ସୁଭାଷ ଓ ଏମିଲି : ଗୋଟିଏ ସାହାସିକ ପ୍ରେମ କାହାଣୀ
"ମୁଁ ଜାଣିନି ଆସନ୍ତା କାଲି ମୋ ପାଇଁ କ'ଣ ପରିଣାମ ଆଣିବ! ହୁଏତ ମୋତେ ଆଜୀବନ କାରାବାସ ଭୋଗିବାକୁ ପଡିପାରେ, ମୋତେ ଗୁଳି ମାରି ଦିଆଯାଇପାରେ କିମ୍ବା ଫାଶୀଖୁଣ୍ଟରେ ଝୁଲେଇ ଦିଆଯାଇପାରେ। ହୁଏତ ଆମର କେବେ ଭେଟ ନ ହୋଇପାରେ! ହୁଏତ ତୁମକୁ ମୋର ଏହା ଶେଷ ଚିଠି ହୋଇପାରେ! ହେଲେ ବିଶ୍ୱାସ ରଖ, ତୁମେ ମୋ ହୃଦୟରେ, ମୋ ଚେତନାରେ, ମୋ ସ୍ୱପ୍ନରେ ସଦାସର୍ବଦା ରହିବ" -ସୁଭାଷ
୧୯୨୦ରେ ଅସହଯୋଗ ଆନ୍ଦୋଳନ, ୧୯୩୦ର ଲବଣ ସତ୍ୟାଗ୍ରହ, ଦାଣ୍ଡି ଯାତ୍ରା ଆଉ ୧୯୩୧ର ସବିନୟ ଅବଜ୍ଞା ଆନ୍ଦୋଳନ, ଭାରତରେ ସେତେବେଳେ ଗାନ୍ଧିଜୀଙ୍କ ନେତୃତ୍ୱରେ ବ୍ରିଟିଶ୍ ସରକାର ବିରୋଧରେ ଅହି°ସା ଆନ୍ଦୋଳନର ସମୟ। ସମଗ୍ର ଦେଶବାସୀ ସ୍ଵାଧୀନତା ପାଇଁ ଜୀବନକୁ ବାଜି ଲଗାଇ ଦେଇଥାନ୍ତି। ଗାନ୍ଧିଜୀଙ୍କ ତତ୍ତ୍ୱାବଧାନରେ ଜାତୀୟ କ°ଗ୍ରେସ ଏବଂ ସମସ୍ତ ନେତୃବୃନ୍ଦ ସ୍ୱରାଜ ପାଇଁ ପ୍ରାଣମୂର୍ଚ୍ଛା ଲାଗିଥାନ୍ତି। ସେମାନଙ୍କର ସେତେବେଳେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଥାଏ ଭାରତରୁ ବ୍ରିଟିଶ ଶାସନକୁ ଶେଷ କରି ଦେଶକୁ ସ୍ଵାଧୀନ କରିବା। ସେହି ସମୟରେ ଅନ୍ୟ ଅନେକ ସ°ଗ୍ରାମୀଙ୍କ ପରି ନେତାଜୀ ସୁଭାଷଚନ୍ଦ୍ର ବୋଷ ମଧ୍ୟ ୧୯୩୧ର ସବିନୟ ଅବଜ୍ଞା ଆନ୍ଦୋଳନ ପାଇଁ ଜେଲରେ ବନ୍ଦ ଥା'ନ୍ତି। କିନ୍ତୁ ୧୯୩୨ରେ ତାଙ୍କ ଶରୀର ହଠାତ୍ ଅସୁସ୍ଥ ହେବାକୁ ଲାଗିଲା। ଚିକିତ୍ସା ପରେ ମଧ୍ୟ କୌଣସି ଲାଭ ନମିଳିବାରୁ ନିଜ ଖର୍ଚ୍ଚରେ ତାଙ୍କୁ ଚିକିତ୍ସା ପାଇଁ ୟୁରୋପ ଯିବାକୁ ବ୍ରିଟିଶ୍ ସରକାର ଅନୁମତି ଦେଇଥିଲା।
ସେତେବେଳେ ନେତାଜୀଙ୍କ ପରିଚୟ କେବଳ ଜଣେ ଟାଣୁଆ କ°ଗ୍ରେସ ନେତା ସହ ଟାଣୁଆ ସ୍ଵାଧୀନତା ସ°ଗ୍ରାମୀ ହିସାବରେ ମଧ୍ୟ ସାରା ବିଶ୍ଵ ଜାଣି ସାରିଥାଏ। ଭିଏନାରେ ରହି ନିଜର ଚିକିତ୍ସା କରାଇବା ସମୟରେ ମଧ୍ୟ ନେତାଜୀଙ୍କ ଲକ୍ଷ୍ୟ, ଭାରତର ସ୍ଵାଧୀନତାକୁ ନେଇ ହିଁ ଥାଏ। ସେଠି ରହିବା ଭିତରେ ନେତାଜୀ ଭିଏନାରେ ରହୁଥିବା ଭାରତୀୟ ଛାତ୍ରମାନଙ୍କୁ ଏକାଠି କରି ଭାରତୀୟ ସ୍ଵାଧୀନତା ସ°ଗ୍ରାମରେ ସାମିଲ ହେବାକୁ ଏକାଠି କରିବାକୁ ଲାଗିଲେ। ଠିକ୍ ସେହି ସମୟରେ ତାଙ୍କୁ ଗୋଟିଏ ୟୁରୋପୀୟ ସ°ସ୍ଥା ତରଫରୁ "ଦି ଇଣ୍ଡିଆନ୍ ଷ୍ଟ୍ରଗଲ୍" ନାମକ ବହି ଲେଖିବାର ଦାୟିତ୍ୱ ଦିଆଯାଇ ଥିଲା। ଏହି ବହି ଲେଖିବା ପାଇଁ ନେତାଜୀଙ୍କୁ ସେତେବେଳେ ଜଣେ ସହାୟକ ଏବଂ ସହଯୋଗୀଙ୍କର ଆବଶ୍ୟକତା ପଡିଲା, ଯିଏ ଟାଇପି° ସହ ଇ°ରାଜୀରେ ମଧ୍ୟ ପାରଙ୍ଗମ ହୋଇଥିବ। ନେତାଜୀଙ୍କ ବନ୍ଧୁ ଡା. ମାଥୁର, ଦୁଇଜଣ ପ୍ରାର୍ଥୀଙ୍କୁ ଏହି କାମ ପାଇଁ ନେତାଜୀଙ୍କ ପାଖକୁ ଇଣ୍ଟରଭିୟୁ ପାଇଁ ପଠାଇଥିଲେ।
ଦୁଇ ଜଣଙ୍କ ସାକ୍ଷାତକାର ପରେ ନେତାଜୀ ଦ୍ୱିତୀୟ ପ୍ରାର୍ଥୀ, ୨୩ ବର୍ଷୀୟା ଅଷ୍ଟ୍ରିଅ ତରୁଣୀ ଏମିଲି ଶେଙ୍କଲଙ୍କୁ ନିଜ ସହଯୋଗୀ ହିସାବରେ ମନୋନୀତ କରିଥିଲେ। ୧୯୩୪ ମସିହା ଜୁନ୍ ମାସରୁ, ଏମିଲି ନେତାଜୀଙ୍କ ସହ କାମ କରିବା ଆରମ୍ଭ କଲେ। ସେତେବେଳେକୁ ନେତାଜୀଙ୍କୁ ୩୭ ବର୍ଷ ବୟସ ହୋଇଥାଏ। ୧୯୨୦ ମସିହାରେ, ୨୩ ବର୍ଷ ବୟସରେ ଭାରତ ଫେରିବା ପରଠୁ ୧୯୩୪ ମସିହା, ଏଇ ଭିତରେ ତାଙ୍କର ସମସ୍ତ ମନ, ଧ୍ୟାନ, ସମୟ କେବଳ ଭାରତର ସ୍ଵରାଜ ପାଇଁ ଚିନ୍ତା କରିବାରେ ହିଁ ନେତାଜୀ ଦେଇଥିଲେ। ଭାରତର ସ୍ଵାଧୀନତା କେବଳ ଏଇ ଗୋଟିଏ ଲକ୍ଷ୍ୟକୁ ନେଇ ବଞ୍ଚିଥିଲେ। କିନ୍ତୁ ୧୯୩୪ ମସିହାରେ "ଦ ଇଣ୍ଡିଆନ୍ ଷ୍ଟ୍ରଗଲ୍" ନାମକ ବହି ଉପରେ ଏମିଲିଙ୍କ ସହ କାମ ଆରମ୍ଭ କରିବା ପୂର୍ବରୁ ନେତାଜୀ ତାଙ୍କ ଜୀବନରେ ଆସିବାକୁ ଯାଉଥିବା ଗୋଟିଏ ଅଦ୍ଭୁତ ପରିବର୍ତ୍ତନ ଏବଂ ନୂଆ ଅଧ୍ୟାୟ ବିଷୟରେ କଳ୍ପନା ମଧ୍ୟ କରିନଥିଲେ।
ନେତାଜୀଙ୍କ ଅଲକ୍ଷ୍ୟରେ ହିଁ ଏମିଲିଙ୍କ ସହ କାମ କରିବା ଭିତରେ ସେମାନଙ୍କ ସମ୍ପର୍କ ବନ୍ଧୁତା ଏବଂ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଯାଇ ଥିଲା। ସୁଭାଷଚନ୍ଦ୍ର ବୋଷଙ୍କ ବଡ଼ଭାଇ ଶରତଚନ୍ଦ୍ର ବୋଷଙ୍କ ନାତୀ ସୁଗତ ବୋଷ, ନେତାଜୀଙ୍କ ଜୀବନ ଉପରେ ଆଧାରିତ ବହି "ହିଜ୍ ମାଜେଷ୍ଟୀ ଅପୋନେଣ୍ଟ୍- ସୁଭାଷ ଚନ୍ଦ୍ର ବୋଷ ଆଣ୍ଡ ଇଣ୍ଡିଆଜ୍ ଷ୍ଟ୍ରଗଲ୍ ଏଗେନଷ୍ଟ୍ ଏମ୍ପାୟାର" ବହି ଲେଖିଲା ବେଳେ ନେତାଜୀଙ୍କ ଜୀବନର ଏଇ ଅଧ୍ୟାୟଟିକୁ ବର୍ଣ୍ଣନା କରି ଲେଖିଛନ୍ତି, ତାଙ୍କ ଜୀବନରେ ଏମିଲିଙ୍କ ପ୍ରବେଶ ତାଙ୍କ ଜୀବନରେ ଗୋଟିଏ ନାଟକୀୟ ପରିବର୍ତ୍ତନ ଆଣିଥିଲା। ଯଦିଓ ଏମମିଲିଙ୍କ ପୂର୍ବରୁ ମଧ୍ୟ ନେତାଜୀଙ୍କ ପାଖରେ ଅନେକ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ, କିନ୍ତୁ ନେତାଜୀ କେବଳ ଏବଂ କେବଳ ଭାରତୀୟ ସ୍ୱରାଜ ଏବଂ ସ୍ଵାଧୀନତା ପାଇଁ ହିଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ୧୯୩୪ରୁ ୧୯୩୬ ମଧ୍ୟରେ ଅଷ୍ଟ୍ରିଆ ଏବଂ ଚେକୋସ୍ଲୋଭାକିଆରେ ରହି ଏମିଲିଙ୍କ ସହ କାମ କରିବା ଭିତରେ ହିଁ ନେତାଜୀ ନିଜ ଭିତରର ସୁଭାଷକୁ ପାଇଥିଲେ।
ଏମିଲିଙ୍କ ସୌନ୍ଦର୍ଯ୍ୟ ଏବଂ ବନ୍ଧୁତା ଆମ ସମସ୍ତଙ୍କ ଚିରପରିଚିତ ଧୈର୍ଯ୍ୟ ବୀର, ସୌର୍ଯ୍ୟ ବୀର, ସାହାସୀ, ସ°ଗ୍ରାମୀ ନେତାଜୀଙ୍କ ଭିତରେ ଥିବା ରୋମାଣ୍ଟିକ ସୁଭାଷଙ୍କ ସହ ଖୋଦ୍ ନିଜେ ନେତାଜୀଙ୍କର ବି ପରିଚୟ କରାଇ ଦେଇଥିଲା। ସୁଗୋତ ବୋଷଙ୍କ ଅନୁସାରେ, ସୁଭାଷ ନିଜେ ହଁୟ ପ୍ରଥମେ ପ୍ରେମ ନିବେଦନ କରିଥିଲେ ଏବଂ ଏକାଠି କାମ କରିବା ଭିତରେ ଦୁହିଁଙ୍କ ଭିତରେ ଖୁବ ମଧୁର ଏବଂ ପ୍ରଗାଢ଼ ପ୍ରେମ ଗଢି ଉଠିଥିଲା। ଅଷ୍ଟ୍ରିଆର ଗୋଟିଏ କ୍ୟାଥୋଲିକ୍ ପରିବାରରେ ଜନ୍ମିତ ଏମିଲିଙ୍କ ବାପା ଏହା ଆଦୌ ପସନ୍ଦ କରୁନଥିଲେ ଯେ, ତାଙ୍କ ଝିଅ କୌଣସି ଭାରତୀୟର ଆଷିଷ୍ଟାଣ୍ଟ ହିସାବରେ କାମ କରୁ। କିନ୍ତୁ ସୁଭାଷ ଚନ୍ଦ୍ର ବୋଷଙ୍କୁ ଭେଟିବା ପରେ, ତାଙ୍କ ବ୍ୟବହାର ଏବଂ ବ୍ୟକ୍ତିତ୍ୱରେ ଏମିଲିଙ୍କ ବାପା ମଧ୍ୟ ଖୁବ ପ୍ରଭାବିତ ଏବଂ ଖୁସି ହୋଇଥିଲେ।
ଜଣାଶୁଣା ଇତିହାସକାର ତଥା ବିଦ୍ଵାନ ରୁଦ୍ରା°ଶୁ ମୁଖାର୍ଜୀଙ୍କ ଦ୍ଵାରା ରଚିତ, ନେତାଜୀ ଏବଂ ନେହେରୁଙ୍କ ଜୀବନୀର ତୁଳନାତ୍ମକ ବ୍ୟାଖ୍ୟା ଉପରେ ଆଧାରିତ ବହି "ନେହେରୁ ଆଣ୍ଡ୍ ବୋଷ୍, ପାରାଲାଲ୍ ଲାଇଭ୍ସ" ରେ ଥିବା ଗୋଟିଏ ଅଧ୍ୟାୟ "ଟୁ ୱିମେନ୍ ଆଣ୍ଡ୍ ବୁକ୍ସ"ରେ ଉଭୟଙ୍କ ଜୀବନରେ ସେମାନଙ୍କ ସ୍ତ୍ରୀ ମାନଙ୍କର ଭୂମିକା ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଅଧ୍ୟାୟଟିକୁ ପଢିଲେ ଠିକ୍ ବୁଝିହୁଏ, ଅଗାଧ ଭଲପାଇବା ସତ୍ତ୍ୱେ ସୁଭାଷ ଏବଂ ଏମିଲି ମୂଳରୁ ହିଁ ସେମାନଙ୍କ ପ୍ରେମ ଯେ ପୃଥିବୀର ଅନ୍ୟ ସାମାନ୍ୟ ଓ ସାଧାରଣ ପ୍ରେମିକଙ୍କ କାହାଣୀ ପରି ନୁହେଁ, ଏ ବିଷୟରେ ସତର୍କ ଥିଲେ ଏବଂ ଏହି ପରିସ୍ଥିତିକୁ ସ୍ଵୀକାର ମଧ୍ୟ କରିନେଇ ଥିଲେ। ଦୁହେଁ ପ୍ରଥମରୁ ହିଁ ଜାଣିଥିଲେ ଯେ, ସେମାନଙ୍କ ପ୍ରେମ ଯେ କେବଳ ଅଲଗା ତା' ନୁହେଁ ବର° ତା'ର ରାସ୍ତା ଖୁବ କଠିନ ମଧ୍ୟ। ଏହାର ଉଦାହରଣ ସୁଭାଷ ଏବଂ ଏମିଲିଙ୍କ ମଧ୍ୟରେ ହୋଇଥିବା ପତ୍ର ବିନିମୟରୁ ଠିକ୍ ଜାଣିହୁଏ। ରୁଦ୍ରା°ଶୁ ମୁଖାର୍ଜୀଙ୍କ ବର୍ଣ୍ଣନା ଅନୁସାରେ ଏମିଲି ପତ୍ରରେ ସୁଭାଷଙ୍କୁ "ମାଷ୍ଟର" ସମ୍ବୋଧିତ କରୁଥିବା ସମୟରେ ସୁଭାଷ ମଧ୍ୟ ତାଙ୍କୁ "ମିସ୍ ସେଙ୍କଲ୍" କିମ୍ବା "ପର୍ଲ ସେଙ୍କଲ୍" ଲେଖୁଥିଲେ। ଅବଶ୍ୟ ସେତେବେଳେ ସ୍ଵାଧୀନତା ସ°ଗ୍ରାମ ଏବଂ ସୈନିକ ସ°ଘର୍ଷ ବର୍ଷ ଗୁଡିକରେ ନେତାଜୀଙ୍କୁ ବହୁ ୟୁରୋପୀୟ ଦେଶରୁ ସାହାଯ୍ୟ ଏବଂ ସହଯୋଗ ଯୋଗାଡ ପାଇଁ ଅନେକ ଧାଁ-ଦୌଡ କରିବାକୁ ପଡୁଥିଲା ଏବଂ ଇ°ରେଜ ସରକାରର ନଜରରୁ ନିଜର ଗତିବିଧିକୁ ଲୁଚେଇବା ପାଇଁ ଅନେକ ସତର୍କ ରହିବାକୁ ପଡୁଥିଲା। ସେହି କାରଣରୁ ଏମିଲିଙ୍କ ସହ ନିଜର ସମ୍ପର୍କକୁ ଗୋପନ ରଖିବା ମଧ୍ୟ ଏକ ସ୍ଵାଭାବିକ ବ୍ୟାପାର ଥିଲା।
ସୁଭାଷ ଚନ୍ଦ୍ର ବୋଷଙ୍କ ବଡଭାଇ ଶରତ ଚନ୍ଦ୍ର ବୋଷଙ୍କ ପୁତ୍ରବଧୂ କୃଷ୍ଣା ବୋଷଙ୍କ ଲିଖିତ "ଏ ଟ୍ରୁ ଲଭ ଷ୍ଟୋରୀ - ଏମିଲି ଏଣ୍ଡ୍ ସୁଭାଷ" ପୁସ୍ତକରେ ଏମିଲିଙ୍କୁ ସୁଭାଷଙ୍କ ଲିଖିତ ଚିଠି ବା ପ୍ରେମପତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ, ପଢିଲେ ଏମିଲିଙ୍କ ପ୍ରତି ସୁଭାଷଙ୍କ ଭଲପାଇବା ଏବଂ ସମର୍ପଣକୁ ଠିକ୍ ଅନୁଭବ କରିହୁଏ। ଏଥିରୁ ଗୋଟିଏ ପତ୍ର ଯାହା ୫ ମାର୍ଚ୍ଚ, ୧୯୩୬ରେ ଲେଖା ଯାଇଥିଲା ଏବଂ ଏମିଲି, କୃଷ୍ଣା ବୋଷଙ୍କୁ ଦେଇଥିଲେ, ସେଥିରେ ସୁଭାଷ ଲେଖିଥିଲେ: "ମାଇଁ ଡାର୍ଲି°; ସମୟ ଆସିଲେ ହିମାଳୟ ପର୍ବତ ବି ତରଳି ଯାଏ, ଏହା ମୁଁ ଏବେ ଖୁବ ଅନୁଭବ କରିପାରୁଛି। ମୁଁ ତୁମକୁ କେତେ ଭଲପାଏ, ଏହା ଆଜି ବୟାନ କରିବାରୁ ମୁଁ ନିଜକୁ ରୋକି ପାରୁନି। ମାଇଁ ଡାର୍ଲି°, ତୁମେ ମୋ’ ହୃଦୟର ରାଣୀ। ହେଲେ କ'ଣ ତୁମେ ବି ମୋତେ ସେତିକି ଭଲ ପାଅ?" ଏହି ଚିଠିରେ ସୁଭାଷ ଆହୁରି ମଧ୍ୟ ଲେଖିଛନ୍ତି: "ମୁଁ ଜାଣିନି ଆସନ୍ତା କାଲି ମୋ ପାଇଁ କ'ଣ ପରିଣାମ ଆଣିବ! ହୁଏତ ମୋତେ ଆଜୀବନ କାରାବାସ ଭୋଗିବାକୁ ପଡିପାରେ, ମୋତେ ଗୁଳି ମାରି ଦିଆଯାଇପାରେ କିମ୍ବା ଫାଶୀଖୁଣ୍ଟରେ ଝୁଲେଇ ଦିଆଯାଇପାରେ। ହୁଏତ ଆମର କେବେ ଭେଟ ନ ହୋଇପାରେ! ହୁଏତ ତୁମକୁ ମୋର ଏହା ଶେଷ ଚିଠି ହୋଇପାରେ! ହେଲେ ବିଶ୍ୱାସ ରଖ, ତୁମେ ମୋ ହୃଦୟରେ, ମୋ ଚେତନାରେ, ମୋ ସ୍ୱପ୍ନରେ ସଦାସର୍ବଦା ରହିବ। ଯଦି ଆମେ ଏ ଜନ୍ମରେ ଏକାଠି ନ ହୋଇପାରିଲେ, ତା' ହେଲେ ଆରଜନ୍ମରେ ଆମେ ନିଶ୍ଚୟ ଏକାଠି ହେବା। ମୁଁ ତୁମ ଭିତରେ ଥିବା ନାରୀକୁ ଭଲପାଏ, ତୁମ ଆତ୍ମାକୁ ଭଲପାଏ। ତୁମେ ମୋ’ ଜୀବନର ପ୍ରଥମ ନାରୀ ଯାହାକୁ ମୁଁ ଭଲପାଇଛି।" ଚିଠିର ଶେଷରେ ସୁଭାଷ, ଏମିଲିଙ୍କୁ ପଢିସାରି ଚିଠିଟି ନଷ୍ଟ କରିଦେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଏମିଲି ଶେଷଯାଏଁ ଚିଠିଟିକୁ ସାଇତି ରଖିଥିଲେ।
୧୯୩୭ ମସିହା, ଏପ୍ରିଲ କିମ୍ବା ମେ ମାସରେ ସୁଭାଷଙ୍କ ଦ୍ଵାରା ଲିଖିତ ଆଉ ଗୋଟିଏ ଚିଠି ପଢିଲେ ମଧ୍ୟ ଏମିଲିଙ୍କ ପ୍ରତି ତାଙ୍କ ଭଲପାଇବା ଏବଂ ତାଙ୍କ ଠାରୁ ଦୂରେରେ ରହିବାର ବ୍ୟଥାଟା ଠିକ୍ ଅନୁମାନ କରିହୁଏ। ସେହି ପତ୍ରରେ ସୁଭାଷ ଲେଖିଛନ୍ତି: କିଛିଦିନ ହେଲା ତୁମକୁ ଚିଠି ଲେଖିବାକୁ ଭାବୁଛି, ହେଲେ ତୁମେ ବି ବେଶ୍ ଭଲରେ ଜାଣ, ତୁମ ପାଇଁ ମୋ ମନରେ ଥିବା ଭାବନାକୁ ଚିଠିରେ ଉତ୍ତାରିବା କେତେ କଷ୍ଟ! ମୁଁ ତୁମକୁ କେବଳ ଏତିକି କହିବାକୁ ଚାହେଁ ଯେ, ମୁଁ ଆଗରୁ ଯେମିତି ଥିଲି, ଏବେବି ଠିକ୍ ସେମିତି ହିଁ ଅଛି। ଏମିତି ଗୋଟିଏ ବି ଦିନ ମୋ ଜୀବନରେ ବିତିନି ଯେଉଁଦିନ ମୁଁ ତୁମକୁ ଝୁରିନି। ତୁମେ ସବୁବେଳେ ମୋ’ ସାଙ୍ଗରେ, ମୋ ମନରେ ରହିଛ। ମୁଁ ଆଉ କାହା ବିଷୟରେ କଦାପି ଭାବିପାରିବି ନାହିଁ। ଏଇ ଗତ କିଛି ମାସ ଭିତରେ ମୁଁ ନିଜକୁ କେତେ ନିଃସଙ୍ଗ ଓ ଦୁଃଖୀ ଅନୁଭବ କରିଛି, ବୟାନ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। କେବଳ ଗୋଟିଏ ଜିନିଷ ହିଁ ମୋତେ ସୁଖ ଦେଇ ପାରିବ, ହେଲେ ତାହା ସମ୍ଭବ କି ନା, ତାହା ବି ମୁଁ ଜାଣେନା। ତେବେ ସବୁଦିନେ, ସବୁ ସମୟରେ ମୁଁ ତା ପାଇଁ ଚେଷ୍ଟା କରୁଛି ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ମୋର ସଠିକ୍ ମାଗଦର୍ଶନ କରନ୍ତୁ।" ଏହି ପତ୍ର ଲେଖା ହେବାର କିଛି ମାସ ପରେ ଯେତେବେଳେ ସୁଭାଷ ଏବଂ ଏମିଲିଙ୍କର ଭେଟ ହୋଇଥିଲା ଦୁହେଁ ଗୋପନରେ ବିବାହ କରିଥିଲେ।
୨୬ ଡିସେମ୍ବର, ୧୯୩୭ ମସିହା; ଏମିଲିଙ୍କ ୨୭ତମ ଜନ୍ମ ବାର୍ଷିକୀରେ ଅଷ୍ଟ୍ରିଆର ବାଦଗାସ୍ତିନ୍ ରେ ମହଜୁଦ ଦୁଇଜଣଙ୍କ ମନପସନ୍ଦ ରିସୋର୍ଟରେ ସେମାନଙ୍କ ବିବାହ ହୋଇଥିଲା। ଏତିକି ଛଡା ଏମିଲି, କୃଷ୍ଣା ବୋଷଙ୍କୁ ଆଉ କୌଣସି ବିବରଣୀ ଦେଇ ନଥିଲେ। ପରେ ତାଙ୍କ ଝିଅ ଅନୀତା ବୋଷ ହିଁ କହିଥିଲେ ଯେ, ତାଙ୍କ ମା' କୁହନ୍ତି ବିବାହ ଦିନ ସେ ପାରମ୍ପରିକ ଭାରତୀୟ ବୋହୂ ପରି ମଥାରେ ସିନ୍ଦୂର ପିନ୍ଧିଥିଲେ। ଏ ବିବାହ ଏତେ ଗୋପନୀୟ ଥିଲା ଯେ ବାଦଗାସ୍ତିନ୍ ରେ ମହଜୁଦ ସୁଭାଷଙ୍କ ପୁତୁରା ଅମୀୟ ବୋଷ ଶେଷ ପର୍ଯ୍ୟନ୍ତ ଏମିଲିଙ୍କୁ ତାଙ୍କ ଦାଦାଙ୍କର କେବଳ ଜଣେ ସହଯୋଗୀ ହିଁ ଭାବିଥିଲେ। ଇତିହାସକାର ରୁଦ୍ରାଶୁ° ମୂଖାର୍ଜୀଙ୍କ ଅନୁସାରେ ହୁଏତ ତାଙ୍କ ପ୍ରେମ ଏବଂ ବିବାହର ତାଙ୍କ ରାଜନୈତିକ କ୍ୟାରିଅର ଉପରେ କୌଣସି ପ୍ରଭାବ ନପକାଉ ଏୟା ମନରେ ରଖି ମଧ୍ୟ ନେତାଜୀ ଏସବୁକୁ ଗୋପନ ରଖିଥାଇ ପାରନ୍ତି। ୧୯୩୮ ମସିହାରେ ଭାରତୀୟ ଜାତୀୟ କ°ଗ୍ରେସର ଅଧ୍ୟକ୍ଷ ବଛା ଯାଇଥିବା ନେତାଜୀ, ସ୍ଵାଧୀନତା ସ°ଗ୍ରାମ ସମୟରେ ଜଣେ ବିଦେଶୀନିଙ୍କୁ ବିବାହ କରିବା ଯେ ସେତେବେଳେ ଦେଶ ଗ୍ରହଣ କରି ପାରିବ ଏହା ହୁଏତ ଏହା ତାଙ୍କୁ ଅସମ୍ଭବ ହିଁ ଲାଗିଥିବ। ଏହି ଘଟଣା ଦ୍ଵାରା ତାଙ୍କର ଛବି ଖରାପ ହେବାର ଆଶଙ୍କା ମଧ୍ୟ ଖୁବ ଥିଲା। ହୁଏତ ଏହି କାରଣ ପାଇଁ ନେତାଜୀ ଶେଷ ଯାଏଁ ନିଜ ପ୍ରେମକୁ ଗୋପନ ରଖିଥିଲେ।
କୃଷ୍ଣା ବୋଷଙ୍କ ବହି ପଢି ଅନୁଧ୍ୟାନ କଲେ ହିଁ ବୁଝିହୁଏ ଯେ ସ୍ଵାଧୀନତା ସ°ଗ୍ରାମ, ରାଜନୈତିକ ଗହଳଚହଳ ଏବଂ ଜୀବନର ଯାବତୀୟ ବ୍ୟସ୍ତତା ତଥା ଯୁଦ୍ଧ ସତ୍ତ୍ୱେ ସୁଭାଷ, ଏମିଲିଙ୍କୁ କେତେ ପ୍ରଗାଢ଼ ପ୍ରେମ କରୁଥିଲେ। ସୁଭାଷ, ଏମିଲିଙ୍କୁ ସ୍ନେହରେ "ବାଘୁଣୀ" ମଧ୍ୟ ସମ୍ବୋଧିତ କରୁଥିଲେ। ତାଙ୍କ ବହିର ବର୍ଣ୍ଣନାରୁ ଏହା ମଧ୍ୟ ସ୍ପଷ୍ଟ ହୁଏ ଯେ ବୌଦ୍ଧିକ ବା ଇଣ୍ଟେଲେକ୍ଟ ଦୃଷ୍ଟିରୁ ଏମିଲି, ସୁଭାଷଙ୍କର ବିଲକୁଲ୍ ବି ସମାସ୍କନ୍ଧ ନଥିଲେ। ଏଥିପାଇଁ ସୁଭାଷ ତାଙ୍କୁ ଅନେକ ଥର ତାଗିଦ ମଧ୍ୟ କରୁଥିଲେ। ସୁଭାଷ ଚାହୁଁଥିଲେ ଯେ ଏମିଲି, ଭିଏନାରେ ରହି ଭାରତ ପାଇଁ ପତ୍ରକାରିତା/ ସାମ୍ବାଦିକତା କରନ୍ତୁ। ଏମିଲି ମଧ୍ୟ "ଦ ହିନ୍ଦୁ" ଏବଂ "ମଡର୍ନ ରିଭ୍ୟୁ" ପାଇଁ ଅନେକ ଥର ଲେଖା ପଠାଇଥିଲେ। କିନ୍ତୁ ଏମିଲି ସମ୍ବାଦ ବିଶ୍ଳେଷଣରେ ସହଜ ନଥିବାରୁ ସୁଭାଷ ତାଙ୍କୁ ଅନେକ ଥର କହୁଥିଲେ "ତୁମ ଲେଖା ଉତ୍ତମ ନହୋଇଥିବାରୁ ତାକୁ ଛପା ଗଲା ନାହିଁ"।
୧୨ ଅଗଷ୍ଟ, ୧୯୩୭ରେ ଏମିଲିଙ୍କୁ ଲେଖିଥିବା ଗୋଟିଏ ଚିଠିରେ ନେତାଜୀ ଉଲ୍ଲେଖ କରିଥିଲେ ଯେ, "ଯଦିଓ ତୁମେ ଭାରତ ବିଷୟରେ କିଛି ବହି ମଗେଇଛ, କିନ୍ତୁ ମୋର କାହିଁ ମନେ ହେଉନି ଯେ ଏଗୁଡ଼ିକୁ ତୁମକୁ ପଠାଇ କୌଣସି ଫାଇଦା ହେବ। ତୁମ ପାଖରେ ପୂର୍ବରୁ ମହଜୁଦ ଥିବା ବହି ଗୁଡିକୁ ମଧ୍ୟ ତୁମେ ପଢି ଶେଷ କରିନାହଁ। ପଢାପଢି ପ୍ରତି ଗମ୍ଭୀର ନହେଲେ ତୁମ ମନରେ କେବେବି ଆଗ୍ରହ ଆସିବ ନାହିଁ। ଭିଏନାରେ ତୁମ ପାଖରେ କେତେ ଯେ ବିଷୟବସ୍ତୁକୁ ନେଇ ବହିମାନ ଗଦା ହୋଇ ଗଲାଣି, କିନ୍ତୁ ମୋର କାହିଁ ମନେ ହେଉନି ଯେ ତୁମେ ସେମାନଙ୍କୁ ପଲଟାଇ ମଧ୍ୟ ଦେଖୁଛ ବୋଲି।"
ଏମିଲିଙ୍କ ଏମିତି ଅନେକ ଛୋଟ ମୋଟ ଅସଜଡାପଣ ଏବଂ ବହିପଢା ପାଇଁ ଉଦାସୀନତା ସତ୍ଵେ ସୁଭାଷ ତାଙ୍କୁ ଖୁବ ପ୍ରେମ କରୁଥିଲେ। ୧୯୩୪ରୁ ୧୯୪୫ ମସିହା, ଦୀର୍ଘ ୧୨ବର୍ଷର ସମ୍ପର୍କ ଭିତରେ ଯଦିଓ ଦୁହେଁ କେବଳ ୩ ବର୍ଷ ପାଇଁ ଏକାଠି ରହିପାରି ଥିଲେ, କିନ୍ତୁ ତାଙ୍କ ପ୍ରେମ ଜୀବନର ଶେଷ ନିଶ୍ୱାସ ଯାଏଁ ସେମିତି ପ୍ରଗାଢ଼ ଥିଲା। ଏହି ତିନି ବର୍ଷର ସମ୍ପର୍କ ଭିତରେ ୨୯ ନଭେମ୍ବର, ୧୯୪୨ ମସିହାରେ ଏମିଲି କନ୍ୟା ସନ୍ତାନଟିଏ ପ୍ରସବ କରିଥିଲେ। ଇଟାଲୀର କ୍ରାନ୍ତିକାରୀ ନେତା ଗୈରିବାଲ୍ଡିଙ୍କ ବୀର, ସାହସୀ, ସ°ଗ୍ରାମୀ ବ୍ରାଜିଲିଆନ୍ ପତ୍ନୀ ଅନୀତା ଗୈରିବାଲ୍ଡିଙ୍କ ନାମ ଅନୁସାରେ ସେହି କନ୍ୟାର ନାମ ଅନୀତା ବୋଷ ରଖାଯାଇ ଥିଲା। ଡିସେମ୍ବର ୧୯୪୨ରେ ଏମିଲି ଏବଂ ନିଜ ଝିଅକୁ ଦେଖା କରିବା ପାଇଁ ସୁଭାଷ ଭିଏନା ଯାଇଥିଲେ। ସେଇଠି ଥିବା ସମୟରେ ସେ ନିଜ ଭାଇ ଶରତ ଚନ୍ଦ୍ର ବୋଷଙ୍କୁ ଚିଠି ଲେଖି ଏମିଲି ଏବଂ ନିଜ ଝିଅ ବିଷୟରେ ଜଣାଇଥିଲେ। ଏହା ପରେ ସୁଭାଷ ନିଜ ଜୀବନର ଏମିତି ଗୋଟିଏ ମିଶନ୍ ପୂରା କରିବା ପାଇଁ ବାହାରି ଗଲେ ଯେ ସେଥିରୁ କେବେ ବି ଏମିଲି ଏବଂ ଅନିତାଙ୍କ ପାଖକୁ ଫେରି ନଥିଲେ। କିନ୍ତୁ ୧୯୯୬ରେ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏଁ ଏମିଲି, ସୁଭାଷଙ୍କ ସହ ବିତାଇଥିବା ସେଇ ୧୨ବର୍ଷର ପ୍ରେମକୁ ସମ୍ବଳକରି ବଞ୍ଚିଥିଲେ।
ଏମିଲି ନିଜ ପାଇଁ କିମ୍ବା ଝିଅ ଅନୀତାଙ୍କ ଭରଣପୋଷଣ ପାଇଁ କେବେ ମଧ୍ୟ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ଠାରୁ କୌଣସି ଆର୍ଥିକ ସହାୟତା ନେଇ ନଥିଲେ। ଗୋଟିଏ ଛୋଟିଆ ଡାକଘରେ ଚାକିରୀ କରି ସେ ଅନୀତାଙ୍କୁ ପାଠ ପଢାଇ ଜର୍ମାନୀର ଜଣେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ କରିପାରି ଥିଲେ। ଜୀବନର ସବୁ ସ°ଘର୍ଷ ସତ୍ତ୍ୱେ ଶେଷ ନିଶ୍ୱାସ ଯାଏଁ ସୁଭାଷ ଓ ନିଜ ପ୍ରେମର ଗୋପନୀୟତାର ମର୍ଯ୍ୟାଦାକୁ ଏମିଲି ଗୋଟିଏ ତପସ୍ୟା ପରି ନିଭେଇ ଚାଲିଥଲେ। ପ୍ରାପ୍ତିରେ ନୁହେଁ ପ୍ରେମରେ ହିଁ ପ୍ରେମର ସାର୍ଥକତା ଥାଏ ବୋଲି ସାହସୀ ନେତାଜୀଙ୍କ ବାଘୁଣୀ ଏମିଲି ନିଜ ସାହସ ସହ ସାବ୍ୟସ୍ତ କରିଥିଲେ। ସତରେ ଏମିଲି ଆଉ ସୁଭାଷଙ୍କ ପ୍ରେମ କୌଣସି ସାଧାରଣ ନୁହେଁ ବର° ଗୋଟିଏ ସାହସିକ ପ୍ରେମ କାହାଣୀ!
What's Your Reaction?