୨ ଝିଅଙ୍କୁ ଝାନ୍ସୀ ଚାଲାଣ ଉଦ୍ୟମ ବିଫଳ : ରଣପୁର ଓ ବାଣପୁରରେ ରାକେଟ୍ ସକ୍ରିୟ

ବଡ଼ ଝିଅ ଯୁକ୍ତ ୨ ଶେଷ କରିଥିବା ବେଳେ ସାନ ଝିଅ ଦଶମ ପଢ଼ିଛି। ହେଲେ ପାରିବାରିକ ସମସ୍ୟା କାରଣରୁ ଦୁଇ ଝିଅଙ୍କୁ ଅଣଦେଖା କରୁଥିଲେ ବାପା ଓ ମା'। ଶେଷରେ ଦୁହିଁଙ୍କୁ ଦଲାଲ ହାତରେ ଟେକିଦେବା ପାଇଁ ମଧ୍ୟ ପଛାଇ ନଥିଲେ।

Sep 30, 2019 - 23:15
୨ ଝିଅଙ୍କୁ ଝାନ୍ସୀ ଚାଲାଣ ଉଦ୍ୟମ ବିଫଳ : ରଣପୁର ଓ ବାଣପୁରରେ ରାକେଟ୍ ସକ୍ରିୟ
Remix - Suv Bharat Times

ଶୀର୍ଷକ ଖବର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନା ଚନ୍ଦ୍ରମାଦେଇପୁର ଗାଁରେ ଦେଖିବାକୁ ମିଳିଛି। ଘର ଚଳେଇବାକୁ ଅକ୍ଷମ ପିତା ଅର୍ଥ ବଦଳରେ ଦଲାଲକୁ ନିଜର ୨ ବଢିଲା ଝିଅଙ୍କୁ ବିକ୍ରି କରିବାକୁ ଅଗ୍ରୀମ ଆଣିଥିଲେ। ସମ୍ପୃକ୍ତ ଦଲାଲ ମଧ୍ୟ ଦୁଇ ଭଉଣୀଙ୍କୁ ନେଇଯିବାକୁ ପହଁଚିଥିଲା। କିନ୍ତୁ ପିତାଙ୍କ ଚକ୍ରାନ୍ତ ବିଷୟରେ ଜାଣିବା ପରେ ସେଥିରୁ ମୁକୁଳିବାକୁ ଦୁଇ ଭଉଣୀ ଘରୁ ପଳାଇ ଆସି ୩ ଦିନ ଧରି ଏକ ଜଙ୍ଗଲ ଭିତରେ ଆତ୍ମଗୋପନ କରିଥିଲେ। କିନ୍ତୁ, ପିତା ଓ ଦଲାଲ ମଧ୍ୟରେ ହୋଇଥିବା ବୁଝାମଣା ସଫଳ ହୋଇଥିଲେ ଏହି ଦୁଇ ଭଉଣୀ ଝାନ୍ସୀ ଚାଲାଣ ହୋଇଥାନ୍ତେ।

ଝାନ୍ସୀକୁ ଝିଅ ଚାଲାଣକାରୀ ରାକେଟର ଚେର ଚିଲିକା ନିର୍ବାଚନମଣ୍ଡଳୀ ବାଣପୁର ସହର ଯାଏଁ ଲମ୍ବିଛି। ବାଣପୁର ତହସିଲ୍ ଅଫିସ୍ ନିକଟରେ ପଇଁତରା ମାରୁଥିବା ଜଣେ ଦଲାଲ୍ ସ୍ଥାନୀୟ ଅଞ୍ଚଳର ଗରିବ ଝିଅମାନଙ୍କୁ ବ୍ୟାଙ୍କରେ ଚାକିରୀ ଦେବାକୁ କହି ଭୁବନେଶ୍ୱରରେ ସେକ୍ସ ରାକେଟ ଚଲାଇଥିବା ଅଭିଯୋଗ ହେଉଛି।

ଏଭଳି ଘଟଣା ଶୁଣିବାକୁ ଅଖାଡୁଆ ଲାଗୁଥିଲେ ବି ସତ। କିନ୍ତୁ, ଆମ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ୨୦ ବର୍ଷର ଶାସନ କାଳରେ ନୟାଗଡ ଜିଲ୍ଲାରୁ ଦାରିଦ୍ର୍ୟ ନହଟିବା ଯେତିକି କୌତୁହଳ ସୃଷ୍ଟି କରିଛି, ତା'ଠାରୁ ଅଧିକ ଦୁଃଖ ଦେଉଛି ଫୋକସରେ ଥିବା ନେତା ତଥା ମନ୍ତ୍ରୀ ଅରୁଣ ସାହୁ ଯେଉଁ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ସେହି ଜିଲ୍ଲାର ଜଣେ ଗରିବ ବାପା ଆଜି ପେଟ ଚାଖଣ୍ଡେ ପାଇଁ ନିଜର ୨ ଝିଅଙ୍କୁ ଦଲାଲ ଜରିଆରେ ଝାନ୍ସୀ ଚାଲାଣ ପାଇଁ ଉଦ୍ୟମ କରିବାକୁ ବାଧ୍ୟ ହେଉଛନ୍ତି।

ଚନ୍ଦ୍ରମାଦେଇପୁର ଗାଁର ଏହି ସ୍ପର୍ଶକାତର ଘଟଣା ଜଣାପଡିବା ପରେ ନୟାଗଡ଼ ସିଡବ୍ଲ୍ୟୁସି ଦୁଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ନୟାଗଡ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ୨ ଭଉଣୀଙ୍କୁ ସ୍ଵଧାରା ଗୃହକୁ ନିଆଯିବ ବୋଲି କୁହାଯାଉଛି।

ପାଠକଙ୍କୁ ଅନୁରୋଧ ଆପଣମାନେ ବି ଥରେ ନଜର ଦିଅନ୍ତୁ, କ'ଣ କହିଛନ୍ତି ଝାନ୍ସୀ ଚାଲାଣରୁ ମୁକ୍ତି ପାଇଥିବା ୨ ଭଉଣୀ। ଏମାନଙ୍କ କହିବା ଅନୁସାରେ, ବାପା ମା' ତାଙ୍କୁ ବୋଝ ବୋଲି ଭାବିନେଇଥିଲେ। ଅନେକ ନିର୍ଯାତନା ଦେଉଥିଲେ। ଏପରିକି ଅନେକ ସମୟରେ ଖାଇବା ପିଇବା ବନ୍ଦ କରିଦେଉଥିଲେ। ବଡ଼ ଝିଅ ଯୁକ୍ତ ୨ ଶେଷ କରିଥିବା ବେଳେ ସାନ ଝିଅ ଦଶମ ପଢ଼ିଛି। ହେଲେ ପାରିବାରିକ ସମସ୍ୟା କାରଣରୁ ଦୁଇ ଝିଅଙ୍କୁ ଅଣଦେଖା କରୁଥିଲେ ବାପା ଓ ମା'। ଶେଷରେ ଦୁହିଁଙ୍କୁ ଦଲାଲ ହାତରେ ଟେକିଦେବା ପାଇଁ ମଧ୍ୟ ପଛାଇ ନଥିଲେ।

୨ ପୀଡିତାଙ୍କ ବୟାନ ଶୁଣିବା ପରେ ଲାଗୁଛି, ଜିଲ୍ଲାର ରଣପୁର ଥାନା ଇଲାକାରେ ଝାନ୍ସୀକୁ ଝିଅ ଚାଲାଣ କରୁଥିବା ରାକେଟ୍ ସକ୍ରିୟ ଅଛନ୍ତି। ବୁଦ୍ଧିଜୀବୀଙ୍କ ମତରେ ସାମ୍ନାରେ କୌଣସି ବିକଳ୍ପ ନଥିଲେ ପିତା ମାତା ଏଭଳି କରିବାକୁ କେବେ ଚିନ୍ତା ବି କରିନଥାନ୍ତେ।

ଝାନ୍ସୀକୁ ଝିଅ ଚାଲାଣ କରୁଥିବା ଏହି ରାକେଟର ଚେର ଚିଲିକା ନିର୍ବାଚନମଣ୍ଡଳୀର ବାଣପୁର ଯାଏଁ ଲମ୍ବିଛି। ଝିଅମାନଙ୍କୁ ବ୍ୟାଙ୍କରେ ଚାକିରୀ ଦେବାକୁ କହି ବାଣପୁର ତହସିଲ୍ ଅଫିସ୍ ନିକଟରେ ବୁଲୁଥିବା ଜଣେ ଦଲାଲ୍ ନିଜ ରକ୍ଷିତା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଗରିବ ଘର ଝିଅମାନଙ୍କୁ ଆଣି ଭୁବନେଶ୍ୱରରେ ସେକ୍ସ ରାକେଟଗୁଡିକୁ ଯୋଗାଉଥିବା ବେଳେ ଝାନ୍ସୀ ଚାଲାଣ କରୁଥିବା ନଜୀର ରହିଛି। ସ୍ଥାନୀୟ ଲୋକଙ୍କ ପାଖରେ ଏହି ଦଲାଲ ସମ୍ପର୍କରେ ସମସ୍ତ ଖବର ଥିବା ସତ୍ତ୍ୱେ ବାଣପୁର ପୁଲିସର ନିସ୍କ୍ରିୟତାରୁ ଜୀବନ ଲୋଭରେ କେହି ଏଥିରେ ମୁଣ୍ଡ ପୁରାଉନଥିବା ଅଭିଯୋଗ ହେଉଛି।

Manoranjan Pattanaik Publisher & Editor, Suv Bharat Times