ସମ୍ପର୍କର ତିନୋଟି ଫର୍ଦ୍ଦ
ଏବେବି ପବନରେ ଭାଷି ଆସୁଛି ତୁମ ଦେହର ବାସ୍ନା, ମୋ’ ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରୁଛି। ତୁମେ ମୋ’ ଚେତନାରେ ଯୋଡି ହେବା ମାତ୍ରେ ତୁମ ସ୍ପର୍ଶରେ ମୋ’ ଦେହ ଶିହରି ଉଠୁଛି। ମୋତେ ଅନୁଭବ ହେଉଛି ତୁମେ ଯେପରି ମୋ’ ଚାରିପାଖରେ ଘୁରି ବୁଲୁଛ।
ଅଜାଣତରେ ଆମ ଚାଲିବା ରାସ୍ତାର ଦୀର୍ଘତ୍ୱ ବୃଦ୍ଧି ପାଇଥିଲା। ତୁମ ପ୍ରତିଶୃତି ଉପରେ ମୋ’ର ଦୃଢ ବିଶ୍ୱାସ ଥିଲା। ତୁମେ ମୋ’ ମନର ନିଭୃତ କୋଠରୀରେ ବସି ମୋତେ ଶାନ୍ତ୍ୱନା ଦେଉଥିଲ। ମୋ'ର ବିଶ୍ୱାସ ଥିଲା ତୁମେ ମୋତେ ଛାଡି କେଇଁଆଡେ ଯିବନି। ତୁମେ ଥିଲ ମୋ’ ଭାବନାର ସାମ୍ରାଜ୍ଞୀ। ତୁମକୁ ଛୁଇଁବାକୁ ଇଚ୍ଛା ହେଉଥିଲା। ତୁମ ସହ ଖୁବ୍ କଥା ହେବାକୁ ବ୍ୟଗ୍ରତା ବଢି ଚାଲିଥିଲା। ହେଲେ ତାହା କେବେ ସମ୍ଭବ ହେଇନି। ଏଥିପାଇଁ ଭାବିନେଇଥିଲି, ଯଦି ମାର୍କ ଟ୍ୱାଇନଙ୍କ ଭଳି ଅନ୍ଧ ହୋଇଥାନ୍ତି, ତେବେ ତ ତୁମକୁ ଦେଖିବା ଅସମ୍ଭବ ହେଇଥାନ୍ତା।
ପ୍ରତିକ୍ରିୟା
ଭୂଲ୍ ପରେ ପଶ୍ଚାତାପ ମନକୁ ଶାନ୍ତ୍ୱନା ଦିଏ। ଏହା ସମାଧାନ ନୁହେଁ, କେବଳ ଫାଲତୁ ଚିନ୍ତାରୁ ମୁକ୍ତି ପାଇବାର ମାଧ୍ୟମ। ପ୍ରେୟସୀ ମନରେ ଲାଗିଥିବା ଆଘାତ ଯେ ଏହାଦ୍ୱାରା ପ୍ରଶମିତ ହେବ କହିବା ବାହୁଲ୍ୟ। ଜୀବନର ପ୍ରତ୍ୟେକ ସମୟ ସହ ଯୋଡି ହୋଇଥାଏ ଏକ ସମ୍ଭାବନାର ବୀଜ, ଯାହା ସ୍ୱର୍ଗରୁ ପ୍ରେରିତ। ମନ ଯଦି ଅଭିମାନ ମାୟା ଜାଲରେ ଛନ୍ଦି ହେଲା ତେବେ ସେ ଅମୃତରୁ ବଞ୍ଚିତ ହେବା ସ୍ୱାଭାବିକ। ଏଭଳି କେତେକ ତିକ୍ତ ଅନୁଭବ ମନରେ ବସା ବାନ୍ଧିଥିଲା। ଜାଣେନା, ଅଜାଣତରେ କେବେ ହୁଏତ ଏହି ସାମାନ୍ୟ କଥା ଆମ ସମ୍ପର୍କରେ ବିଷ ଭରିଦେବ। ଏକଥା ବିଲକୁଲ୍ ସତ, ସମୟ ମୋତେ ଭଲ ପାଇବାର ପରୀକ୍ଷା ନେବାକୁ ଉସକାଉଥିଲା। ବେସୁରା ଅଭିମାନ ମୋତେ ଲକ୍ଷ ଭ୍ରଷ୍ଟ କଲା, କିଛି ମୁହୂର୍ତ୍ତ ପାଇଁ ମୋତେ ସ୍ୱାର୍ଥପର କରିଦେଲା।
ହଠାତ ହ୍ୱାଟସଆପ୍ ଲିଷ୍ଟ ଦେଖିବା ପରେ ମୁଁ ଭାଙ୍ଗି ପଡିଲି। କେବେ ଆଶା କରି ନଥିଲି ୬୧ ଜଣ ୟୁଜର୍ସଙ୍କ ପରେ ମୋ’ ପ୍ରିୟାର ହ୍ୱାଟସଆପ୍ ମେସେଜ୍ ମୋ’ ସାମ୍ନାକୁ ଆସିବ। ନୂଆବର୍ଷ ଛୁଇଁବା କ୍ଷଣି ତୁମ ଠାରୁ ପ୍ରଥମ ମେସେଜ ଆସିବ ବୋଲି ମୁଁ ଅନେକ ଦିନରୁ ପ୍ରତିକ୍ଷାରେ ଥିଲି; ଯାହାର ପ୍ରତିକ୍ରିୟା ମୋତେ ବିଚଳିତ କଲା, ମୋ ମନକୁ ବିଗାଡ଼ି ଦେଲା, ଖୁବ୍ ଦୁଃଖରେ ଶୋଇଗଲି। ସକାଳର ନିଦମିଶା ଆଖି ଦମ୍ଭ ପାଇବା ପୂର୍ବରୁ ଅଭିମାନ ଜାଲରେ ପୁଣି ଛନ୍ଦି ହୋଇଗଲା, ପୁଣି ବ୍ରାଉଜ୍ କରି ଚାଲିଲି ହ୍ୱାଟସଆପ୍ ଲିଷ୍ଟ୍। ମନକୁ ଭାରାକ୍ରାନ୍ତ କରୁଥିଲା ତୁମ ଠାରୁ କିଛି ଶୁଣି ପାରୁ ନଥିବାର କଷ୍ଟ, ମୁଁ ଉପାୟ ଶୂନ୍ୟ। ଟେବୁଲ ଠାରୁ ଦେଢ ଫୁଟ ଦୂରରେ ବସି ତୁମ ଭାବନାରେ ଆଖି ଭିଜାଇବା ପୂର୍ବରୁ ମୋ’ର ବହୁବାର ଭାବିବାର ଥିଲା, ଏହି ସମୟରେ ମୁଁ କ’ଣ କରିବା ଉଚିତ୍।
ମୁଁ କେତେବଡ ଭୂଲ୍ କରିଦେଲି। ଭଲ ପାଇବାର ଲୋଭ ମୋତେ ଏତେ ସ୍ୱାର୍ଥପର କରି ଦେଇଥିଲା ଯେ, ମୁଁ ତୁମ ପ୍ରତି ଅନ୍ୟାୟ କରି ଚାଲିଲି। ମନ ଭିତରେ ସାଇତା ହୋଇଥିବା ଅଭିମାନ ମୋତେ କରାୟତ କରିଥାଏ। ଏବେ ସୁଦ୍ଧା ବୁଝିପାରୁନି ମୁଁ କାହିଁକି ଏଭଳି ଘଟଣାକୁ ପ୍ରଶୟ ଦେଇଥିଲି, ଭଲ ପାଇବାର ଏକତରଫା ବିଚାର ମୋତେ ବିଚଳିତ କରୁଥିଲା କି? ମୁଁ ନିଜକୁ ଆୟତ କରିବାର ସାମର୍ଥ୍ୟ ହରାଇ ବସିଥିଲି, ବିବ୍ରତ ଅବସ୍ଥାରେ ତୁମ ଫେସବୁକରେ ପୂର୍ବରୁ ପୋଷ୍ଟ୍ କରିଥିବା ବ୍ରିଫିଙ୍ଗସ୍ ଅତର୍କିତ ଭାବେ ରିମୁଭ୍ କଲି। ମୋ’ କଳ୍ପନାରେ ଫ୍ରେମ୍ ହେଇ ରହିଥିଲା ତୁମ ପ୍ରତିଶୃତି ଆଉ ପ୍ରତାରଣା। ନିଜକୁ ଅବହେଳିତ ବୋଲି ଅନୁଭବ କରି ସ୍ୱାଇପ୍ କରି ଚାଲିଥିଲି ହ୍ୟାଣ୍ଡସେଟ୍ ସ୍କ୍ରୀନକୁ।
ଏକ ଦୀର୍ଘ ନିଶ୍ୱାସ ସହ ଦୁଇ ଆଖକୁ ଭିଜାଉଥିବା ଲୁହ ବୁନ୍ଦାରେ ମୋ’ ହାତ ଓଦା ହୋଇ ଯାଇଥିଲା। ମନରେ ଥିଲା ଅସରନ୍ତି ଅବଶୋଷ। ମୁଁ କ’ଣ ପ୍ରମାଣ କରିବାକୁ ଚାହୁଁଥିଲି ସେକଥା ନିଜେ ବି ଜାଣି ନଥିଲି। ହ୍ୱାଟସଆପ୍ ଓପନ୍ କଲି, ସ୍କ୍ରୀନରୁ ତୁମ ପେଜ୍ ସିଲେକ୍ଟ କଲି, ସେଇ ମୁହୂର୍ତ୍ତରେ ବ୍ଳକ୍ କରିଦେଲି। ଏଣେ ଟି-ସାର୍ଟରେ ପଡିଥିବା କିଛି ବୁନ୍ଦା ଲୁହ ମନର ଉଷ୍ମତାରେ ଘିଅ ଢାଳି ମୋତେ ଆହୁରି ଉତ୍ତେଜିତ କରୁଥାଏ। ଲୁହ ଭିଜା ଆଖିରେ ହ୍ୟାଣ୍ଡସେଟକୁ ନିରେଖି ଚାହିଁବା ସତ୍ୱେ ସବୁ ଦୃଶ୍ଯ ଅସ୍ପଷ୍ଟ। ମୁଁ ତୁମ ପାଇଁ ଅନ୍ଧ ହୋଇ ଯାଇଥିଲି। ଏତେସବୁ ସତ୍ତ୍ୱେ ମୋତେ ପୁଣି ପ୍ରଗଳ୍ଭ କଲା ତୁମର ସେହି ନିରିହ ଛବି। ବିଶ୍ୱାସ ଥାଏ, ଯେତେ ଡେରି ହେଲେ ବି ତୁମେ ମେସେଜ୍ ପଠାଇବ ବୋଲି।
ସବୁ ଆଶଙ୍କା ଦୂର ହେଇଗଲା, ୨୦୧୮ ରାତି ୧ଟା ୪୦ରେ ତୁମେ ମୋତେ ନିୟୁ ୟିଅର୍ ମେସେଜ୍ ପଠାଇଥିଲ। ଧୀରେ ଧୀରେ ମୋ’ ଭିତରେ ସୃଷ୍ଟି ହୋଇଥିବା ପାଗଳାମୀରେ ମୁଁ ଲଗାମ୍ ଦେବାକୁ ଚେଷ୍ଟା କଲି, ନିଜର ଦୋଷ ସ୍ୱୀକାର କଲି। ପୁନର୍ବାର ହ୍ୱାଟସଆପ୍ ପେଜ୍ ଖୋଲି ତୁମ ପେଜ୍'କୁ ଅନବ୍ଲକ୍ କରି ଫେରାଇ ଆଣିଲି ଆଖି ସାମ୍ନାକୁ। ହେଲେ ବିତି ଯାଇଥିବା ଘଟଣା ମୋତେ ପୁଣି ବିଚଳିତ କଲା। ତୁମକୁ ମ୍ୟାନେଜ୍ କରିବାର ତରିକା ମୋତେ ଭୟ ଓ ଅବଶୋଷରେ ଭାରାକ୍ରାନ୍ତ କଲା। କିନ୍ତୁ, ଅବିବେକି ଭଳି ଯେଭଳି କାଣ୍ଡ କରିଥିଲି, ସେଥିପାଇଁ ତୁମକୁ ଶୁଭେଚ୍ଛା ଜଣାଇବାକୁ ମୁଁ ସାହାସ ଯୁଟାଇ ପାରିନଥିଲି।
ଦୀର୍ଘ ସମୟର ନିରବତା ପରେ ନୂଆବର୍ଷ ଅପରାହ୍ନରେ ତୁମ ମୋବାଇଲକୁ ରିଂ କଲି, ରିଂ ହେଇ ହେଇ ଫୋନ୍ କଟିଗଲା, କିଛି ସମୟ ପରେ ତୁମେ ମୋତେ ଫୋନ୍ କଲ। ଆମ ଆଲୋଚନା, ପର୍ଯ୍ୟାଲୋଚନା ମୋତେ ଆହୁରି ବିବ୍ରତ କରିଥିଲା। ତୁମ ଠାରୁ ଫାଷ୍ଟ୍ ମେସେଜ୍ ନପାଇବା ଘଟଣା ମୋତେ ଯେତେ ବିଚଳିତ କରିଥିଲା, ତୁମ ପ୍ରାଇଭେସି କଥା ଶୁଣିବା ପରେ ତୁମ ପ୍ରତି ମୁଁ କରିଥିବା ଅନ୍ୟାୟ ମୋତେ ବାରମ୍ବାର ଆଘାତ ଦେଇ ଚାଲିଲା। ଏହି ଅପରାଧ ପାଇଁ ନିଜକୁ ଧିକ୍କାର କରି ଚାଲିଲି। ଆଜି ମୁଁ ଅନୁଭବ କରୁଛି, ସମ୍ପର୍କର ବହ୍ନି ନିଜ ଭିତରକୁ କିଭଳି ଦଗ୍ଧ କରିପାରେ। ଅଭିମାନ କରିବା ଭୂଲ୍ ଥିଲା, ତଥାପି ତୁମେ ମୋ’ ଅଭିମାନକୁ ଭୃକ୍ଷେପ ନକରି ମୋତେ ମେସେଜ୍ ପଠାଇ ଥିଲ। ଏଣେ ପ୍ରତିକ୍ରିୟାର କଷ୍ଟ ମୋତେ ଭାରାକ୍ରାନ୍ତ କରିଦେଲା।
ପ୍ରତିବିମ୍ବ
ଡର ଲାଗୁଛି, ମାନେ ତୁମେ କହୁଥିଲ ଯେ ତୁମକୁ ଡର ଲାଗୁଛି। କୌଣସି ସୂଚନା ନଥାଇ ମୋ'ର ସେଠାରେ ପହଞ୍ଚବାରେ ତୁମେ ଭୟରେ ମୋତେ ଦେଖା କରିବାକୁ ଆସିଲ ନାହିଁ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତୁମ ସହରଟି ଖୁବ୍ ଛୋଟ, ତା’ର ସୀମିତ ପରିଧି ମଧ୍ୟରେ ଛନ୍ଦି ହୋଇଛି ଅଞ୍ଚଳବାସୀଙ୍କ ଦୈନନ୍ଦିନର ଜୀବନଜୀବୀକା। ସେଠାରେ ଛୁଞ୍ଚିଟିଏ ପଡିଲେ ଭିଡ଼ ଭିତରେ ବି ଠଉରେଇବା ସହଜ। ତୁମେ ବୁଦ୍ଧିମତୀ, ଭଲ ପଢୁଥିଲ, ତୁମ ଇଲାକାର ଲୋକଙ୍କୁ ଚିହ୍ନିବାରେ ଭୂଲ୍ କରିଥାନ୍ତ ବା କେମିତି। ସେଦିନ ତୁମେ ନେଇଥିବା ନିଷ୍ପତ୍ତି ମୋତେ ବିଚଳିତ କରିଥିଲା, ହେଲେ ଠିକ୍ ଥିଲା। ତୁମ ପାଇଁ ଏକ ବଡ ଅଘଟଣ ଏଡାଇ ଯାଇଥିଲା। ତେଣୁ ତ ମୁଁ ତୁମକୁ ନଜଣାଇ କୌଣସି କାମ ଆରମ୍ଭ କରୁନଥିଲି। ମୋତେ ବିଶ୍ୱାସ କର, ଅଜାଣତରେ ତୁମ ସହ ମୁଁ ଯୋଡି ହେଇଯାଇଥିଲି।
ତୁମ ପାଖରେ ଖୁବ୍ ଯିଦଖୋର ଥିଲି, ତୁମେ ମୋ ଫୋନ୍ କଲିଂ ଆଟେଣ୍ଡ ନକଲା ଯାଏଁ ତୁମକୁ ବାରମ୍ବାର ଡିଷ୍ଟର୍ବ କରୁଥିଲି। ମୁଁ ଆଦୌ ଭାବେନି ତୁମେ କାଳେ ମୋ’ ଉପରେ ରାଗୁଥିବ। ସେହି ସମ୍ପର୍କ ଏଭଳି ସ୍ଥିତିରେ ଥିଲା ଯେମିତିକି ତୁମର ପ୍ରତିଟି ମୁହର୍ତ୍ତ ସହ ମୋ’ ଭାଗ୍ୟରେଖା ଛନ୍ଦି ହୋଇଯାଇଛି। ହୁଏତ ତୁମେ ଖୁବ୍ ବିରକ୍ତ ହେଉଥିବ; ଏଥିପାଇଁ ତୁମେ ହୁଏତ କେବେ ମୋତେ କ୍ଷମା କରିଥିବ ବା କରି ନଥିବ। କିନ୍ତୁ, ଖୁସି ଲାଗୁଥିଲା। ଯେହେତୁ ତୁମେ ପ୍ରତ୍ୟେକ ପରିସ୍ଥିତିକୁ ସମ୍ଭାଳି ନିଅ। ସତ କହୁଛି, ତୁମେ ମୋତେ ବହୁତ ଭଲ ଲାଗ, ସେଥିପାଇଁ ମୁଁ କୌଣସି କଟକଣାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଇ ଯାଉଥିଲି, ତୁମ ବାରଣକୁ ନମାନି ବାରମ୍ବାର ତୁମକୁ ହଇରାଣ କରୁଥିଲି।
ତୁମେ, ମୁଁ ଏବଂ ଆମ ସମ୍ପର୍କ, ତୁମକୁ ଦେଖିବାକୁ ୮୦ କିଲୋମିଟର ଯାଇ ଫେରିବା ଦିନ ସୁଦ୍ଧା ତାହାର ବୟସ ୯୭ ଲକ୍ଷ ୬୩ ହଜାର ୨ ଶହ ସେକେଣ୍ଡ ଛୁଇଁଥିଲା। ତୁମେ ମିଳିବାର ୧୯ ଦିନ ଧରି ମନେ ମନେ ତୁମକୁ ଖୁବ୍ ଦେଖିଛି। ପବିତ୍ର ନାଗ ଚତୁର୍ଥୀ ବିଳମ୍ବିତ ରାତିରେ ମୋ’ ସହ ଲଗାତାର ୩ ଘଣ୍ଟା ଧରି ଗପିଲ। ଆମେ ସେବେ ଠାରୁ ୧୦ ଦିନ ଯାଏଁ ଖୁବ୍ ଗପିଛେ। ଯେଉଁଥିପାଇଁ କୌଣସି ସମୟ ନିର୍ଘଣ୍ଟ ନଥିଲା। ତୁମ କଥା ମନେ ପଡିବା ମାତ୍ରେ ତୁମକୁ ଡିଷ୍ଟର୍ବ କରେ। ଧୀରେ ଧୀରେ ପରସ୍ପର ମଧ୍ୟରେ ଦୂରତା କମିଗଲା, ୧୭ ନଭେମ୍ବର ଶିବ ଚତୁର୍ଦ୍ଦଶୀରେ ସୃଷ୍ଟି ହେଲା ନୂଆ ସମ୍ଭାବନା।
ତୁମକୁ ‘ଆଇ ଲଭ୍ ୟୁ’ କହିବାକୁ ମୁଁ ଟିକେ ବି କୁଣ୍ଠାବୋଧ କଲିନି। ମୋ’ ପାଟିରୁ ‘ଆଇ ଲଭ୍ ୟୁ’ ଶୁଣିବା ପରେ ତୁମେ ମୋତେ କୌଣସି ସଠିକ୍ ଉତ୍ତର ଦେଇ ନଥିଲ। କିନ୍ତୁ ମୋ’ ସହ ଆହୁରି ଗପି ଚାଲିଥିଲ। ମଝିରେ ନେଟୱର୍କ ଅଭାବରୁ ଫୋନ୍ କଟିଗଲେ ବି ତୁମେ ତୁମ ଆଡୁ ଫୋନ୍ କରୁଥିଲ। ମୁଁ ନିଶ୍ଚିତ ଥିଲି, ତୁମେ ମୋତେ ସ୍ୱୀକାର କରିଥିଲ ବୋଲି। ତୁମ ନିରବାତାକୁ ତୁମ ସ୍ୱୀକୃତି ଭାବି ନେଲି। ତା' ପରଠୁଁ ତୁମ ସହ ଯୋଡି ହେଲି ନୂଆ ପରିଚୟ ନେଇ, ସମ୍ପର୍କର ବୟସ ବଢି ଚାଲିଲା।
ଆମର ଅନେକ ଆଲୋଚନାର ନିଷ୍କର୍ଷ ଲକ୍ଷ୍ମଣରେଖା ଠାରୁ ଉପରକୁ ଛୁଇଁଲା। ଏଣେ ଲୁଚିଛପି ପ୍ରତ୍ୟେକ ମୁହୂର୍ତ୍ତର ଦସ୍ତଖତ ରଖୁଥିଲା ସମୟ, ଆମ ନିବିଡତାର ଫର୍ଦ୍ଦ ପୁଞ୍ଜରେ। କେମିତି ଥିଲା ଏହାର ଆରମ୍ଭ! ରିଭର୍ସ ମାରିବା ମାତ୍ରେ ତୁମର ଛୋଟ ଛୋଟ ଅସ୍ପଷ୍ଟ କଥା ମୋତେ ବିଚଳିତ କରିଦିଏ, ମୁଁ ଶୁଣିବାକୁ ପାଗଳ ହେଇଯାଏ। ଖୁବ୍ ମନେପକାଏ, ଆଶା ରଖେ ତୁମେ ପ୍ରତିଦିନ ଟିକେ ଟିକେ କିଛି କିଛି କହିବ। ସେହି ପରିକଳ୍ପିତ ରାସ୍ତାରେ ମୋ’ ସହ ତୁମେ ବି ଥିଲ। ତୁମେ ଅଟକି ଗଲେ ମୁଁ ବିବ୍ରତ ହେଇ ଯାଉଥିଲି। ଭାବୁଥିଲି, ତୁମେ ମୋତେ ଫୋନ୍ କରିବ। କିନ୍ତୁ ତୁମେ ଫୋନ୍ କରନି। ବାରମ୍ବାର ଆସନ୍ତାକାଲିର ଅପେକ୍ଷାରେ ମୁଁ ପତ୍ୟେକ ଦିନଗୁଡିକୁ ଆଡଜଷ୍ଟ କରି ନେଉଥିଲି।
ତୁମର ପ୍ରତ୍ୟେକ ଶବ୍ଦ ମୋ’ ଭିତରେ ପ୍ରତିଧ୍ୱନୀ ସୃଷ୍ଟି କରୁଥିଲା। ତୁମେ ମୋ’ ଠାରୁ କିଛି ଶୁଣୁଥିବା ସମୟରେ ବେଳେବେଳେ କୁହ, ‘କ'ଣ କରିବା’। ତୁମେ ଯେତେବେଳେ ମୋତେ ମିଶାଇ ‘ଆ-କାର’ ବ୍ୟବହାର କର, ମୋତେ ଲାଗେ, ସତରେ ମୁଁ ତୁମର। ହେଲେ ଭଲ ପାଇବା ଯେ ଏତେ ନିଷ୍ଠୁର, ଏକଥା ସମୟ ଶିଖାଇ ଦେଇଛି। ୮୦ କିଲୋମିଟର ମଧ୍ୟରେ ଥାଇ ମଧ୍ଯ ଆଜି ସୁଦ୍ଧା ଆମେ ଉଭୟଙ୍କ ଠାରୁ ବହୁ ଦୂରରେ। ବାସ୍ତବତା ମୋ’ ଆଡକୁ ଚାହିଁ ନିରେଖି ହସୁଥିଲେ ମଧ୍ୟ ସମ୍ପର୍କର ଅନୁଭବ ମୋ’ ମନ କୁ ମଜବୁତ୍ କରିଛି। ଆଖି ଖୋଲିବା ଠାରୁ ବନ୍ଦ ହେବା ପର୍ଯ୍ୟନ୍ତ ମୁଁ ମନଭରି ତୁମକୁ ଦେଖୁଛି। ଜାଣେନି କେବେ ଏହି ଯନ୍ତ୍ରଣା ତୁମ ମନକୁ ଛୁଇଁବ। ତୁମେ ମୋ’ ପାଇଁ ଅଦୃଶ୍ୟ, କେବଳ ମୋ’ କଳ୍ପନାର ଏକ ପ୍ରତିବିମ୍ବ।
ପ୍ରତିଶୃତି
ମୁଁ କଳ୍ପନା କରୁଥିଲି, ତୁମ ସହ ସମ୍ପର୍କର ଖିଅ ଏତେ ମଜବୁତ୍ ହେଉ, ଯାହା ଈଶ୍ୱରଙ୍କ ଇଚ୍ଛା ବିନା କେବେ ଅନ୍ୟ କାହାର ଚେଷ୍ଟାରେ ଛିଣ୍ଡି ନଯାଉ। ତୁମେ ଏତେ ଦିନ ଧରି ମୋତେ ଟଲରେଟ୍ କରିଥିଲ। ସେଥିପାଇଁ ତୁମେ ପରୀକ୍ଷା ପରେ ପରୀକ୍ଷାର ସାମ୍ନା କରୁଛ। ତୁମ ଆଗରେ ତୁମ ପରିବାର ଓ ମୁଁ। ଏଇ ଦୁଇଟି ସମସ୍ୟାରୁ ଗୋଟିଏ ଚିରାଚରିତ; ଯେଉଁଥିରେ ସୁଖ ଦୁଃଖ, ଆଶା, ସ୍ୱପ୍ନ ଆଉ ଭବିଷ୍ୟତ ଜଡିତ ଥିଲା। ଅନ୍ୟ ସମସ୍ୟାଟି ମୁଁ। ଅନିଚ୍ଛା ସତ୍ୱେ ତୁମକୁ ଜଣାଇବାକୁ ପଡୁଛି, ତୁମ ପାଇଁ ମୋ’ ଭଳି ଜଣେ ବନ୍ଧୁର ଆବଶ୍ୟକତା ନଥିଲା।
ମୋ’ ହରକତ୍ ତୁମ ଜୀନା ହାରାମ୍ କରି ଚାଲିଥିଲା। ଆରମ୍ଭରୁ ଆମେ ସବୁ ଜାଣିଥିଲେ। ମୁଁ ଚାଲିବା ଆରମ୍ଭ କରିଥିଲି, ଲକ୍ଷସ୍ଥଳରେ ପହଞ୍ଚିବା ପାଇଁ ବେଗ ବଢାଇ ଦେଇଥିଲି। ବାସ୍, ଏହିଠାରୁ ଆରମ୍ଭ ହୋଇଥିଲା ସମସ୍ୟା। କିଛି ରାସ୍ତା ଅତିକ୍ରମ କରିବା ପରେ ତୁମକୁ ପଚାରିଥିଲି, ‘ଘରେ କିଛି ପ୍ରୋବଲେମ୍ ହେଉନି ତ’, ତୁମେ କୁହ ‘ଏବେ ତ ହେଇନି, ଆଗକୁ ହେବ’। ମୋଟାମୋଟି ଆମେ ଜାଣିଛେ ପ୍ରୋବଲେମ୍ ଆସିବ, ଏଇଟା ସ୍ୱାଭାବିକ। ଏଭଳି ବିଭିନ୍ନ ସମୟରେ ଅନେକ ମୋଡ ଦେଇ ଏକାଧିକ ହମ୍ପସ୍ ପାର କରି ମୁଁ ଚାଲିବା ଜାରି ରଖିବାବେଳେ ତୁମ ପ୍ରତିଶୃତି ମୋ’ ମନରେ ସ୍ୱପ୍ନ ଭରି ଦେଉଥିଲା।
ମନକୁ ଆସୁଥିବା ଅନେକ ଉନ୍ମାଦନାର କୌଣସି ସ୍ୱର ନଥିଲା କିମ୍ବା ଶବ୍ଦ ବି ନଥିଲା, ବରଂ ଥିଲା ତୁମକୁ ନିକଟରୁ ଦେଖିବାର ଦୁର୍ବାର ଇଚ୍ଛା। ସମୟର କାଳଚକ୍ରରୁ ପାର ହେବା ଏତେ ସହଜ ନୁହେଁ, ଏସବୁ ସ୍ପଷ୍ଟ ଭାବେ ମୁଁ ଅନୁଭବ କରିଛି। ମନର ପରିଭାଷାକୁ ଓପାଡି ଫୋପାଡି ଦେବା ଏତେ ସହଜ ନୁହେଁ। ସବୁ ଘଟଣା ତୁମେ ଆଉ ମୁଁ ଜାଣି ପାରୁଛେ। ଖୁବ୍ ଚେଷ୍ଟା ବି କରିଥିଲେ ସବୁକିଛି ଆୟତ କରିବା ପାଇଁ। ଜୀବନଜୀବୀକାର ଗତାନୁଗତିକ ପଦ୍ଧତି ଯେଉଁ ନୂଆ ପରିଚୟର ଅନୁସନ୍ଧାନ ପାଇଥିଲା, ତାହା ଆମ ଭଳି ପରିପକ୍ୱମାନଙ୍କ ମନକୁ ନିଶ୍ଚୟ ଶାନ୍ୱନା ଦେଉଛି।
ମୁଁ ଦିନେ ଶପଥ ନେଇଥିଲି, ଯେତେ ବାଧାବିଘ୍ନ ଆସୁନା କାହିଁକି ମୁଁ ପଥଭ୍ରଷ୍ଟ ହେବିନି। ତୁମେ କେବେ ସ୍ୱପ୍ନରେ କିମ୍ବା ଜାଗ୍ରତ ଅବସ୍ଥାରେ ମୋତେ ଭଲ ପାଅ କି ନାହିଁ ଜାଣେନି, ହେଲେ ତୁମ ଭଲପାଇବା ମୁଁ ବାରମ୍ବାର ଅନୁଭବ କରିଛି। ମୋ’ ଭିତରେ ତୁମ ପ୍ରତି ବହୁ ସମ୍ନାନ ଥିଲା, ତୁମର ସମ୍ନାନହାନି ହେବା ଭଳି ଘଟଣାର ସୂତ୍ରପାତ ହେବା ମାତ୍ରେ ମୋ'ର ବଞ୍ଚି ରହିବାର କୌଣସି ଆବଶ୍ୟକତା ମୁଁ ମନେ କରୁନଥିଲି। ତୁମକୁ କଥା ଦେଇଥିଲି; ତୁମେ ନିଶ୍ଚିତ ରୁହ, କେବେ କୌଣସି ବି ପରିସ୍ଥିତିରେ ମନକୁ ଭାରାକ୍ରାନ୍ତ କରନି, ମୁଁ ବଞ୍ଚିଥିବା ଯାଏଁ ତୁମର କୌଣସି କ୍ଷତି ହେବାକୁ ଦେବିନି।
ଆମେ ମିତ୍ରତାର ସମ୍ପର୍କ ଯୋଡି ଥିଲେ। ଏଥିପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି; ମହାବାହୁ, ମୋ’ର ଏତିକି ନିବେଦନ ରଖନ୍ତୁ, ମୋର ମୃତ୍ୟୁ ପରେ ମୁଁ ମୋ’ ପାଇଁ କୀଟ, ପତଙ୍ଗ, ପଶୁ, ପକ୍ଷୀ. ଦେବଦାନବ କିମ୍ବା ବାରମ୍ବାର ମନୁଷ୍ୟ ଜନ୍ମ ପାଇବା ପାଇଁ କେବେ ଅଭିଳାଷ ରଖିନି। ବରଂ ମୋତେ ନିର୍ଜିବ କରିଦିଅନ୍ତୁ, ଶରଧାବାଲିର ବିନ୍ଦୁଏ ଧୂଳି କଣିକା କରି ଗରୁଡ ସ୍ତମ୍ଭ ତଳେ ମୋତେ ସ୍ଥାନ ଦିଅନ୍ତୁ। ଦିନେ ଯେଉଁଠି ମୋ’ ପ୍ରିୟା, ମୋ’ ଉପରେ ପାଦ ରଖି ଆପଣଙ୍କୁ ପ୍ରାର୍ଥନା କରିବେ। ମୋତେ ପିତଳ କଣିକାଟିଏ କରି ଆପଣଙ୍କ ସାମ୍ନାରେ ଝୁଲୁଥିବା ଘଣ୍ଟିରେ ସ୍ଥାନ ଦିଅନ୍ତୁ, ମୋ’ର ବିଶ୍ୱାସ ଅଛି, ସେ ଆପଣଙ୍କ ଦର୍ଶନ ଲାଗି ଆସିବାବେଳେ ପ୍ରଥମେ ମୁଁ ତାଙ୍କ ହାତର ସ୍ପର୍ଶ ଅନୁଭବ କରିବି।
ଭଲ ପାଇବାକୁ ସମାଜ କେବେ ସହ୍ୟ କରିନି; ମନରେ ପ୍ରଶ୍ନ ଆସେ, ଭଗବାନ ଭଲ ପାଇବାର ଭାବନାକୁ ହୃତପିଣ୍ଡରେ ଯୋଡନ୍ତି କାହିଁକି? ମୁଁ ତ କେବେ ମୋ’ ପ୍ରିୟାର ଚେହେରାକୁ ନେଇ ରଙ୍ଗୀନ୍ ସ୍ୱପ୍ନ ଦେଖିନି, କିମ୍ବା କେବେ ଅନୁଭବ କରିନି ଯେ, ସେ ତାଙ୍କ ମନରେ ମୋ’ ପ୍ରତି କିଛି ଦୁର୍ବଳତା ରଖିଛନ୍ତି ବୋଲି। ମୋ’ ଅନୁଭବ କହୁଛି, ସେ ତୁଳସୀ ଭଳି ପବିତ୍ର। ମୁଁ କେବେ ବି ତାଙ୍କ ରାସ୍ତାରେ କଣ୍ଟା ହୋଇ ଠିଆ ହୋଇ ନଥିଲି। କାରଣ ବିନା ମତଲବରେ ଆମ ଭିତରେ ଗଢି ଉଠିଥିଲା ନିବିଡ ସମ୍ପର୍କ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ; ଆମ ଗପସପରେ ଦୀର୍ଘଦିନ କଟି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆମେ ଦୁହେଁ କେହି କାହାରିକୁ ଦେଖିନାହେଁ, ଏ ଭିତରେ ଅନେକ ବର୍ଷ ବିତି ଗଲାଣି, ତଥାପି କୌଣସି ଦିନ କେହି କାହାରିକୁ ଭିଡିଓ କଲିଂ ପାଇଁ ବାଧ୍ୟ କରିନେ। ଆଜି ମୁଁ କେମିତି ଅଛି, ତୁମେ କେମିତି ଅଛ, କେହି କାହାର ଖବର ରଖିନେ। ଏନେଇ ମନର ବ୍ୟାକୁଳତା ସତ୍ୱେ ମୁଁ ଆଦୌ ଧର୍ଯ୍ୟ ହରାଇନି। କାହିଁକିନା, ତୁମକୁ ଦେଇଥିବା ପ୍ରତିଶୃତି କାଳେ ମୋତେ କେବେ ପ୍ରଶ୍ନ କରିବ, ମୁଁ ତା'ର କି ଉତ୍ତର ଦେବି!
ଏବେବି ପବନରେ ଭାଷି ଆସୁଛି ତୁମ ଦେହର ବାସ୍ନା, ମୋ’ ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରୁଛି। ତୁମେ ମୋ’ ଚେତନାରେ ଯୋଡି ହେବା ମାତ୍ରେ ତୁମ ସ୍ପର୍ଶରେ ମୋ’ ଦେହ ଶିହରି ଉଠୁଛି। ମୋତେ ଅନୁଭବ ହେଉଛି ତୁମେ ଯେପରି ମୋ’ ଚାରିପାଖରେ ଘୁରି ବୁଲୁଛ। ମୋ’ର ଏତେ ଆସ୍ପର୍ଦ୍ଧା ସତ୍ୱେ ଯେତେବେଳେ ତୁମେ ମୋ’ ଆଖି ସାମ୍ନାରୁ ସାମାନ୍ୟ ଟିକେ ଦୂରେଇ ଯାଉଛ, ମୋତେ ଲାଗେ ମୋ’ କପାଳ ଫାଟି ଯାଉଛି। ମୁଁ ହଜି ଯିବାକୁ ଚାହୁଁଛି ତୁମ ସ୍ୱପ୍ନରେ। ହେଲେ ମୋ' ଇନଟ୍ୟୁସନ୍ ମୋତେ ଉସକାଉଛି, ଆମ ପ୍ରେମ ଆଉ ପ୍ରତିକ୍ରିୟା, ତୁମ ପ୍ରତିବିମ୍ବ ଓ ପ୍ରତିଶୃତି, ସବୁ ଥିଲା ଯେପରି ସ୍ଵପ୍ନ ବିଭ୍ରମ ...
Email:editor.suvbharattimes@gmail.com
What's Your Reaction?




