ଫାଇଭ୍-ଟି ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀଙ୍କ ‘ଭିଜନ୍’ ନା ‘ବର୍ବରତା’?

ରାଜ୍ୟବାସୀଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ୧୦୦% ସ୍ୱଚ୍ଛ ଦେଖାଇବାରେ ଭୋକିଲା ଗଣମାଧ୍ୟମ ସଂସ୍ଥାଗୁଡିକ ରାତିଦିନ ଏକାଠି କରିଦେଇଛନ୍ତି।

Feb 14, 2020 - 21:06
ଫାଇଭ୍-ଟି ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀଙ୍କ ‘ଭିଜନ୍’ ନା ‘ବର୍ବରତା’?
Remix - Suv Bharat Times

ଭିତ୍ତିଭୂମି ନଥିବା ଏବଂ ଆବଶ୍ୟକୀୟ ଶିକ୍ଷକ ନଥିବା ତଥା ଦୟନୀୟ ଅବସ୍ଥାରେ ପରିଚାଳିତ ସରକାରୀ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ ଦିଗରେ ନବୀନ ପଟ୍ଟନାୟକଙ୍କ ବିଜେଡ଼ି ସରକାର ଓ 5T ସଚିବ ଆଖି ବୁଜି ଦେଇଛନ୍ତି। ସେପାଖେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ କେତେକ ଲାବୋରେଟୋରୀ ଏବଂ ଆବଶ୍ୟକୀୟ ଫାର୍ମାସୀ ଉପକରଣ ନଥିବା ଫାର୍ମାସି କଲେଜଗୁଡିକୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ବିନିମୟରେ ଏନ.ଓ.ସି ଦିଆଯାଉଛି। ତା’ସହ ଅଧିକ ୫ ଲକ୍ଷ ଟଙ୍କା ଲାଞ୍ଚ ଦିଆଗଲେ ବିନା ଦ୍ଵିଧାରେ ଫାର୍ମାସି କଲେଜ ଖୋଲିବାକୁ ଅନୁମତି ମିଳିଯାଉଛି। ଯାହାର ଉଦାହରଣ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ଜିଆଇଏସ ମ୍ୟାପିଂ କରାନଯାଇ ଛତୁ ଫୁଟିବା ଭଳି ଖୋଲା ଯାଇଥିବା ନର୍ସିଂ କଲେଜ। ଏଭଳି ଢିଲା ବ୍ୟବସ୍ଥା ଦେଖିବା ପରେ ସାଧରଣ ଜନତାଙ୍କ ମନରେ ପ୍ରଶ୍ନ 5T ବ୍ୟବସ୍ଥା ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଭିଜନ୍’ ନା ‘ବର୍ବରତା’!

ସରକାରର ବର୍ବରତା ଉପରେ ଢାଙ୍କୁଣୀ ଘୋଡାଉଛନ୍ତି ରାଜ୍ୟର କେତେକ ବୋଲକରା ଗଣମାଧ୍ୟମ ସଂସ୍ଥା। ରାଜ୍ୟବାସୀଙ୍କ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନଙ୍କୁ ୧୦୦% ସ୍ୱଚ୍ଛ ଦେଖାଇବାରେ ଭୋକିଲା ଗଣମାଧ୍ୟମ ସଂସ୍ଥାଗୁଡିକ ରାତିଦିନ ଏକାଠି କରିଦେଇଛନ୍ତି। ରାଜ୍ୟବାସୀଙ୍କୁ ଭଣ୍ଡେଇବାର ସମସ୍ତ ଫର୍ମୁଲା ଘେଷରା ହେବା ପରେ ଆଇଏଏସ ଭି.କେ ପଣ୍ଡିଆନ ଦ୍ଵାରା ପରିଚାଳିତ ରାଜକୋଷ ଲୁଟେରା ଗୋଷ୍ଠୀ 5T ବ୍ୟବସ୍ଥା ନାମରେ ଏକ ଠକ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଶାସନକଳ ସହ ଯୋଡିଛନ୍ତି। ବିଜେଡ଼ି ଗଣମାଧ୍ୟମ ବିଭାଗର ମୁଖ୍ୟ ପରାମର୍ଶଦାତା ଦ୍ଵାରା ପ୍ରସ୍ତୁତ ବିଭିନ୍ନ ମନଲୋଭା ଡିଜିଟାଲ ଚିତ୍ର ମାଧ୍ୟମରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିକାଶର ଭଳିକି ଭଳି ଭେଳିକି ଦେଖାଇ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ହରଣଚାଲ୍ ହେଉଛି।

ଆଗରୁ ଖବରକାଗଜ ପୃଷ୍ଠା ଖୋଲିଲେ, ମୁଖ୍ୟ ପୃଷ୍ଠାରେ ବିଜୁ ଜନତା ଦଳର ଫୋକସରେ ଥିବା ନେତା, ମନ୍ତ୍ରୀ, ବିଧାୟକ ଏବଂ ଏମ.ପିଙ୍କ ଫଟୋ ଦେଖିବାକୁ ମିଳୁଥିଲା। ହେଲେ 5T ବ୍ୟବସ୍ଥା ଆରମ୍ଭ ହେବା ଦିନରୁ ନେତାମାନଙ୍କ ପରିବର୍ତ୍ତେ ସଚିବ ଭୈରଭ କାର୍ଥୀକେୟନ ପାଣ୍ଡିଆନ(ଭି.କେ)ଙ୍କ ଫଟୋ ଦେଖିବାକୁ ମିଳୁଛି। ରାଜ୍ୟର ବୋଲକରା ଗଣମାଧ୍ୟମ ସଂସ୍ଥାର ମାଲିକ ସମୂହ, ସଚିବ ଭି.କେ ପାଣ୍ଡିଆନ୍ ଗତିବିଧି ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ଦେଉଛନ୍ତି। ଯାହାର ଚର୍ଚ୍ଚା ପରେ ସମାଲୋଚକ ପ୍ରତିକ୍ରିୟା ରଖିଛନ୍ତି ଯେ, ଚାମଚାଗିରୀ ପାଉଣାରେ ପରିଚାଳିତ ଗଣମାଧ୍ୟମ ସଂସ୍ଥାର ଫଟୋଗ୍ରାଫର ବୋଧହୁଏ ପାଣ୍ଡିଆନ୍ ଚପଲ ଗତିକୁ ଲକ୍ଷ କରି ଫୁଟେଜ୍ ସଂଗ୍ରହ କରିବାକୁ ନିର୍ଦ୍ଦେଶ ପାଇଛନ୍ତି। ଏମାନେ ଦିନ ଦ୍ଵିପ୍ରହରେ ଘଟୁଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଅଣଦେଖା କରି ଭୋରରୁ ଉଠି ସଚିବ ପାଣ୍ଡିଆନ୍ ଗସ୍ତର ଫୁଟେଜ୍ ସଂଗ୍ରହ ପାଇଁ ଏଭଳି ଦମ୍ ଲଗାନ୍ତି, ଯେପରି ରାତି ଅନିଦ୍ରା ହୋଇ ଭୋରରୁ ଦୌଡୁଛନ୍ତି।

Manoranjan Pattanaik Publisher & Editor, Suv Bharat Times