ରାଜ୍ୟବାସୀ ମୋତେ ଶିଶୁ ମନ୍ଦିରରୁ ଆଣି ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ -ମୋହନ ମାଝୀ

ମୋ’ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଞ୍ଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି।

Jun 30, 2024 - 12:09
ରାଜ୍ୟବାସୀ ମୋତେ ଶିଶୁ ମନ୍ଦିରରୁ ଆଣି ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେ -ମୋହନ ମାଝୀ
Remix : Suv Bharat Times

ମୁଁ ଏକ ବିନ୍ଦୁ, ସିନ୍ଧୁ ସପନ ଦେଖିଛି। ସେହି ବିନ୍ଦୁମାନଙ୍କର ସ୍ୱପ୍ନ ଆଜି ସିନ୍ଧୁର ରୂପ ନେଇଛି। ଏହି ସିନ୍ଧୁର ମହାପ୍ରବାହର କୁଳରେ ବସି ସେହି ବିନ୍ଦୁମାନଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରୁଛି” କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୁନ୍ ୩୦ରେ ଭୁବନେଶ୍ଵର ପ୍ରଦର୍ଶନୀ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମହାପ୍ରଭୁ ଶୀଜଗନ୍ନାଥଙ୍କ ଆର୍ଶବାଦରୁ ବିଜେପି ପୂର୍ଣ୍ଣସଂଖ୍ୟା ଗରିଷ୍ଠତା ହାସଲ କରି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି। ଏହି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତ୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି। ମୋ’ ଭଳି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା, ଛୋଟିଆ ଶିଶୁ ମନ୍ଦିରର ଶିକ୍ଷକରୁ ପୁଣି ସରପଞ୍ଚର ସଂଘର୍ଷ ରାସ୍ତାରେ ଚାଲୁଚାଲୁ ମୁଖ୍ୟମନ୍ତ୍ରୀ ଆସନରେ ମୋତେ ରାଜ୍ୟବାସୀ ବସାଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବର୍ଦ୍ଧନା ସଭାରେ ନିଜ ବକ୍ତବ୍ୟରେ ଆହୁରି କହିଥିଲେ ଯେ, "ଏଥର ଓଡ଼ିଆଙ୍କ ଜନାଦେଶ, ଓଡିଆ ଅସ୍ମିତା ପାଇଁ ହିଁ ମିଳିଛି। ‘ଆମ ସରକାର’ ସହ ଖଣ୍ଡି ଓଡ଼ିଆର ଯୁଗ ଶେଷ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ପରମ୍ପରା ଆମର ପରିଚୟ। ଓଡ଼ିଶା ଏକ ଭୌଗଳିକ ଭୁଖଣ୍ଡ ନୁହେଁ, ଓଡ଼ିଶା ଆମର ମା’। କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କାଳଜୟୀ 'ବନ୍ଦେ ଉତ୍କଳ ଜନନୀ'ର ପ୍ରତିଟି ଶଦ୍ଦ, ଉତ୍କଳ ଜନନୀର ସ୍ୱତନ୍ତ୍ରତା ଓ ପରିଚୟର ଗୋଟିଏ ଗୋଟିଏ ଦିଗ। ଉତ୍କଳ ଜନନୀ ସଭ୍ୟତା, ସଂସ୍କୃତି, ଭାଷାକୁ ଅପମାନିତ କରିବା ଯୁଗ ଶେଷ ହୋଇଛି। ଆମ ଅସ୍ମିତାର ଟେକ ରଖିବାର ଦାୟିତ୍ୱ ଆମ ସମସ୍ତଙ୍କ କାନ୍ଧରେ। ଓଡିଶାର ବରପୁତ୍ରମାନଙ୍କ ତ୍ୟାଗ, ତପସ୍ୟା ଓ ଦୂରଦୃଷ୍ଟି କାରଣରୁ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହୋଇଛି। ଓଡ଼ିଆ ଗୌରବକୁ ବିଶ୍ୱରେ ଅଗ୍ରଣୀ ସ୍ଥାନ ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରିବା ହେଉଛି ପ୍ରତ୍ୟେକ ଓଡିଆର ପ୍ରଥମ କର୍ତ୍ତବ୍ୟ।"

ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟର ଭୌଗୋଳିକ ସ୍ଥିତି ଏବଂ ବିଜେପି କ୍ଷମତାକୁ ଆସିବା ଦିନରୁ ନିଆଯାଇଥିବା ପଦକ୍ଷେପ ପ୍ରସଙ୍ଗରେ କହିଥିଲେ, "ଓଡ଼ିଶାରେ ରହିଛି ଅମାପ ପ୍ରାକୃତିକ ସମ୍ପଦ, ପ୍ରଚୁର ଜଳ ସମ୍ପଦ, ଉର୍ବର ମୃତ୍ତିକା, ସୁଦୀର୍ଘ ବେଳାଭୂମି, ପରିଶ୍ରମୀ ମାନବ ସମ୍ବଳ। ଓଡ଼ିଶା ଧନୀ ହେଲେ ମଧ୍ୟ ଓଡ଼ିଆ ଗରିବ। ଗରୀବକଲ୍ୟାଣ ଆମ ପ୍ରାଥମିକତା। ଆମର କାର୍ଯ୍ୟ ଖସଡା ଆମ ସଂକଳ୍ପ ପତ୍ର। ଏବେ ଶ୍ରୀମନ୍ଦିରର ୪ ଦୁଆର ଖୋଲିଛି। ୫୦୦ କୋଟିର କର୍ପସ ଫଣ୍ଡ ମହାପ୍ରଭୁଙ୍କ ପାଇଁ ସମର୍ପିତ ହୋଇ ସାରିଛି। ଆଗକୁ ରତ୍ନଭଣ୍ଡାର ଖୋଲାଯାଇ ଗଣତି ହେବ। ମହାପ୍ରଭୁଙ୍କ ରତ୍ନରେ ଯଦି ଟିକିଏ ଗଡବଡ଼ି ଥାଏ, ତାହେଲେ ଦୋଷୀଙ୍କୁ ଖୋଜି ଦଣ୍ଡ ଦିଆଯିବ। ଗତ ଶାସନରେ ଓଡ଼ିଶାର ସମ୍ପଦକୁ ଏବଂ ଓଡ଼ିଆଙ୍କ ଝାଳବୁହା ଅର୍ଥକୁ ଯେଉଁମାନେ ଲୁଟ୍ କରିଛନ୍ତି, ସେମାନଙ୍କୁ ଅଦାଲତ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ।

ଓଡ଼ିଆ ଲୋକଙ୍କ ଜନାଦେଶକୁ ପାଳନ କରିବାର ଆମେ କେବଳ ମାଧ୍ୟମ ହେବୁ। ବିଜେପି ସରକାର ମହିଳା, କୃଷକ, ଯୁବକ, ଆଦିବାସୀ, ଦଳିତ ଓ ପଛୁଆବର୍ଗକୁ ପ୍ରାଥମିକତା ଦେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନା ଲାଗୁ ହେବ। ଏହି ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଭାଉଚର ଯୋଗାଇ ଦିଆଯିବ। ଚାଷୀମାନଙ୍କୁ ବିନା କଟନୀ ଛଟନୀରେ ବୋନସ୍ ଦିଆଯିବ। ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯୁବପିଢ଼ୀର ରୋଜଗାର ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏହାଛଡ଼ା ଗାଁର ଗରିବ, ଖଟିଖିଆ, ମଜୁରିଆଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ" ବୋଲି ଶ୍ରୀ ମାଝୀ ଦୋହରାଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଲାଗିରହିଥିବାବେଳେ ମୋହନ ମାଝୀ ସରକାର ଲୋକଙ୍କ ସରକାର ବୋଲି ସାଧାରଣରେ ଆଲୋଚନା ହେଉଛି।  

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.