ଦୋଷ କଲେ ଖୋର୍ଦ୍ଧା ଏ.ଆର.ସି.ଏସ, ଦଣ୍ଡ ଭୋଗୁଛନ୍ତି ସମିତି ସମ୍ପାଦକ

ଏ.ଆର.ସି.ଏସଙ୍କ ଆଖିକୁ ଭଲଭାବେ ଦେଖା ଯାଉନଥିବା କାରଣରୁ କିମ୍ବା ଜାଣିଶୁଣି ଏଭଳି ତ୍ରୁଟି କରାଗଲା ତାହା ଭଗବାନଙ୍କୁ ଜଣା। ହେଲେ ତ୍ରୁଟିପୂର୍ଣ୍ଣ ଦସ୍ତାବିଜ୍ ପାଇଁ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କୁ ଯୋର ଜବରଦସ୍ତ ଅବସର ଦିଆଗଲା।

Dec 5, 2023 - 09:20
ଦୋଷ କଲେ ଖୋର୍ଦ୍ଧା ଏ.ଆର.ସି.ଏସ, ଦଣ୍ଡ ଭୋଗୁଛନ୍ତି ସମିତି ସମ୍ପାଦକ
Remix - Suv Bharat Times

ଅଜବ ଘଟଣା। ଭୂଲ୍ କଲେ ଖୋର୍ଦ୍ଧାର ଏ.ଆର.ସି.ଏସ ଅନନ୍ତ କୁମାର ନାୟକ। ସ୍କୁଲ ସାର୍ଟିଫିକେଟ ଅନୁସାରେ ଖୋର୍ଦ୍ଧା ଜିଲ୍ଲା ସୋରଣ ସେବା ସମବାୟ ସମିତି ଲିଃ ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କ ଜନ୍ମ ତାରିଖ ୦୯ ଜୁଲାଇ, ୧୯୬୪। ମାତ୍ର ତତ୍କାଳିନ ଏ.ଆର.ସି.ଏସ ୦୯.୦୭.୧୯୬୪ ପରିବର୍ତ୍ତେ ୦୫.୦୯.୧୯୬୧ ବୋଲି ଭୂଲ ତଥ୍ୟ ରଖି ସରକାରୀ ନଥିପତ୍ରକୁ ବାଟବଣା କଲେ।

ଏ.ଆର.ସି.ଏସଙ୍କ ଆଖିକୁ ଭଲଭାବେ ଦେଖା ଯାଉନଥିବା କାରଣରୁ କିମ୍ବା ଜାଣିଶୁଣି ଏଭଳି ତ୍ରୁଟି କରାଗଲା ତାହା ଭଗବାନଙ୍କୁ ଜଣା। ହେଲେ ତ୍ରୁଟିପୂର୍ଣ୍ଣ ଦସ୍ତାବିଜ୍ ପାଇଁ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟଙ୍କୁ ଯୋର ଜବରଦସ୍ତ ଅବସର ଦିଆଗଲା। ଅବସର ସମୟରେ ନା ଦିଆଯାଇଛି ବକେୟା ଦରମା, ନା କୌଣସି ଇନକ୍ରିମେଣ୍ଟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କୁ ବ୍ଳାକମେଲ୍ କରାଯାଇଥିବା ଘଟଣାକୁ ନେଇ ସମିତି ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟ 'ଶୁଭ୍ ଭାରତ ଟାଇମ୍ସ' ଜରିଆରେ ସରକାରଙ୍କୁ ଅଭିଯୋଗ କରିଛନ୍ତି।

ବିଭାଗୀୟ ଏ.ଆର.ସି.ଏସ ଅନନ୍ତ କୁମାର ନାୟକଙ୍କ ଯୋଗୁ ଯେଉଁ ଅକ୍ଷମଣୀୟ ତ୍ରୁଟି ଦେଖା ଦେଲା, ତାହାର ତଦନ୍ତ କରାଯାଇ ଆଚାର୍ଯ୍ୟଙ୍କୁ ନ୍ୟାୟ ଦେବା ବଦଳରେ 'ଲେଙ୍କା ମାଡାମ୍' ଭାବେ ପରିଚିତ ସମବାୟ ସଂସ୍ଥାର ଜଣେ କର୍ମଚାରୀ ଯିଏ ଆଡମିନୀଷ୍ଟ୍ରେଟର ଭାବେ ଡାୟିତ୍ଵ ତୁଲାଉଥିଲେ, ସେହି ମହିଳା କର୍ମଚାରୀ ପ୍ରମୋଦ ଆଚାର୍ଯ୍ୟଙ୍କୁ କାଳୁପଡାଘାଟ ସିଣ୍ଡିକେଟ ବ୍ୟାଙ୍କ ନିକଟକୁ ଡାକି ତାଙ୍କ ଠାରୁ ଲକ୍ଷେ ଷାଠିଏ ହଜାର ଟଙ୍କା ନେଇଥିଲେ। ଉକ୍ତ ମହିଳା ଶ୍ରୀ ଆଚାର୍ଯ୍ୟଙ୍କୁ ତାଙ୍କ ଅବସର ହଟାଇ ନିଯୁକ୍ତି ଦେଇଦେବେ ବୋଲି ପ୍ରତିଶୃତି ଦେଇଥିଲେ। ହତୋତ୍ସାହିତ ସମ୍ପାଦକ ନିଜ ଜୀବିକା ବଞ୍ଚାଇବା ଲାଗି ଲେଙ୍କା ମାଡାମଙ୍କ ଉପରେ ବିଶ୍ୱାସ କରି ତାଙ୍କୁ ଟଙ୍କା ଦେବାକୁ ବାଧ୍ୟ ହେଲେ। କିନ୍ତୁ, ଆଜି ସୁଦ୍ଧା କୌଣସି ସମାଧାନ ରାସ୍ତା ବାହାରିଲା ନାହିଁ।

ତେଲ ଲୁଣର ସଂସାର ପାଇଁ ଶ୍ରୀ ଆଚାର୍ଯ୍ୟ ଖୋର୍ଦ୍ଧା ଏ.ଆର.ସି.ଏସଙ୍କ ସମତେ ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟିଜ୍‌, ଓଡିଶାଙ୍କ ନିକଟକୁ ଦୌଡି ଦୌଡି ଭାଙ୍ଗି ପଡିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ ଏଥିପ୍ରତି କୌଣସି ଧ୍ୟାନ ନଦେବାରୁ ଗତ ଜାନୁୟାରୀ ୩୧ରେ ସେ ରାଜ୍ୟପାଳଙ୍କୁ ପତ୍ର ଲେଖି ନ୍ୟାୟ ଭିକ୍ଷା କରିଛନ୍ତି। ସମୟ ପୂର୍ବରୁ ଜୋର ଜବରଦସ୍ତ ଅବସର ଦିଆଯିବା ଘଟଣା ଖୁବ୍ ହାସ୍ୟାସ୍ପଦ। ଖୋର୍ଦ୍ଧା ଏ.ଆର.ସି.ଏସଙ୍କ ଭୂଲ ପାଇଁ ଜଣେ ସମିତି ସମ୍ପାଦକ ଚାକିରୀ ହରେଇ ଆଜି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ତାଙ୍କୁ କାର୍ଯ୍ୟରେ ପୁନଃ ନିଯୁକ୍ତି ଦାବିରେ ସେ ନିବନ୍ଧକ ସମବାୟ ସମିତି ସମୂହ, ଓଡିଶାଙ୍କ ନିକଟରେ ଫେରାଦ ହୋଇଥିଲେ, ଯାହାର ପତ୍ର ସଂଖ୍ୟା ୬୨୯୮/ ୨୫.୦୮.୨୦୨୨। ମାତ୍ର ଏନେଇ କାହିଁକି କୌଣସି ପଦକ୍ଷେପ ନିଆଗଲା ନାହିଁ ‘ମୋ ସରକାର’ ଏହାର ଉତ୍ତର ଦିଅନ୍ତୁ।

ସମବାୟ ସଂସ୍ଥାର ଉଚ୍ଚ କର୍ତ୍ତୃପକ୍ଷ ସମ୍ପାଦକଙ୍କ ନିବେଦନ ପ୍ରତି ଦୃଷ୍ଟି ନଦେବାରୁ ସୋରଣ ସମିତିରେ ଅଚଳାବସ୍ଥା ଲାଗି ରହିଛି। ସୋରଣ ସମେତ ଆଖପାଖର ୨୦ ହଜାର ଚାଷୀ ଓ ବ୍ୟବସାୟୀମାନେ ସମିତି ଉପରେ ନିର୍ଭରଶୀଳ। ହେଲେ ବିଭାଗୀୟ ଅବ୍ୟବସ୍ଥା ପାଇଁ ଋଣଗ୍ରହୀତାଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି। ସୋରଣ ଗୁଳିକାଣ୍ଡ ଏବଂ ସୋରଣ ମଦମୃତ୍ୟୁ ଭଳି ୨ଟି ସମ୍ବଦନଶୀଳ ଘଟଣାକୁ ଦଶନ୍ଧି ବିତିଯାଇଛି। ଦୁଇଟି ଘଟଣାକୁ କେନ୍ଦ୍ର କରି ଜିଲ୍ଲା ପ୍ରଶାସନିକ ସ୍ତରରେ ଅନେକ ପରିବର୍ତ୍ତନ ଘଟିଛି। ଜନ ଅସନ୍ତୋଷର ପରିଣତି କେତେଯେ ଭୟଙ୍କର ସେନେଇ ସରକାରୀ କର୍ମକର୍ତ୍ତା କ’ଣ ସଚେତନ ନୁହଁନ୍ତି! 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.