ସୌମ୍ୟରଞ୍ଜନଙ୍କ ଅନ୍ତିମ ନିଷ୍ପତ୍ତି : ଏହା ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିବ କି?
ବିଜେଡିରେ ସାମିଲ ହେବା ପାଇଁ ସୌମ୍ୟରଞ୍ଜନ ତାଙ୍କ ସଞ୍ଚାଳିତ ଖବରକାଗଜ ‘ସମ୍ବାଦ’କୁ ଆଧାର କରିଥିଲେ। ପ୍ରବେଶ ପଥ କୁସୁମିତ କରିବାକୁ ଦୈନିକ 'ସମ୍ବାଦ' ଖବରକାଗଜର ୫ଟି ପୃଷ୍ଟା ବିଜେଡିକୁ ଉତ୍ସର୍ଗ କରାଯାଇଥିଲା।
ବହୁ ଘାତ ପ୍ରତିଘାତ ସତ୍ୱେ ଶେଷ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ସାଂସଦ ତଥା ‘ଆମ ଓଡ଼ିଶା’ର ପ୍ରତିଷ୍ଠାତା ଏବଂ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଖୁବ୍ ନିକଟରେ ବିଜେଡିରେ ସାମିଲ୍ ହେବାକୁ ପାଗ ଭିଡି ବସିଛନ୍ତି। ତାଙ୍କ ସହ ଆଉ ଯିଏ ବିଜେଡିକୁ ଆସୁଥିବା ଚର୍ଚ୍ଚା ହେଉଛି, ସେ ହେଉଛନ୍ତି ସୌମ୍ୟରଞ୍ଜନଙ୍କ ଝିଅ ତନୟା ପଟ୍ଟନାୟକ। ଏହା କେବଳ ସମ୍ଭାବନା ନୁହେଁ, ବରଂ ତୃତୀୟ ମହଲା ପ୍ରାୟୋଜିତ ଏକ ଯୋଜନା ସିଦ୍ଧ ପ୍ରୟାସ। ଏଥିପାଇଁ ମୁଖ୍ୟ ଭୂମିକା ତୁଲାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ ପ୍ରଚ୍ଛଦପଟରେ ଅଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସ।
ସୌମ୍ୟରଞ୍ଜନଙ୍କ ବିଜୁ ଜନତା ଦଳରେ ଯୋଗଦାନ ସମ୍ଭାବନା ଦଳ ପାଇଁ ନିଶ୍ଚୟ ସ୍ୱାଗତଯୋଗ୍ୟ। ପୂର୍ବରୁ ପି.ସି.ସି ସଭାପତି ଭୁପିନ୍ଦର ସିଂହଙ୍କ ସମେତ ବହୁ ଆଗଧାଡିର କଂଗ୍ରେସ ନେତା ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ଗତ ୧୭ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ଦେଇଥିବା ବିଜେଡି ସୌମ୍ୟରଞ୍ଜନଙ୍କୁ କିଭଳି ସନ୍ତୁଷ୍ଟ କରିବ ସେକଥା ସମୟ କହିବ। କିନ୍ତୁ ଖବରକୁ ନେଇ ଚର୍ଚ୍ଚା ପରେ ବହୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି।
ସୂତ୍ର କହୁଛି, ବିଜେଡିକୁ ଆସିବା ପାଇଁ ସୌମ୍ୟରଞ୍ଜନ ତାଙ୍କ ସଞ୍ଚାଳିତ ଖବରକାଗଜ ‘ସମ୍ବାଦ’କୁ ଆଧାର କରିଥିଲେ। ସୌମ୍ୟରଞ୍ଜନଙ୍କ ପ୍ରବେଶ ପଥ କୁସୁମିତ କରିବାକୁ ସମ୍ବାଦ ଖବରକାଗଜର ୫ଟି ପୃଷ୍ଟା ବିଜେଡିକୁ ଉତ୍ସର୍ଗ କରାଯାଇ ଥିଲା। ତାହା ପୁଣି ଅକ୍ଟୋବର ୧୬ରେ ପାଳିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସରେ। ସେଦିନର ସେହି ଚର୍ଚ୍ଚିତ ୫ଟି ପୃଷ୍ଟା ପାଠକ ମହଲରେ ଦୃଷ୍ଟି ଆକର୍ଷିତ କରିଥିଲା। ହଠାତ୍ ଏଭଳି ନବକଳେବର ଦେଖି ପାଠକ ଆଶ୍ଚର୍ଯ୍ୟ ହୋଇଥିଲେ। ଖବରକାଗଜର ନିଷ୍ଠାପରତା ଦୃଷ୍ଟିରୁ ଘଟଣାଟି ସତ୍ୟ ଏବଂ ସାଂଘାତିକ। କାରଣ ଗତ ୧୭ ବର୍ଷ ଧରି ଯେଉଁ କାଗଜ ବିଜୁ ଜନତା ଦଳକୁ ବାରମ୍ବାର ଲଙ୍ଗଳା କରୁଥିଲା, ସେହି ଖବରକାଗଜକୁ ଏଭଳି ଭାବରେ କାହିଁକି ବ୍ୟବହାର କରାଗଲା? ବିଜୁ ଜନତା ଦଳର ସାଂସଦ ତଥାଗତ ଶତପଥୀ, ବୈଜୟନ୍ତ ପଣ୍ଡା ଓ ଭର୍ତ୍ତୃହରି ମହତାବ ମଧ୍ୟ ନିଜ ନିଜ ଅଧିନରେ ଥିବା ମିଡିଆ ହାଉସ୍ ଗୁଡିକର ସର୍ବେସର୍ବା। ମାତ୍ର ଏହି ୩ ସାଂସଦଙ୍କ ୩ଟି ଯାକ ସଂସ୍ଥା ଦଳର ଗୁମର ଖୋଳିବାକୁ କେବେ ପଛାଇ ନଥାନ୍ତି। ଠିକ୍ ସେହିଭଳି, ଯାହା ‘ସମ୍ବାଦ’ କରି ଦେଖାଇ ଆସୁଥିଲା ଅକ୍ଟୋବର ୧୬ ପୂର୍ବରୁ। ଏବେ ଦେଖିବା ସୌମ୍ୟରଞ୍ଜନଙ୍କ ଆଗମନ ପରେ ତାଙ୍କ ସନ୍ତୁଷ୍ଟିକରଣ ପାଇଁ ବିଜେଡି କେଉଁ କେଉଁ ସର୍ତ୍ତ ରଖିଛି।
୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ଟିକେଟରେ ଲଢିବାକୁ ମନ ବଳାଇଛନ୍ତି ସୌମ୍ୟରଞ୍ଜନ। ହେଲେ ଏହି ଆସନରେ ସୌମ୍ୟରଞ୍ଜନଙ୍କୁ ୨ ଥର ହରାଇ ବାଜିମାତ୍ କରିଥିବା ପ୍ରସନ୍ନ ପାଟ୍ଟଶାଣୀ ଏକଥାକୁ ଖଣ୍ଡନ କରିଛନ୍ତି। ଦଳରେ ସେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି, ଦଳୀୟ ନିଷ୍ପତ୍ତି ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସ ରହିଛି ବୋଲି ଶୁଭ୍ ଭାରତ ଟାଇମ୍ସ ପ୍ରତିନିଧିଙ୍କୁ କହିଛନ୍ତି। ତେଣୁ ସୌମ୍ୟରଞ୍ଜନଙ୍କୁ ଦିଆଯାଇପାରେ କଟକ କିମ୍ବା କନ୍ଧମାଳ ଆସନ। କଟକ ସାଂସଦ ଭର୍ତ୍ତୃହରିଙ୍କୁ ନେଇ ଦଳ ମଧ୍ୟରେ ନାନା ପ୍ରକାର ଚର୍ଚ୍ଚା ହେଉଥିବା ବେଳେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ଦେବୀ ସେଠାରୁ ପୁନର୍ବାର ପ୍ରାର୍ଥୀ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସମଗ୍ର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୌମ୍ୟରଞ୍ଜନଙ୍କୁ କେବଳ ଆଶ୍ୱସନା ଦିଆଯାଇଛି। ଏହା ପରେ ତନୟା ପଟ୍ଟନାୟକଙ୍କ ସନ୍ତୁଷ୍ଟିକରଣ ପାଇଁ ସର୍ତ୍ତ। ଯଦିଓ ସୌମ୍ୟରଞ୍ଜନଙ୍କ ସର୍ତ୍ତ ଥିଲା ତନୟାଙ୍କୁ ଦିଆଯାଉ ଖଣ୍ଡପଡା ବିଧାନସଭା ଆସନ। ପୂର୍ବରୁ ଅରାଜି ହେଉଥିବା ବିଜେଡି, ଏବେ କିନ୍ତୁ ତାଙ୍କ ଦାବିକୁ ମାନିନେବା ଆଶା କରାଯାଉଛି।
ମନେ ପକାଇଦେବା ଉଚିତ୍ ସୌମ୍ୟରଞ୍ଜନ ତାଙ୍କ ଦଳ ‘ଆମ ଓଡ଼ିଶା’କୁ ସଜାଡିବାରେ ଯେତେ କୌଶଳ ପ୍ରୟୋଗ କରିଥିଲେ, ସେଥିରୁ ତ୍ରାହି ପାଇବାକୁ ମଧ୍ୟ ସେତିକି ପ୍ରୟାସ କରିଛନ୍ତି। ସେ କଂଗ୍ରେସ ଦଳରେ ଥିବା ବେଳେ ଜଣେ ଜିଦଖୋର ନେତା ଭାବେ କେତେକ ଛାମୁଆ ନେତା ଓ ତାଙ୍କ ମଧ୍ୟରେ ମତାନ୍ତର ଘଟିଥିଲା। କଂଗ୍ରେସ ପୁନର୍ଗଠନ ପାଇଁ ସେ ଯାହା ମନ୍ତବ୍ୟ ରଖୁଥିଲେ, ତା’ର ପରିଣତି ତାଙ୍କ ପାଇଁ ମହଙ୍ଗା ପଡିଲା। କଂଗ୍ରେସର ଚାଣକ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜାମାତା ଭାବରେ ସେ ନିଜେ ସ୍ୱୀକାର କରୁଛନ୍ତି ଯେ କଂଗ୍ରେସ ଦଳରୁ ତାଙ୍କୁ ତଡି ଦିଆଯାଇଛି। ହେଲେ ଜୀବନର ଶେଷ ରାଉଣ୍ଡ ଖେଳିବାକୁ ସୌମ୍ୟରଞ୍ଜନ ଏବେ ତୟାର୍। କେବଳ ଦେଖିବାକୁ ବାକି ରହିଛି, କେଉଁ ତିଥିରେ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ସୌମ୍ୟରଞ୍ଜନ ଓ ତନୟାଙ୍କ ହାତକୁ ଫୁଲତୋଡା ବଢାଇ ଦଳକୁ ସ୍ୱାଗତ କରିବେ।
What's Your Reaction?