ଗର୍ଭାବସ୍ଥାରେ ମୁଖଗହ୍ୱରର ଯତ୍ନ
ରୋଗର କାରଣ ହେଉଛି ଆମ ଦାନ୍ତ ଏବଂ ମାଢ଼ି ସନ୍ଧିରେ ଲୁଚି ରହିଥିବା ଜୀବାଣୁ ସ୍ତର। ଏହି ଜୀବାଣୁ ବିଷାକ୍ତ ଦ୍ରବ୍ୟ ନିର୍ଗତ କରି ମାଢ଼ିକୁ କ୍ଷତି ପହଞ୍ଚାନ୍ତି। ଗର୍ଭାବସ୍ଥାରେ ଦୁଇଟି ଅନ୍ତସ୍ରାବୀ କ୍ଷରଣ ପ୍ରଭାବରେ ଏହି ବିଷାକ୍ତ ଦ୍ରବ୍ୟଗୁଡ଼ିକର ପ୍ରଭାବ ମାଢ଼ି ଉପରେ ବହୁଗୁଣିତ ହୋଇଯାଏ।
ନାରୀ ଜୀବନରେ ପୂର୍ଣ୍ଣତ୍ୱ ପ୍ରାପ୍ତିର ଏକ ଚରମ ସୋପାନ ହେଉଛି ଗର୍ଭାବସ୍ଥା। ଏହି ଅବସ୍ଥାରେ ନାରୀର ଶାରୀରିକ ଏବଂ ମାନସିକ ସ୍ତରରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୁଏ। ଏହି ପରିବର୍ତ୍ତନ ଦ୍ୱାରା କେବଳ ଗର୍ଭାଶୟ ନୁହେଁ, ବରଂ ଶରୀରର ପ୍ରାୟ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହୋଇଥାଏ। ଯେହେତୁ ମୁଖଗହ୍ୱର ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗର୍ଭାବସ୍ଥାରେ ମୁଖଗହ୍ୱରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ।
ଗର୍ଭାବସ୍ଥାରେ ଶରୀରର ବିଭିନ୍ନ ଅନ୍ତଶ୍ରାବୀ ଗ୍ରନ୍ଥୀର କ୍ଷରଣରେ ଅନିୟମିତତା ଦେଖାଦେଇଥାଏ। ଫଳରେ ମୂଖଗହ୍ୱରରେ ବିଭିନ୍ନ ପ୍ରକାର ରୋଗର ପାଦୁର୍ଭାବ ବଢ଼ିଯାଏ। ସେମଧ୍ୟରୁ ପାୟିରିଆ ରୋଗ ଅନ୍ୟତମ। ଗର୍ଭାବସ୍ଥାରେ ଏହି ରୋଗର ମାତ୍ରା ବଢ଼ିଯାଏ। ଏହା ପ୍ରଭାବରେ ମାଢ଼ି ଫୁଲି ଲାଲ ଦେଖାଯାଏ। ମାଢ଼ିରୁ ରକ୍ତ ପଡ଼େ, ମାଢ଼ି ବିନ୍ଧା ହୁଏ, ଦାନ୍ତ ହଲିବା ପରି ଲାଗେ ଏବଂ ପାଟିରୁ ଦୁର୍ଗନ୍ଧ ବାହାରେ। ଏହି ରୋଗ ଗର୍ଭାବସ୍ଥା ଆରମ୍ଭରୁ ଦେଖାଦେଇ ସମୟ ଅନୁସାରେ ବଢ଼ିଚାଲେ ଏବଂ ଗର୍ଭାବସ୍ଥାର ସମାପ୍ତିରେ ଅନେକାଂଶରେ କମିଯାଏ।
ରୋଗର କାରଣ ହେଉଛି ଆମ ଦାନ୍ତ ଏବଂ ମାଢ଼ି ସନ୍ଧିରେ ଲୁଚି ରହିଥିବା ଜୀବାଣୁ ସ୍ତର। ଏହି ଜୀବାଣୁ ବିଷାକ୍ତ ଦ୍ରବ୍ୟ ନିର୍ଗତ କରି ମାଢ଼ିକୁ କ୍ଷତି ପହଞ୍ଚାନ୍ତି। ଗର୍ଭାବସ୍ଥାରେ ଦୁଇଟି ଅନ୍ତସ୍ରାବୀ କ୍ଷରଣ ପ୍ରଭାବରେ ଏହି ବିଷାକ୍ତ ଦ୍ରବ୍ୟଗୁଡ଼ିକର ପ୍ରଭାବ ମାଢ଼ି ଉପରେ ବହୁଗୁଣିତ ହୋଇଯାଏ। ଗର୍ଭାବସ୍ଥାର ପ୍ରାୟ ୮ମାସ ସମୟରେ ଏହି କ୍ଷରଣର ମାତ୍ରା କମିଯାଉଥିବାରୁ ଏହାର ଭୟାବହତା ଆପଣା ଛାଏଁ କମିଯାଏ। ଏହାମଧ୍ୟ ଦେଖାଯାଇଛି ଯେ ଗର୍ଭାବସ୍ଥାରେ ଆମ ମୂଖଗହ୍ୱରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ। ତେଣୁ ମୂଖଗହ୍ୱରର କ୍ଷତିକାରକ ଜୀବାଣୁ ଗୁଡ଼ିକର ମାତ୍ରା ଅନେକ ମାତ୍ରାରେ ବୃଦ୍ଧି ପାଏ।
ଗର୍ଭାବସ୍ଥାରେ ଟ୍ୟୁମର ଜନିତ ରୋଗ ମଧ୍ୟ ଦେଖାଯାଇଛି। ବେଳେବେଳେ କୌଣସି ଗୋଟିଏ ସ୍ଥାନରେ ମାଢ଼ିର ଆକାର ବୃଦ୍ଧିପାଏ। ଏହା ଏକ ଟ୍ୟୁମର ପରି ଦେଖାଯାଏ। ଏହି ରୋଗ ପ୍ରାୟ ୧୦ ପ୍ରତିଶତ ଗର୍ଭବତୀ ମହିଳାଙ୍କ ଠାରେ ଦେଖାଯାଇଥାଏ। ଏହାର ରଙ୍ଗ ଗାଢ଼ ଲାଲରଙ୍ଗ ହୋଇଥାଏ ଏବଂ ଏଥିରେ କିଛି ବାଜିଗଲେ ଏଥିରୁ ପ୍ରଚୁର ରକ୍ତସ୍ରାବ ହୁଏ। ଏଭଳି ରୋଗ ଦେଖାଦେବା ଦ୍ୱାରା ପୀଡ଼ିତାଙ୍କ ମନରେ କ୍ୟାନସର ଭୟ ଜାତ କରାଏ। ଚିକିତ୍ସା ବିଜ୍ଞାନରେ ଏହାକୁ ଅନ୍ତସ୍ରାବୀ କ୍ଷରଣ ବୋଲି କୁହାଯାଇଛି। ଅତ୍ୟଧିକ ଅସୁବିଧା ନହେଲେ ଗର୍ଭାବସ୍ଥାର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବିଶେଷଜ୍ଞମାନେ କୁହନ୍ତି। ଏହା ଶିଶୁ ଜନ୍ମ ପରେ ଆପଣା ଛାଏଁ କମିଯାଏ। ଆବଶ୍ୟକ ହେଲେ ଦାନ୍ତ ବିଶେଷଜ୍ଞଙ୍କୁ ପରାମର୍ଶ କରି ଏହାକୁ ଅପରେସନ୍ କରି ବାହାର କରିଦେବାକୁ ହୁଏ।
ଗର୍ଭଧାରଣ ପୂର୍ବରୁ ଦାନ୍ତ ଡାକ୍ତରଙ୍କୁ ପରାମର୍ଶ କରି ଦାନ୍ତ ସଫା, କରାଇବାକୁ ପଡ଼େ। ଏହାଛଡ଼ା ନିୟମିତ ଭାବରେ ଦିନକୁ ଅନ୍ତତଃ ୨ଥର ବ୍ରସ କରିବା ଏବଂ ଥରେ ଫ୍ଲସ୍ ବ୍ୟବହାର କରିବା ଉଚିତ। କୌଣସି ତମାଖୁ ଜାତୀୟ ପଦାର୍ଥର ବର୍ଜନ କରିବା ଉଚିତ। ଡାଇବେଟିସ ରୋଗ ଥିଲେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଗର୍ଭାବସ୍ଥାରେ ମା’କୁ ବହୁତ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ମୁଖ୍ୟତଃ ନିଜେ ସାବଧାନ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ନିରାପଦରେ ରହେ ଏବଂ ଜନ୍ମ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େନାହିଁ।
Dr. Hemamalini Rath, the writer, is a distinguished professional in the field of dentistry, serving as an Author and an Associate Professor at the Department of Dentistry, SCB Medical College, Cuttack. With a strong academic background and extensive clinical experience, she is dedicated to advancing dental education and research. Her contributions to the field include authoring scholarly articles and guiding students towards excellence in dental sciences. Committed to improving oral health care, Dr. Rath is a respected member of the dental community, known for her expertise, teaching excellence, and dedication to her profession.


