ବିଚାର ବିଭ୍ରାଟ

ରାଜ୍ୟର ଲାଭଖୋର ଗଣମାଧ୍ୟମ ମାଲିକଙ୍କ ଅବହେଳାର ପରିଣତି ସମଗ୍ର ରାଜ୍ୟବାସୀ ଭୋଗୁଛନ୍ତି। ନିରପେକ୍ଷ ସାମ୍ବାଦିକତାର ନାରା ଦେଉଥିବା ସଂସ୍ଥା ମାଲିକଙ୍କୁ ପାଠକ ପଚାରୁଛନ୍ତି, ଆପଣମାନେ ପ୍ରଥମେ ସରକାରର ଗୁମାସ୍ତାଗିରିରୁ ମୁକ୍ତ ହୋଇପାରିବେ କି? ଆପଣଙ୍କ ସଂସ୍ଥାରେ କାମ କରୁଥିବା ସାମ୍ବାଦିକଙ୍କୁ ଖବର ପରିବେଷଣର ପୂର୍ଣ୍ଣ କ୍ଷମତା ଦେଇପାରିବେ କି? ତା’ପରେ ଦେଖିବା ସରକାର କେତେଦିନ ଢାଙ୍କୁଣି ଭିତରେ ଘୋଡିହୋଇ ରହିପାରୁଛି।

ବିଚାର ବିଭ୍ରାଟ
Remix : SuvBharat Times

ସରକାର ସ୍ୱୀକାର କରିଛନ୍ତି ଚିଟଫଣ୍ଡ ଦୁର୍ନୀତି ହୋଇଛି। ୪୦ ହଜାର କୋଟିରୁ ଅଧିକ ଟଙ୍କା ନେଇ ଚିଟଫଣ୍ଡ ଠକ ଅୟେସ୍ କରୁଛନ୍ତି। ଅନେକ ଚିଟଫଣ୍ଡ କମ୍ପାନୀର ବଡ଼ ବଡ଼ ମୁଣ୍ଡିଆଳଙ୍କ ସହ ଶାସକ ଦଳର ନିବିଡ ସମ୍ପର୍କ ରହିଛି। ଚିଟଫଣ୍ଡ ସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ କେତୋଟି ଗଣମାଧ୍ୟମକୁ ବିଜ୍ଞାପନ ଆଳରେ କୋଟି କୋଟି ଟଙ୍କା ଚାନ୍ଦା ଦିଆଯାଇଥିବା ପ୍ରମାଣିତ ହୋଇଛି। ଏପରି ଠକେଇ ପ୍ରସଙ୍ଗ ସୁପ୍ରିମକୋର୍ଟକୁ ଯିବା ପରେ ରାଜ୍ୟ ସରକାର ତରବରିଆ ଭାବେ କ୍ରାଇମବ୍ରାଞ୍ଚ ଓ କମିସନରେଟ ପୁଲିସ ଦ୍ୱାରା ତଦନ୍ତ କରାଇଥିଲେ।

ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ପାଇଁ ଦାଏର ହୋଇଥିବା ଜନସ୍ୱାର୍ଥ ମାମଲାକୁ ରାଜ୍ୟ ସରକାର ବିରୋଧ କରିଥିଲେ। ସରକାରଙ୍କ ଅସହଯୋଗ ଲାଗି ୨୦୧୪ ଜୁନରେ ସୁପ୍ରିମକୋର୍ଟ ଓଡ଼ିଶା ଚିଟଫଣ୍ଡ ମହାଦୁର୍ନୀତିର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶାରେ ସିବିଆଇ ପକ୍ଷରୁ ଛାନଭିନ୍ ପରେ ଖୁଆଡ଼କୁ ବିଜେଡି ନେତାଙ୍କ ଧାଡ଼ି ଲାଗିଲା। ଏହା ଦେଖି ଚିଟଫଣ୍ଡ କ୍ଷତିଗ୍ରସ୍ତ ଆଶା କଲେ ସିବିଆଇ ତାଙ୍କୁ ନ୍ୟାୟ ଦେବ। ଟଙ୍କା ହରାଇଥିବା ଲୋକମାନେ ନିଶ୍ଚିତ ହେଲେ ତଦନ୍ତ ପରେ ସେମାନେ ନିଜର ଜମା ଅର୍ଥ ଫେରି ପାଇବେ। ଏହା ଭିତରେ ୪ ବର୍ଷ ବିତି ସାରିଲାଣି, ଫଳାଫଳ ଶୂନ। ସିବିଆଇ ଜାଲରୁ ଖସି ଶାସକ ଦଳର କେତେକ ନେତା ଆରାମରେ ବୁଲୁଛନ୍ତି। ତୃତୀୟ ମହଲା ଦୟା ଦେଖାଇଲେ ପୁଣି ସକ୍ରିୟ ରାଜନୀତିକୁ ଫେରିବାକୁ ଉଦ୍ୟମ କରୁଛନ୍ତି। ଦିନେ ନା ଦିନେ ଏମାନେ ଜେରାର ସମ୍ମୁଖୀନ ହେବା ନିଶ୍ଚିତ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟ ଭାଜପା ଏସବୁରେ ନିରବ କାହିଁକି? ତୀବ୍ର ପ୍ରତିବାଦ କରିବା ପରିବର୍ତ୍ତେ ଦଳ ନୀରବ ବସି ରହିବା ପଛରେ କ’ଣ ରହସ୍ୟ ଅଛି? ଓଡ଼ିଶା ଚିଟଫଣ୍ଡ ମହାଦୁର୍ନୀତିର ଚେର ସୁରଟ ପର୍ଯ୍ୟନ୍ତ ଲମ୍ବିଛି। ଅନେକ ନିମ୍ନ ମଧ୍ୟବିତ୍ତ, ଗରିବ ଓ ମଧ୍ୟବିତ୍ତମାନେ ନିଜ ଭବିଷ୍ୟତ ପାଇଁ ଯାହାକିଛି ଏହି ଚିଟଫଣ୍ଡରେ ଖଟାଇଥିଲେ ସେମାନେ ଏବେ ହତାଶ। ଆଶା ଥିଲା କି ସରକାର କର୍ପସ୍ ଫଣ୍ଡରୁ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଭରଣ କରିବେ। ମାତ୍ର ୪ ବର୍ଷ ତଳର ପ୍ରତିଶୃତି ଭୁଲିଗଲେଣି ରାଜ୍ୟ ସରକାର। କୁଆଡେ ଗଲା କର୍ପସ୍ ଫଣ୍ଡ?

ଆଜି ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଚିଟଫଣ୍ଡ ଠକମାନଙ୍କ ଅର୍ଥରେ ୨୦୧୯ ନିର୍ବାଚନର ତୟାରି ଚାଲିଛି। ଚିଟଫଣ୍ଡ କ୍ଷତିଗ୍ରସ୍ତ ଭରଷା କରିଥିଲେ ଗଣମାଧ୍ୟମ ଉପରେ। ହେଲେ ଗଣମାଧ୍ୟମର କଣ୍ଠରୋଧ କରିଛି ବିପୁଳ ବିଜ୍ଞାପନ ଓ ସରକାରୀ ଅଙ୍କୁଶ। ସରକାରୀ ବିଜ୍ଞାପନ ହାତରୁ ଖସିଯିବା ଭୟରେ ରାଜ୍ୟର କେତେକ ଖବରକାଗଜ ଓ ଟେଲିଭିଜନ ମାଳିକମାନେ ସରକାର ବିରୋଧରେ ଧାଡିଏ କଡା ଶଦ୍ଦ ଲେଖିବାକୁ ଡରୁଛନ୍ତି। ରାଜ୍ୟବାସୀ ଜାଣନ୍ତି, ସରକାର ଚାହୁଁଛନ୍ତି ତଦନ୍ତରେ ବିଳମ୍ବ ହେଉ। ଫଳରେ ୨୦୧୯ ବିଧାନସଭା ନିର୍ବାଚନରେ ଦଳ ସ୍ଵଚ୍ଛ ଶାସନର ନାରା ଦେଇ ବିଜେଡ଼ି ପୋଷ୍ଟର୍ ବୟ ନବୀନ ପଟ୍ଟନାୟକଙ୍କୁ ୫ମ ଥର ଶାସନକୁ ଫେରାଇବାରେ ସମର୍ଥ ହେବ। ତେଣୁ ଝାଡପଡା ଜେଲରେ ଥିବା ଅର୍ଥତତ୍ୱ(ଏଟି) ଗୃପ ମୁଖ୍ୟ ପ୍ରଦୀପ ସେଠୀକୁ ମୁହଁ ନଖୋଲିବା ପାଇଁ କେତେକ ନେତା ନିୟମିତ ଧମକ ଦେଉଛନ୍ତି।

ସମ୍ପ୍ରତି ସିବିଆଇ ପଦାଧିକାରୀଙ୍କ ମାମଲାରେ ସମଗ୍ର ଗଣମାଧ୍ୟମ ଯେଭଳି ହଲ୍ଲାପଟା ଚଳାଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ହେଲେ ଓଡିଶା କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗର କାର୍ଯ୍ୟଦକ୍ଷତାକୁ ଲୋକ ସମ୍ମୁଖକୁ ଆଣିବାରେ ସେମାନେ କାହିଁକି ଅଳସୁଆମି ଦେଖାନ୍ତି, ତାହା ବୁଝିବା କଷ୍ଟକର। ରାଜ୍ୟର ସମସ୍ତ ବୁଦ୍ଧିଜୀବୀ ଜାଣନ୍ତି ଯେ, ରାଜ୍ୟ ସରକାର କେବଳ ସ୍ୱଚ୍ଛ ଶାସନର ଫମ୍ପା ଆସ୍ଫାଳନ ଦେଖାଉଛନ୍ତି। ଏଥିପାଇଁ ଗରିବ କ୍ଷତିଗ୍ରସ୍ତଙ୍କ ସ୍ୱାର୍ଥ ହାନି ଘଟୁଛି।
ସମସ୍ତ ଘଟଣା ନିୟମିତ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଚିଟଫଣ୍ଡ ଘୋଟାଲାକୁ ଆଖି ଆଗରେ ରଖି ସୋସିଆଲ୍ ମିଡିଆର ୟୁଜର୍ସମାନେ କେତେକ ମେନ୍ ଷ୍ଟ୍ରିମ ମିଡିଆ ସଂସ୍ଥାର ମାଲିକଙ୍କ ଏକାଉଣ୍ଟରେ ସିଧାସଳଖ ମତ ରଖୁଛନ୍ତି, ମତାମତରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରାଯାଉଛି। ରାଜ୍ୟର ଶାସକ ବିଜୁ ଜନତା ଦଳ ଦ୍ୱାରା ଚାଲିଥିବା ଦୁର୍ନୀତିକୁ କେତେକ ମିଡିଆ ହାଉସ୍ ଘଣ୍ଟ ଘୋଡାଉଥିବା ଆକ୍ଷେପ କରାଯାଉଛି। ଯଦି ସେହି ମିଡିଆ ହାଉସ୍ ମାଲିକଙ୍କର ସାହାସ ଅଛି ତେବେ ୟୁଜର୍ସମାନଙ୍କ ନିର୍ଦ୍ଧିଷ୍ଟ ମତାମତ ତଳେ ଉତ୍ତର ରଖନ୍ତୁ। ଆଉ ଦ୍ୱନ୍ଦ ରହିବନି।

ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ମୋ’ ଭଳି ଅନେକ ପବ୍ଲିସର ନିଜ ନିଜ କାଗଜ ଧରି ବାହାବା ନେଉଛନ୍ତି। ଆମ ମଧ୍ୟରୁ କିଛି କାଗଜ ମାଲିକ କାଁଭାଁ ବିଜ୍ଞାପନଟିଏ ପାଉଛନ୍ତି କିମ୍ବା ବିଲକୁଲ୍ ପାଉନାହାଁନ୍ତି। ତଥାପି ଦୁଃଖକଷ୍ଟରେ କାଗଜ ଛପଉଛନ୍ତି। ସୂଚନା ଲୋକସମ୍ପର୍କ ବିଭାଗରେ ବସିଥିବା ବାବୁମାନଙ୍କ ଅବଗତି ପାଇଁ କାଗଜ ଖଣ୍ଡେ ପଠାଇ ସରକାରୀ ବିଜ୍ଞାପନକୁ ଚାହିଁ ସ୍ଵପ୍ନ ରାଇଜରେ ପଇଁତରା ମାରୁଛନ୍ତି। ଓଡ଼ିଶାରେ ବହୁଳ ପ୍ରସାରିତ କାଗଜ ଓ ଟେଲିଭିଜନ୍ ସଂସ୍ଥା ମାଲିକମାନେ ଦୈନିକ ୧୨ପୃଷ୍ଠାର ବିଜ୍ଞାପନ ଛପାଇ ସ୍ପଟ୍ ନିୟୁଜ୍ ନାମରେ କେବଳ ଚୋରି, ଡକାୟତି, ରାହାଜାନୀ, ବଳାତ୍କାର ଖବରରେ ୮ ପୃଷ୍ଠା ଭର୍ତ୍ତି କରି ୨୦ ପୃଷ୍ଠାରୁ ଆଶାତୀତ ଅର୍ଥ ରୋଜଗାର କରୁଛନ୍ତି। ହେଲେ ସେମାନଙ୍କ କାଗଜ କିଣୁଥିବା ପାଠକ ଶସ୍ତା କାରବାର ଚକ୍କରରେ ପଡି ସରକାରୀ ତାଡନାରେ ଅଣ୍ଟା ସଳଖି ଚାଲିପାରୁନି।

ରାଜ୍ୟର ଲାଭଖୋର ଗଣମାଧ୍ୟମ ମାଲିକଙ୍କ ଅବହେଳାର ପରିଣତି ସମଗ୍ର ରାଜ୍ୟବାସୀ ଭୋଗୁଛନ୍ତି। ନିରପେକ୍ଷ ସାମ୍ବାଦିକତାର ନାରା ଦେଉଥିବା ସଂସ୍ଥା ମାଲିକଙ୍କୁ ପାଠକ ପଚାରୁଛନ୍ତି, ଆପଣମାନେ ପ୍ରଥମେ ସରକାରର ଗୁମାସ୍ତାଗିରିରୁ ମୁକ୍ତ ହୋଇପାରିବେ କି? ଆପଣଙ୍କ ସଂସ୍ଥାରେ କାମ କରୁଥିବା ସାମ୍ବାଦିକଙ୍କୁ ଖବର ପରିବେଷଣର ପୂର୍ଣ୍ଣ କ୍ଷମତା ଦେଇପାରିବେ କି? ତା’ପରେ ଦେଖିବା ସରକାର କେତେଦିନ ଢାଙ୍କୁଣି ଭିତରେ ଘୋଡିହୋଇ ରହିପାରୁଛି।

ବିଂଶ ଶତାଦ୍ଦୀର ପାଠକ/ଦର୍ଶକ ଯେଉଁଭଳି ଖବର ପଢିବା/ଦେଖିବା ପାଇଁ ଚାହୁଁଛନ୍ତି, ସେଭଳି ଖବର ପ୍ରକାଶନ ପାଇଁ ସରକାରୀ ବୋଲକରାଙ୍କ କାଗଜରେ ଫର୍ଦ୍ଦଟିଏ ନାହିଁ। ଏମାନେ ସ୍ଵାର୍ଥସର୍ବସ୍ଵ ଚିନ୍ତାରୁ କେବେ ମୁକୁଳିବେ କହିବା ମୁଷ୍କିଲ। ଏଥିପାଇଁ ବଡ ବଡ ଉଦାହରଣ ରଖି ଫୋକସକୁ ଆସିବାର କୌଣସି ଇଚ୍ଛା ରଖିନି। ହୋଇପାରେ ମୋ’ ବିଚାରରେ ବିଭ୍ରାଟ। ତଥାପି, ଯେତେ ବାଧାବିଘ୍ନ ଆସୁ ପଛେ ପ୍ରତିବଦ୍ଧତା ଜାରି ରହିବ। #Editorial (08.01.2019)