ଆଇ.ପି.ଭି : ନାରୀମାନଙ୍କ ପାଇଁ ବଢ଼ି ଚାଲିଥିବା ଏକ ବିପଦ

ଅପରାଧ କେବଳ ଜଣେ ମହିଳାଙ୍କ ମୌଳିକ ଅଧିକାରର କ୍ଷୁର୍ଣ୍ଣ କରିନଥାଏ, ବରଂ ଏହା ତାଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରିଥାଏ। ପ୍ରକାରନ୍ତରେ ସାମାଜିକ ସ୍ତରରେ ମଧ୍ୟ “ଇଣ୍ଟିମେଟ୍ ପାର୍ଟନର ଭାଓଲେନ୍ସ” ଏକ ବୋଝ ସାବ୍ୟସ୍ତ ହୋଇଛି।

Mar 12, 2023 - 07:19
ଆଇ.ପି.ଭି : ନାରୀମାନଙ୍କ ପାଇଁ ବଢ଼ି ଚାଲିଥିବା ଏକ ବିପଦ
Remix : Suv Bharat Times

ପ୍ରେମିକାଙ୍କ ଘର ଲୋକେ ବିବାହ ପାଇଁ ରାଜି ହେଲେନି। ଏଇ କଥା କହି ଝିଅଟି ଯେତେବେଳେ ପ୍ରେମିକଙ୍କୁ ବିବାହ କରିବାକୁ ମନା କଲେ ସେତେବେଳେ ଉତକ୍ଷିପ୍ତ ପ୍ରେମିକ ତାଙ୍କୁ ଆକ୍ରମଣ କରି ବାରମ୍ବାର ଛୁରୀ ଭୁଷିବାରେ ଲାଗିଲେ ଏବଂ ଏଇ ଦୁର୍ଘଟଣାରେ ପ୍ରେମିକା ପ୍ରାଣ ହରାଇଲେ (ବେଙ୍ଗାଲୁରୁ)। ସେହିପରି ଏକ ଆପାର୍ଟମେଣ୍ଟ ପାଚେରୀ କଡ଼ରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହେଲା। ପୋଲିସ୍ ତଦନ୍ତରୁ ଜଣାପଡ଼ିଲା ଯେ, ଘରୋଇ ସହାୟିକା ଭାବେ କାମ କରୁଥିବା ସେହି ମହିଳାଙ୍କର ପୁରୁଷ ବନ୍ଧୁ ହିଁ ଘଟଣାର ଅଭିଯୁକ୍ତ (ଭୁବନେଶ୍ୱର)। ସେମିତି ଜଣେ ମହିଳାଙ୍କ ମୃତଦେହ ତାଙ୍କ ଘରେ ଥିବା ବେଡ୍ ବକ୍ସ ଭିତରୁ ମିଳିଲା। ପରେ ତଦନ୍ତରୁ ତାଙ୍କୁ ତାଙ୍କ ଲିଭ୍ ଇନ୍ ପାର୍ଟନର ମାରିଥିବା ପୋଲିସ୍ ଜାଣିବାକୁ ପାଇଲା (ନାଲାସୋପାରା, ମହାରାଷ୍ଟ୍ର)। ନିକଟରେ ଘଟିଥିବା ସମ୍ପୃକ୍ତ ୩ଟି ବର୍ବର ହତ୍ୟାକାଣ୍ଡ ବ୍ୟତୀତ ଏବେ ଏବେ ଘଟି ଯାଇଥିବା ଚର୍ଚ୍ଚିତ ନିକୀ ଯାଦବ ହତ୍ୟାକାଣ୍ଡ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣିଥିବେ। ପୋଲିସ୍ ଛାନଭିନ ପରେ ଜଣାଗଲା ଘଟଣାର ଖଳନାୟକ ନିକୀଙ୍କ ପୁରୁଷ ବନ୍ଧୁ ସାହିଲ୍, ଯାହାଙ୍କୁ ନିକୀ ବିବାହ କରିଥିଲେ। ଅଭିଯୁକ୍ତ କାର୍ ଡାଟା କେବୁଲ୍ ସହାୟତାରେ ନିକୀଙ୍କ ଗଳା ଚିପି ହତ୍ୟା କଲା ଓ ମୃତଦେହକୁ ଏକ ଢାବାର ଫ୍ରିଜରରେ ରଖି ପରିବାର ଲୋକଙ୍କ ସମର୍ଥନରେ ନିଜେ ଅନ୍ୟତ୍ର ବିବାହ କରିବାର ଯୋଜନା ମଧ୍ୟ କରିଥିଲା।

ଏସବୁ ଘଟଣାର ଅଳ୍ପ କିଛି ମାସ ଆଗରୁ ଦିଲ୍ଲୀ ମେହେରୋଲିର ଶ୍ରଦ୍ଧା ହତ୍ୟା ମାମଲା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ତେବେ ଏଭଳି ହୃଦୟ ବିଦାରକ ହତ୍ୟା ମାମଲା ସଂକ୍ରାନ୍ତରେ ମୋ’ କହିବାର ଉଦ୍ଦେଶ୍ୟ ହେଲା ସ୍ୱାମୀ, ପ୍ରେମିକ ଓ ଲିଭ୍ ଇନ୍ ପୁରୁଷ ବନ୍ଧୁଙ୍କ ଭଳି ଅତି ଅନ୍ତରଙ୍ଗ ସାଥୀଙ୍କ ପକ୍ଷରୁ ଦିନକୁ ଦିନ ମହିଳାମାନଙ୍କ ପ୍ରତି ବଢ଼ି ଚାଲିଥିବା ବିପଦ ଏବଂ ଅପରାଧ ବିଷୟରେ ସଚେତନ କରାଇବା। ଏସବୁକୁ କୁହାଯାଏ ‘ଇଣ୍ଟିମେଣ୍ଟ୍ ପାର୍ଟନର ଭାଓଲେନ୍ସ'(ଆଇ.ପି.ଭି)। ପ୍ରତିବର୍ଷ ମହିଳାମାନଙ୍କ କ୍ଷେତ୍ରରେ ଏଭଳି ଅପରାଧର ମାତ୍ରା ବହୁଳ ଭାବେ ବୃଦ୍ଧି ପାଉଥିବା ଏବେ ସମାଜବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି।

ବିଶ୍ୱରେ ଅନ୍ତତଃ ପ୍ରତି ୩ ଜଣରେ ଜଣେ ମହିଳା ନିଜ ଜୀବନକାଳରେ ସ୍ୱାମୀ, ପୁରୁଷ ବନ୍ଧୁ କିମ୍ବା ପାର୍ଟନରଙ୍କ ଦ୍ୱାରା ଶାରୀରିକ, ଯୌନ କିମ୍ବା ଭାବପ୍ରବଣତା(ଇମୋସନାଲ୍) ବଶତଃ ଅତ୍ୟାଚାରର ଶିକାର ହୋଇଥାନ୍ତି। ପରିସଂଖ୍ୟାନ ଅନୁଯାୟୀ ଉତ୍ତର ଆମେରିକାରେ ଏଭଳି ମହିଳାଙ୍କ ସଂଖ୍ୟା ୨୧ ପ୍ରତିଶତ ହୋଇଥିବା ବେଳେ ୟୁରୋପ ଓ କେନ୍ଦ୍ରୀୟ ଏସିଆରେ ଏହି ସଂଖ୍ୟା ୨୯%, କାରିବିଆନ୍ ଅଞ୍ଚଳରେ ୩୩%, ଦକ୍ଷିଣ ଏସିଆରେ ଏଭଳି ହିଂସା ବଶବର୍ତ୍ତୀ ମହିଳାଙ୍କ ସଂଖ୍ୟା ୪୩% ହୋଇଥାଏ। ଅର୍ଥାତ୍ ଏସବୁ ହିଂସା ଘଟିବା କିମ୍ବା ନଘଟିବା ପଛରେ କୌଣସି ଅଞ୍ଚଳର ବା ଦେଶର ସାମାଜିକ ବିଧି ବ୍ୟବସ୍ଥା ତଥା ତା’ର ଲୋକମାନଙ୍କ ସାମୂହିକ ବିକାଶ ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ। ତେବେ ଯାହା ହେଉନା କାହିଁକି, ମହିଳା ଓ ବାଳିକା ବିରୋଧୀ ସମସ୍ତ ହିଂସା ବା “ଭାଓଲେନ୍ସ ଏଗେନଷ୍ଟ୍ ୱିମେନ୍ ଆଣ୍ଡ୍ ଗର୍ଲ୍ସ” ମଧ୍ୟରୁ ନିଜ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ଅତ୍ୟାଚାରିତ ମହିଳାମାନଙ୍କ ମାନସିକ ସ୍ଥିତି ସବୁଠାରୁ ଦୀର୍ଘସ୍ଥାୟୀ ଓ ଗଭୀର ଭାବେ ପ୍ରଭାବିତ ହୋଇଥାଏ।

ଅପରାଧ କେବଳ ଜଣେ ମହିଳାଙ୍କ ମୌଳିକ ଅଧିକାରର କ୍ଷୁର୍ଣ୍ଣ କରିନଥାଏ, ବରଂ ଏହା ତାଙ୍କର ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରିଥାଏ। ସାମାଜିକ ସ୍ତରରେ ମଧ୍ୟ “ଇଣ୍ଟିମେଟ୍ ପାର୍ଟନର ଭାଓଲେନ୍ସ” ଏକ ବୋଝ ସାବ୍ୟସ୍ତ ହୋଇଛି। ହିସାବ ଅନୁଯାୟୀ, ଆଇ.ପି.ଭି କୌଣସି ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ୩.୭% ଯାଏ ହ୍ରାସ ଘଟାଇ ପାରେ। ଅବଶ୍ୟ ଖୁସିର କଥା ଯେ, ଗତ ୪୦ବର୍ଷ ମଧ୍ୟରେ ଗୋଟିଏରୁ ବଢ଼ି ୧୦୦ଟି ଦେଶରେ ଏବେ ଆଇ.ପି.ଭି ବିରୋଧୀ ଆଇନ ସୃଷ୍ଟି କରାଯାଇଛି। ତଥାପି ଏଯାଏ ବହୁ ଦେଶରେ ମ୍ୟାରିଟାଲ୍ ରେପ୍ ଭଳି ବଳପୂର୍ବକ ଯୌନ ସମ୍ପର୍କକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ। ତେଣୁ “ଆଇ.ପି.ଭି”କୁ ସମ୍ପୂର୍ଣ୍ଣ ପ୍ରତିହତ କରିବା ଏବେବି ଏକ ଅସମ୍ଭବ ବ୍ୟାପାର ହୋଇ ରହିଛି।

ଆମ ଦେଶରେ ମଧ୍ୟ ଏଭଳି ମହିଳା ବିରୋଧୀ ଅପରାଧର ସ୍ଥିତି ଅତି ସଙ୍ଗୀନ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧ରେ ଆମ ଦେଶରେ ବଳାତ୍କାର, ବଳାତ୍କାର ଓ ହତ୍ୟା, ଯୌତୁକ ଜନିତ ଅତ୍ୟାଚାର, ଅପହରଣ, ଯୋର୍ ଜବରଦସ୍ତ ବିବାହ, ମହିଳା ଚାଲାଣ ଏବଂ ଅନଲାଇନ୍ ହାରାସମେଣ୍ଟ୍ ଭଳି ଅନ୍ତତଃ ୪ ଲକ୍ଷ ମହିଳା-ବିରୋଧୀ ହିଂସା ମାମଲା ଘଟିଛି। ବିଶ୍ଵସ୍ତରୀୟ ସ୍ଥିତି ଭଳି ଭାରତରେ ମଧ୍ୟ ପ୍ରାୟ ପ୍ରତି ୩ ଜଣରେ ଜଣେ ମହିଳା ନିଜ ଅନ୍ତରଙ୍ଗ ସାଥୀଙ୍କ ଦ୍ୱାରା ବିଭିନ୍ନ ମାନସିକ, ଶାରୀରିକ ଓ ଯୌନ ହିଂସାର ଶିକାର ହୋଇଥାନ୍ତି। ତେବେ ଏଇ ତଥ୍ୟ ମଧ୍ୟ ସ୍ଵୟଂସମ୍ପୂର୍ଣ୍ଣ ନୁହେଁ। “ଦ ଜର୍ନାଲ୍ ଅଫ୍ ଏପିଡେମିଓଲୋଜି ଏଣ୍ଡ୍ କମ୍ୟୁନିଟି ହେଲଥ୍” ଅନୁଯାୟୀ, ଆଇ.ପି.ଭି ମାମଲା ଏତେ ବ୍ୟାପକ ହୋଇଥିଲେ ମଧ୍ୟ ଏଭଳି ପ୍ରତି ୧୦ଟି ମାମଲାରୁ ମାତ୍ର ଗୋଟିଏ ସମ୍ପର୍କରେ ହିଁ ରିପୋର୍ଟ କରାଯାଇଥାଏ। ଏଥିରୁ ଜଣାପଡ଼େ ଯେ ଏଭଳି ଅଧିକାଂଶ ଘଟଣା ଆଦୌ ଲୋକଲୋଚନକୁ ଆସି ପାରେ ନାହିଁ।

କୋଲକାତାର ଶ୍ରୀମୟୀ ପିୟୁ କୁଣ୍ଡୁ, ଯିଏକି ନିଜେ “ଆଇ.ପି.ଭି”ର ଶିକାର, ଜଣେ ବେଷ୍ଟ୍ ସେଲିଂଗ୍ ଲେଖିକା ଓ ‘ଷ୍ଟାଟସ୍ ସିଙ୍ଗଲ୍’ ନାମକ ଏକ କମ୍ୟୁନିଟିର ପ୍ରତିଷ୍ଠାତା ଭାବରେ ଖୁବ ପରିଚିତ। ଶ୍ରୀମୟୀ କୁହନ୍ତି, ଗୋଟେ ଅନ୍ତରଙ୍ଗ ସମ୍ପର୍କ ମଧ୍ୟରେ ଜଣେ ମହିଳା ଯଦି ନିଜ ସାଥୀଙ୍କ ଦ୍ୱାରା ସବୁବେଳେ ଅବହେଳିତ ଏବଂ ମେଡିକାଲ ଏମରଜେନ୍ସି ସମୟରେ ନିଜ ସାଥୀଙ୍କ ପକ୍ଷରୁ ଯତ୍ନ ଅଭାବର ଅନୁଭବ କରନ୍ତି ତେବେ ସେ ଏକାକୀତ୍ୱ ଓ ନ୍ୟୂନବୋଧରେ ପୀଡ଼ିତ ହେବାର ଆଶଙ୍କା ବଢ଼ିଯାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଷ୍ଟାଟସ୍ ସିଙ୍ଗଲ୍’ର ବହୁ ସଭ୍ୟ ନିଜ ସାଥୀଙ୍କ ଦ୍ୱାରା ଯାବଡା ମାଡଠୁ ଆରମ୍ଭ କରି ତାଙ୍କ ଭୀଷଣ କ୍ରୋଧ ବା ଆକ୍ରୋଶକୁ ସହ୍ୟ କରିବା, ପର୍ଣ୍ଣୋଗ୍ରାଫି ଭିତ୍ତିକ ଯୌନ ଉତ୍ପୀଡନ ଓ ବଡି ସେମିଂ(ଶାରୀରିକ ଗଠନରେ ଖୁଣ ବାହାର କରିବା) ଆଦିର ଶିକାର ହୋଇସାରିଛନ୍ତି। ଶ୍ରୀମୟୀଙ୍କ ମତରେ, ଆମ ସମାଜରେ କେହି ବି ଆମ ମହିଳାମାନଙ୍କୁ ଗୋଟିଏ ବିଷାକ୍ତ ସମ୍ପର୍କ(ଟକ୍ସିକ୍ ରିଲେସନସିପ୍)ରେ ଥିବା ମାନସିକ ନିର୍ଯାତନା (ଇମୋସନାଲ୍ ଆବ୍ୟୁସ୍)ର ବିଷ ବଳୟ ମଧ୍ୟରୁ କିପରି ବାହାରି ଆସି ହେବ ସେ ନେଇ ଶିକ୍ଷା ଦେଇ ନଥାନ୍ତି। ତେଣୁ ମହିଳାମାନଙ୍କୁ ଏଭଳି ଏକ ସମ୍ପର୍କରୁ ପ୍ରମାଣ ସଂଗ୍ରହ ମାଧ୍ୟମରେ କିଭଳି ବାହାରି ଆସି ହେବ ସେ ନେଇ ଏକ ସଠିକ୍ ଏକ୍ଜିଟ୍ ଷ୍ଟ୍ରାଟେଜି ଶିଖାଇବାର ଆବଶ୍ୟକତା ରହିଛି।

ଆଣ୍ଟି ସ୍ଲାଭେରି, ସେକ୍ସୁଆଲ୍ ଆଣ୍ଡ୍ ଜେଣ୍ଡର ରାଇଟ୍ସ ଆକ୍ଟିଭିଷ୍ଟ୍ ତଥା ‘ଲଭ୍ ମ୍ୟାଟର୍ସ’ ସଂସ୍ଥା, “ଏ ସେକ୍ସୁଆଲ୍ ଏଣ୍ଡ୍ ରିପ୍ରଡକ୍ଟିଭ୍ ହେଲଥ୍ ଏଣ୍ଡ୍ ରାଇଟସ୍ ଇନଫର୍ମେସନ୍ ପ୍ଲାଟଫର୍ମ”ର ସହ ପ୍ରତିଷ୍ଠାତା ବିଥିକା ଯାଦବଙ୍କ କହିବା ଅନୁଯାୟୀ, ଆମ ଲୋକପ୍ରିୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ମହିଳାମାନଙ୍କୁ ଏକ ଭ୍ରମାତ୍ମକ ଚିନ୍ତାଧାରାର ଶିକାର କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଉଦାହରଣ ଦେବାକୁ ଯାଇ ସେ କୁହନ୍ତି, ବହୁସଂଖ୍ୟକ ଧାରାବାହିକରେ ଜଣେ ମହିଳାଙ୍କୁ ନିଜ ସାଥୀଙ୍କ ସଚ୍ଚା ପ୍ରେମ ପାଇବା ପାଇଁ ସମ୍ପୃକ୍ତ ସ୍ୱାମୀ କିମ୍ବା ପ୍ରେମୀଙ୍କ ସବୁ ପ୍ରକାର ଗାଳିମନ୍ଦ ଓ ଅତ୍ୟାଚାର ସହୁଥିବା ଦର୍ଶାଯାଇଥାଏ। ଏହା ସାଧାରଣତଃ ଏକ ଧାରଣା ସୃଷ୍ଟି କରିଥାଏ ଯେ ଜଣେ ମହିଳା ଏଭଳି କରିବା ଦ୍ୱାରା ତାଙ୍କ ଅହଙ୍କାରୀ ଓ କ୍ରୋଧୀ ସାଥୀ ଜଣଙ୍କ ବଦଳି ଯିବେ ଓ ଏହା ହିଁ ପ୍ରେମର ପରାକାଷ୍ଠା। ପ୍ରକାରାନ୍ତରେ ଏହାକୁ ତାଙ୍କ ସଚ୍ଚୋଟ ପ୍ରେମ ବୋଲି ଅଭିହିତ କରାଯାଇଥାଏ। କିନ୍ତୁ, ବାସ୍ତବ କ୍ଷେତ୍ରରେ ଏଭଳି ହୋଇ ନଥାଏ।

ଶ୍ରୀମୟୀ ଓ ବିଥିକାଙ୍କ ଭଳି “ଇନିସିଏଟିଭ୍ ଫର୍ ହ୍ୱାଟ ୱାର୍କସ ଟୁ ଆଡଭାନ୍ସ ଓମେନ୍ ଏଣ୍ଡ୍ ଗର୍ଲସ୍ ଇନ ଦ ଇକୋନୋମୀ”(ଆଇ.ଡବଲ୍ୟୁ.ଡବଲ୍ୟୁ.ଏ.ଡବଲ୍ୟୁ.ଜି.ଇ)ର ଅଲ୍ପାକ୍ଷୀ କାଶ୍ୟପଙ୍କ ମତରେ ଆମ ଭଳି ଏକ ପୁରୁଷ ପ୍ରଧାନ ସମାଜରେ ପୁରୁଷମାନଙ୍କୁ ପ୍ରାଧାନ୍ୟ ଦିଆଯିବା ଏକ ଅତି ସାଧାରଣ କଥା। ଆମମାନଙ୍କ ପରିବାର, ସମାଜ ଓ ସାଂସ୍କୃତିକ ବାତାବରଣ ଆମ ଭିତରର ଏଇ ବଦ୍ଧମୂଳ ଧାରଣାକୁ ଦୃଢ଼ୀଭୂତ କରିଥାଏ ଯେ, ପୁରୁଷମାନେ ମହିଳାଙ୍କ ଅପେକ୍ଷା ଶ୍ରେଷ୍ଠ। ଏବେ ବି ଅଧିକାଂଶ ମହିଳା ନିଜ ସ୍ୱାମୀଙ୍କ ଉପରେ ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ ହେବା ଏଇ ଚିନ୍ତାଧାରାକୁ ଅଧିକ ବଳ ଯୋଗାଇବା ସହ ଅର୍ଥନୀତିକ ନିର୍ଭରଶୀଳତା ଜନିତ ଅପରାଧ ବୃଦ୍ଧି ଘଟାଇଥାଏ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରତିଦିନ ଆମ ଦେଶରେ କେବଳ ପ୍ରେମକୁ ନେଇ ପ୍ରାୟ ୮ଟି ହତ୍ୟା ସଂଘଟିତ ହେଉଥିବା ବେଳେ ପାଖାପାଖି ୨୧ଟି ପ୍ରେମଜନୀତ ଆତ୍ମହତ୍ୟା ମାମଲା ଘଟିଥାଏ। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ(ଏନ୍.ସି.ଆର.ବି) ରିପୋର୍ଟ ଅନୁସାରେ ୨୦୨୧ରେ ଦେଶରେ ଘଟିଥିବା ମୋଟ ପ୍ରାୟ ୩୦ହଜାର ହତ୍ୟା ମାମଲା ମଧ୍ୟରୁ ଅନ୍ତତଃ ୧,୬୦୦ଟି ମାମଲା(ପାଖାପାଖି ୧୧%) ପ୍ରେମ-ପ୍ରତାରଣା ଓ ଅନୈତିକ ସମ୍ପର୍କ ଜନିତ ଥିଲା। ଅର୍ଥାତ୍ ଦେଶରେ ଘଟିଥିବା ପ୍ରତି ୧୦ଟି ହତ୍ୟା ମାମଲା ମଧ୍ୟରୁ ପ୍ରାୟ ଗୋଟିଏ ମାମଲା ଥିଲା ଏହିଭଳି। ସେମିତି ଗତବର୍ଷ ୨୮ହଜାର ମହିଳାଙ୍କୁ ଜୋର୍ ଜବରଦସ୍ତି ବିବାହ ଉଦ୍ଦେଶ୍ୟରେ ଅପହରଣ କରାଯାଇଥିବା ବେଳେ ୧୩ ହଜାର ମହିଳା ନିଜ ଇପ୍ସିତ ପ୍ରେମରୁ ବଞ୍ଚିତ ହେବା କାରଣରୁ ଆତ୍ମହତ୍ୟା କରିଛନ୍ତି।

୨୦୧୪ ମସିହାରୁ ଏପର୍ଯ୍ୟନ୍ତ ପ୍ରେମ ଓ ପ୍ରତାରଣା ଜନିତ ହତ୍ୟା ମାମଲା ପ୍ରାୟ ୪୮% ବୃଦ୍ଧି ଘଟିଛି। ଆଇ.ପି.ଭି ସମ୍ପର୍କିତ ତଥ୍ୟ ଓ ପରିସଂଖ୍ୟାନ ବିଷୟରେ ତ ଜାଣିଲେ। ତେବେ ଏସବୁ ଏଇ ବିପଦକୁ ରୋକିବା ଦିଗରେ ଆମ ସାମାଜିକ ଚିନ୍ତନ ପ୍ରକ୍ରିୟା ବଦଳିବା ନିହାତି ଆବଶ୍ୟକ। ପାରିବାରିକ ସ୍ତରରୁ ହିଁ ଝିଅମାନଙ୍କୁ ସଚେତନ କରାଯିବା ଦରକାର ଯେ, ସେମାନେ କାହା ଉପରେ ବୋଝ ନୁହନ୍ତି। ସେମାନେ କିଭଳି ଗୋଟିଏ ଟକ୍ସିକ୍ ରିଲେସନସିପରୁ ବାହାରି ଆସିବେ ତଥା ସେଥିପାଇଁ କିଭଳି ମାନସିକ ସ୍ତରରେ ନିଜେ ସୁସ୍ଥ ରହିବା ଜରୁରୀ। ଏନେଇ ସଚେତନତା ବୃଦ୍ଧି ସହ ମହିଳାଙ୍କ ପାଇଁ ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଏକ ବଳିଷ୍ଠ ସପୋର୍ଟ ସିଷ୍ଟମ୍ ଗଠନର ବି ଆବଶ୍ୟକତା ରହିଛି। ସବୁ ପରେ ଏହି ବିପଦକୁ ପ୍ରତିହତ କରିବା ପାଇଁ ମହିଳାମାନେ ଶିକ୍ଷିତ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହେବା ମଧ୍ୟ ଜରୁରୀ।
Preetiprajna Pradhan, Bhubaneswar, Mob-9238999758 

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.