ଚିଲିକା ନିର୍ବାଚନମଣ୍ଡଳୀକୁ ନେଇ ଦ୍ଵନ୍ଦରେ ବିଜେଡ଼ି, ପ୍ରଶାନ୍ତଙ୍କୁ ହଟାଇବା ପାଇଁ ଚାଲିଛି ଶସ୍ତା ରାଜନୀତି

୯୦ ଦଶକର ଜନତା ଦଳର ତୁଙ୍ଗନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ପରେ ଚିଲିକା ମାଟି ବାସ୍ତବରେ ଜଣେ ଖାଣ୍ଟି ଜନତା ଦଳ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଧାୟକ ଭାବେ ପାଇ ବିପୁଳ ସମର୍ଥନ ଦେଇଥିଲେ। ବିଜୟୀ ନେତା ଏଥିପାଇଁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ମଧ୍ୟ ଢେର ପ୍ରଶଂସା କରି ତାଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

Nov 30, 2023 - 08:00
Mar 3, 2024 - 20:49
 2  170
ଚିଲିକା ନିର୍ବାଚନମଣ୍ଡଳୀକୁ ନେଇ ଦ୍ଵନ୍ଦରେ ବିଜେଡ଼ି, ପ୍ରଶାନ୍ତଙ୍କୁ ହଟାଇବା ପାଇଁ ଚାଲିଛି ଶସ୍ତା ରାଜନୀତି

ସରକାରୀ ତଥ୍ୟ ମୁତାବକ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକାଳରେ ଚିଲିକା ନିର୍ବାଚନମଣ୍ଡଳୀରେ ଅଦ୍ୟାବଧି ୧୨ଶହ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ହୋଇଛି। ନିକଟରେ ବୋଇତ ବନ୍ଦାଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ବିଜେଡ଼ିର ଆମଦାନୀ ନେତା ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଜ ବକ୍ତବ୍ୟରେ କହିଲେ ଯେ, ସେ ତାଙ୍କ ସାଂସଦ ପାଣ୍ଠିରୁ ବିପୁଳ ଅର୍ଥ ଚିଲିକାରେ ବିନିଯୋଗ କରିଛନ୍ତି। ସଭାରେ ଉପସ୍ଥିତ ଶ୍ରୋତା ଜାଣିବାକୁ ଚାହୁଁଛନ୍ତି ଯେ ସାଂସଦ ମଙ୍ଗରାଜ ଏତେ ଗୁଡାଏ ଟଙ୍କା କେଉଁ କାମରେ କେବେ ବିନିଯୋଗ କଲେ ତାହା ସ୍ପଷ୍ଟ କରିବା ଉଚିତ।

୧୯୯୦ ମସିହାରୁ ୨୦୧୯, ଦୀର୍ଘ ୨୯ ବର୍ଷ ବ୍ୟବଧାନରେ ଚିଲିକା ନିର୍ବାଚନମଣ୍ଡଳୀରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଆବିର୍ଭାବ ଘଟିଲା। ଦଳୀୟ କର୍ମକର୍ତ୍ତାଙ୍କ ମନରେ ସଂଗଠନ ମଜବୁତ ହେବାର ସମ୍ଭାବନା ସୃଷ୍ଟି ହେଲା। ୨୦୧୪ ସୁଦ୍ଧା ନିର୍ବାଚନମଣ୍ଡଳୀର ଅନ୍ୟତମ ଆମଦାନୀ ନେତା ରଘୁନାଥ ସାହୁଙ୍କ ଲୀଳାଖେଳା ଶେଷ ହେଲା। ଏହାପରେ ଦଳ ରଘୁନାଥଙ୍କୁ ୧୯ ନିର୍ବାଚନରେ ଆଉ ରିପିଟ୍ ନକରି ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଟିକେଟ ଦେଲା।

୨୦୧୯ ନିର୍ବାଚନର ପ୍ରାୟ ୧୫ ଦିନ ପୂର୍ବରୁ ପ୍ରଶାନ୍ତଙ୍କୁ ଟିକେଟ ମିଳିଥିଲା। ସେ ୮୦ ହଜାର ୧୩୩ ଭୋଟ୍ ସହ ପ୍ରତିଦ୍ଵନ୍ଦୀ ଭଜପା ପ୍ରାର୍ଥୀ ପୃଥୀରାଜ ହରିଚନ୍ଦନଙ୍କୁ ୧୦,୮୫୬ ଭୋଟ ପଛରେ ପକାଇ ପରାକ୍ରମ ଦେଖାଇଲେ ଏବଂ ଚିଲିକାରେ ବିଜୁ ଜନତା ଦଳର ଇଜ୍ଜତ ବଞ୍ଚାଇ ଦେଲେ। ୯୦ ଦଶକର ଜନତା ଦଳ ତୁଙ୍ଗନେତା ବିଶ୍ଵଭୂଷଣ ହରିଚନ୍ଦନଙ୍କ ପରେ ଚିଲିକା ମାଟି ବାସ୍ତବରେ ଜଣେ ଖାଣ୍ଟି ଜନତା ଦଳ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଧାୟକ ଭାବେ ପାଇ ବିପୁଳ ସମର୍ଥନ ଦେଇଥିଲେ। ବିଜୟୀ ନେତା ଏଥିପାଇଁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ମଧ୍ୟ ଢେର ପ୍ରଶଂସା କରି ତାଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ।

ବିଡମ୍ବନା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପତିଆରାକୁ ଚାଲେଞ୍ଜ କରି ବିଜେଡ଼ି ଚିଲିକା ସଙ୍ଗଠନକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି ଦଳର ଜଣେ ରାଜ୍ୟସଭା ସାଂସଦ। ଯାହାଙ୍କ ପରିଚୟ ଦେବା ନିରର୍ଥକ। ଦୀର୍ଘ ବର୍ଷ ଧରି ଗୋଟିଏ ଆଗଧାଡ଼ିର ସମ୍ବାଦପତ୍ରରେ କାମ କରି ନାଁ କମାଇବା ପରେ ବିଜେଡ଼ିରେ ଗଳି ପଶି ଭର୍ତ୍ତି ହେଲେ। ଚିଲିକା ଟିକେଟ ଲୋଭରେ ସେହି ସମ୍ବାଦପତ୍ରର ମାଲିକଙ୍କୁ ଦଳରୁ ବିଦା କରିବାରେ କୌଣସି ସୁଯୋଗ ହାତଛଡା ନକରି ଏବେ ସେ ଚିଲିକା ମୁହାଁ। ନେତାଙ୍କ ମୁଖ୍ୟାଳୟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସୁନାଖଳା ଆଇ.ବି। ଦଳର କିଛି ଗୋଠଛଡା କର୍ମୀ ଏହି ଆମଦାନୀ ନେତାଙ୍କୁ ସୁନାଖଳା ଆଇ.ବିରେ ନଦେଖି ବାବୁଙ୍କ ରାଜଧାନୀ ସ୍ଥିତ ବାସଭବନରେ ପହଞ୍ଚି ଭେଟିବାକୁ ଚାହୁଁଥିବା ବେଳେ ବାବୁ ଗୋଠଛଡା ମାନଙ୍କୁ ଗ୍ୟାରେଜ ଘରେ ବସାଇ ବାସଭବନର ପଛ ଦ୍ଵାର ଦେଇ ଚମ୍ପଟ ମାରନ୍ତି।

ଚର୍ଚ୍ଚିତ ଘଟଣାକୁ ଜୀର୍ଣ୍ଣ କରିବା ଖୁବ୍ କଷ୍ଟ। ଚିଲିକା ଲଢୁଆ ମାଟି। ଚିଲିକାରୁ ଦୁଇ ଜଣ ଉଚ୍ଚକୋଟିର ଆଇନଜୀବୀ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ମୂଖ୍ୟ ବିଚାରପତି ଆସନ ଅଳଙ୍କୃତ କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ପଣ୍ଡିତ ଗୋଦାବରୀଶ ମିଶ୍ର, ଗୋଦାବରୀଶ ମହାପାତ୍ର ପ୍ରମୁଖ କାଳଜୟୀଙ୍କ ଭଳି ଅନେକ ମହାନ ବ୍ୟକ୍ତିତ୍ଵ ଏହି ମାଟିର ଟେକ ରଖି ରାଜ୍ୟବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛନ୍ତି। କିନ୍ତୁ, ବିଜୁ ଜନତା ଦଳ ଚିଲିକା ନିର୍ବାଚନମଣ୍ଡଳୀ ପ୍ରତି ପକ୍ଷପାତ କରିବା ଆଦୌ ଗ୍ରହଣୀୟ ନୁହେଁ। ଚିଲିକାର ସଚେତନ ଭୋଟରଙ୍କ ଆଶା ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ମଧ୍ୟରେ ସୁ-ସମ୍ପର୍କ ରହୁ। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପଣ୍ଡିଆନ ତୁରନ୍ତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରୁ ନିଲମ୍ବନ ହଟାଇ ତାଙ୍କୁ ପୁନର୍ବାର ଚିଲିକାରୁ ଲଢିବାକୁ ସୁଯୋଗ ଦିଅନ୍ତୁ ଏବଂ ନିର୍ବାଚନମଣ୍ଡଳୀର ନିଷ୍କପଟ ଭୋଟରଙ୍କୁ ନ୍ୟାୟ ଦେବା ସହ କୁଚକ୍ରୀ ଗୋଷ୍ଠୀକୁ ତାଙ୍କ ସ୍ଥାନ ଦେଖାଇ ଦିଅନ୍ତୁ।

What's Your Reaction?

like

dislike

love

funny

angry

sad

wow

Manoranjan Patnaik Publisher & Editor, SuvBharat Times