ଓଡ଼ିଶା : ମେଣ୍ଟ ହେଲେ ଡୁବିଯିବ ଭାଜପା, ଉଠିବ କଂଗ୍ରେସ

ଭାଜପା ଯଦି ମେଣ୍ଟ ପାଇଁ ରାଜି ହୁଏ ତେବେ କିପରି ହେବ ଆସନ ବୁଝାମଣା? ଏହି ଲକ୍ଷରେ ଆସନ ବୁଝାମଣାର ଗୋଟି ଚାଳକ ତଥା ଦଳଦ୍ରୋହୀ ଆକ୍ଷା ଦେଇ ବିଜେଡ଼ି ଟିକେଟରୁ ବଞ୍ଚିତ ହୋଇ ତଡା ଖାଇଥିବା ବିଜୟ ମହାପାତ୍ରଙ୍କ ଶରଣ ନେଇଛନ୍ତି ନବୀନ ପଟ୍ଟନାୟକ। ବିଜୟଙ୍କୁ ମନେଇବା ପାଇଁ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳରେ ସାମିଲ କରାଯାଇଛି।

Mar 10, 2024 - 12:15
ଓଡ଼ିଶା : ମେଣ୍ଟ ହେଲେ ଡୁବିଯିବ ଭାଜପା, ଉଠିବ କଂଗ୍ରେସ
Remix - Suv Bharat Times

ସାମ୍ପ୍ରତିକ ରାଜନୀତିକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଭବ କରୁଛନ୍ତି, ଏକାକୀ ନିର୍ବାଚନ ଲଢି ମ୍ୟାଜିକ୍ ନମ୍ବର ଛୁଇଁବା ଅସମ୍ଭବ। ଦଳ ଏଭଳି ସ୍ଥିତିରେ ପହଞ୍ଚିଛି, ବିଜେଡ଼ି ସର୍ବମୁଖ୍ୟ ଭି. କାର୍ଥୀକେୟନ ପାଣ୍ଡିଆନ ନିଜେ ନିର୍ବାଚନ ଲଢିବେନି ବୋଲି ଆଗୁଆ ଘୋଷଣା କରିଛନ୍ତି। ଆଗକୁ କେବଳ ମେଣ୍ଟ ଉପରେ ଭରଷା। ଏଥିପାଇଁ ବବି ଦାସଙ୍କୁ ନେଇ ଭି.କେ ପାଣ୍ଡିଆନ ନୂଆଦିଲ୍ଲୀ ଗସ୍ତ କରିଥିଲେ ଏବଂ ମେଣ୍ଟ ପାଇଁ ଭାଜପା ନେତାଙ୍କ ଅନୁକମ୍ପା ଭିକ୍ଷା କରିଥିଲେ। କିନ୍ତୁ, ମେଣ୍ଟ ସମ୍ଭାବନା ଅସ୍ପଷ୍ଟ।

କେନ୍ଦ୍ର ନେତୃତ୍ଵ ସହ ମେଣ୍ଟ ବିଷୟରେ କୌଣସି ଆଲୋଚନା ହୋଇନି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଓଡ଼ିଶା ପ୍ରଭାରୀ ଭିଜୟ ପାଲ୍ ସିଂ ତୋମାର ଏବଂ ଲତା ଉସେଣ୍ଡି ବୟାନ ଦେଇଛନ୍ତି। କିନ୍ତୁ, ସମାଲୋଚନାକୁ ଟାଳିବା ପାଇଁ ବିଜେଡ଼ି ମଡିଆ ସେଲ୍ ମୁଖ୍ୟ ଦ୍ୱାରା ପରିଚାଳିତ ଶତାଧିକ ଫେକ୍ ନିୟୁଜ ଚାନାଲ ଓ ଡିଜିଟାଲ ୱିଙ୍ଗ ମାଧ୍ୟମରେ ମେଣ୍ଟ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି।

ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବାକୁ ୧୦ ହଜାର ଆଶାୟୀ ବୋଲି ସଂଗଠନ ସମ୍ପାଦକ ବବି ଦାସଙ୍କ ବୟାନ ଦଳର ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି। ଭାଜପା ଯଦି ମେଣ୍ଟ ପାଇଁ ରାଜି ହୁଏ ତେବେ କିପରି ହେବ ଆସନ ବୁଝାମଣା? ଏହି ଲକ୍ଷରେ ଆସନ ବୁଝାମଣାର ଗୋଟି ଚାଳକ ତଥା ଦଳଦ୍ରୋହୀ ଆକ୍ଷା ଦେଇ ବିଜେଡ଼ି ଟିକେଟରୁ ବଞ୍ଚିତ ହୋଇ ତଡା ଖାଇଥିବା ବିଜୟ ମହାପାତ୍ରଙ୍କ ଶରଣ ନେଇଛନ୍ତି ନବୀନ ପଟ୍ଟନାୟକ। ବିଜୟଙ୍କୁ ମନେଇବା ପାଇଁ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଦଳରେ ସାମିଲ କରାଯାଇଛି।

୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସହ ମେଣ୍ଟ ପାଇଁ ଆଗ୍ରହୀ ଥିଲା ଭାଜପା। ଏଥିପାଇଁ ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ର ନବୀନ ନିବାସ ପହଞ୍ଚି ଥିଲେ। ମାତ୍ର କ୍ଷମତା ଲିପ୍ସୁ ନବୀନ ପଟ୍ଟନାୟକ ହାତରେ ଈଶାରା ଦେଇ ଚନ୍ଦନ ମିତ୍ରଙ୍କୁ ବାରଣ୍ଡାରୁ ଘଉଡ଼ାଇ ଥିଲେ। ଦଳୀୟ ସକ୍ରିୟ ରାଜନୀତି ସହ ଜଡ଼ିତ ସଂଗଠନ ସମ୍ପାଦକ ବବି ଦାସ ଏକଥା ଭୁଲି ନଥିବେ। ହେଲେ ଆଭ୍ୟନ୍ତରୀଣ କନ୍ଦଳ ଦଳକୁ ଏଭଳି ସ୍ଥିତିରେ ପହଞ୍ଚାଇଛି, ଯେଉଁଥିପାଇଁ ବିଜେଡ଼ିକୁ ଏନଡ଼ିଏ ସହ ସାମିଲ କାରିବା ପାଇଁ ବବି ଓ ପଣ୍ଡିଆନ ନୂଆଦିଲ୍ଲୀ ଦୌଡୁଛନ୍ତି।

ଭାଜପା କେନ୍ଦ୍ର ନେତୃମଣ୍ଡଳୀ ଓ ରାଜ୍ୟ ନେତୃତ୍ଵ ହୃଦୟଙ୍ଗମ କରୁଛନ୍ତି ଧୋକାବାଜ ବିଜେଡ଼ି ଭୋକ ବିକଳରେ ତାଟିଆ କାମୁଡୁଛି। ତା’ସହ ଓଡ଼ିଶା କଂଗ୍ରେସ ପୂର୍ବାପେକ୍ଷା ସବଳ ଏବଂ ବିଜେଡ଼ି ସରକାରର ଦୁର୍ନୀତି ବିରୋଧରେ ନାରା ଦେଇ କଂଗ୍ରେସ ଓଡ଼ିଶାବାସୀଙ୍କୁ ଆକୃଷ୍ଟ କରୁଛି। ମେଣ୍ଟ ଫଳାଫଳ ବିଜେଡ଼ିକୁ ସଫଳତା ଦେଇପାରେ, ମାତ୍ର ମୋଦୀଙ୍କ ବିକଶିତ ଭାରତ ନକ୍ସାରୁ ଗାଏବ ହୋଇଯିବ ଓଡ଼ିଶା। ଭାଜପା ରାଜ୍ୟ ସଙ୍ଗଠନ ଦୁର୍ବଳ ହେବ, ଜନମାନସରେ ନିନ୍ଦିତ ହେବ ଦଳ, ଯାହାର ଫାଇଦା ପାଇଁ ଚାହିଁ ବସିଛି କଂଗ୍ରେସ।

Manoranjan Pattanaik Publisher & Editor, Suv Bharat Times