ବିଶ୍ଵ ୱେଟଲ୍ୟାଣ୍ଡସ ଡେ : ଆର୍ଦ୍ରଭୂମିର ସ°ରକ୍ଷଣ ପାଇଁ ଦିନଟିଏ

ଆର୍ଦ୍ରଭୂମି ଗୁଡିକ ପ୍ରାକୃତିକ ଜଳ ବିଶୋଧନାଗାର ହିସାବରେ କାମ କରନ୍ତି, ଅକ୍ସିଜେନ୍ ଫ୍ରି ଆନୋକ୍ସିକ୍ ପ୍ରୋସେସ୍ ମାଧ୍ୟମରେ ଜଳରେ ଥିବା ପ୍ରଦୂଷଣକାରୀ ତତ୍ତ୍ୱକୁ ନିଷ୍କାସନ କରନ୍ତି ଏବଂ ଭୂତଳ ଜଳରାଶି ବଢିବାରେ ସାହାଯ୍ୟ କରନ୍ତି।

ବିଶ୍ଵ ୱେଟଲ୍ୟାଣ୍ଡସ ଡେ : ଆର୍ଦ୍ରଭୂମିର ସ°ରକ୍ଷଣ ପାଇଁ ଦିନଟିଏ

ବର୍ଷ ବର୍ଷ ଧରି କିମ୍ବା ବର୍ଷର ଅଧିକାଂଶ ସମୟ ଯେଉଁ ଭୂମି ଉପରେ କିମ୍ବା ଆଖପାଖରେ ବର୍ଷା, ବନ୍ୟା କିମ୍ବା ସାମାନ୍ୟ ଜଳ ଜମା ହୋଇ ରହି, ଉକ୍ତ ଅଞ୍ଚଳରେ ଅମ୍ଳଜାନ-ରହିତ ପ୍ରକ୍ରିୟା (ଅକ୍ସିଜେନ୍ ଫ୍ରି ଆନୋକ୍ସିକ୍ ପ୍ରୋସେସ୍) ମାଧ୍ୟମରେ ଗୋଟିଏ ସ୍ୱତନ୍ତ୍ର ଇକୋସିଷ୍ଟମ ଦେଖାଯାଏ ସେହି ଭୂଖଣ୍ଡକୁ ଆର୍ଦ୍ରଭୂମି ବା ୱେଟଲ୍ୟାଣ୍ଡ୍ କୁହାଯାଏ। ଏଥିରେ ଲୁଣି ଏବଂ ମିଠାଜଳ ହ୍ରଦ, ବନ୍ୟାଜଳ ଉପତ୍ୟକା, କୃତ୍ରିମ ଡ୍ୟାମ୍, ସନ୍ତସନ୍ତିଆ ତଥା ପଙ୍କୁଆ ଅଞ୍ଚଳ, ହେନ୍ତାଳବଣ, କୋରାଲ୍ ରିଫ୍ ବା ଶୈବାଳ ଆଦି ଆସିଥାଏ। ଏହି ଆର୍ଦ୍ରଭୂମି ଗୁଡିକୁ ମୁଖ୍ୟତଃ ପାଞ୍ଚଟି ଭାଗରେ ବିଭକ୍ତ କରାଯାଇଛି: ମରାଇନ(ସାମୁଦ୍ରିକ), ଏଷ୍ଟୁଆରିଆନ(ମୁହାଣ), ରିଭେରିଆନ(ନଦୀ), ଲାକୁଷ୍ଟ୍ରିଆନ(ହ୍ରଦ) ଏବଂ ପାଲୁଷ୍ଟ୍ରିଆନ(ମାର୍ସ ବା ପଙ୍କୁଆ-ସନ୍ତସନ୍ତିଆ ଅଞ୍ଚଳ)। ଯଦିଓ ପୃଥିବୀର ସମୁଦାୟ ସ୍ଥଳଭାଗର ମାତ୍ର ୬% ହିଁ ଆର୍ଦ୍ରଭୂମି କିନ୍ତୁ ସମସ୍ତ ଜୀବଜନ୍ତୁ ଏବଂ ବୃକ୍ଷଲତାର ୪୦% ସଜୀବ ଏହି ଆର୍ଦ୍ରଭୂମିରେ ହିଁ ପ୍ରଜନନ ତଥା ଜୀବନ ବ୍ୟତୀତ କରନ୍ତି।

ମାନବ ଜାତିର ବିକାଶ, ଅଭିବୃଦ୍ଧି, ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଏହି ୱେଟଲ୍ୟାଣ୍ଡସ ବା ଆର୍ଦ୍ରଭୂମି ଗୁଡିକ ଖୁବ୍ ମହତ୍ତ୍ୱପୂର୍ଣ୍ଣ। କିଛି ବର୍ଷ ପୂର୍ବରୁ ସଦାସର୍ବଦା ସନ୍ତସନ୍ତିଆ, ଓଦା, କାଦୁଆ କିମ୍ବା ପଙ୍କୁଆ ହୋଇ ରହୁଥିବା କାରଣରୁ ଆର୍ଦ୍ରଭୂମି ଗୁଡିକୁ ମୂଲ୍ୟହୀନ ଭାବି ସେଗୁଡ଼ିକରୁ ଜଳ ନିଷ୍କାସନ କରିବା ସହ ଶୁଖିଲା ମାଟି ଦ୍ଵାରା ପୋତି ଦେବା ପାଇଁ ଚେଷ୍ଟା କରାଯାଉ ଥିଲା। ସେଗୁଡିକୁ ପୋତି, ଶୁଖାଇ ଚାଷଜମି ଏବଂ ବାସୋପଯୋଗୀ ଜମିରେ ପରିଣତ କରିବା ପାଇଁ ତୀବ୍ର ଚେଷ୍ଟା ଚାଲୁଥିଲା। ୧୯୯୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଫିସ୍ ଆଣ୍ଡ୍ ୱାଇଲ୍ଡଲାଇଫ ବିଭାଗ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୭୦୦ ଖ୍ରୀଷ୍ଟାବ୍ଦ ସୁଦ୍ଧା ଉପଲବ୍ଧ ସମୁଦାୟ ୪୮ଟି ରାଜ୍ୟରେ ଥିବା ୨୨୧ ମିଲିୟନ ଏକର ଆର୍ଦ୍ରଭୂମିର ଅଧିକାଂଶ ଭାଗ ମଣିଷ ନଷ୍ଟ କରି ସାରିଥିଲା। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ମଣିଷ ଆର୍ଦ୍ରଭୂମି ଗୁଡିକର ମୂଲ୍ୟ ଏବଂ ମାନବ ସମାଜ ପାଇଁ ତା’ର ଆବଶ୍ୟକତା ବିଷୟରେ ଅବଗତ ହେବା ପରେ, ସେହି ୱେଟଲ୍ୟାଣ୍ଡ ଗୁଡିକର ସୁରକ୍ଷା ଏବଂ ସ°ରକ୍ଷଣ ପାଇଁ ଲଗାତାର ଚେଷ୍ଟା ଚାଲିଛି। ଏହି ପରିପ୍ରେକ୍ଷୀରେ ୧୯୯୭ ମସିହାରୁ ମିଳିତ ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ଫେବୃୟାରୀ ମାସ ୨ ତାରିଖ ଦିନ ବିଶ୍ଵ ଆର୍ଦ୍ରଭୂମି ବା ୱାର୍ଲ୍ଡ ୱେଟଲ୍ୟାଣ୍ଡସ ଦିବସ ପାଳନ କରାଯାଏ।

ପକୃତରେ ୧୯୯୭ର ଠିକ୍ ୨୫ ବର୍ଷ ପୂର୍ବରୁ, ଅର୍ଥାତ ୨ ଫେବୃଆରୀ ୧୯୭୧ ମସିହାରେ ଇରାନର ଗୋଟିଏ ଛୋଟିଆ ସହର ରାମସାର ଠାରେ ଆର୍ଦ୍ରଭୂମି ସ°ରକ୍ଷଣକୁ ନେଇ ପ୍ରଥମେ ଗୋଟିଏ ଟ୍ରିଟି ଉପରେ ଆଲୋଚନା ଏବଂ ସହମତି ସ୍ଥାପିତ ହୋଇଥିଲା। ମିଳିତ ଜାତିସଂଘର ଇତିହାସରେ ପରିବେଶ ସୁରକ୍ଷା ଏବଂ ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣକୁ ନେଇ ପ୍ରସ୍ତୁତ କରାଯାଇଥିବା କୌଣସି ଟ୍ରିଟି ମଧ୍ୟରେ ଏହା ହେଉଛି ପ୍ରଥମ। ସେବେଠାରୁ ଆର୍ଦ୍ରଭୂମି ସ°ରକ୍ଷଣ ପଦକ୍ଷେପକୁ “ଦ’ ରାମସାର୍ କନଭେନସନ୍” କୁହାଯାଏ ଏବଂ ମିଳିତ ଜାତିସଂଘ ପୃଥିବୀର ଯେଉଁ ଆର୍ଦ୍ରଭୂମିକୁ ସ°ରକ୍ଷିତ ଅଞ୍ଚଳ ଘୋଷଣା କରେ ତାହାକୁ “ରାମସାର୍ ସାଇଟ୍” କୁହାଯାଏ। ଏହି କନଭେନସନର ଉଦ୍ଦେଶ୍ୟ ହେଉଛି ଆର୍ଦ୍ରଭୂମି ଗୁଡ଼ିକର ସ°ରକ୍ଷଣ, ସୁରକ୍ଷା, କ୍ଷୟ ହେବାରୁ ରୋକିବା, ବଳକା ଅଞ୍ଚଳର ସଠିକ୍ ପରିଚାଳନା ତଥା ଅନ୍ତର୍ଜାତୀୟ ସ୍ତରରେ ଆବଶ୍ୟକୀୟ ନିୟମାବଳୀ ଜାରି କରିବା, ତଥ୍ୟ ତଥା ଉପାୟର ଆଦାନ ପ୍ରଦାନ କରିବା।

ନଭେମ୍ବର ୨୦୨୩ ସୁଦ୍ଧା ପୃଥିବୀରେ ସମୁଦାୟ ୨୫୦୦ଟି ରାମସାର୍ ଚିହ୍ନଟ ଅଞ୍ଚଳ ରହିଥିଲା। ଯାହାକି ଅନ୍ୟୁନ୍ୟ ୨୫୭, ୧୦୬, ୩୬୦ ହେକ୍ଟର ବା ୬୩୫, ୩୨୩, ୭୦୦ ଏକର ଆର୍ଦ୍ରଭୂମିକୁ ସୁରକ୍ଷା ଦେଇଥାଏ। ଏଥିରୁ ଭାରତରେ ୭୫ଟି ରାମସାର୍ ଚିହ୍ନଟ ଆର୍ଦ୍ରଭୂମି ଅଞ୍ଚଳ ରହିଛି, ଯାହାକି ଦକ୍ଷିଣ ଏସିଆରେ ସର୍ବାଧିକ ଅଟେ। ଏମଧ୍ୟରୁ ଓଡ଼ିଶାରେ ୬ଟି ରାମସାର୍ ସାଇଟ୍ ଅଛି। ଓଡ଼ିଶାର ରାମସାର୍ ଚିହ୍ନଟ ଆର୍ଦ୍ରଭୂମି ଗୁଡିକ ହେଉଛନ୍ତି ଚିଲିକା ହ୍ରଦ, ଅ°ଶୁପା ହ୍ରଦ, ଭିତରକନିକା ହେନ୍ତାଳବଣ, ହିରାକୁଦ ରିଜରଭିୟର, ସାତକୋଶିଆ ଗଣ୍ଡ ଏବଂ ତାମ୍ପରା ହ୍ରଦ। ୧୯୮୧ ମସିହାରେ ଚିଲିକାକୁ ରାମସାର୍ ସାଇଟ୍ ହିସାବରେ ଚିହ୍ନଟ କରା ଯାଇଥିଲା, ଯାହାକି ଭାରତର ପ୍ରଥମ ରାମସାର୍ ସାଇଟ୍ ଥିଲା।

ସହରୀକରଣ, ଆଧୁନିକୀକରଣ ତଥା ଉଦ୍ୟୋଗୀକରଣ ନାଁରେ ଆପଣ ନିଶ୍ଚିତ ଭାବରେ ଦେଖୁଥିବେ ଯେ ଆପଣଙ୍କ ସହର ଏବଂ ଗାଁର ହ୍ରଦ, ପୋଖରୀ, ନାଳ, ସନ୍ତସନ୍ତିଆ- ପଙ୍କୁଆ ସ୍ଥାନ ଆଦିକୁ ପୋତି, ଜଳ ନିଷ୍କାସନ କରି ସେଠି ତୀବ୍ର ଗତିରେ ନିର୍ମାଣ କାର୍ଯ୍ୟ ଚାଲୁଛି। ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସିପାରେ, ଯଦି ସ୍ଥାନୀୟ ସରକାର, ବିଭାଗ ଏବଂ ଅଧିକାରୀମାନେ ଆର୍ଦ୍ରଭୂମିକୁ ଫାର୍ମହାଉସ୍, ରିସୋର୍ଟ କିମ୍ବା ବାସପୋଯୋଗୀ ଭୂମିରେ ରୂପାନ୍ତରିତ କରୁଛନ୍ତି, ତେବେ ମିଳିତ ଜାତିସଂଘ କାହିଁକି ଆର୍ଦ୍ରଭୂମି ଗୁଡିକର ସୁରକ୍ଷା ଏବଂ ସ°ରକ୍ଷଣ ଉପରେ ଜୋର୍ ଦେଉଛି? ଆର୍ଦ୍ରଭୂମି ଗୁଡିକର କେବଳ ବିଦେଶୀ ପକ୍ଷୀ କିମ୍ବା ପର୍ଯ୍ୟଟନ ଶିଳ୍ପ ପାଇଁ ନୁହେଁ, ବର° ମଣିଷର ଦୈନନ୍ଦିନ ଜୀବନ-ଜୀବିକା ଏବଂ ଭବିଷ୍ୟତ ପାଇଁ ମଧ୍ୟ ଖୁବ୍ ଉପଯୋଗୀତା ରହିଛି। ଆର୍ଦ୍ରଭୂମି ଗୁଡିକ ପ୍ରାକୃତିକ ଜଳ ବିଶୋଧନାଗାର ହିସାବରେ କାମ କରନ୍ତି, ଅକ୍ସିଜେନ୍ ଫ୍ରି ଆନୋକ୍ସିକ୍ ପ୍ରୋସେସ୍ ମାଧ୍ୟମରେ ଜଳରେ ଥିବା ପ୍ରଦୂଷଣକାରୀ ତତ୍ତ୍ୱକୁ ନିଷ୍କାସନ କରନ୍ତି ଏବଂ ଭୂତଳ ଜଳରାଶି ବଢିବାରେ ସାହାଯ୍ୟ କରନ୍ତି। ସାମୁଦ୍ରିକ ଆର୍ଦ୍ରଭୂମି ବା ହେନ୍ତାଳବଣ ସାମୁଦ୍ରିକ ଝଡ଼ ଏବଂ ବାତ୍ୟାର ପ୍ରକୋପରୁ ଆମକୁ ରକ୍ଷା କରେ। ଆପଣଙ୍କର ମନେଥିବ ନିକଟ ଅତିତରେ ବାତ୍ୟା ବୁଲବୁଲ୍ ସୁନ୍ଦରବନ ହେନ୍ତାଳବଣରେ ଲ୍ୟାଣ୍ଡଫଲ୍ କରିବା କାରଣରୁ ସ୍ଥଳଭାଗରେ ବିଶେଷ କ୍ଷତି କରିପାରି ନଥିଲା। ଶାଖାନଦୀ ତଥା ଅନ୍ୟାନ୍ୟ ଛୋଟ ଛୋଟ ପ୍ରାକୃତିକ ନାଳ ପରି ଆର୍ଦ୍ରଭୂମି ଗୁଡିକ ମଧ୍ୟ ବର୍ଷାଜଳକୁ ଧରି, ବାଣ୍ଟି ବନ୍ୟାର ତୀବ୍ର ପ୍ରକୋପକୁ ନମନୀୟ କରନ୍ତି, ଭୀଷଣ ସାମୁଦ୍ରିକ ଝଡ-ବର୍ଷାରେ ମଧ୍ୟ ଆର୍ଦ୍ରଭୂମି ଗୁଡିକ ନିଜର ଏହି ଗୁଣ ପାଇଁ ହଠାତ୍ ବନ୍ୟା ଓ ତା’ର ପ୍ରଭାବକୁ କମ୍ କରନ୍ତି। ଏହାଛଡା ବର୍ଷା ଏବଂ ବନ୍ୟା ଜଳକୁ ଅନେକ ଦିନ ଯାଏଁ ଧରି ରଖି ଆସ୍ତେ ଆସ୍ତେ କରି ନିଷ୍କାସନ କରୁଥିବା କାରଣରୁ ବର୍ଷ ତମାମ ନଦୀଜଳ ପ୍ରବାହିତ ରହିବା ସହ ବର୍ଷାଭାବ କିମ୍ବା ମରୁଡି ସମୟରେ ଜଳାଭାବକୁ ରୋକନ୍ତି। ନିଜ ସନ୍ତସନ୍ତିଆ ବାତାବରଣରେ ଘଞ୍ଚ ଘାସ ଏବଂ ଅନ୍ୟାନ୍ୟ ବୃକ୍ଷଲତାର ଘଞ୍ଚ ଆୟୋଜନ କାରଣରୁ ଏହା ମୃତ୍ତିକା କ୍ଷୟକୁ ରୋକିବା ସହ ବନ୍ୟାଜଳରେ ପଟୁମାଟିର ସମୁଦ୍ର ମଧ୍ୟକୁ ପ୍ରବାହକୁ ବାଧା ଦିଏ।

କେବଳ ବାତ୍ୟା ଓ ବନ୍ୟାର ପ୍ରଭାବ ବା ମୃତ୍ତିକାକ୍ଷୟ ରୋକିବା କିମ୍ବା ଜଳ ବିଶୋଧନ ନୁହେଁ, ଆର୍ଦ୍ରଭୂମି ଗୁଡିକ ଅନେକ ପ୍ରକାରର ମେରୁଦଣ୍ଡୀ, ସ୍ତନ୍ୟପାୟୀ, ସରୀସୃପ, କୀଟପତଙ୍ଗ, ପକ୍ଷୀ, ମାଛ ଆଦିଙ୍କ ପାଇଁ ଉତ୍କୃଷ୍ଟ ଚାରଣ ତଥା ପ୍ରଜନନ ଭୂମି ହୋଇଥାଏ। ଏଯାବତ୍ ପାଖାପାଖି ୧୦୦,୦୦୦ ପ୍ରକାରର ଜୀବ ଠାବ କରା ଯାଇଛନ୍ତି ଯେଉଁମାନେ ମଧୁରଜଳ ଆର୍ଦ୍ରଭୂମିରେ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ଅଧାରୁ ଅଧିକ କୀଟପତଙ୍ଗ ଜାତୀୟ ହୋଇଥିବା ବେଳେ ୨୦,୦୦୦ ପ୍ରକାରର ମେରୁଦଣ୍ଡୀ ପ୍ରାଣୀ ରହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସେଠିକାର ୭୦% ବିଲୁପ୍ତ ପ୍ରାୟ ପ୍ରାଣୀ ଆର୍ଦ୍ରଭୂମି ଉପରେ ନିର୍ଭର କରନ୍ତି। ବେଙ୍ଗ, ବଗ୍ (ଗୋବରପୋକ ଆଦି ଶ୍ରେଣୀର), ସାଲମାଣ୍ଡର, ମାଛ, ସାପ, ଗୁଣ୍ଡୁଚିମୂଷା, କଇଁଛ, ଚିଙ୍ଗୁଡ଼ି, କଙ୍କଡା, କୁମ୍ଭୀର ଆଦି ଛଡା ବିଭିନ୍ନ ପ୍ରକାରର ହରିଣ(ଡିଅର ଏବଂ ଏଲ୍କ), ଭାଲୁ ଆଦି ପ୍ରାଣୀ ମଧ୍ୟ ଆର୍ଦ୍ରଭୂମି ଅଞ୍ଚଳରେ ହିଁ ବେଶି ଭଲରେ ଚଳପ୍ରଚଳ ଓ ଜୀବନ ଧାରଣ କରିପାରନ୍ତି। ଏହା ଛଡା ମାଛରଙ୍କା, ପାଣିକୁଆ, ବିଭିନ୍ନ ପ୍ରକାର ବତକ, ବଗ, ସାରସ ଆଦି ବିଦେଶୀ ପକ୍ଷୀ ମଧ୍ୟ ଏହି ସବୁ ଆର୍ଦ୍ରଭୂମି ଅଞ୍ଚଳରେ ହିଁ ଦେଖାଯାଆନ୍ତି। ଆର୍ଦ୍ରଭୂମି ଅଞ୍ଚଳରେ ଜୀବଜଗତର ହାରାହାରି ୩୦% ପ୍ରଜାତିର ମାଛ ଦେଖାଯାଆନ୍ତି। ଏହା ପୃଥିବୀର ହାରାହାରି ୨୦୦ ମିଲିୟନ ଲୋକଙ୍କୁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବରେ ରୋଜଗାର ଦେଇଥାଏ।

କେବଳ ପଶୁପକ୍ଷୀ ନୁହନ୍ତି, ଆର୍ଦ୍ରଭୂମି ଗୁଡିକ ହଜାର ହଜାର ପ୍ରକାରର ଗଛଲତାଙ୍କୁ ମଧ୍ୟ ବଢିବା ପାଇଁ ଅନୁକୂଳ ପରିବେଶ ଯୋଗାଇଥା’ନ୍ତି। ଏକ ରିପୋର୍ଟ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଦ୍ରଭୂମି ଗୁଡିକରେ ସମୁଦାୟ ୭୦୦୦ ପ୍ରକାରର ବୃକ୍ଷ ଦେଖାଯାଆନ୍ତି। ବିଭିନ୍ନ ପ୍ରକାର ହେନ୍ତାଳ, ଲତା, ଦଳ, ଶିଉଳିଠୁ ଆରମ୍ଭ କରି ଫର୍ଣ୍ଣ ଏବଂ ବିଭିନ୍ନ ପ୍ରକାରର ଲିଲି ଆର୍ଦ୍ରଭୂମି ଗୁଡିକରେ ଦେଖାଯାଏ। ଭିତରକନିକା ରେ କେବଳ ହେନ୍ତାଳର ୬୨ ପ୍ରକାର ଦେଖାଯାଏ, ଏହାଛଡ଼ା ବାଉଁଶ, ଶାଗୁଆନ୍, ପଳାଶ, ବବୁଲ୍ ମଧ୍ୟ ରହିଛି। ଚିଲିକା ହ୍ରଦରେ ୨୨୬ ପ୍ରକାର ମାଛ, ୧୭୦ ପ୍ରକାର ଘାସଫୁଲ ଛଡା ୩୫୦ ପ୍ରଜାତିର ଗଛ ଦେଖାଯାଆନ୍ତି। ସେହିପରି ତାମ୍ପରା ହ୍ରଦ ଅଞ୍ଚଳରେ ୬୦ ପ୍ରକାରର ପକ୍ଷୀ, ୪୬ ପ୍ରଜାତିର ମାଛ, ୪୮ ପ୍ରକାର ଫାଇଟୋପ୍ଲା°ଟନ୍, ୭ ପ୍ରକାରର ବୃକ୍ଷ ଦେଖାଯାଏ। ଆର୍ଦ୍ରଭୂମି ଗୁଡିକରେ ଉପଲବ୍ଧ ଏ ପ୍ରକାର ଜୈବ ବିଭିଦତା ଆଜି ଅନେକ ରିସର୍ଚ୍ଚ, ଶିକ୍ଷା ତଥା ଜୀବଜଗତର ବିକାଶଧାରା ବିଷୟରେ ନୂତନ ଗବେଷଣାର ଅବସର ଆଣି ଦେଉଛି। ଆର୍ଦ୍ରଭୂମି ଗୁଡିକର ଏ ଜୈବବିଭିଦତା ଆଜି ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଦୃଢ କରିଛି। କେବଳ ପର୍ଯ୍ୟଟନ ଶିଳ୍ପ, ମତ୍ସ୍ୟଜୀବୀ ବା ରିସର୍ଚ୍ଚ ପାଇଁ ନୁହେଁ ଆର୍ଦ୍ରଭୂମି ଗୁଡିକ ପୃଥିବୀର ଅନେକ ଅଞ୍ଚଳରେ ପାନୀୟଜଳର ମଧ୍ୟ ମୁଖ୍ୟସ୍ରୋତ। ଏହା ଛଡା କୃଷି ଏବଂ ଖାଦ୍ୟ ଯୋଗାଣ କ୍ଷେତ୍ରରେ ବି ଆର୍ଦ୍ରଭୂମି ଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଆର୍ଦ୍ରଭୂମି ଗୁଡିକରୁ ଉତ୍ପାଦିତ “ଧାନ” ପୃଥିବୀର ହାରାହାରି ୩.୫ ବିଲିୟନ ବା ୩୫୦ କୋଟି ଲୋକଙ୍କର ମୁଖ୍ୟ ଖାଦ୍ୟ।

ଜୀବନ-ଜୀବିକା ଦୃଷ୍ଟିରୁ ମଣିଷ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ରହିଥିବା ଆର୍ଦ୍ରଭୂମି ଗୁଡିକ କିନ୍ତୁ ଆଜି ମଣିଷର ବିକାଶ, ଆଧୁନିକୀକରଣ, ଉଦ୍ୟୋଗୀକରଣ, ନୂତନ ବାସଭୂମି ବିକାଶ ପାଇଁ ନିଜର ଅସ୍ତିତ୍ୱ ହରାଉଛନ୍ତି। ଆପଣ ନିଜେ ଲକ୍ଷ୍ୟ କଲେ ଜାଣି ପାରିବେ ଯେ ଆପଣଙ୍କ ଦେଖିବା ଭିତରେ କେତେ କେତେ ଆର୍ଦ୍ରଭୂମି ଆପଣଙ୍କ ଚାରିପାଖରୁ ଲୋପ ପାଇଗଲାଣି। ଏହାର ପରିଣତି ହୁଏତ ଆମେ ଏଇ ସାଙ୍ଗେସାଙ୍ଗେ ଉପଲବ୍ଧ କରି ପାରୁନେ କିନ୍ତୁ ନିକଟ ଭବିଷ୍ୟତରେ ଯେ ଏହା ଉତ୍କଟ ଭୂତଳଜଳ ଓ ପାନୀୟଜଳର ଅଭାବ ଆଣିଦେବ ଏଥିରେ ସନ୍ଦେହ ନାହିଁ। ପ୍ରତ୍ୟେକ ଥର ପରି ଏଥର ମଧ୍ୟ ମୋର ଗାନ୍ଧିଜୀଙ୍କ କହିଥିବା କଥା ମନେ ପଡୁଛି, “ପ୍ରତ୍ୟେକ ମଣିଷର ଆବଶ୍ୟକତା ପାଇଁ ପୃଥିବୀ ବା ପ୍ରକୃତି ପାଖରେ ଭରପୂର ସ°ସାଧନ ଅଛି। ହେଲେ ମଣିଷର ଲୋଭକୁ ମେଣ୍ଟେଇ ପାରିବା ପାଇଁ ଏହା ବହୁତ କମ୍।”