ଧାର୍ମିକ ଗଣତନ୍ତ୍ରର ପ୍ରତୀକ: ହୀରାପୁର ଚଉଷଠୀ ଯୋଗିନୀ ପୀଠ
ମା’ଙ୍କ ମୂର୍ତ୍ତି ଗୋଟିଏ ନରମୁଣ୍ଡ ଉପରେ ଛିଡା ହୋଇଛି। ଏହା ଅହ°କାର ଉପରେ ଚେତନାର ବିଜୟର ପ୍ରତୀକ ଅଟେ। ମନ୍ଦିର ଭିତରପାଖ ଗୋଲାକାର ପ୍ରାଙ୍ଗଣର ମଝିରେ ଥିବା ପିଣ୍ଡିର ଚାରି ପାଖରେ ଅନ୍ୟ ଚାରିଟି ଯୋଗିନୀ ମୂର୍ତ୍ତି ରହିଛି।
ଅନେକ ବର୍ଷ ପୂର୍ବରୁ ରକ୍ତବୀଜ ନାମକ ଏକ କୃର ଏବଂ ଅତ୍ୟାଚାରୀ ଅସୁର ଥିଲା। ତା'ର ଅତ୍ୟାଚାର ଏବଂ ଉତ୍ପାତରେ ଦେବତାମାନେ ମଧ୍ୟ ଅତିଷ୍ଠ ହୋଇ ପଡ଼ିଲେ ଏବଂ ଶେଷରେ ରକ୍ତବୀଜ ଦାଉରୁ ମୁକ୍ତି ପାଇବା ପାଇଁ ଆଦିଶକ୍ତି ମା’ ପାର୍ବତୀଙ୍କୁ ଆହ୍ବାନ କଲେ। ମା' ଦେବତାମାନଙ୍କ ଗୁହାରୀ ଶୁଣି ଦେବୀ ଦୁର୍ଗାଙ୍କ ଉଗ୍ର ରୂପରେ ପ୍ରକଟ ହେଲେ। ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ରକ୍ତବୀଜ ପରାଜିତ ହେଲା କିନ୍ତୁ ତା’ର ଅନ୍ତ ହେଲା ନାହିଁ! ଯୁଦ୍ଧ ସମୟରେ ତା'ର ଦେହର ରକ୍ତ ବୁନ୍ଦାଟିଏ ଯେଉଁଠି ପଡୁଥାଏ ସେଠୁ ଗୋଟିଏ ନୂଆ ରକ୍ତବୀଜ ଜନ୍ମ ନେଉଥାଏ। ତା’ପରେ ମା’ ଦୁର୍ଗାଙ୍କ ଶକ୍ତି ୬୪ଟି ଛାୟା ବା ଯୋଗିନୀର ରୂପ ଧାରଣ କଲେ। ଯୁଦ୍ଧ ପୁଣି ଆରମ୍ଭ ହେଲା। ଏଥର ଯୁଦ୍ଧ ସମୟରେ ରକ୍ତବୀଜର ରକ୍ତ ବୁନ୍ଦାଟିଏ ତା'ର ଦେହରୁ ବୋହି ଭୂମି ଉପରେ ପଡ଼ିବା ପୂର୍ବରୁ ୬୪ ଯୋଗିନୀ ତାକୁ ପାନ କରି ଦିଅନ୍ତି। ଏଥର ଆଉ ନା’ ରକ୍ତବୀଜର ରକ୍ତ ଭୂମିରେ ପଡ଼ିବାର ଅବସର ପାଇଲା ନା’ ଆଉ ନୂଆ ରକ୍ତବୀଜ ସୃଷ୍ଟି ହୋଇ ପାରିଲା। ଶେଷରେ ମା’ ଦୁର୍ଗା, ରକ୍ତବୀଜ ରାକ୍ଷସକୁ ସ°ହାର କରିଥିଲେ। ଯୁଦ୍ଧ ପରେ ୬୪ ମୂର୍ତ୍ତି ଯୋଗିନୀ- ମା’ ଦୁର୍ଗାଙ୍କ ପାଖରେ ତାଙ୍କ ପାଇଁ ମନ୍ଦିରଟିଏ ପ୍ରତିଷ୍ଠା କରାଇଦେବା ପାଇଁ ପ୍ରାର୍ଥନା କଲେ ଏବଂ ଏଇଠୁ ଯୋଗିନୀ ମନ୍ଦିର ପ୍ରତିଷ୍ଠା ପରମ୍ପରାର ଆରମ୍ଭ ହେଲା।
ବୋଉ ଏ କାହାଣୀ କହି ସାରିଲା ବେଳକୁ ଆମେ ଭୁବନେଶ୍ଵରରୁ ୨୦ କିମି ଦୂର ହୀରାପୁର ଗ୍ରାମର ଚଉଷଠୀ ଯୋଗିନୀ ମନ୍ଦିରର ଗାଡି ପାର୍କିଂରେ ପହଞ୍ଚି ସାରିଥାଉ। ନିଚ୍ଛାଟିଆ ଗୋଟିଏ ଶାନ୍ତ ଦ୍ୱିପ୍ରହର। ଚାରିଆଡେ ଗୋଟିଏ ଅଦ୍ଭୁତ ପ୍ରକାର ନିରବତା। କୋଉଠି ଟିକେ ପବନରେ ପତ୍ରରେ ପତ୍ର ଘଷି ହୋଇ କିମ୍ବା କେଉଁ ଗୋଟିଏ ଉଚ୍ଚା ଡାଳରୁ ରହି ରହିକା କୋଇଲିଟିଏ ବୋବାଇବା ଛଡ଼ା ଆଉ କୌଣସି ସୋର୍ଶବ୍ଦ ଶୁଭୁ ନଥାଏ। ଆମ ତିନିଜଣଙ୍କ ଛଡ଼ା କେବଳ ପାଞ୍ଚ-ଛ’ଜଣ ଛାତ୍ରଛାତ୍ରୀ ସେଠି ଏପଟ ସେପଟ ହେଉଥା’ନ୍ତି। ତାଙ୍କ ହାବଭାବ ଏବଂ ୟୁନିଫର୍ମରୁ ଜଣା ପଡୁଥାଏ ଆଖପାଖର କେଉଁ କଲେଜର ଶିକ୍ଷାର୍ଥୀ ହୋଇଥିବେ ନିଶ୍ଚୟ। ହେଲେ ମନ୍ଦିର ପରିସରର ଏ ନିରବତା ଆଦୌ ଭୟଭୀତ କଲା ପରି ନଥିଲା, ବରଂ ଥିଲା ଶାନ୍ତିଦାୟକ, ଏବଂ ସେ ନିରବତାରେ ଥିଲା ଗୋଟିଏ ଅଦ୍ଭୁତ ପ୍ରକାର ବିଭୋର ଆଉ ଆକର୍ଷଣ କଲା ପରି ଶକ୍ତି, ଯିଏ ଆମକୁ ମନ୍ଦିର ଭିତରକୁ ଟାଣି ନେଉଥିଲା। ଆମ ସାମ୍ନାରେ ଗୋଟିଏ ଛାତବିହୀନ, ଗୋଲାକାର, ସ୍ତ୍ରୀ-ଯୋନୀ ଆକୃତିର ଗୋଲାକାର ମନ୍ଦିର ଛିଡ଼ା ହୋଇଥିଲା। ମନ୍ଦିରର ପ୍ରବେଶ ଦ୍ଵାର ସଙ୍କୀର୍ଣ୍ଣ ଏବଂ ଭିତରକୁ ପ୍ରବେଶ କରିବା ପାଇଁ ଅଣ୍ଟା ପାଖରୁ ନଇଁ ଗଳିକରି ପ୍ରବେଶ କରିବା ପାଇଁ ପଡ଼େ।
ହୀରାପୁର ଚଉଷଠୀ ଯୋଗିନୀ ମନ୍ଦିରର ନିର୍ମାଣ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ଭୌମ ବ°ଶର ରାଣୀ ହୀରାଦେଈଙ୍କ ଦ୍ବାରା କରା ଯାଇଥିଲା। ତାଙ୍କରି ନାଁ ଅନୁସାରେ ଏହି ଗାଁର ନାଁ ହୀରାପୁର ହୋଇଛି। ୧୯୫୩ ମସିହାରେ ଏହି ମନ୍ଦିର ଜର୍ଜର ଏବଂ ଖଣ୍ଡ-ବିଖଣ୍ଡିତ ଅବସ୍ଥାରେ ପ୍ରତ୍ନତତ୍ତ୍ଵବିତ୍ ଶ୍ରୀ କେଦାରନାଥ ମହାପାତ୍ରଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା ଏବଂ ଏହାର ପୁନରୁଦ୍ଧାର ହୋଇଥିଲା। ହୀରାପୁର ସ୍ଥିତ ଏହି ଯୋଗିନୀ ମନ୍ଦିର, ଭାରତରେ ମହଜୁଦ ଥିବା ସମସ୍ତ ଯୋଗିନୀ ମନ୍ଦିର ଭିତରେ ସର୍ବପୁରାତନ ଏବଂ ଆକାରରେ ଛୋଟ ମଧ୍ୟ। ସ୍ୟାଣ୍ଡଷ୍ଟୋନରେ ନିର୍ମିତ ଏହି ମନ୍ଦିରର ନିର୍ମାଣ ଶୈଳୀ ସାଧାରଣ କଳିଙ୍ଗ ମନ୍ଦିର ନିର୍ମାଣ ଶୈଳୀ ଠାରୁ ଭିନ୍ନ। ଏହା ଏକ ଛାତବିହୀନ ତାନ୍ତ୍ରିକ ଉପାସନା ସ୍ଥଳି ଅଟେ, ଯାହାକୁ ହାଇପେଥ୍ଡ୍ରାଲ୍ ନିର୍ମାଣ ଶୈଳୀ କୁହାଯାଏ। ତାନ୍ତ୍ରିକ ଉପଚାର ଅନୁସାରେ ଯୋଗିନୀମାନେ ଶୂନ୍ୟରେ ବିଚରଣ କରନ୍ତି ଏବଂ ଯେତେବେଳେ ପୃଥିବୀ ପୃଷ୍ଠକୁ ଓହ୍ଲାନ୍ତି ସେତେବେଳେ ବୃତ୍ତାକାର ବା ଗୋଲାକାର ମଣ୍ଡଳ ବନାଇ ବସନ୍ତି। ତେଣୁ ଯୋଗିନୀ ମନ୍ଦିର ଗୁଡ଼ିକର ଆକାର ଗୋଲ୍ ହୋଇଥାଏ। ଏହାଛଡ଼ା ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ଏହି ଭୂମଣ୍ଡଳୀୟ ପଞ୍ଚତତ୍ତ୍ବର ଉର୍ଜାର ସ୍ବାଭାବିକ ପ୍ରବାହ ପାଇଁ ମନ୍ଦିରରେ ଛାତ ନଥାଏ।
ମନ୍ଦିର ଭିତର ପାର୍ଶ୍ଵରେ ପାଖାପାଖି ୨୫ ଫୁଟ ବ୍ୟାସର ଗୋଟିଏ ଅଗଣା ରହିଛି ଏବଂ ଏହାର ଚତୁଃପାର୍ଶ୍ଵରେ ୨ ମିଟର ଉଚ୍ଚ ଗୋଲାକାର ପ୍ରାଚୀର ବା କାନ୍ଥ ଏବଂ ମଧ୍ୟ ଭାଗରେ ଗୋଟିଏ ଉଚ୍ଚା ଚାରିକୋଣିଆ ପିଣ୍ଡି ରହିଛି। ଗୋଲାକାର କାନ୍ଥର ଭିତର ପାର୍ଶ୍ୱରେ ଖୋଲ ରହିଛି, ଯେଉଁଥିରେ ପାଖାପାଖି ୪୦ ସେଣ୍ଟିମିଟର ଉଚ୍ଚାର ବ୍ଲାକ୍କ୍ଲୋରାଇଟ୍ ପଥରରେ ନିର୍ମିତ ୬୦ଟି ଯୋଗିନୀ ମୂର୍ତ୍ତି ରହିଛି। ସେମାନେ ବହୁରୂପା, ତାରା, ନର୍ମଦା, ଯମୁନା, ଶାନ୍ତି, ବାରୁଣୀ, କ୍ଷେମକାରୀ, ଐନ୍ଦ୍ରୀ, ବରାହୀ, ରଣବୀରା, ବାନରମୁଖୀ, ବୈଷ୍ଣବୀ, କାଳରାତ୍ରୀ, ବୈଦ୍ୟରୂପା, ଚର୍ଚ୍ଚିକା, ବେତାଳୀ, ଛିନ୍ନମସ୍ତିକା, ବୃଷଭାନନା, ଜ୍ୱାଲା କାମିନୀ, ଘଟବାରା, କରକାଳୀ, ସରସ୍ଵତୀ, ବିରୂପା, କୌବେରୀ, ଭାଲୁକା, ନରସିଂହି, ବିରଜା, ବିକଟାନନ, ମହାଲକ୍ଷ୍ମୀ, କୌମାରୀ, ମହାମାୟା, ରତି, କରକରୀ, ସ୍ପର୍ଶ୍ୟା, ଯକ୍ଷିଣୀ, ବିନାୟକୀ, ବିଦ୍ୟାବାଲିନୀ, ବିରକୁମାରୀ, ମାହେଶ୍ୱରୀ, ଅମ୍ବିକା, କାମାୟନୀ, ଘଟାବାରୀ, ସ୍ତୁତି, କାଳୀ, ଉମା, ନାରାୟଣୀ, ସମୁଦ୍ରା, ବ୍ରାହ୍ମୀ, ଜ୍ବାଲାମୁଖୀ, ଆଗ୍ନେୟୀ, ଅଦିତି, ଚନ୍ଦ୍ରକାନ୍ତି, ବାୟୁବେଗା, ଚାମୁଣ୍ଡା, ମୂର୍ତ୍ତି, ଗଙ୍ଗା, ଧୂମାବତୀ, ଗାନ୍ଧାରୀ, ସର୍ବମଙ୍ଗଳା, ଅଜିତା, ସୂର୍ଯ୍ୟପୁତ୍ରୀ, ବାୟୁବିଣା, ଅଘୋରା, ଭଦ୍ରକାଳୀ ଆଦି ନାଁରେ ପରିଚିତ। ଏହି ମୂର୍ତ୍ତିଗୁଡ଼ିକର କେବଳ ନାଁ ନୁହେଁ ବରଂ ସେମାନଙ୍କ ବେଶଭୂଷା, କେଶ ବିନ୍ୟାସ, ଆଭୂଷଣ, ଆୟୁଧ ଏବଂ ବାହନ ମଧ୍ୟ ଅଲଗା ଅଲଗା। ମୂର୍ତ୍ତି ଗୁଡିକୁ ନିରିଖେଇ ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗେ ଯେ କେମିତି ଶହ ଶହ ବର୍ଷ ତଳେ, ବିନା ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ସେବେର କାରିଗର ଏତେ ସୁକ୍ଷ୍ମ କାରିଗରୀ କରିଥିଲେ!
ଗୋଲାକାର ପ୍ରାଚୀରର ଠିକ୍ ମଝାମଝି ମା’ ମହାମାୟାଙ୍କ ମୂର୍ତ୍ତି ରହିଛି, ତେଣୁ ଅନେକ ସମୟରେ ଏହାକୁ ମହାମାୟା ମନ୍ଦିର ମଧ୍ୟ କୁହାଯାଏ। ମା’ଙ୍କ ମୂର୍ତ୍ତି ଗୋଟିଏ ନରମୁଣ୍ଡ ଉପରେ ଛିଡା ହୋଇଛି। ଏହା ଅହ°କାର ଉପରେ ଚେତନାର ବିଜୟର ପ୍ରତୀକ ଅଟେ। ମନ୍ଦିର ଭିତରପାଖ ଗୋଲାକାର ପ୍ରାଙ୍ଗଣର ମଝିରେ ଥିବା ପିଣ୍ଡିର ଚାରି ପାଖରେ ଅନ୍ୟ ଚାରିଟି ଯୋଗିନୀ ମୂର୍ତ୍ତି ରହିଛି। ପୂର୍ବରୁ ଏହି ପିଣ୍ଡିର ମଧ୍ୟ ଭାଗରେ ଶିବଙ୍କର ଗୋଟିଏ ମୂର୍ତ୍ତି ଥିଲା। କିନ୍ତୁ ମନ୍ଦିର ଆବିଷ୍କାର ଦିନଠାରୁ ଏହା ଆଜିଯାଏଁ ମିଳି ନାହିଁ। ଗୋଲାକାର କାନ୍ଥର ବାହ୍ୟ ପାର୍ଶ୍ଵରେ ନ’ଟି କାତ୍ୟାୟନୀ ମୂର୍ତ୍ତି ରହିଛି। ଏହି ମୂର୍ତ୍ତି ଗୁଡ଼ିକର ହାତରେ ଥିବା ଅସ୍ତ୍ର ଏବଂ ପାଦ ପାଖରେ ଥିବା ନରମୁଣ୍ଡ, ବେତାଳ ମୁଣ୍ଡ, ଶ୍ବାନ କିମ୍ବା ଶିଆଳର ମୂର୍ତ୍ତିରୁ ଏହା ତାନ୍ତ୍ରିକ ସାଧନାର କ୍ଷେତ୍ର ବୋଲି ପ୍ରମାଣିତ ହୁଏ। ତନ୍ତ୍ର ସାଧନା ବା ଉପଚାରରେ ନାରୀ ଶକ୍ତିର ଉପାସନା ହିଁ କେନ୍ଦ୍ର ହୋଇଥାଏ। ଏଠାରେ ସେ ଏକାଧାରରେ ରହସ୍ୟମୟୀ, ସ°ହାରକର୍ତ୍ତା ଏବଂ କରୁଣାମୟୀ। ବୋଧହୁଏ ସେଇଥିପାଇଁ ଏଠି ତଥାକଥିତ ପୁରୁଷ ଦେବତା ନାରୀ ରୂପରେ ପୂଜା ପାଇଥା’ନ୍ତି- ବିନାୟକୀ, ବାରାହୀ, ନରସିଂହି।
ଅଷ୍ଟମ- ନବମ ଶତାବ୍ଦୀ ବେଳକୁ ତନ୍ତ୍ର ସାଧନା ତା’ର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଥିଲା। ସେତେବେଳକୁ ପରାମ୍ପରାଗତ ବୈଦିକ ରୀତି-ନୀତିର ଆଡ଼ମ୍ବର ଏବଂ କଟ୍ଟରବାଦ କାରଣରୁ ସମାଜର ମୋହଭଙ୍ଗ ଘଟି ସାରିଥାଏ। ସେଥିରେ ଯେଉଁଠି ଧର୍ମ ମାଧ୍ୟମରେ ସମାଜ ମଧ୍ୟ ବ୍ରାହ୍ମଣବାଦ ଓ ପୁରୁଷତାନ୍ତ୍ରିକ ହୋଇ ଉଠିଥାଏ ସେଠି ତନ୍ତ୍ର ସାଧନା ଗୋଟିଏ ଗଣତାନ୍ତ୍ରିକ ଧାର୍ମିକ ଅନୁଷ୍ଠାନ ଭାବରେ ଉଭା ହୁଏ। କଠୋରବାଦର ବିପରୀତ, ତନ୍ତ୍ର ନାରୀ, ସମାଜର ବଞ୍ଚିତ ବର୍ଗ, ଆଦିବାସୀ, ମୃତ୍ୟୁ, ଶ୍ମଶାନ, ଶ୍ବାନ, ଶୃଗାଳ, ସୁଚି-ଅସୁଚି ସମସ୍ତଙ୍କ ପାଇଁ ଦ୍ବାର ଖୋଲିଦିଏ। ଏଥିରେ କେବଳ ହୋମ-ଯଜ୍ଞ କିମ୍ବା ମନ୍ତ୍ର ଉଚ୍ଚାରଣ ନୁହେଁ, ବରଂ ଜୀବନ-ମୃତ୍ୟୁ, ସଜୀବ-ନିର୍ଜୀବ, କାମ-ପ୍ରକୃତି, ମଣିଷର ଦୈନନ୍ଦିନ ଜୀବନରେ ପ୍ରତ୍ୟେକ କାର୍ଯ୍ୟ ହିଁ ସାଧନାର ମାର୍ଗ। ବିଶେଷଜ୍ଞଙ୍କ ମତରେ ସେହି ସମୟରେ ଓଡ଼ିଶା, ବଙ୍ଗଳା ଏବଂ ଆସାମ ଅଞ୍ଚଳ ତନ୍ତ୍ର ସାଧନାର କେନ୍ଦ୍ର ଥିଲା। ଏଠି ଶକ୍ତି କେବଳ ଦେବୀ ନୁହନ୍ତି ବରଂ ସେ ମଧ୍ୟ ଗୁରୁ, ବୈଦ୍ୟ, ମାର୍ଗଦର୍ଶକ ଏବଂ ଜୀବନ ତଥା ମୃତ୍ୟୁର ସହଚର।
ଭାରତରେ ସମୁଦାୟ ଏଗାରଟି ସ୍ଥାନରେ ଯୋଗିନୀ ମନ୍ଦିର ରହିଛି। ଏହା ଭାରତର ବର୍ତ୍ତମାନର ରାଜନୈତିକ ମାନଚିତ୍ରରେ ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ତାମିଲନାଡୁ ଆଦି ଅଞ୍ଚଳରେ ପରିବ୍ୟାପ୍ତ। ଏଥିରୁ ବର୍ତ୍ତମାନ ଦିଲ୍ଲୀ, ରାଜସ୍ଥାନ ଏବଂ ତାମିଲନାଡୁ ଅଞ୍ଚଳର ଯୋଗିନୀ ମନ୍ଦିର ସମ୍ପୂର୍ଣ ଭାବରେ ନଷ୍ଟ ହୋଇ ଯାଇଛନ୍ତି। ବର୍ତ୍ତମାନ ସମୁଦାୟ ଚାରିଟି ଯୋଗିନୀ ମନ୍ଦିର ବିଦ୍ୟମାନ ଅଛନ୍ତି, ଯଥା (୧) ହୀରାପୁର, ଭୁବନେଶ୍ଵର, ଓଡ଼ିଶା, (୨)ରାଣୀପୁର ଝରିଆଲ୍, ବଲାଙ୍ଗୀର, ଓଡ଼ିଶା, (୩) ମୋରେନା, ଗ୍ବାଲିଅର୍, ମଧ୍ୟପ୍ରଦେଶ, (୪)ଖଜୁରାହୋ, ମଧ୍ୟପ୍ରଦେଶ। ବେଡାଘାଟ୍, ଜବଲପୁର, ମଧ୍ୟପ୍ରଦେଶରେ ମଧ୍ୟ ଗୋଟିଏ ଯୋଗିନୀ ମନ୍ଦିର ରହିଛି। କିନ୍ତୁ ଏହା ଚୌରାଅଶୀ ଯୋଗିନୀ ମନ୍ଦିର ଅଟେ। ଏହାଛଡ଼ା ଦୁଦାହି, ଉତ୍ତରପ୍ରଦେଶ ଏବଂ ବାଦୋହ, ମଧ୍ୟପ୍ରଦେଶରେ ବୟାଳିଶ ଯୋଗିନୀ ମନ୍ଦିର ରହିଛି। ଏ ସବୁ ମନ୍ଦିରର ନିର୍ମାଣ ୯୦୦-୧୨୦୦ ଶତାବ୍ଦୀ ମଧ୍ୟରେ ହୋଇଥିଲା। କେବଳ ଖଜୁରାହୋ ଯୋଗିନୀ ମନ୍ଦିରର ଆକାର ଆୟତାକାର ହୋଇଥିବା ବେଳେ ବାକି ସବୁ ଯୋଗିନୀ ମନ୍ଦିର ବୃତ୍ତାକାର ଅଟେ।
ଆମେ ତଉଷଠୀ ଯୋଗିନୀ ମନ୍ଦିର ବୁଲି ଫାଟକରୁ ବାହାରିଲା ବେଳକୁ ଖରା ନଇଁ ସାରିଥାଏ। ଗାଡ଼ି ଷ୍ଟାର୍ଟ କରି ପାର୍କିଂରୁ ବାହାରିଲା ବେଳକୁ, ପାଖ ବରଗଛର ଉଚ୍ଚ ଡାଳରୁ ତଥାପି କୋଇଲିଟିଏ ରହି ରହି ଡାକ ଛାଡୁଥାଏ। ମୁଁ ଗାଡ଼ି ରୋକି, ମୁହଁ ଉଠେଇ ଗଛର ଡାଳ ସବୁରେ କୋଇଲିକୁ ଖୋଜିବାକୁ ଲାଗିଲି। ହେଲେ ତା' ଉପସ୍ଥିତିଟା ଯୋଗିନୀ ମନ୍ଦିରର ନିରବତା ପରି ରହସ୍ୟମୟ ଲାଗୁଥିଲା। ମୁଁ ହସିଦେଇ ଗାଡ଼ି ଗଡେଇବା ଆରମ୍ଭ କଲି, ଆଉ ଥରକୁ ଆସିଲେ କୋଇଲି ଆଉ ଯୋଗିନୀ ପୀଠର ରହସ୍ୟରେ ହଜି ଯିବାର ଇଚ୍ଛା ନେଇ।
Dr. Ipsita Pradhan is a dedicated general physician and accomplished writer. With extensive experience in primary healthcare, she provides comprehensive medical services, emphasizing patient-centered care and holistic wellness. In addition to her clinical practice, Dr. Ipsita Pradhan is a talented writer, sharing insights on health, wellness, and medical topics through her articles and publications. Her dual expertise in medicine and writing allows her to communicate complex medical information effectively, making her a trusted name in both the healthcare community and the literary world. For consultations, you can contact her at 8018053395.


