ଜୋକର୍ ନୁହେଁ ଡାଇନୋସୋର୍

ମୋର ବିଶ୍ୱାସ ହେଉନି ଯେ ‘କୁଲରୋଫୋବିଆ’ରେ ଆକ୍ରାନ୍ତ ନେତା ସେହି ଆଇଏଏସ ଅଧିକାରୀଙ୍କ କାର୍ଯ୍ୟରେ କେବେ ଅସନ୍ତୁଷ୍ଟ ଥିବେ । ହୁଏତ ଚାପରେ ପଡି ମିଛ କହୁଥିବେ, କିନ୍ତୁ ଅନ୍ତରାତ୍ମା ଏଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ସମ୍ମାନ ଜଣାଉଥିବ । ଡିଜିଟାଲ ଯୁଗରେ କେହି ଅନ୍ଧାରରେ ନାହାଁନ୍ତି, ରାଜ୍ୟରେ ସାର୍ଟିଫିକେଟଧାରୀଙ୍କ ସମେତ  ଅଳ୍ପ ପାଠ ପଢିଥିବା ବ୍ୟକ୍ତି ସମସ୍ତେ ସଚେତନ ।

Jun 16, 2026 - 11:13
ଜୋକର୍ ନୁହେଁ ଡାଇନୋସୋର୍
Not a Joker, but a dinosaur

ସନ୍ଦେହ ବଡ ଭୟଙ୍କର; ସନ୍ଦେହରେ ରହିବା ମାନସିକତା ଦୁର୍ବଳଙ୍କୁ ଆହୁରି ଦୁର୍ବଳ କରିଦିଏ, ମନୋବଳ ଭାଙ୍ଗିଦିଏ ଏବଂ ମନୁଷ୍ୟ ଧିରେ ଧିରେ ନିଜ ଉପରୁ ଆସ୍ଥା ହରାଇବା ସହ ନିଜ ନାମକୁ ସର୍ବହରାଙ୍କ ତାଲିକାରେ ଯୋଡ଼ିଦିଏ । ଓଡ଼ିଶା ରାଜନୈତିକ ମୈଦାନରେ ଏଭଳି କିଛି ଦୁର୍ବଳ ମିଜାଜ୍ ର ନେତାଙ୍କୁ ଦେଖିବାକୁ ମିଳୁଛି, ଯେଉଁମାନେ ନିଜର ଦୁର୍ବଳତା ଘୋଡାଇବାକୁ ଯାଇ ଅନ୍ୟ ମୁଣ୍ଡରେ ଦୋଷ ଲଦି ଦିଅନ୍ତି, ଜଣେ ଦକ୍ଷ ଅଧିକାରୀଙ୍କୁ ଜନମାନସରେ ଜୋକର୍ ସଜାଇ ଖୁବ୍ ମଜ୍ଜା ନିଅନ୍ତି ।

ବିଶ୍ଵ ଚିକିତ୍ସାବିଜ୍ଞାନ ଏଭଳି ପ୍ରବୃତ୍ତିକୁ ଏକ ରୋଗ ବୋଲି ଆଖ୍ୟା ଦେଇଛି, ଯାହା କୁଲରୋଫୋବିଆ (COOl-ruh-FOE-bee-uh) ଭାବରେ ଚିହ୍ନିତ । ଚିକିତ୍ସକଙ୍କ ମତରେ ବିଭିନ୍ନ ଫୋବିଆ ମଧ୍ୟରୁ ଗୋଟିଏ ହେଲା ‘କୁଲରୋଫୋବିଆ’, ଏହି ଶବ୍ଦଟି ପ୍ରଥମେ ୧୯୯୦ ମସିହା ଶେଷ ଭାଗରେ ଦେଖାଯାଇଥିଲା । ତଥ୍ୟରୁ ଜଣାଗଲା ‘କୁଲରୋଫୋବିଆ’ ହେଉଛି ଜୋକରଙ୍କ ପ୍ରତି ଏକ ଭୟ । ଯେଉଁମାନେ ଜୋକରଙ୍କୁ ଭୟ କରନ୍ତି ସେମାନେ ଯେତେବେଳେ ବ୍ୟକ୍ତିଗତ ଭାବରେ ଜୋକରମାନଙ୍କୁ ଦେଖନ୍ତି କିମ୍ବା ଜୋକରଙ୍କ ଫଟୋ କିମ୍ବା ଭିଡିଓ ଦେଖନ୍ତି, ସେମାନେ ଚରମ, ଅଯୌକ୍ତିକ ପ୍ରତିକ୍ରିୟା ଅନୁଭବ କରିପାରନ୍ତି, ଜୋକରଙ୍କ ସହିତ କୌଣସି ସମ୍ପର୍କ ଏଡାଇବା ପାଇଁ ନିଜର ପଥ ବାହାର କରିପାରନ୍ତି । ଚିକିତ୍ସକଙ୍କ ମତରେ ଜୋକରଙ୍କ ପ୍ରତି ଭୟ ଥିବା ବ୍ୟକ୍ତି ‘କୁଲରୋଫୋବିଆ’ରେ ଆକ୍ରାନ୍ତ ହୋଇଥାଏ ।

ଓଡ଼ିଶା ରାଜନୈତିକ ରଣାଙ୍ଗନରେ ‘କୁଲରୋଫୋବିଆ’ ରୋଗୀଙ୍କ ସଂଖ୍ୟା ମାତ୍ରାଧିକ, ଓଡ଼ିଶା ଏତେ ସଂକ୍ରମିତ ଯେ, ରୋଗୀଙ୍କ ସମ୍ପର୍କରେ ଆସୁଥିବା ବ୍ୟକ୍ତିବିଶେଷ ରୋଗ ଜିବାଣୁକୁ ମୂହୁର୍ତ୍ତକ ମଧ୍ୟରେ ନିଜ ଭିତରେ ସାଇତିବା ଭଳି ମନେ କରନ୍ତି । ‘କୁଲରୋଫୋବିଆ’ ରୋଗର ନିରାକରଣ ସଂକ୍ରାନ୍ତରେ କେତେକ ଶୁଭଚିନ୍ତକ କହିଲେ ରୋଗୀ ନିଜର ମାନସିକତା ଏବଂ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କଲେ ରୋଗମୁକ୍ତ ହେବ ।

ଧରିନିଅନ୍ତୁ ୨୦୦୭ ମସିହାରେ, ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଜିଲ୍ଲାକୁ ଚାରୋଟି ଜାତୀୟ ପୁରସ୍କାର ଦେବାରେ ସକ୍ଷମ ହୋଇଥିଲେ । ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଏମ.ଜି.ଏନ.ଆର.ଇ.ଜି.ଏସ କର୍ମୀଙ୍କ ପାଇଁ ସିଧାସଳଖ ବ୍ୟାଙ୍କ ପେମେଣ୍ଟ କାର୍ଯ୍ୟକାରୀ କରିବା, ବିକଳାଙ୍ଗ ବ୍ୟକ୍ତିଙ୍କ ପାଇଁ ପୁନର୍ବାସ ପଦକ୍ଷେପ ଗ୍ରହଣ କରିବା, ଏଚ.ଆଇ.ଭି ମାମଲା ହ୍ରାସ କରିବା ଏବଂ ଜମି ବର୍ଗୀକରଣ ଅସଙ୍ଗତିକୁ ସଂଶୋଧନ କରି ଚାଷୀମାନଙ୍କୁ ଲାଭ ପହଞ୍ଚାଇବା ଅନ୍ତର୍ଭୁକ୍ତ ଥିଲା । ଗଞ୍ଜାମ ଜିଲ୍ଲାପାଳ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ସମ୍ବନ୍ଧୀୟ ବ୍ୟବସ୍ଥା ପ୍ରଚଳନ କରିଥିଲେ, ଯାହା ରାଜ୍ୟବ୍ୟାପୀ 'ଜାଗା ମିଶନ' ପ୍ରକଳ୍ପକୁ ପ୍ରେରଣା ଦେଇଥିଲା । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଅମଳରେ ଓଡ଼ିଶାରେ ପାର୍ଟ ରେଜେଷ୍ଟ୍ରି କଟକଣା ପାଇଁ ଜମି କାରବାର ଠପ୍, ବୁଲଡୋଜର ମାଡରେ ବସ୍ତିବାସିନ୍ଦା ଘାଇଲା । ଏଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସଙ୍ଗ ଉଠିଲେ ରୋଗୀ କହୁଛନ୍ତି ସେ ଗୋଟେ ଜୋକର୍ ।

ଜୋକର୍ ପ୍ରସଙ୍ଗରେ ଚର୍ଚ୍ଚା ପରେ ଶୁଣିଲି, ୨୦୦୫ରେ ସମ୍ପୃକ୍ତ ଗଞ୍ଜାମ ଜିଲ୍ଲାପାଳଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଥିଲା । ସେହି ସମୟରେ ଭାରତର ସବୁଠାରୁ କନିଷ୍ଠ ଡିଷ୍ଟ୍ରିକ୍ଟ କଲେକ୍ଟରଙ୍କ ମଧ୍ୟରୁ ସେ ଥିଲେ ଜଣେ ଏବଂ ରାଜ୍ୟର ସର୍ବବୃହତ ଜିଲ୍ଲାର ଦାୟିତ୍ୱ ନେଇଥିଲେ । ସେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଏକ 'ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍' ପ୍ରଚଳନ କରିଥିଲେ । ଏହି ପଦକ୍ଷେପ ଦ୍ୱାରା ବାର୍ଷିକ ପ୍ରମାଣପତ୍ର ପ୍ରଦାନ ୭ଶହ ରୁ ୧୯ ହଜାରକୁ ବୃଦ୍ଧି ପାଇଥିଲା । ମୟୂରଭଞ୍ଜରେ ତାଙ୍କ କାର୍ଯ୍ୟ ପାଇଁ ସେ ଭାରତର ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ପାଇଥିଲେ ।

ଏହାର ସଫଳତା ପରେ, ପିଡବ୍ଲ୍ୟୁଡି ପ୍ରମାଣପତ୍ର ପାଇଁ ସିଙ୍ଗଲ୍ ୱିଣ୍ଡୋ ସିଷ୍ଟମ୍ ଏକ ଜାତୀୟ ମଡେଲ୍ ଭାବରେ ଗ୍ରହଣ କରାଗଲା, ଏହାକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ, ଏକମାତ୍ର ସରକାରୀ ଅଧିକାରୀ ଭାବେ ତାଙ୍କୁ ‘ହେଲେନ୍ କେଲର୍’ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ୨୦୧୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ତାଙ୍କୁ ନିଯୁକ୍ତ କରାଯାଇଥିଲା, ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ । ୨୦୧୯ରେ, ତାଙ୍କୁ ପରିବର୍ତ୍ତନମୂଳକ ପଦକ୍ଷେପର ସଚିବ ଭାବରେ ନିଯୁକ୍ତ କରାଯାଇଥିଲା; ଓଡ଼ିଶା ସରକାରଙ୍କ ଏହି ଶାସନ ମଡେଲ୍ ଯାହା ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା, ଦଳଗତ କାର୍ଯ୍ୟ, ସମୟ ଏବଂ ପରିବର୍ତ୍ତନ ଉପରେ କେନ୍ଦ୍ରିତ ଥିଲା ।

ମୋର ବିଶ୍ୱାସ ହେଉନି ଯେ ‘କୁଲରୋଫୋବିଆ’ରେ ଆକ୍ରାନ୍ତ ନେତା ସେହି ଆଇଏଏସ ଅଧିକାରୀଙ୍କ କାର୍ଯ୍ୟରେ କେବେ ଅସନ୍ତୁଷ୍ଟ ଥିବେ । ହୁଏତ ଚାପରେ ପଡି ମିଛ କହୁଥିବେ, କିନ୍ତୁ ଅନ୍ତରାତ୍ମା ଏଭଳି ଜଣେ ଦକ୍ଷ ଅଧିକାରୀଙ୍କୁ ସମ୍ମାନ ଜଣାଉଥିବ । ଡିଜିଟାଲ ଯୁଗରେ କେହି ଅନ୍ଧାରରେ ନାହାଁନ୍ତି, ରାଜ୍ୟରେ ସାର୍ଟିଫିକେଟଧାରୀଙ୍କ ସମେତ  ଅଳ୍ପ ପାଠ ପଢିଥିବା ବ୍ୟକ୍ତି ସମସ୍ତେ ସଚେତନ । ଯେତେବେଳେ ସରକାରଙ୍କ ସଫଳତା ଏବଂ ଚର୍ଚ୍ଚିତ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଲୋକାଭିମୁଖୀ ହେବାରେ ଲାଗିଲା ସେତେବେଳେ ‘କୁଲରୋଫୋବିଆ’ ରୋଗୀ କାମଧନ୍ଦା ଛାଡି ତାଙ୍କ କୁତ୍ସାରଟନାରେ ଲାଗିଗଲେ ।

ରାଜ୍ୟରେ ବିଜେଡ଼ିର ଶାସନ ଫର୍ମାଟ ଗ୍ରହଣୀୟ ହେବା ସହ ଜନସେବାର ଛବି ଜାତୀୟ ଗଣମାଧ୍ୟମରେ ସର୍ବଦା ଚର୍ଚ୍ଚାରେ ରହିଥିଲା । ତେଣୁ ଅକ୍ଟୋବର ୨୦୨୩ରେ ସେହି ଆଇଏଏସ ଅଧିକାରୀ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ୨୭ ନଭେମ୍ବର, ୨୦୨୩ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଯେହେତୁ ୨୦୨୪ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଗଲା, ସମ୍ପୃକ୍ତ ଅଧିକାରୀ ବିଜେଡ଼ିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ନେଲେ, ସେହି ଚର୍ଚ୍ଚିତ ଅଧିକାରୀ ହେଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍, ଯାହାଙ୍କ ରୁବାବ୍ ୨ ବର୍ଷର ବିଜେପି ସରକାର ଓ ପ୍ରଶାସନିକ କ୍ଷେତ୍ରରେ ଏବେବି ଜାରି ରହିଛି, ଏଥିପାଇଁ ‘କୁଲରୋଫୋବିଆ’ ରୋଗୀ କହୁଛନ୍ତି, ସେ ଜୋକର୍ ନୁହେଁ ଭାଇ, ଡାଇନୋସୋର୍ ।

Manoranjan Pattanaik Publisher & Editor, Suv Bharat Times