଘାତ ଉପରୁ ଧିରେ ଧିରେ ପର୍ଦା ହଟିବାରେ ଲାଗିଛି, ଯାହା ଦିନେ ଭୟାବହ ରୂପ ନେବା ଅବ୍ୟଶ୍ୟମ୍ଭାବ୍ୟ।
What's Your Reaction?