ଭୋଟ ପାଇଁ ଭାଷା, ବିଜେଡ଼ିର ଆଉ ଏକ ପ୍ରବଞ୍ଚନା - ପ୍ରସାଦ
ସରକାରୀ ଦପ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତିମାନ ଗ୍ରହଣ କଲେ ସେମଧ୍ୟରୁ ଅର୍ଦ୍ଧାଧିକ ନିଷ୍ପତ୍ତି ପୂର୍ବ କଂଗ୍ରେସ ସରକାର ଓ ବିଜେଡ଼ିର ପ୍ରଥମ ପାଳି ସମୟରେ ଗୃହୀତ ହୋଇଥିଲା ଏବଂ ସେ ବାବାଦରେ ଆଇନ ପ୍ରଣୟନ ହୋଇଥିଲା।
ବିଜେଡ଼ି ସରକାର ସଫଳତାର ବାହାସ୍ପୋଟ ମାରୁଛି। ଓଡ଼ିଶାକୁ ଗରୀବ ରାଜ୍ୟରେ ପରିଣତ କରିଛି। ଲୋକଙ୍କୁ ମାଳମାଳ ପ୍ରତିଶ୍ରୁତି ଦେଇ ଠକି ଚାଲିଛି। ରାଜ୍ୟ ପ୍ରଗତିରେ ବିରାମ ଲାଗିଥିବା ବେଳେ ବିଜେଡ଼ି ଭୋଟ୍ ବିକଳରେ ଭାଷା ରାଜନୀତି ଆରମ୍ଭ କରିଛି, ଦୀର୍ଘ ୧୭ ବର୍ଷ ଧରି ଯେଉଁ ଭାଷାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଖିପାରିଲେ ନାହିଁ।
୨୦ ବର୍ଷର ଦଳ, ଚାରିପାଳିର ବିଜେଡ଼ି ସରକାରଙ୍କୁ ୪୨୦ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ। ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ପିସିସି ସଭାପତି ଶ୍ରୀ ହରିଚନ୍ଦନ ଏଭଳି ମତ ରଖିବା ସହ ବିଜୁ ଜନତା ଦଳ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରସାଦ ଆମେରିକୀୟ ଲେଖକ ମାରିଓ ପୁଜୋ କହିଥିବା “Behind Every Great Fortune There Is a Crime” ଉକ୍ତିକୁ ବିଶ୍ଳେଷଣ କାରିବା ସହ ବିଜେଡ଼ିର ଭାଷା ଆନ୍ଦୋଳନକୁ ପଥେୟ କରି ବିଜେଡ଼ି ଭୋଟ ରାଜନୀତି କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି।
ଓଡ଼ିଶାର ପ୍ରଗତି ଠପ୍, ଚତୁରତାର ସହ ବିଜେଡ଼ି ଭୋଟ ପାଇଁ ଭାଷା କଥା ଉଠାଇଛି। ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାରେ ପାରଙ୍ଗମ। ସରକାରୀ ଦପ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତିମାନ ଗ୍ରହଣ କଲେ ସେମଧ୍ୟରୁ ଅର୍ଦ୍ଧାଧିକ ନିଷ୍ପତ୍ତି ପୂର୍ବ କଂଗ୍ରେସ ସରକାର ଓ ବିଜେଡ଼ିର ପ୍ରଥମ ପାଳି ସମୟରେ ଗୃହୀତ ହୋଇଥିଲା ଏବଂ ସେ ବାବାଦରେ ଆଇନ ପ୍ରଣୟନ ହୋଇଥିଲା। ପାଠାଗାର ସମ୍ପର୍କରେ ଯେଉଁ ସବୁ ନିଷ୍ପତ୍ତି ନିଆଯାଇଛି ତାହା ୨୦୦୨ ମସିହାରେ ଆଇନ୍ ଭାବେ ଗୃହୀତ ହୋଇଛି। ମାତ୍ର ସରକାରର ୧୫ ବର୍ଷ ଶାସନ ସତ୍ଵେ ବିଜେଡ଼ି ସରକାରୀ ଦପ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରିପାରିଲା ନାହିଁ। ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବା ପାଇଁ ଗତକାଲି ପୁରୀ ଠାରେ ହୋଇଥିବା ନିଷ୍ପତ୍ତି କେବଳ କାଗଜ କଲମରେ ସୀମିତ ହୋଇ ରହିଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି ପିସିସି ସଭାପତି ଶ୍ରୀ ହରିଚନ୍ଦନ ମତ ଦେଇଛନ୍ତି।
ହରିଚନ୍ଦନ ଆହୁରି କହିଥିଲେ ଯେ, ସବୁଦିଗରୁ ବିଫଳ ନବୀନ ସରକାର ଜନସାଧାରଣଙ୍କୁ ସେମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ନକହି ଓଡ଼ିଆ ଭାଷା ସମ୍ପର୍କରେ ମିଠା ମିଠା ପ୍ରତିଶ୍ରୁତି ଦୋହରାଇବା କେବଳ ପ୍ରବଞ୍ଚନା। ଆମେରିକୀୟ ଲେଖକ ମାରିଓ ପୁଜୋଙ୍କ ପ୍ରସିଦ୍ଧ ଉକ୍ତି “Behind Every Great Fortune There Is a Crime” ଭଳି ବିଜେଡ଼ି ସରକାର ଯେଉଁ ସଫଳତାର ବାହାସ୍ପୋଟ ମାରୁଛନ୍ତି ତାହା ପଛରେ ଓଡ଼ିଶାକୁ ଗରୀବ ରାଜ୍ୟରେ ପରିଣତ କରିବା ଏବଂ ଲୋକଙ୍କୁ ମାଳମାଳ ପ୍ରତିଶ୍ରୁତି ଦେଇ ଠକିବା ଭଳି ଅପରାଧ ଜଡ଼ିତ।
ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଶୋଚନୀୟ। ସବୁ ଗାଁକୁ ପିଇବା ପାଣି ନାହିଁ। ସବୁ ଗାଁରେ ରାସ୍ତା ନାହିଁ। ସବୁ ଗାଁରେ ବିଜୁଳି ନାହିଁ। ଡାକ୍ତରାଖାନାରେ ଡାକ୍ତର ନାହାନ୍ତି। ବେକାରୀ ସମସ୍ୟା କହିଲେ ନସରେ। ବିଗତ ୧୫ ବର୍ଷ ମଧ୍ୟରେ ରାଜ୍ୟର ୧୫ ଲକ୍ଷ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ମାତ୍ର ୪୫ ହଜାର ନିଯୁକ୍ତି ଦେଇପାରିଛନ୍ତି। ଏଭଳି ପରିସ୍ଥିତିରେ ବିଜେଡ଼ି ଦଳ କୋଟି କୋଟି ଟଙ୍କାର ସରକାରୀ ଅର୍ଥରେ ପୁରୀ ମହାସମାରୋହରେ ପ୍ରତିଷ୍ଠା ଦିବସ ପାଳନ କରିବା କେତେଦୂର ଠିକ୍ ଓଡିଶାବାସୀ ବିଚାର କରିବେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ସମ୍ବାଦିକ ସମ୍ମଳନୀରେ ଉକ୍ତି ରଖିଛନ୍ତି। ଏହି ସମ୍ବାଦିକ ସମ୍ମଳନୀରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଓ ସୁରେଶ ରାଉତରାୟ, ବିଧାୟକ ନବ ଦାସ, ଡ. ଯୁଧିଷ୍ଠୀର ଜେନା, ଡ. ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ଦଳର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ।
What's Your Reaction?