ବୟସ୍କ ହୋଇ ଯାଉଥିବା ମାନବ ଜନସଂଖ୍ୟା
ଗୋଟିଏ ଦେଶରେ ଯେତେବେଳେ ବୟସ୍କଙ୍କ ସ°ଖ୍ୟା ବଢେ ଏବଂ ସେହି ଅନୁପାତରେ ନବଜାତଙ୍କ ସ°ଖ୍ୟାରେ ବୃଦ୍ଧି ଘଟେନି, ତା'ହେଲେ ସେହି ଦେଶର ଅର୍ଥନୀତି, ଅଧିକ ଯୁବକ, ପ୍ରୌଢ ବା କାର୍ଯ୍ୟକ୍ଷମ ଲୋକ ଥିବା ଦେଶର ଅର୍ଥନୀତି ଠାରୁ ଅଲଗା ହୋଇଥାଏ। ବୟସ୍କ ଜନସଂଖ୍ୟାର ସ୍ଵାସ୍ଥ୍ୟ ଜନିତ ସେବାର ଏବଂ ରିଟାୟର୍ଡମେଣ୍ଟ ହୋମ୍ସ ବା ଅବସର ପରର ସେବାର ଚାହିଦା ସର୍ବଦା ଅଧିକ ରହିଥାଏ।
କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଗୋଟିଏ ଖବର ମୋର ଦୃଷ୍ଟି ଆକର୍ଷଣ କରିଥିଲା। ଖବରର ଆରମ୍ଭରେ ଗୋଟିଏ ପ୍ରଶ୍ନ କରାଯାଇ ଥିଲା "ଇଜ୍ ଇଟାଲୀ ଗୋଇ° ଟୁ ବି ଡିଲିଟେଡ୍ ଫ୍ରମ୍ ୱାର୍ଲ୍ଡ ମ୍ୟାପ୍ (ବିଶ୍ଵ ମାନଚିତ୍ରରୁ ଲିଭିଯିବ କି ଇଟାଲୀର ଚିହ୍ନ)?" ଏଥିରେ ଚିନ୍ତା ପ୍ରକଟ କରାଯାଇ ଥିଲା ଯେ ଇଟାଲୀ ପରି ଦେଶରେ ଗତ ତିନିମାସ ଭିତରେ ଜଣେ ମଧ୍ୟ ଶିଶୁ ଜନ୍ମ ଗ୍ରହଣ କରି ନାହାନ୍ତି। ଏମିତି ଯଦି ଗୋଟିଏ ଦେଶରେ ମାସ-ମାସ ଧରି ଆଉ କୌଣସି ଶିଶୁର ଜନ୍ମ ନଘଟେ, ତା' ହେଲେ ସେ ଦେଶର ଜନସଂଖ୍ୟାର କ'ଣ ହେବ? କୌଣସି ମାନବ ବିନା ଗୋଟିଏ ଦେଶ କେମିତି ତା'ର ଅସ୍ତିତ୍ଵ ବଜାୟ ରଖିବ? ଅବଶ୍ୟ ଖବରଟି ପ୍ରସାରିତ ହେବାର ଅଳ୍ପଦିନ ଭିତରେ 'ଦ ଇଟାଲୀଆନ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ଷ୍ଟାଟିଷ୍ଟିକ୍ସ' ତରଫରୁ ରଏଟରକୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ, ଉକ୍ତ ରିପୋର୍ଟଟି ଭ୍ରମାତ୍ମକ। ଯଦିଓ ୨୦୧୪ ପରଠାରୁ ଇଟାଲୀ ଜନସଂଖ୍ୟା ବୃଦ୍ଧିର ହାର ଲଗାତାର କମି ଚାଲିଛି। କିନ୍ତୁ ସରକାରୀ ଡାଟା ଅନୁସାରେ ମାସିକ ୩୦,୦୦୦ରୁ ଅଧିକ ନବଜାତ ଇଟାଲୀ ଜନସଂଖ୍ୟାରେ ଯୋଡି ହେଉଛନ୍ତି। ୨୦୨୨ରେ ଇଟାଲୀ ଜନସଂଖ୍ୟାରେ ୦-୧୪ ବର୍ଷ ୧୨.୮୯%, ୧୫-୬୪ ବର୍ଷ ୬୩.୫୬% (୧୫-୨୪ ବର୍ଷ ୯.୬୧%; ୨୫-୫୪ ବର୍ଷ ୪୦.୮୬% ଓ ୫୫-୬୪ବର୍ଷ ୧୪%) ଏବଂ ୬୫ ବର୍ଷରୁ ଉର୍ଦ୍ଧ୍ଵଙ୍କ ଭାଗିଦାରୀ ୨୩.୫୪% ରହିଛି। ବର୍ଷ ୨୦୨୩ ଶେଷ ସୁଦ୍ଧା ସେଠି ୬୫ ବର୍ଷରୁ ବୟସ୍କ ମାନଙ୍କ ଅ°ଶ ୨୪.୧% କୁ ବୃଦ୍ଧି ପାଇଛି, ଯାହାକି ଇଟାଲୀ ଏବଂ ବିଶ୍ଵର ବିଶେଷଜ୍ଞଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କେବଳ ଇଟାଲୀ ନୁହେଁ, ବର୍ତ୍ତମାନ ପୃଥିବୀର ଅନେକ ଦେଶର ଜନସଂଖ୍ୟାର ଅବସ୍ଥା ପ୍ରାୟ ସେୟା।
୧୫ ନଭେମ୍ବର ୨୦୨୨ରେ ପୃଥିବୀର ମାନବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚି ଥିଲା। ୭୦୦ କୋଟିରୁ ୮୦୦ କୋଟି ହେବା ପାଇଁ ଅନ୍ୟୁନ ୧୨ ବର୍ଷ ଲାଗିଲା। ଏହା ପୂର୍ବରୁ ବିଶ୍ଵରେ ଜନସ°ଖ୍ୟା ବିସ୍ଫୋରଣ ପାଇଁ ଆଶଙ୍କା କରାଯାଉଥିଲା। ଜନସଂଖ୍ୟା ବିସ୍ଫୋରଣ କାରଣରୁ ଖାଦ୍ୟାଭାବ, ବେକାରୀ, ପରିବେଶ ପ୍ରଦୂଷଣ ଏବଂ ପ୍ରାକୃତିକ ସ°ସାଧନ ଅଭାବକୁ ନେଇ ଚିନ୍ତା ପ୍ରକଟ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ବିଶ୍ଵରେ ଜନସଂଖ୍ୟା ବିସ୍ଫୋରଣ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଦିନକୁ ଦିନ ବଢି ଚାଲିଥିବା ବୟସ୍କଙ୍କ ସଂଖ୍ୟା। ମିଳିତ ଜାତିସଂଘ ଜନଗଣନା ବିଭାଗ ଅନୁଯାୟୀ ବିଶ୍ଵ ଜନସଂଖ୍ୟାର ବୃଦ୍ଧି ଦର ଲଗାତାର କମିବାରେ ଲାଗିଛି। ଏମିତିକି ଆମ ଭାରତ ପରି ବିଶ୍ଵର ସର୍ବାଧିକ ଜନସଂଖ୍ୟା ରହିଥିବା ଦେଶରେ (୨୦୨୩ରେ ଭାରତ, ଚୀନକୁ ଜନସଂଖ୍ୟା ମାମଲାରେ ଟପି ଯାଇଛି) ମଧ୍ୟ ବାର୍ଷିକ ଜନସଂଖ୍ୟା ବୃଦ୍ଧିର ହାର ୦.୭% ରହିଛି, ଯାହାକି ବିଶ୍ଵ ଜନସଂଖ୍ୟା ବୃଦ୍ଧି ହାର ୦.୮% ଠାରୁ ବି କମ୍। ମିଳିତ ଜାତିସଂଘର ଜନସଂଖ୍ୟା ବିଭାଗ ଅନୁସାରେ, ବର୍ତ୍ତମାନ ଏସୀୟ ଏବଂ ୟୁରୋପୀୟ ଦେଶ ଗୁଡିକ ବିଶ୍ଵର ବୟସ୍କ ମାନବ ବା ୬୫ ବର୍ଷ ବୟସରୁ ଅଧିକ ବୟସ୍କମାନଙ୍କ ବାସସ୍ଥଳୀ ପାଲଟିଛନ୍ତି।
ବୟସ୍କଙ୍କ ସଂଖ୍ୟା ସର୍ବାଧିକ ଜାପାନରେ ରହିଛି, ସମୁଦାୟ ଜନସଂଖ୍ୟାର ୨୮%। ତା' ପଛକୁ ୨୩% ସହ ଇଟାଲୀ ଏବଂ ୨୨% ସହ ଗ୍ରୀସ୍, ଫିନଲ୍ୟାଣ୍ଡ୍ ଏବଂ ପର୍ତ୍ତୁଗାଲ୍ ରହିଛନ୍ତି। ସେହିପରି ସମୁଦାୟ ଜନସଂଖ୍ୟାର ୨୧%, ୬୫ ବର୍ଷରୁ ଅଧିକ ହୋଇଥିବା କାରଣରୁ ଦକ୍ଷିଣ ୟୁରୋପ (କ୍ରୋଏସିଆ, ସର୍ବିଆ, ସ୍ପେନ୍, ସ୍ଲୋୱେନିଆ, ମାଲ୍ଟା)କୁ "ବିଶ୍ଵ ବୟସ୍କ ଅଞ୍ଚଳ" କୁହାଯାଉଛି। ଚୀନରେ ସମୁଦାୟ ଜନସଂଖ୍ୟାର ୧୨% ବୟସ୍କ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ୧୬%, ଭାରତରେ ୬% ଏବଂ ନାଇଜେରିଆରେ ୩% ରହିଛି। ସାଧାରଣତଃ ଆଫ୍ରିକୀୟ ଏବଂ ମଧ୍ୟ-ପୂର୍ବ ଦେଶ ଗୁଡିକରେ ୬୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ସ°ଖ୍ୟା କମ୍ ରହିଛି। କତାର୍, ଉଗାଣ୍ଡା ଏବଂ ଆଫଗାନିସ୍ତାନରେ ସମୁଦାୟ ଜନସଂଖ୍ୟାର ମାତ୍ର ୨% ବୟସ୍କମାନଙ୍କର ଅଟେ।
୨୦୨୨ ସୁଦ୍ଧା ବିଶ୍ଵରେ ସମୁଦାୟ ୭୭୧ ମିଲିୟନ ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକ ଥିଲା, ଯାହା ବିଶ୍ଵ ଜନସଂଖ୍ୟାର ୧୦%। ଜନସଂଖ୍ୟା ଗବେଷଣା ଓ ଅଧ୍ୟୟନ ଅନୁସାରେ ବର୍ଷ ୨୦୫୦ ବେଳକୁ ଏହା ୧୬% ଏବଂ ବର୍ଷ ୨୧୦୦ ବେଳକୁ ୨୪% ହୋଇଯାଇ ଥିବ। ସେତେବେଳେ ଦକ୍ଷିଣ କୋରିଆ(ପୃଥିବୀର ସର୍ବନିମ୍ନ ପ୍ରଜନନକ୍ଷମ ଦେଶ ବା ଲୋଏଷ୍ଟ ଫର୍ଟିଲିଟି ରେଟ୍) ଏବଂ ଜାମାଇକା ପରି କେତୋଟି ଦେଶରେ ବୟସ୍କଙ୍କ ସ°ଖ୍ୟା ସମୁଦାୟ ଜନସଂଖ୍ୟାର ୪୯% ରହିଥିବ ବୋଲି ଆକଳନ କରାଯାଇଛି।
ଅନେକଙ୍କ ମନରେ ପ୍ରଶ୍ନ ଆସିପାରେ ଗୋଟିଏ ଦେଶର ବୟସ୍କମାନଙ୍କ ସଂଖ୍ୟା ବଢିଲେ ବିଶେଷଜ୍ଞ ଚିନ୍ତା କାହିଁକି ପ୍ରକଟ କରୁଛନ୍ତି? ମଣିଷର ବୟସ୍କ ହେବାର ଅର୍ଥ କେବଳ ତା'ର ବୟସର ସ°ଖ୍ୟା ବଢିବା ନୁହେଁ। ବୟସ୍କ ହେବାର ଅର୍ଥ ସମୟକ୍ରମେ ଶରୀରର ପ୍ରତ୍ୟେକ କୋଷ ସ୍ତରରେ ପରିବର୍ତ୍ତନ ଓ ଅନିଷ୍ଟକାରୀ ତତ୍ତ୍ୱ ଠୁଳ ହେବା। ବୟସ ବଢିବା ଓ ବାୟୋଲୋଜିକାଲ୍ ପରିବର୍ତ୍ତନ ଛଡା ବୟସ୍କ ହେବା ଦ୍ୱାରା ମଣିଷକୁ ଅନେକ ସାମାଜିକ ପରିବର୍ତ୍ତନର ମଧ୍ୟ ସାମନା କରିବାକୁ ପଡିଥାଏ, ଯେମିତିକି ଅବସର, ସ୍ଥାନାନ୍ତରଣ, ବନ୍ଧୁ କିମ୍ବା ପାର୍ଟନରଙ୍କ ମୃତ୍ୟୁ। ଏସବୁ ପରିସ୍ଥିତି ବୟସ୍କ ମାନଙ୍କ ମଧ୍ୟରେ ମାନସିକ ଅବସାଦ, ଡିମେନସିଆ, ଆଲ୍ଜିମର୍ସ ଡିସିଜ୍ ଆଦିର କାରଣ ମଧ୍ୟ ହୋଇଥାଏ। ଏହାଛଡା ବୟସ୍କ ଅବସ୍ଥାରେ ମଧୁମେହ, ଉଚ୍ଚ ରକ୍ତଚାପ, ଦୃଷ୍ଟି ଓ ଶ୍ରବଣ ଶକ୍ତି କ୍ଷୀଣ ହେବା, ଶ୍ଵାସତନ୍ତ୍ରୀର ବେମାରୀ, ବେକ ଓ ଅଣ୍ଟା ବ୍ୟଥା, ଆଁଠୁଗଣ୍ଠି ବାତ, ପରିସ୍ରା ରୋକି ନପାରିବା, ବିଛଣାରେ ପଡି ରହିବା ଦ୍ଵାରା ଘା' ପରି ଶାରୀରିକ ସମସ୍ୟା ମଧ୍ୟ ଦେଖାଯାଏ। କିଛି ବ୍ୟକ୍ତିଙ୍କ ଠାରେ ଏସବୁର ସମାହାର ବା ଜେରିଆଟ୍ରିକ୍ ସିଣ୍ଡ୍ରୋମ୍ ଦେଖାଯାଏ। ଏହା ଧୀରେ ଧୀରେ ମଣିଷର ଶାରୀରିକ ତଥା ମାନସିକ କାର୍ଯ୍ୟକ୍ଷମତା ଏବଂ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ।
ଗୋଟିଏ ଦେଶରେ ଯେତେବେଳେ ବୟସ୍କଙ୍କ ସ°ଖ୍ୟା ବଢେ ଏବଂ ସେହି ଅନୁପାତରେ ନବଜାତଙ୍କ ସ°ଖ୍ୟାରେ ବୃଦ୍ଧି ଘଟେନି, ତା'ହେଲେ ସେହି ଦେଶର ଅର୍ଥନୀତି, ଅଧିକ ଯୁବକ, ପ୍ରୌଢ ବା କାର୍ଯ୍ୟକ୍ଷମ ଲୋକ ଥିବା ଦେଶର ଅର୍ଥନୀତି ଠାରୁ ଅଲଗା ହୋଇଥାଏ। ବୟସ୍କ ଜନସଂଖ୍ୟାର ସ୍ଵାସ୍ଥ୍ୟ ଜନିତ ସେବାର ଏବଂ ରିଟାୟର୍ଡମେଣ୍ଟ ହୋମ୍ସ ବା ଅବସର ପରବର୍ତ୍ତୀ ସେବାର ଚାହିଦା ସର୍ବଦା ଅଧିକ ରହିଥାଏ। ଅନେକ ଯୁକ୍ତି କରିପାରନ୍ତି ଯେ ସେହି ବୟସ୍କମାନେ ନିଜ ଯୁବାବସ୍ଥାରେ ଦେଶର ଅର୍ଥନୀତିକୁ ଦୃଢ଼ କରିବା ପାଇଁ ନିଜ ସମୟ ଓ ଶକ୍ତି ଦେଇଥିଲେ, ଏବେ ସେମାନେ ସୁବିଧା, ସେବା ପାଇବାର ହକଦାର। ନିଶ୍ଚୟ, ଏଥିରେ ଦ୍ଵିମତ ନାହିଁ। କିନ୍ତୁ ସମସ୍ୟାକୁ ନବୁଝି, ସମାଧାନର ରାସ୍ତା ନଖୋଜି କେବଳ ଯୁକ୍ତି କରିବା ଅନୁଚିତ। ସମସ୍ୟାକୁ ଆଲୋଚନା କଲେ ହିଁ ସମାଧାନର ବାଟ ଆସେ।
ଉନ୍ନବିଂଶ ଏବଂ ଏକବିଂଶ ଶତାବ୍ଦୀରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉନ୍ନତି, ନୂତନ ଆବିଷ୍କାର ଏବଂ ମଣିଷର ଜୀବନଯାପନ ପ୍ରଣାଳୀରେ ଉନ୍ନତି ଆଜି ମଣିଷକୁ ଦୀର୍ଘାୟୁ କରିବାରେ ସାହାଯ୍ୟ କରିଛି। କିନ୍ତୁ ତା' ଠାରୁ ଅଧିକ ତୀବ୍ର ସହରୀକରଣ, ଉଦ୍ୟୋଗୀକରଣ, ଆଧୁନିକୀକରଣ, ପ୍ରତିଯୋଗିତାଧର୍ମୀ ବିକାଶ, ଦରବୃଦ୍ଧି ତଥା ଗତ ଶତାବ୍ଦୀର ଆରମ୍ଭରେ ଜନସଂଖ୍ୟା ବିସ୍ଫୋରଣର ଭୟ ଏସବୁ ମଣିଷର ପରିବାର ବୃଦ୍ଧିର ଇଚ୍ଛା ଓ ପ୍ରଜନନ କ୍ଷମତାକୁ କମ୍ କରିଛି। ଆଜି ଯୁବପିଢ଼ି ଗୋଟିଏ ଶିଶୁର ଲାଳନପାଳନର ଭାର ବହନ କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ଏହି ସବୁ କାରଣ ଜନସଂଖ୍ୟା ବୃଦ୍ଧିର ଦରକୁ କମ୍ କରୁଛି। ଏହାଦ୍ଵାରା ଅର୍ଥନୀତି ସନ୍ତୁଳନ ପାଇଁ ବୃଦ୍ଧି ପାଉଥିବା ବୟସ୍କ ଜନସଂଖ୍ୟାର ସେବାର ଚାହିଦା ଭାର ଗୋଟିଏ ଅପେକ୍ଷାକୃତ ଛୋଟ କାର୍ଯ୍ୟକ୍ଷମ ଜନସଂଖ୍ୟା ଉପରେ ବର୍ଦ୍ଧିତ ଟିକସ ଆକାରରେ ପଡୁଛି। ଅର୍ଥନୀତିକୁ ଛାଡି ଯଦି ଆମେ ଏହାର ଉଦାହରଣ ପରିବାରରୁ ନେବା ତା' ହେଲେ ହୁଏତ ବୁଝିବା ପାଇଁ ଆମକୁ ସୁବିଧା ହେବ।
୧୯୮୦ରେ ଚୀନ ସରକାର "ଗୋଟିଏ ସନ୍ତାନ" ନିୟମ ପ୍ରଣୟନ କରିଥିଲେ, ଯାହାକୁ ୨୦୧୬ରେ ବନ୍ଦ କରି ଦିଆଗଲା। ଏହାଦ୍ଵାରା ପ୍ରଥମ ପିଢିରେ ପ୍ରତି ବାପା-ମା'ଙ୍କର ଗୋଟିଏ ଲେଖା ସନ୍ତାନ ହେଲେ। ସେହି ଦ୍ୱିତୀୟ ପିଢ଼ିର ସନ୍ତାନ ଯେତେବେଳେ ବିବାହ କଲେ ସେମାନଙ୍କର ମଧ୍ୟ ଗୋଟିଏ ସନ୍ତାନ ହେଲା। ଏବେ ଦୁଇଟି ପରିବାରର ତୃତୀୟ ପିଢିରେ ମାତ୍ର ଜଣେ ଯୁବକ/ଯୁବତୀ। ସେହି ଜଣେ ଯୁବକ/ଯୁବତୀ ଉପରେ ନିଜ ବୟସ୍କ ବାପା-ମା' ତଥା ଚାରିଜଣ ଗ୍ରାଣ୍ଡ୍-ପ୍ୟାରେଣ୍ଟସଙ୍କ ଦାୟିତ୍ୱ। ଦାୟିତ୍ୱ କେବଳ ଅର୍ଥକୁ ନେଇ ନଥାଏ, ଛ' ଜଣଙ୍କ ରାସନ, ରୋଷେଇ, ଘରକାମ, ସ୍ୱାସ୍ଥ୍ୟ ସମସ୍ୟା ଓ ସମୟ ଅତିବାହିତ କରିବା ମଧ୍ୟ ସାମିଲ ଥାଏ।
ଘର କିମ୍ବା ପରିବାର ଛଡା ଯଦି ଆମେ ଦେୟଯୁକ୍ତ ସ୍ଵାସ୍ଥ୍ୟସେବା ବିଷୟରେ ବିଚାର କରିବା, ତା'ହେଲେ ସେଠି ମଧ୍ୟ ଆବଶ୍ୟକତା ମୁତାବକ ସେବା ପ୍ରଦାନକାରୀ ମାନବ ସ°ସାଧନର ଅଭାବ ରହିବ। ଏହାସହ ସେହି ଦେଶରେ କ୍ରନିକ୍ ରୋଗାକ୍ରାନ୍ତ ବ୍ୟକ୍ତି ତଥା ଶାରୀରିକ ଅକ୍ଷମଙ୍କ ସ°ଖ୍ୟା ବଢିବା ସହ ଅନ୍ୟ ଉପରେ ନିର୍ଭର କରୁଥିବା ମଣିଷଙ୍କ ସ°ଖ୍ୟାରେ ବୃଦ୍ଧି ଘଟିବ। ଦେଶର ଅର୍ଥନୀତିରେ ଶ୍ରମଦାନ କରିବା ପାଇଁ ଉପଯୋଗୀ ମଣିଷଙ୍କ ସ°ଖ୍ୟା କମିବା ସହ ନୂତନ ସୁଯୋଗ ଏବଂ ସମ୍ଭାବନା ସୃଷ୍ଟି ହେବନାହିଁ। ବୟସ୍କମାନଙ୍କ ସ°ଖ୍ୟା ବଢିବା ଦ୍ଵାରା ଗୋଟିଏ ଦେଶର ରପ୍ତାନୀ କ୍ଷମତା ହ୍ରାସ ପାଇବା ସହ ଆମଦାନୀର ହାର ବୃଦ୍ଧି ପାଇବ। ପ୍ରତ୍ୟେକ ଆବଶ୍ୟକୀୟ ସାମଗ୍ରୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ବଢିବ। ଅର୍ଥନୈତିକ, ସ୍ଵାସ୍ଥ୍ୟ ଏବଂ ସାମାଜିକ ବ୍ୟବସ୍ଥା ଛଡା ବୟସ୍କଙ୍କ ସ°ଖ୍ୟା ବଢିବା ଦ୍ଵାରା ଦେଶର ସାମରିକ ଶକ୍ତି ମଧ୍ୟ ହ୍ରାସ ପାଇବ। ସୈନ୍ୟ ଦଳରେ ସାମିଲ ହେବା ପାଇଁ ଯୁବପିଢ଼ିର ଅଭାବ, ଅନ୍ୟ ଶକ୍ତିଶାଳୀ ଶତ୍ରୁ ଦେଶ ଦ୍ଵାରା ସେହି ଦେଶ ଓ ତା'ର ପ୍ରକୃତିକ ସ°ସାଧନକୁ ଅକ୍ତିଆର କରିବାରେ ସହଯୋଗ ହେବ। ଏହାଛଡା ବୟସ୍କ ମାନଙ୍କ ସ°ଖ୍ୟା ବୃଦ୍ଧି ଦ୍ଵାରା ଗୋଟିଏ ଦେଶରେ ଉପଲବ୍ଧ ସ°ସାଧନ ଏବଂ ରୋଜଗାରର ପନ୍ଥା ପାଇଁ ଆଶାୟୀ ପ୍ରାର୍ଥୀ ତଥା ପ୍ରତିଯୋଗିତାରେ ବୃଦ୍ଧି ଘଟିବ। ସେହି ଦେଶର ସରକାର ଯୁବପିଢି ପାଇଁ ଆବଶ୍ୟକ ମୁତାବକ ଖର୍ଚ୍ଚ କିମ୍ବା ବ୍ୟବସ୍ଥା କରିବାରେ ଅକ୍ଷମ ରହିବେ।
ବୟସ୍କଙ୍କ ସ°ଖ୍ୟା ବଢିବା ଦ୍ଵାରା କେବଳ ଯେ ଗୋଟିଏ ଦେଶରେ ସମସ୍ୟା ହିଁ ସୃଷ୍ଟି ହୁଏ ତା' ନୁହେଁ, କିଛି ଲାଭ ମଧ୍ୟ ମିଳିଥାଏ। ଦେଶରେ ଶ୍ରମଦାତାଙ୍କ ସ°ଖ୍ୟାରେ ବୃଦ୍ଧି ପାଏ। ଅବସରପ୍ରାପ୍ତ ନିଶୁଳ୍କ ସେବା ପ୍ରଦାନ ପାଇଁ ଆଗ୍ରହକାରୀ ମଧ୍ୟ ଉପଲବ୍ଧ ହୁଅନ୍ତି। ଶିଶୁ କଲ୍ୟାଣକାରୀ ଯୋଜନା ଗୁଡିକରେ କମ୍ ଅର୍ଥ ଲଗାଣ କରିବା ପାଇଁ ପଡେ। ମଣିଷ ଦୀର୍ଘାୟୁ ହେବା ଦ୍ଵାରା ଜଣେ ମଣିଷ ତା'ର କିଶୋର ଏବଂ ଯୁବାବସ୍ଥାରେ ପୂରା କରିପାରି ନଥିବା ଦୀର୍ଘଦିନର ପ୍ୟାସନକୁ ପୁରା କରିବା ପାଇଁ ଅବସର ପାଇଥାଏ। ମଣିଷକୁ ନୂତନ ଶିକ୍ଷା ଏବଂ କ୍ୟାରିୟର ଗ୍ରହଣ ପାଇଁ ସୁଯୋଗ ମିଳିଥାଏ। ନିଜ ପରିବାର ତଥା ଦେଶର ଆଗାମୀ ପିଢି ପାଇଁ ଦୀର୍ଘ ବର୍ଷର ଅନୁଭବ ଓ ଅନୁଭୂତିକୁ ସଠିକ୍ ମାଗଦର୍ଶନ ଦେଇପାରନ୍ତି। କିନ୍ତୁ ଏସବୁ ପାଇଁ ଜଣେ ମଣିଷର ସୁସ୍ଥ ରହିବା ବା ସୁସ୍ଥ ଉପାୟରେ ବୟସ୍କ ହେବା ଆବଶ୍ୟକ। ବୟସ୍କ ହେବାର ପ୍ରକ୍ରିୟା ସମସ୍ତଙ୍କ ଠାରେ ସମାନ ନଥାଏ। କେହି କେହି ବୟସ୍କ ୮୦ ବର୍ଷରେ ମଧ୍ୟ ୩୦-୪୦ ବର୍ଷଙ୍କ ପରି ଚଳଚଞ୍ଚଳ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ମାନସିକ ସ୍ଥରରେ ଏକଦମ୍ ଫିଟ୍ ଥା'ନ୍ତି। ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଆବଶ୍ୟକ ଏବଂ ଏଥିପାଇଁ ସୁସ୍ଥ ଭାବରେ ବୟସ୍କ ହେବା ଆବଶ୍ୟକ।
ମିଳିତ ଜାତିସଂଘ ଅନୁସାରେ ବର୍ଷ ୨୦୨୦ରେ ପୃଥିବୀରେ ୬୦ ବର୍ଷ ବୟସ୍କଙ୍କ ସ°ଖ୍ୟା ୫ ବର୍ଷରୁ କମ୍ ଆୟୁଙ୍କ ସ°ଖ୍ୟାକୁ ଟପି ଯାଇଥିଲା। ଡେମୋଗ୍ରାଫିର ଏହି ସିଫ୍ଟ ବା ଜନସଂଖ୍ୟାରେ ବୟସ୍କମାନଙ୍କ ଅ°ଶଦାନ ବଢିବାକୁ 'ପପୁଲେସନ୍ ଏଜି°' ବା ଜନସଂଖ୍ୟାର ବୟସ୍କ ହେବା କୁହାଯାଏ। ବର୍ତ୍ତମାନ ସୁଦ୍ଧା ପପୁଲେସନ୍ ଏଜି° ଧନୀ ଏବଂ ବିକଶିତ ଦେଶ ଗୁଡିକରେ ଦେଖିବାକୁ ମିଳୁଛି। କିନ୍ତୁ ବର୍ଷ ୨୦୫୦ ସୁଦ୍ଧା ୮୦% ବୟସ୍କ ଜନସଂଖ୍ୟା ବିକାଶଶୀଳ ଏବଂ ଅବିକଶିତ ତଥା ନିମ୍ନ ଆୟକାରୀ ଦେଶ ଗୁଡିକରେ ଦେଖିବାକୁ ମିଳିବେ। ବର୍ଷ ୨୦୫୦ ସୁଦ୍ଧା ୮୦ ବର୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟାର ମାତ୍ରା ୩ ଗୁଣ ହୋଇ ଯାଇଥିବ। ତେଣୁ ବର୍ତ୍ତମାନ ଆବଶ୍ୟକ ରହିଛି ଯେ ଦେଶ ଗୁଡିକ ନିଜ ସାମାଜିକ, ଅର୍ଥନୈତିକ ଏବଂ ସ୍ଵାସ୍ଥ୍ୟସେବାର ବିଭିନ୍ନ ଯୋଜନା ଗୁଡିକରେ ସୁସ୍ଥ ବୟସ୍କ ପ୍ରକ୍ରିୟାରେ ସାହାଯ୍ୟକାରୀ ପନ୍ଥା ଆପଣାଇବେ। ସେଥିପାଇଁ ମିଳିତ ଜାତିସଂଘ ବର୍ଷ ୨୦୨୦ରୁ ୨୦୩୦କୁ "ଡିକେଡ୍ ଅଫ୍ ହେଲ୍ଦି ଏଜି°" ଘୋଷଣା କରି ବିଶ୍ଵ ସ୍ଵାସ୍ଥ୍ୟ ସ°ଗଠନକୁ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଦିଗରେ କାମ କରିବା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସ°ଗଠନର ୪ଟି କାର୍ଯ୍ୟ ପନ୍ଥା ରହିଛି: ପ୍ରତ୍ୟେକ ବ୍ୟକ୍ତି, ପରିବାର ଓ ଦେଶ ବୟସ୍କ ହେବାର ପ୍ରକ୍ରିୟାକୁ ବୁଝିବା; ବୟସ୍କ ବ୍ୟକ୍ତିଙ୍କ ପ୍ରତିଭା ଏବଂ ଅନୁଭୂତିର ସଠିକ୍ ବ୍ୟବହାର ପାଇଁ ସ°ଗଠନମୂଳକ କାର୍ଯ୍ୟ କରିବା; ବ୍ୟକ୍ତିକୈନ୍ଦ୍ରିକ ବୟସ୍କ ସେବା ଓ ସୁବିଧା ପ୍ରଦାନ କରିବା; ଆବଶ୍ୟକୀୟ ସ୍ଥଳ ବିଶେଷରେ ବୟସ୍କ ବ୍ୟକ୍ତିଙ୍କୁ ଦୀର୍ଘମିୟାଦି ସେବା ପ୍ରଦାନ କରିବା।
ମିଳିତ ଜାତିସଂଘ ଏବଂ ବିଶ୍ଵ ସ୍ଵାସ୍ଥ୍ୟ ସ°ଗଠନର ବୟସ୍କ ବ୍ୟକ୍ତି ବା ଜନସଂଖ୍ୟା ପାଇଁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବୟସ୍କ ହେବାର ସୁସ୍ଥ ପ୍ରକ୍ରିୟା ଉପରେ ଜୋର୍ ଦେବା ମୁଖ୍ୟ କାରଣ ହେଉଛି, ବର୍ତ୍ତମାନ ଅବହେଳା କାରଣରୁ ଭବିଷ୍ୟତରେ ବୟସ୍କ ଜନସଂଖ୍ୟା ପାଇଁ କୌଣସି ଦେଶ ଉପରେ ପଡିବାକୁ ଥିବା ଆର୍ଥିକ କଷଣକୁ କମ୍ କରିବା ପାଇଁ ଆଗୁଆ ପ୍ରସ୍ତୁତି। ଯେମିତି ଆମ ନିଜ ପରିବାରରେ ବୟସ୍କ ବାପା-ମା' କିମ୍ବା ଗ୍ରାଣ୍ଡ-ପ୍ୟାରେଣ୍ଟସ୍ ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ, ଠିକ୍ ସେମିତି ବୟସ୍କ ଜନସଂଖ୍ୟା ମଧ୍ୟ ସମ୍ପୂର୍ଣ୍ଣ ବିଶ୍ଵ ପାଇଁ ମହତ୍ତ୍ୱପୂର୍ଣ୍ଣ। ଜନସଂଖ୍ୟା ବୃଦ୍ଧି ଅହେତୁକ ହ୍ରାସ ପାଇବା ଦ୍ୱାରା ଅନେକ ଜୀବଙ୍କ ପରି ମଣିଷ ବି ଦିନେ ବିଲୁପ୍ତ ହୋଇଯିବ। କିନ୍ତୁ ତା' ପୂର୍ବରୁ ମାନବଜାତିର ବିକାଶ ବଜାୟ ରଖିବା ସହ ବୟସ୍କଙ୍କ ସମ୍ମାନ ଓ ଯତ୍ନ ନେବା ବର୍ତ୍ତମାନର ଯୁବପିଢ଼ି ପାଇଁ ଏକ ଆହ୍ଵାନ।
What's Your Reaction?