ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମୁଠାରେ ଚିଲିକା ବିଜେଡି ଟିକେଟ

୧୮ ବର୍ଷ ପୂର୍ବେ ଯେଉଁ ଆଇପିଏସ୍ ଅଫିସର ଖୋର୍ଦ୍ଧା ଏସଡିପିଓ ଥିଲେ, ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ଓଏସଡି। ସମ୍ପୃକ୍ତ ଅଧିକାରୀ ସେତେବେଳେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପାଖରେ ଥିବା ଏକ ନିର୍ଦ୍ଧିଷ୍ଟ ଖବରକାଗଜ ସଂସ୍ଥାର ଜିଲ୍ଲା ପ୍ରତିନିଧିଙ୍କ ସହ ନିବିଡ ସମ୍ପର୍କରେ ଥିଲେ। ଆଜି ପୂର୍ବ ସମ୍ପର୍କର ମୂଲ୍ୟ ବୁଝାଇବାକୁ ସୁଯୋଗ ଖୋଜୁଛନ୍ତି ସେହି ପୋଲିସ ଅଧିକାରୀ।

Mar 29, 2019 - 23:36
ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମୁଠାରେ ଚିଲିକା ବିଜେଡି ଟିକେଟ
Remix - Suv Bharat Times

ରାଜ୍ୟରେ କୋଟେରୀ ଶାସନକୁ ପ୍ରୋତ୍ସାହିତ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚର୍ଚ୍ଚିତ ନେତା ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ସମ୍ନାନ ଦିଅନ୍ତି ନାହିଁ ବୋଲି ଆଉ ଥରେ ପ୍ରମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଭଳି ଆଲୋଚନା ପଛରେ ଟିକେଟ ବଣ୍ଟନର ବାସ୍ନା ରହିଛି। ଚର୍ଚ୍ଚାରୁ ସୁରାକ ମିଳିଛି କି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନ ଚିଲିକା ବିଧାନସଭା ଆସନରେ କାହାକୁ ମିଳିବ ବିଜେଡି ଟିକେଟ, ତାହା ନିର୍ଣ୍ଣୟ କରିବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଓ ବ୍ୟକ୍ତିଗତ ସଚିବ। ଏଥିପାଇଁ ଆଜି ୧୮ ଜଣିଆ ପ୍ରାର୍ଥୀ ତାଲିକାରୁ ଚିଲିକାକୁ ବାଦ୍ ଦିଆଯାଇଛି।

ବିଜେଡିର ପ୍ରାର୍ଥୀ ଚୟନ ପ୍ରକ୍ରିୟାରୁ ଜନ୍ମ ନେଇଛି ଗୁଜବ। ଏଭଳି ଆଶା ଆଶଙ୍କା ମଧ୍ୟରେ ନବୀନଙ୍କ ଗୁମାସ୍ତାଙ୍କ ହାତରେ ପଡିଛି ଚିଲିକାର ବିଜେଡି ଟିକେଟ। ଆଜକୁ ୧୮ ବର୍ଷ ପୂର୍ବେ ଯେଉଁ ଆଇପିଏସ୍ ଅଫିସର ଖୋର୍ଦ୍ଧା ଏସଡିପିଓ ଥିଲେ, ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ଓଏସଡି। ସେତେବେଳେ ସମ୍ପୃକ୍ତ ଅଧିକାରୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପାଶ୍ୱର୍ରେ ଥିବା ଏକ ନିର୍ଦ୍ଧିଷ୍ଟ ଖବରକାଗଜ ସଂସ୍ଥାର ଜିଲ୍ଲା ପ୍ରତିନିଧିଙ୍କ ସହ ନିବିଡ ସମ୍ପର୍କରେ ଥିଲେ। ସେହି ପୋଲିସ ଅଧିକାରୀ ଆଜି ପୂର୍ବ ସମ୍ପର୍କର ମୂଲ୍ୟ ବୁଝାଇବାକୁ ସୁଯୋଗ ଖୋଜୁଛନ୍ତି। ଆସନ୍ତାକାଲି କିମ୍ବା ଆଗକୁ ଆଉ ଯେଉଁଦିନ ନବୀନ, ଚିଲିକାର ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ; ସେତେବେଳେ ପଦାକୁ ଆସିବ ନବୀନଙ୍କ କାର୍ଯ୍ୟକାଳରେ ଚାଲିଥିବା କୋଟେରୀ ଶାସନର ନଗ୍ନ ଚିତ୍ର।

ଚିଲିକାର ପ୍ରମୁଖ ତିନିଜଣ ଆଶାୟୀଙ୍କ ମଧ୍ୟରୁ ଜଣେ ନୂଆମୁଁହ କାଳେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ସମର୍ଥକ। ଚଳିତ ନିର୍ବାଚନ ଷ୍ଟ୍ରାଟେଜୀ ଯାହା ସଂକେତ ଦେଉଛି ସେଥିରେ ପୂର୍ବତନ ବିଧାୟକ ରଘୁନାଥ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ସାଙ୍ଗଠନିକ ସ୍ଥିତି କୌଣସି ତାଳମେଳ ରଖୁନି। ପରୋକ୍ଷରେ ଚିଲିକାର ଭାଜପା ପ୍ରାର୍ଥୀ ପୃଥିରାଜ ହରିଚନ୍ଦନଙ୍କ ପ୍ରାର୍ଥୀତ୍ୱ ତାଙ୍କ ପିତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ଲାଗି ସମ୍ନାନର ପ୍ରଶ୍ନ ହୋଇ ଉଭା ହୋଇଛି। ଗତ ୪ଟି ନିର୍ବାଚନରେ ଏଠାରୁ ମାତ୍ର ଗୋଟିଏ ଥର ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୩ ଥର ବାଜି ମାରିଛି ଭାଜପା। 

ବିଜେଡିରେ ଦୁଇ ଆଶାୟୀଙ୍କ ଅପାରଗତାକୁ ଘୋଡାଇବାକୁ ଯାଇ ଗତ ତିନି ଦିନ ଧରି ପର୍ଯାୟକ୍ରମେ ଡକ୍ଟର ପ୍ରଶନ୍ନ ପାଟ୍ଟଶାଣୀ, ପ୍ରଶାନ୍ତ ଜଗଦ୍ଦେବ ଓ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ନାମରେ ଟିକେଟକୁ ନେଇ ଚର୍ଚ୍ଚା ସୃଷ୍ଟି କରାଯାଇଛି। କିନ୍ତୁ ପ୍ରସ୍ତୁତି ସମ୍ପୁର୍ଣ୍ଣ ଭିନ୍ନ। ଏକଥା ସ୍ପଷ୍ଟ ହୋଇଗଲାଣି କି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଆଜି ବନ୍ଧୁତ୍ୱ ଏବଂ ବ୍ୟବସାୟିକ ସମ୍ପର୍କର ବହୁମୂଲ୍ୟ ଦେବାକୁ ତୟାର।

ଅଦ୍ୟାବଧି ଖୋର୍ଦ୍ଧା, ବେଗୁନିଆ ଓ ଚିଲିକାରେ କେଉଁମାନେ ଲଢିବେ ତାହା ସ୍ଫଷ୍ଟ କରୁନାହାଁନ୍ତି ମୁଖ୍ୟମନ୍ତ୍ରୀ। ୨୮ ତାରିଖ ମଧ୍ୟାହ୍ନରେ ନବୀନ ନିବାସ ସମ୍ମୁଖରେ ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀର ୨ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତିକୁ ଦେଖି ଆଜି ୧୮ ଜଣିଆ ପ୍ରାର୍ଥୀ ତାଲିକାରେ ଜଟଣୀ ପ୍ରାର୍ଥୀ ବିଭୁତି ବଳବନ୍ତରାୟଙ୍କ ନାମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମାତ୍ର ୧୮ ଜଣିଆ ତାଲିକାରେ ନା ଥିଲା ଚିଲିକା କିମ୍ବା ଖୋର୍ଦ୍ଧା ଓ ବେଗୁନିଆ।

ଯାହା ଅନୁମାନ କରାଯାଉଛି, ୨୦୦୦ ମସିହା ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପ୍ରତି ଯେଭଳି କୃତଘ୍ନତା ପ୍ରଦର୍ଶନ କରାଗଲା, ସେହି ମୁଳପୋଛ ଯୋଜନାକୁ ଚିଲିକା ଓ ବେଗୁନିଆର ଦୁଇଜଣ ପ୍ରଭାବଶାଳୀ ନେତାଙ୍କ କ୍ଷେତ୍ରରେ ପ୍ରୟୋଗ ଲାଗି ପ୍ରସ୍ତୁତି ଶେଷ ହୋଇଛି। ଯେହେତୁ ଖୋର୍ଦ୍ଧାରେ ବିଜେଡିକୁ ଫେରିଥିବା ପୂର୍ବତନ ବିଧାୟକ ଜିତୁ ମିତ୍ର ଓ ଆଶାୟୀ ରାଜ ସାହୁଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ପର୍କ; ତେଣୁ ଚିଲିକା ଓ ବେଗୁନିଆ ଭଳି ଖୋର୍ଦ୍ଧାକୁ ସେଭଳି ଗୁରୁତ୍ୱ ଦିଆଯାଇନି। ବରଂ ଟିକେଟ ମିଳୁ ବା ନମିଳୁ ଦଳ ପାଇଁ କାମ କର ବୋଲି ଜିତୁ ମିତ୍ର ଓ ରାଜୁ ସାହୁଙ୍କୁ ନବୀନ ଆଗୁଆ ପରାମର୍ଶ ଦେଇଛନ୍ତି। 

Manoranjan Pattanaik Publisher & Editor, Suv Bharat Times