ଆତ୍ମହତ୍ୟାରେ ରେକର୍ଡ଼
ପୁରୁଷଙ୍କ ଆତ୍ମହତ୍ୟା ହାର ଉଚ୍ଚ ଥିବାବେଳେ ତାହାଠାରୁ ଅଧିକ ହେଲା ମହିଳା ଆତ୍ମହତ୍ୟା ହାର। ଆତ୍ମହତ୍ୟା ଏକ ମନସ୍ତାତ୍ତ୍ୱିକ ତଥା ସମାଜ ବିଜ୍ଞାନ ସମ୍ପର୍କିତ ପ୍ରସଙ୍ଗ। ଏହା ଏକ ସ୍ୱାସ୍ଥ୍ୟଗତ ଚ୍ୟାଲେଞ୍ଜ। ଏହି ସମସ୍ୟାରେ ଲିଙ୍ଗଗତ ତାରତମ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତୀୟ ମହିଳାଙ୍କ ମଧ୍ୟରେ ନିଜ ଜୀବନ ନେବାର ବିପଜ୍ଜନକ ଆକର୍ଷଣ ଅଧିକ।
ଚଳିତ ସପ୍ତାହର ଏକ ଅଭାବନୀୟ ବଡ଼ ଖବର ହେଉଛି ଭୁବନେଶ୍ୱର ବାଣିବହାର ପରିସରସ୍ଥିତ ସୁଉଚ୍ଚ ପାଣି ଟାଙ୍କି ଉପରେ ଜଣେ ଉଦ୍ଭ୍ରାନ୍ତ ଓ ମାନସିକ ଭାବେ ରୁଗ୍ଣ ଯୁବକର ଆତ୍ମହତ୍ୟା ଉଦ୍ୟମ। ଏହି ଉଦ୍ଭ୍ରାନ୍ତ ଯୁବକର କାରନାମା ପଛର କାହାଣୀ ହୁଏତ ଆଉ କିଛି ହୋଇପାରେ କିନ୍ତୁ ଏହା ନିଃସନ୍ଦେହ ବର୍ତ୍ତମାନର ସମାଜରେ ଏପରି ଅନେକ ମାନସିକ ବିକୃତ ଯୁବକ/ଯୁବତୀ ରହିଛନ୍ତି। ପୃଥିବୀର ଯେକୌଣସି ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ଆତ୍ମହତ୍ୟା ହେଉଛି।
ଉଦବେଗର ବିଷୟ ଯେ ଗତ କିଛିବର୍ଷ ଭିତରେ ଏହାର ହାର ବଢ଼ି ଚାଲିଛି। ଏହାର ସଂଖ୍ୟା ଉଭୟ ପୂର୍ଣ୍ଣ ତଥା ଆପେକ୍ଷିକ ଦୃଷ୍ଟିକୋଣରୁ ଅଧିକ। ଲାନସେଟିଂ ପତ୍ରିକାରେ ପ୍ରକାଶିତ ଏକ ଅନୁଧ୍ୟାନ ଅନୁସାରେ ଭାରତରେ ବିଶ୍ୱ ଜନସଂଖ୍ୟାର ୧୮ ପ୍ରତିଶତ ଲୋକ ରହୁଥିବା ବେଳେ ପୃଥବୀରେ ମହିଳା ଆତ୍ମହତ୍ୟାର ୩୭ ପ୍ରତିଶତ ଓ ପୁରୁଷମାନଙ୍କ ମଧ୍ୟରେ ହେଉଥିବା ଆତ୍ମହତ୍ୟାର ୨୪ ପ୍ରତିଶତ ଆମ ଦେଶରେ ଘଟୁଛି। ଅର୍ଥାତ୍ ପୃଥିବୀରେ ଆତ୍ମହତ୍ୟା କରୁଥିବା ପ୍ରତି ୩ଜଣ ମହିଳାଙ୍କ ମଧ୍ୟରୁ ଜଣେ ଓ ପ୍ରତି ୪ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ହେଲେ ଭାରତୀୟ। ଏହି ଅନୁଧ୍ୟାନରେ ଭାରତ ସରକାର ଓ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ତଥା ଚିକିତ୍ସା ଅନୁଷ୍ଠାନଗୁଡ଼ିକ ସାମିଲ ଥିଲେ।
ପ୍ରକାଶିତ ତଥ୍ୟକୁ ଅସ୍ୱୀକାର କରାଯାଇପାରିବନାହିଁ। ଫଳାଫଳରୁ ଦେଖାଯାଉଛି ଯେ ପୁରୁଷଙ୍କ ଆତ୍ମହତ୍ୟା ହାର ଉଚ୍ଚ ଥିବାବେଳେ ତାହାଠାରୁ ଅଧିକ ହେଲା ମହିଳା ଆତ୍ମହତ୍ୟା ହାର। ଆତ୍ମହତ୍ୟା ଏକ ମନସ୍ତାତ୍ତ୍ୱିକ ତଥା ସମାଜ ବିଜ୍ଞାନ ସମ୍ପର୍କିତ ପ୍ରସଙ୍ଗ। ଏହା ଏକ ସ୍ୱାସ୍ଥ୍ୟଗତ ଚ୍ୟାଲେଞ୍ଜ। ଏହି ସମସ୍ୟାରେ ଲିଙ୍ଗଗତ ତାରତମ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ ଭାରତୀୟ ମହିଳାଙ୍କ ମଧ୍ୟରେ ନିଜ ଜୀବନ ନେବାର ବିପଜ୍ଜନକ ଆକର୍ଷଣ ଅଧିକ। ଏହା ହୁଏତ ଲିଙ୍ଗଗତ ନ୍ୟୁନ ସ୍ଥିତି ଓ ମହିଳା ବିରୋଧୀ ପାତରଅନ୍ତର ସମସ୍ୟା ଯୋଗୁଁ ଉପୁଜୁଥାଇପାରେ।
ବିକୃତିଯୁକ୍ତ ନିର୍ଯାତନା, ଘରୋଇ ହିଂସା, ଅର୍ଥନୈତିକ ସୁଯୋଗ ଓ ସ୍ୱାଧୀନତାର ଅଭାବ, ଚିକିତ୍ସା ସୁବିଧା ନମିଳିବା ବିଶେଷ ଭାବରେ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚିକିତ୍ସା ଓ ପରାମର୍ଶର ଅଭାବ ଆଦି କାରଣ ମହିଳାଙ୍କ ପାଇଁ ଜୀବନକୁ ଅଧିକ ଦୁର୍ବିସହ କରୁଥାଇପାରେ। ଏପରିକି ମହିଳାଙ୍କର ଶିକ୍ଷା ଓ ଅର୍ଥନୈତିକ ସ୍ୱାଧୀନତାରେ ପ୍ରଗତି ସତ୍ୱେ ସାମାଜିକ ଓ ପାରିବାରିକ ପକ୍ଷପାତିତା ତଥା ଅତ୍ୟାଚାର ଅବ୍ୟାହତ ରହୁଛି। ଏଣୁ ମହିଳାଙ୍କ ପାଇଁ ସବୁଶ୍ରେଣୀରେ ଜୀବନର ସ୍ଥିତି ଅସମାନ। ବିବାହିତା ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଶୀ। କାରଣ ସେମାନେ ବୈବାହିକ ଜୀବନରେ ବେଶୀ ଅଶାନ୍ତି ଭୋଗୁଛନ୍ତି। ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଲାଗି ବେଶୀ ପାରିବାରିକ ସମସ୍ୟା ରହୁଛି।
ଦେଶରେ ୧୫ରୁ ୩୯ ବର୍ଷର ମହିଳାଙ୍କ ମଧ୍ୟରେ ଆତ୍ମହତ୍ୟା ଅଧିକ ସାଧାରଣ। ଅନ୍ୟ ବୟସ ଶ୍ରେଣୀ ଅପେକ୍ଷା ବିବାହିତ ଯୁବତୀଙ୍କ ମଧ୍ୟରେ ଆତ୍ମହତ୍ୟା ହାର ଅଧିକ। ବିଶ୍ୱରେ ୧୯୯୦ ଦଶକରେ ଯେତିକି ଆତ୍ମହତ୍ୟା ହେଉଥିଲା ସେଥିରେ ମହିଳାଙ୍କ ଅଂଶ ୨୫.୩ ପ୍ରତିଶତ ଥିଲା। ୨୦୧୬ରେ ତାହା ୩୬.୬ ପ୍ରତିଶତକୁ ବୃଦ୍ଧି ପାଇଛି। ତା’ର ଅର୍ଥ ସମଗ୍ର ପୃଥିବୀରେ ମହିଳା ଆତ୍ମହତ୍ୟା ବଢ଼ୁଛି। ଏହାର ଅନ୍ୟ ଏକ ଅର୍ଥ ଦେଖିବାକୁ ଗଲେ ଏହି ସମୟ ଭିତରେ ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହୋଇଥିବା ସତ୍ୱେ ମହିଳାଙ୍କ ଦୁଃଖ ଓ ମୃତ୍ୟୁ ମଧ୍ୟ ବେଶୀ ହୋଇଛି। କୁହାଯାଇପାରେ ଯେ ଆର୍ଥିକ ପ୍ରଗତି ଯୋଗୁଁ ମହିଳାଙ୍କ ଉପରେ ଚାପ ବଢ଼ିଛି। ଏହି ସମୟ ଭିତରେ ପୁରୁଷ ପ୍ରଧାନ ଦୃଷ୍ଟିଭଙ୍ଗୀ କଠୋର ହେବା ସାଙ୍ଗକୁ ମହିଳାଙ୍କ ପ୍ରତି ନିର୍ଯାତନା ଅଧିକ ହୋଇଛି କି?
୨୦୧୭ରେ ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି ଯେ ଭାରତରେ କର୍ମଜୀବୀ ଶ୍ରେଣୀରେ ମହିଳାଙ୍କ ସମ୍ପୃକ୍ତି ଗତ କିଛି ବର୍ଷ ଭିତରେ କମି ଆସିଛି। ବିଶ୍ୱସ୍ତରରେ ଏ କ୍ଷେତ୍ରରେ ଯେଉଁ ୧୩୧ଟି ଦେଶକୁ ନେଇ ସୂଚୀ ପ୍ରସ୍ତୁତ କରାଯାଇଛି ସେଥିରେ ଭାରତର ସ୍ଥାନ ୧୨୦। ତା’ର ଅର୍ଥ ଭାରତରେ ମହିଳାଙ୍କ ପାଇଁ ଆର୍ଥିକ ସୁଯୋଗ ନିଯୁକ୍ତି ଆକାରରେ ସଂକୁଚିତ ହୋଇଯାଇଛି। ଯେତିକି ନିଯୁକ୍ତି ସୃଷ୍ଟି ହେଉଛି ତାର ବିଶେଷ ଭାଗ ପୁରୁଷଙ୍କ ପାଖକୁ ଯାଉଛି।
ପରିବାର ବା ସମାଜର ସମର୍ଥନ ଥିବା ପାରମ୍ପରିକ ଢ଼ାଞ୍ଚା ମଧ୍ୟ ଅର୍ଥନୈତିକ ପ୍ରଗତିର ଧାରାରେ ଦୁର୍ବଳ ହୋଇଗଲାଣି। ତାହା ମହିଳାଙ୍କ ପାଇଁ ବେଶୀ କ୍ଷତିକାରକ। ଆଗରୁ ମହିଳାମାନେ ଘରୁ ଆପାତତଃ ସୁରକ୍ଷା ପାଉଥିଲେ। ସମୟ ବଦଳୁଥିଲେ ବି ସେମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଇ ସେମାନଙ୍କ ପାଇଁ ଅର୍ଥନୈତିକ ସ୍ୱାଧୀନତାର ବ୍ୟବସ୍ଥା କରିବା ସହ ପରିବାର ବି ମହିଳାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ଲୋଡ଼ା। ମହିଳା ଦୁର୍ବଳ ହୋଇଗଲେ ପରିବାର ତଥା ସମାଜର ସ୍ଥିତି ଖରାପ ହୋଇଯିବ।
Dr. Samrat Kar, the writer, is a qualified psychiatrist practicing at The Brain clinic located on Purighat Road in Cuttack. With extensive expertise in mental health care, he specializes in diagnosing and treating a wide range of psychiatric conditions. Dr. Kar is dedicated to providing compassionate and personalized treatment plans to help his patients achieve better mental well-being. His professional approach combines the latest advancements in psychiatry with empathetic patient care, making him a trusted name in the field of mental health in Cuttack.


