କେତେ ଫରକ, କେତେ ସାମଞ୍ଜସ୍ୟ
ଭାରତର ଐତିହ୍ୟ ଓ ସଂସ୍କୃତିକୁ ଧ୍ୱଂସ କରିବା ନିମନ୍ତେ କିଛି ସ୍ୱାର୍ଥପର ଗୋଷ୍ଠୀ ବିଭିନ୍ନ ଭାବରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ରୁଗ୍ନ ମାନସିକତା ପାଇଁ ଶିକ୍ଷାର ମାନ ହ୍ରାସ ପାଉଛି। ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଅମାନବୀୟ ଘଟଣାର ଶିକାର ହେଉଛନ୍ତି।

ଆଙ୍ଗୁଠି ଧରି ଚଲାଇବା ଶିଖାନ୍ତି ମା', ସେହି ଆଙ୍ଗୁଠିରେ ଖଡି କଲମ ଧରାଇ ଭବିଷ୍ୟତ ଗଢନ୍ତି ଗୁରୁମା'। ସମୟ ଆସେ ମା' ମନେପକାଇ ଭାବନ୍ତି, ଗୁରୁମା' ମୋ' ଆତ୍ମସମ୍ନାନ ବଢାଇଛନ୍ତି, ମୋ' ଛୁଆଙ୍କୁ ନୂଆ ଦିଶା ଦେଖାଇଛନ୍ତି, ମୋ ପରିବାରର ଗାରିମା ବଢାଇଛନ୍ତି। ଜଣେ ଶିକ୍ଷକ ଓ ଜଣେ ଗୁରୁମା'ଙ୍କର ଏଇତ ସମାଜ ପାଇଁ କର୍ତ୍ତବ୍ୟ। ହୁଏତ କର୍ଣ୍ଣଙ୍କୁ ଶିଷ୍ୟ ଭାବେ ଗ୍ରହଣ ନକରି ଦ୍ରୋଣାଚାର୍ଯ୍ୟ ମସ୍ତବଡ ଭୂଲ୍ କରିଥିଲେ। କିନ୍ତୁ ମୂଲ୍ୟବୋଧର ବ୍ୟାପକତା ଦୃଷ୍ଟିରୁ ଆଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟଙ୍କ ନିଷ୍ପତିକୁ ସମାଜ ସହ୍ୟ କରିଛି।
'ଛାତ୍ରୀଙ୍କୁ ଅସଦାଚରଣ ପ୍ରତିବାଦ, ଗ୍ରାମସଭା ନିଷ୍ପତ୍ତିରେ ସମସ୍ତଙ୍କ ସାମ୍ନାରେ ଅଭିଯୁକ୍ତ ଶିକ୍ଷକଙ୍କୁ ପିଟିଲେ ନିଜ ପତ୍ନୀ', 'ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ପ୍ରଧାନ ଶିକ୍ଷକ', 'ବନ୍ଦ କୋଠରୀରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର'। ଏଭଳି କେତେକ ମୁଣ୍ଡବିନ୍ଧା ଶିରୋନାମା ଖବରକାଗଜ ପାଠକ ଓ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଆମ ରାଜ୍ୟର କେତେକ ଶିକ୍ଷାନୁଷ୍ଠାନରେ ଏଭଳି ଚରିତ୍ରହୀନ ଶିକ୍ଷକ ଅଛନ୍ତି, ଯେଉଁମାନେ କାମବାସ୍ନା ଚରିତାର୍ଥ କରିବା ପାଇଁ ବାରମ୍ବାର ନିରୀହ ଶିକ୍ଷାର୍ଥୀଙ୍କ ଇଜ୍ଜତ ଲୁଟି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏମାନଙ୍କ କୁ-କର୍ମ ପାଇଁ ସମଗ୍ର ଗୁରୁକୂଳ ନିନ୍ଦା ଅପବାଦର ଶିକାର ହେଉଛନ୍ତି। ଏହି ପଥଭ୍ରଷ୍ଟ ଶିକ୍ଷକଙ୍କ ପାଇଁ ସମଗ୍ର ଗୁରୁକୂଳ ଲଜ୍ଜିତ। ଅନ୍ୟତ୍ର ହକ୍ ପାଇଁ ଚାଲିଛି ଲଢେଇ। ବିଭିନ୍ନ ବୈଦୁତିକ ଗଣମାଧ୍ୟମରେ ଲୋୟର ପି.ଏମ୍.ଜିରୁ ଟେଲିକାଷ୍ଟ ହେଉଥିବା ଦୃଶ୍ୟାବଳୀ ମଧ୍ୟରୁ କେତେବେଳେ ଖଣ୍ଡିଆ ଖାବରା ହୋଇଥିବା ଶିକ୍ଷକ, ପୁଣି କେବେ ମୁର୍ଚ୍ଛାଗସ୍ତ ଶିକ୍ଷୟତ୍ରୀଙ୍କୁ ଗୃହରକ୍ଷିମାନେ କାନ୍ଧରେ ବୋହି ଆମ୍ବୁଲାନ୍ସରେ ଭର୍ତ୍ତି କରି ଡାକ୍ତରଖାନା ପହଞ୍ଚାଊଛନ୍ତି। ଏଭଳି ସମ୍ବେଦନଶୀଳ ଦୃଶ୍ୟ ଛାତ୍ର ସମାଜକୁ ପ୍ରଭାବିତ କରୁଛି। ସେମାନେ ହିଂସାତ୍ମକ ମନୋଭାବ ପୋଷଣ କରୁଛନ୍ତି।
ବଦଳି ଯାଉଛି ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା। କିନ୍ତୁ, ବଦଳିନାହିଁ ଅଭିଭାବକ ମନରେ ଶିକ୍ଷକଙ୍କ ପ୍ରତି ସମ୍ନାନବୋଧ। ଲୋୟର ନର୍ସରୀ କିମ୍ବା ପ୍ରାଥମିକ ଶିକ୍ଷା ପାଇଁ ନିଜର ତିନି/ଚାରି ବର୍ଷର ଶିଶୁକୁ ଯାହାଙ୍କ ହାତରେ ଉତ୍ସର୍ଗ କରାଯାଏ, ସେ ହେଉଛନ୍ତି ଗୁରୁ କିମ୍ବା ଗୁରୁମା। ଶିଶୁମାନଙ୍କ ମଧ୍ୟରେ କିଏ ସଂମ୍ଭ୍ରାନ୍ତ, କିଏ ପୁଣି ଦରିଦ୍ର। ମାତ୍ର ଶିକ୍ଷକଙ୍କ ମନରେ ନଥାଏ ଭେଦଭାବ। ସଭିଁଙ୍କୁ ସମାନ ଶିକ୍ଷା ପ୍ରଦାନ କରନ୍ତି। ପ୍ରତ୍ୟେକ ଶିଶୁଙ୍କୁ ସ୍ନେହ ଦେଇ ତାଙ୍କ ଅବୁଝା ମନକୁ ଆୟତ କରନ୍ତି। ସେମାନଙ୍କ ଆଖିରେ ଭବିଷ୍ୟତ ସ୍ୱପ୍ନର ଉନ୍ମାଦନା ଭରିଦିଅନ୍ତି। ଶିଶୁ ଠାରୁ ଆରମ୍ଭ ହୁଏ ଶିକ୍ଷକ-ଅଭିଭାବକର ସମ୍ପର୍କ। ଶିଶୁର ଅଧିକାଂଶ ଆଚାର ବ୍ୟବହାର ଶିକ୍ଷକଙ୍କ ଦ୍ୱାରା ପ୍ରେରିତ। ଶିଶୁ ଓ ଗୁରୁମା'ଙ୍କ ମଧ୍ୟରେ ନିବିଡତା ପରୋକ୍ଷରେ ଶିକ୍ଷକ ସାମ୍ନାରେ ଅଭିଭାବକଙ୍କ ମୁଣ୍ଡ ନୁଆଁଇ ଦିଏ। ସମୟ ଗଡିଚାଲିବା ସହ ଶିଶୁର ମାନସିକ ପରିପକ୍ୱତା ବୃଦ୍ଧିପାଏ। ଏଭଳି ଦିନ ଆସେ ଯେଉଁଠି ବାପା ମା'ଙ୍କ ଲଢେଇରେ ମଧ୍ୟସ୍ଥି ଭୂମିକା ତୁଲାଏ ସେହି ଶିଶୁ। ସେହିଦିନ ପିଲାଟିର ପରିପକ୍ୱତା ବାପା ମା' ଙ୍କୁ ପ୍ରଭାବିତ କରେ। ଅନେକ ଅଭିଭାବକ ଏକଥା ନିଶ୍ଚୟ ସ୍ୱୀକାର କରିବେ। ଯେଉଁ ଶିକ୍ଷା ଦ୍ୱାରା ଜଣେ ଛାତ୍ରର ଚାରିତ୍ରିକ, ମାନସିକ ଓ ଶାରୀରିକ ବିକାଶ ହୋଇଥାଏ, ସେପରି ଶିକ୍ଷାନୀତି ପ୍ରଚଳନ କରିବାର ସେମାନେ ପକ୍ଷପାତୀ ନଥିଲେ।
କେବଳ ସରକାରଙ୍କ ମୁଣ୍ଡରେ ଅଠାବୋଳି ଏକ ବିଶାଳ ଗୋଷ୍ଠୀ ସୁନାପିଲା ଭଳି ହକ୍ ପାଇଁ ଲଢେଇ କରୁଛନ୍ତି। ନିଜର ହକ୍ ପାଇଁ ସଙ୍ଗଠିତ ଲଢେଇ ସମୟରେ ଶ୍ରେଣୀ କକ୍ଷ ଖାଲି ପଡୁଛି, ବିଦ୍ୟାଳୟରେ ତାଲା ଝୁଲୁଛି, ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରୀ ବନ୍ଧା ହେଉଛି। ପରୀକ୍ଷା ଖାତା ଦେଖା ନହେଲେ ଆନ୍ଦୋଳନକାରୀ ଶିକ୍ଷକଙ୍କର କିଛି ଚିନ୍ତା ନାହିଁ। କାରଣ ସେମାନେ ହକ୍ ପାଇଁ ଲଢେଇ କରୁଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ଅନିୟମିତତା, କୋର୍ସ ଶେଷ ନହେବାର ଆଶଙ୍କା, ଅଭିଭାବକଙ୍କ ଅସନ୍ତୋଷ ଏବଂ ଏଭଳି ଅନେକ ବିଭ୍ରାଟର ସୂତ୍ରପାତ ହେଉଛି। ରାଜ୍ୟରେ କାର୍ଯ୍ୟରତ ଶିକ୍ଷକଙ୍କ ସମସ୍ୟାର କାରଣ ହେଉଛନ୍ତି ଖୋଦ୍ ରାଜ୍ୟ ସରକାର ଏବଂ ପ୍ରଚଳିତ ଫାଲତୁ ଶିକ୍ଷାନୀତି। ସରକାର ଶିକ୍ଷା ପଦ୍ଧତିର ନବୀକରଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଗତ ୧୯ ବର୍ଷର ଶାସନକାଳରେ, ପ୍ରତ୍ୟେକ ବିଧାନସଭା ଅଧିବେଶନ ସମୟରେ ଆନ୍ଦୋଳନରତ ଶିକ୍ଷକମାନଙ୍କ ରଡ଼ିରେ ଉଠୁଛି ପଡୁଛି ଲୋୟର୍ ପି.ଏମ୍.ଜି। ସରକାରଙ୍କ ଅସହଯୋଗରୁ ଦାନାପାଣିର ଆନ୍ଦୋଳନ ହିଂସାରେ ପରିଣତ ହେଉଛି।
ଦେଶ ସ୍ୱାଧିନତା ପ୍ରାପ୍ତିର ଆଜକୁ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ଗୋଟିଏ ନିର୍ଦ୍ଧିଷ୍ଟ ଶିକ୍ଷାନୀତି ପ୍ରଣୟନରେ ଭାରତ ସରକାର ବିଫଳ ହୋଇଛନ୍ତି। ସ୍ୱାଧିନତା ପୂର୍ବରୁ ଏ ଦେଶକୁ ଶାସନ କରୁଥିଲେ ବ୍ରିଟିଶ ଶାସକ। ସେମାନଙ୍କର ମୂଳ ଲକ୍ଷ ଥିଲା ଭାରତକୁ ଗୋଟିଏ ପଙ୍ଗୁ, ଅଥର୍ବ ରାଷ୍ଟ୍ରରେ ପରିଣତ କରିବା। ଆମ ରାଜ୍ୟରେ ବ୍ରିଟିଶ ଚିନ୍ତାଧାରା ଆପଣେଇଛନ୍ତି ଅଧିକାଂଶ ସରକାରୀ ଶିକ୍ଷକ। ଯାହା ରାଜ୍ୟରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ବେଳେ ସରକାରୀ ବିଦ୍ୟାଳୟ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀ ବିମୁଖ ହୋଇ ପଡ଼ୁଛନ୍ତି। ଭାରତର ଐତିହ୍ୟ ଓ ସଂସ୍କୃତିକୁ ଧ୍ୱଂସ କରିବା ନିମନ୍ତେ ସେହି ସ୍ୱାର୍ଥପର ଗୋଷ୍ଠୀ ବିଭିନ୍ନ ଭାବରେ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ରୁଗ୍ନ ମାନସିକ ରୋଗିଙ୍କ ଲାଗି ଶିକ୍ଷାର ମାନ ହ୍ରାସ ପାଉଛି। ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ଅମାନବୀୟ ଘଟଣାର ଶିକାର ହେଉଛନ୍ତି। ଅଭିଭାବକ ଓ ଶିକ୍ଷକ ଏଥିପାଇଁ କିଭଳି ଭୂମିକା ତୁଳାଇବେ ତାହା ଆଲୋଚ୍ୟ ବିଷୟ।