ନୀରବ ଶକ୍ତିର ରହସ୍ୟମୟ ଖେଳ

ବିଜେଡି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏହି ଦୁଇ ଦଳ "ଗୁଡ୍ କପ୍, ବ୍ୟାଡ୍ କପ୍" ଖେଳ ଖେଳୁଥିବାର ସନ୍ଦେହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିଛି ଏବଂ ବିଜେଡି ମଧ୍ୟରେ ଅସ୍ଥିରତାକୁ ଇନ୍ଧନ ଦେଉଛି, ଯଦ୍ଵାରା, ବିଜେଡ଼ି ଏହି ଗୁପ୍ତ ରଣନୀତିର ଶିକାର ହୋଇ ଅସ୍ତିତ୍ଵ ହରାଇବାକୁ ସ୍ଵାଗତ କରୁଛି ।

Aug 1, 2026 - 07:38
ନୀରବ ଶକ୍ତିର ରହସ୍ୟମୟ ଖେଳ
The mysterious play of silent power

ଓଡ଼ିଶାର ରାଜନୈତିକ ଦୃଶ୍ୟପଟ ଦୀର୍ଘ ଦିନ ଧରି ଜଟିଳ ମେଣ୍ଟ, ଗୁପ୍ତ ବୁଝାମଣା ଏବଂ ପ୍ରମୁଖ ନେତାଙ୍କ ରଣନୈତିକ ନୀରବତା ଦ୍ୱାରା ବର୍ଣ୍ଣିତ ଏକ ପ୍ରହେଳିକାମୟ ପରିବେଶ ସୃଷ୍ଟି କରିଛି । ଦେଶରେ ଛାତ୍ର ଓ ଯୁବଶକ୍ତିଙ୍କ ଆନ୍ଦୋଳନ, କେନ୍ଦ୍ର ସରକାର ବିରୁଦ୍ଧରେ ଭୟଙ୍କର ପ୍ରତିବାଦ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ ଗୁପ୍ତ ରାଜନୈତିକ କାରବାର ଅଭିଯୋଗ ସମେତ ସାମ୍ପ୍ରତିକ ଘଟଣାଗୁଡ଼ିକ ଓଡ଼ିଶାର ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଚାଲିଥିବା ଗୁପ୍ତ ବନ୍ଧୁବାସ ମଧ୍ୟରେ କେନ୍ଦ୍ରୀଭୂତ ଯାହା ଏକ ଅଦୃଶ୍ୟ ଉତ୍ତେଜନାର ବହ୍ନି ଭାବରେ ସଂଗଠନ ଭିତରେ କୁହୁଳିବାରେ ଲାଗିଛି । ଏହି ଜଟିଳ ସମ୍ପର୍କର ଖିଅ ଏକାଧାରରେ ବିଜେଡ଼ି ଏବଂ ଭଜପା ର ଅନେକ ନେତାଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି ।

ଭାରତରେ ଆନ୍ଦୋଳିତ ଯୁବ ନେତୃତ୍ୱାଧୀନ ପ୍ରତିବାଦର ପ୍ରଭାବ ଓଡ଼ିଶାବାସୀଙ୍କୁ କୌଣସି ଆଖିଦୃଶିଆ ଅନୁଭବ ଦେଇନାହିଁ। ଯେତେବେଳେ ଦେଶର ଲକ୍ଷ ଲକ୍ଷ ଛାତ୍ର ଶିକ୍ଷା ସଂସ୍କାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାରର ନକରାତ୍ମକ ଶାସନ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରୁଥିଲେ ସେତେବେଳେ ରାଜ୍ୟ ବିରୋଧୀଦଳ ଏନେଇ ଚୂପ୍ ରହିବା ଯୁବଶକ୍ତିଙ୍କୁ ଦ୍ଵନ୍ଦରେ ପକାଇଛି । ମୁଖ୍ୟତଃ ବିଜେଡ଼ିର ପୋଷ୍ଟର ଲେଡି ସୁଜାତା ରାଉତ ଯାହାଙ୍କୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଉତ୍ତରାଧିକାରୀ ଭାବରେ ଗୁପ୍ତରେ ଦାୟିତ୍ୱ ଅର୍ପଣ କରିବାକୁ ତିଥି ନକ୍ଷତ୍ର ଖୋଜୁଛନ୍ତି - ସେହି ଲେଡି ଲିଡର୍ ଦେଶର ବିଶାଳ ଛାତ୍ର ଆନ୍ଦୋଳନକୁ କିଭଳି ଦୃଷ୍ଟିରେ ଦେଖନ୍ତି ଏହା ସମାଲୋଚକଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି କରିଛି ।

ବିଜେଡ଼ି ନେତ୍ରୀ ସୁଜାତା ରାଉତଙ୍କ ନୀରବତା ସ୍ପଷ୍ଟ କରିଛି, ତାଙ୍କ ସ୍ଵାମୀ ଭି.କେ ପାଣ୍ଡିଆନ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଆଜିଯାଏଁ ମଜବୁତ ଅଛି । ଏହି କାରଣରୁ ନବୀନ ପଟ୍ଟନାୟକ ଛାତ୍ର ଆନ୍ଦୋଳନରେ ଦୀର୍ଘ ଦିନ ନୀରବ ରହିବା ପରେ ଧର୍ମେନ୍ଦ୍ରଙ୍କ ଇସ୍ତଫାର ଠିକ୍ ପୂର୍ବଦିନ ଗଣମାଧ୍ୟମ ଜରିଆରେ ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇଲେ । ନବୀନ ମୁଖ୍ୟତଃ ପାଣ୍ଡିଆନ୍ ଏବଂ ଧର୍ମେନ୍ଦ୍ରଙ୍କ ସମ୍ପର୍କରେ କୌଣସି ଆଞ୍ଚ ନ ଲାଗିବା ଲକ୍ଷ୍ୟରେ ଆନ୍ଦୋଳନରୁ ଦୂରରେ ଥିଲେ । ଶେଷରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସ୍ଥିର ବୋଲି ନିଶ୍ଚିତ ହେବା ପରେ ଓଡ଼ିଶାବାସୀଙ୍କୁ ଭକୁଆ ବନେଇବା ପାଇଁ ନିଜର ଲୋକ ଦେଖାଣିଆ ସମର୍ଥନ ଜଣାଇ ସମାଲୋଚନାରୁ ନିସ୍ତାର ପାଇବାକୁ ସୁଚିନ୍ତିତ ଅଭିନୟ କରିଥିଲେ ।

ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଭାରତ ସାରା ଯୁବଶକ୍ତିଙ୍କ ପ୍ରତିବାଦ ଓଡ଼ିଶା ରାଜନେତାଙ୍କୁ ସମାନ୍ୟତମ ପ୍ରଭାବିତ କରିନାହିଁ ଯେତେବେଳେ ଛାତ୍ର ଏବଂ ଯୁବଶକ୍ତି ଶିକ୍ଷା ସଂସ୍କାର ଠାରୁ ଆରମ୍ଭ କରି ସରକାରର ରାଜ୍ୟ ବିରୋଧୀ କାର୍ଯ୍ୟକଳାପ ପର୍ଯ୍ୟନ୍ତ ପ୍ରସଙ୍ଗ ଉଠାଇଥିଲେ । ଏପରିକି ବିଜେଡ଼ି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା, ବିବାଦ ମଧ୍ୟରେ ତାଙ୍କର ଇସ୍ତଫା କେନ୍ଦ୍ର ସରକାରଙ୍କୁ ଲଜ୍ଜିତ କରିଥିଲା ଯାହା ବିଜେପିର ଆଭ୍ୟନ୍ତରୀଣ ଦ୍ଵନ୍ଦକୁ ସୂଚିତ କରିଥିଲା । ବିଜେପି ସରକାରଙ୍କ ୧୨ ବର୍ଷର ଶାସନକାଳରେ ଜଣେ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବା ଘଟଣା ବିଜେପି କେନ୍ଦ୍ର ନେତୃତ୍ଵରେ ଅସ୍ଥିରତା ବୃଦ୍ଧି କରିଥିଲା ଏବଂ ଘଟଣା ସମୂହ ଜାତୀୟସ୍ତରରେ କ୍ଷମତା ସଂଘର୍ଷ ଓ ପରିବର୍ତ୍ତନଶୀଳ ମେଣ୍ଟ ପ୍ରତି ଧ୍ୟାନ ଆକର୍ଷଣ କରିଥିଲା ଏଭଳି ଧ୍ୟାନ ଆକର୍ଷଣକାରୀ ସୁଯୋଗକୁ ବିଜେଡ଼ିର ପୋଷ୍ଟର ଲେଡି ସୁଜାତା ରାଉତ ହାତଛଡା କରିଥିଲେ ଏବଂ ଏପରି ଜଡତା ପଛରେ ତାଙ୍କର କ’ଣ ଉଦ୍ଦେଶ୍ୟ ଥିଲା ସୁଜାତା ଗଣମାଧ୍ୟମରେ ଏହାର ଉତ୍ତର ରଖିବାକୁ ସ୍ଥିର କରନ୍ତୁ ।

ଏତଦ ବ୍ୟତୀତ ସୁଜାତା ରାଉତଙ୍କ ସ୍ୱାମୀଙ୍କ ପରି ଅଭିଜ୍ଞ ବ୍ୟକ୍ତି ଶିକ୍ଷା ବିରୋଧୀ କାର୍ଯ୍ୟକଳାପ ଏବଂ ପ୍ରତିବାଦ ସହିତ ଜଡିତ ପ୍ରସଙ୍ଗ ଉପରେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ନଦେବା ଏକ ଯୋଜନାବଦ୍ଧ ରଣନୀତିକୁ ସୂଚାଇଛି ଯାହା ପାଣ୍ଡିଆନ ଦମ୍ପତିଙ୍କ ରାଜନୈତିକ ଲକ୍ଷ୍ୟ ବିଷୟରେ ପ୍ରଶ୍ନ ଉଠାଇଛି । ଏହା ସ୍ପଷ୍ଟ କରିଛି, ସୁଜାତା ରାଉତ ଓ ଭି.କେ ଏବଂ ସୁଜାତାଙ୍କ ନୀରବତା ସେମାନଙ୍କର ଭବିଷ୍ୟତ ଯୋଜନାକୁ ସୁରକ୍ଷା ଦେବାର ଏକ କୌଶଳଗତ ପଦକ୍ଷେପ ।

ସମଗ୍ର ଚର୍ଚ୍ଚାର ନିଷ୍କର୍ଷରୁ ବାହାରିଥିବା ତଥ୍ୟ ସାମ୍ନାକୁ ଆଣିଛି ଯେ, ବିଜେପି ଓ ବିଜେଡ଼ି ମଧ୍ୟରେ ଥିବା ଗୁପ୍ତ ମେଣ୍ଟକୁ ମଜବୁତ ରଖିବାକୁ ରାଜ୍ୟବାସୀଙ୍କୁ ରଙ୍ଗୀନ ସ୍ୱପ୍ନ ଦେଖାଇ ଭ୍ରମିତ କରିବା, ଭୋଟରଙ୍କ ବିଶ୍ଵାସ କିଣିବା ଲକ୍ଷ୍ୟରେ ଡିଜାଇନ୍ ହୋଇଥିବା ଯୋଜନାକୁ ଯଥାସାଧ୍ୟ ସଫଳ କରିବା ଏବଂ ଓଡ଼ିଶାର ଖଣିଜ ସମ୍ପଦ ଲୁଟ୍ କରିବା, ଯୋଜନାରେ ସାମାଜିକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅପବ୍ୟବହାର, ଦୁର୍ନୀତି, ଅନୈତିକ କାର୍ଯ୍ୟ ଅନ୍ତର୍ଭୁକ୍ତ ଯାହା ଦୀର୍ଘ ବର୍ଷ ଧରି ଓଡ଼ିଶା ଅର୍ଥନୀତିକୁ କଷ୍ଟ ଦେଇ ଆସିଛି । ଏହି ଅଭିଯୋଗ ପାଣ୍ଡିଆନ ଦମ୍ପତିଙ୍କ ଭଳି ପ୍ରଭାବଶାଳୀ ରାଜନେତା ଏବଂ କିଛି ବଛା ବଛା ଚାଟୁକାରମାନଙ୍କୁ ସମୃଦ୍ଧ କରିବାର ଏକ ବ୍ୟବସ୍ଥିତ ପ୍ରୟାସକୁ ଇଙ୍ଗିତ କରେ ।

ତାହା ସହିତ ଏହି ଗୁପ୍ତ ଯୋଜନାକୁ ସଫଳ କରିବାରେ ଯେଉଁମାନେ ଜଡ଼ିତ ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟସଭାକୁ ପଠାଯାଇଛି । ପାଣ୍ଡିଆନ ଦମ୍ପତିଙ୍କର ଏକ ବିଶ୍ଵସ୍ତ ଚାଟୁକାର ଗୋଷ୍ଠୀ ପର୍ଦ୍ଦା ପଛରେ ରହି ଓଡ଼ିଶାକୁ ହରିଲୁଟ୍ କରିବାକୁ ବଳ ଖଟାଇଥାନ୍ତି । ଏହି ଗୁପ୍ତ ଯୋଜନା କେବଳ କେନ୍ଦ୍ର ସରକାରଙ୍କ ସହିତ ନିର୍ଦ୍ଵନ୍ଦରେ କାର୍ଯ୍ୟ କରିବାକୁ ସହଜ କରିବାରେ ସହାୟକ ହୋଇଛି ତାହା ନୁହେଁ ବରଂ ଭି.କେ ପାଣ୍ଡିଆନଙ୍କ ସହଯୋଗରେ ବିଜେପି ୨୦୨୪ ନିର୍ବାଚନରେ ଓଡ଼ିଶାର ୨୦ ଟି ସଂସଦୀୟ ଆସନ ଦଖଲ କରିବା ସହ ବିଜେଡ଼ିକୁ ସରକାରରୁ ହଟାଇବା ପାଇଁ ସମର୍ଥ ହୋଇଥିଲା । ପାଣ୍ଡିଆନ ଦମ୍ପତି ନିଶ୍ଚିତ ଥିଲେ ଦିନେ ନା ଦିନେ ସେମାନେ ବିଜେଡ଼ିର ମଙ୍ଗ ଧରିବେ । କିନ୍ତୁ, ଭି.କେ ପଣ୍ଡିଆନଙ୍କୁ ଦଳୀୟ ନେତାମାନଙ୍କ ସମର୍ଥନ ନ ମିଳିବାରୁ ସୁଜାତା ରାଉତ ବିଜେଡ଼ିରେ ଯୋଗ ଦେଇଛନ୍ତି । ୨୦୨୬ ରେ ହଠାତ ଏହି ଦମ୍ପତିଙ୍କ ମୌନତା ଭାଙ୍ଗିବାର ନିଷ୍ପତ୍ତି ଆଲୋଚିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଇଛି ।

ପାଣ୍ଡିଆନ ଦମ୍ପତି କେନ୍ଦ୍ର ନରେନ୍ଦ୍ର ମୋଦୀ ସରକାରଙ୍କୁ ସାର୍ବଜନୀନ ଭାବରେ ସମର୍ଥନ କରି ଏବଂ ବିଜେପି ସ୍ୱାର୍ଥ ସହିତ ସମନ୍ୱୟ ରଖି, ସେମାନେ ସେମାନଙ୍କର ରାଜନୈତିକ ପ୍ରତିଷ୍ଠା ଏବଂ ପ୍ରଭାବକୁ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେମାନଙ୍କର କାର୍ଯ୍ୟକୁ ବିଜେଡିର ପାରମ୍ପରିକ ଆଧାରକୁ ଦୁର୍ବଳ କରିବା ଏବଂ ଓଡ଼ିଶାର ରାଜନୈତିକ ଯନ୍ତ୍ରପାତିକୁ ପରିଚାଳନା କରିବା ପାଇଁ ଏକ ବ୍ୟାପକ ଷଡ଼ଯନ୍ତ୍ରର ଅଂଶ ଭାବରେ ଦେଖାଯାଏ । ଏହି ଗୁପ୍ତ କୌଶଳ ବିଜେଡି ପ୍ରତି ରାଜ୍ୟବାସୀଙ୍କ ବିଶ୍ଵାସ କ୍ଷୁର୍ଣ୍ଣ କରିଛି, ନବୀନ ପଟ୍ଟନାୟକଙ୍କ ପାରଦର୍ଶିତା ଉପରେ ସନ୍ଦେହ ସୃଷ୍ଟି କରିଛି ।

ସମାଲୋଚକ ମତ ଦେଇଛନ୍ତି, ଭି.କେ ପାଣ୍ଡିଆନ ଓ ବିଜେପି ଶୀର୍ଷ ନେତୃତ୍ଵଙ୍କ ମଧ୍ୟରେ ଚାଲିଥିବା ଗୁପ୍ତ କାରବାର ଯୋଗୁ ମହାରାଷ୍ଟ୍ରର ଶିବସେନା ସରକାର ପରି ବିଜେଡ଼ି ନେତୃତ୍ୱ ନିଷ୍କ୍ରିୟ ହୋଇପାରେ ଏବଂ ଗୁପ୍ତ କାର୍ଯ୍ୟର ଛାୟା ଓଡ଼ିଶାର ଭୋଟରଙ୍କ ମଧ୍ୟରେ ସନ୍ଦେହ ଏବଂ ଅବିଶ୍ୱାସର ଏକ ସ୍ତରକୁ ମଜବୁତ କରିପାରେ । ଯେହେତୁ ଜନସଂଖ୍ୟା କଥିତ କ୍ୱିଡ୍ ପ୍ରୋ କ୍ୟୁ ବ୍ୟବସ୍ଥା ବିଷୟରେ କ୍ରମଶଃ ସଚେତନ ହେଉଛନ୍ତି । ଅଧିକନ୍ତୁ, ବିଜେଡି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଏହି ଦୁଇ ଦଳ "ଗୁଡ୍ କପ୍, ବ୍ୟାଡ୍ କପ୍" ଖେଳ ଖେଳୁଥିବାର ସନ୍ଦେହ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦୁର୍ବଳ କରିଛି ଏବଂ ବିଜେଡି ମଧ୍ୟରେ ଅସ୍ଥିରତାକୁ ଇନ୍ଧନ ଦେଇଛି; ଯଦ୍ଵାରା, ବିଜେଡ଼ି ଏହି ଗୁପ୍ତ ରଣନୀତିର ଶିକାର ହୋଇ ଅସ୍ତିତ୍ଵ ହରାଇବାକୁ ସ୍ଵାଗତ କରିଛି ।

Manoranjan Pattanaik Publisher & Editor, Suv Bharat Times