ସାଂସଦ, ବିଧାୟକ ନା ବିଜେଡିର ଚାକିରିଆ

ନବୀନଙ୍କ ଶାସନକାଳରେ ୯୫ ଭାଗ ସାଂସଦ ଓ ବିଧାୟକ ଅନ୍ଧାରରେ ବାଡି ବୁଲାଉଛନ୍ତି। ନବୀନ ପ୍ରହେଳିକାରୁ ମୁକ୍ତ ବୁଦ୍ଧିଜୀବୀ ଏବଂ ଜନତା ଅନୁଭବ କଲେଣି, ଶାସକ ଦଳ କୌଣସି ରାଜନୈତିକ ଦଳ ନୁହେଁ, ବରଂ ଏକ ସରକାରୀ କାର୍ଯ୍ୟାଳୟ।

Feb 17, 2021 - 10:50
ସାଂସଦ, ବିଧାୟକ ନା ବିଜେଡିର ଚାକିରିଆ
MP, MLA, or BJD Employee

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳର ନେତା, ସାଂସଦ, ବିଧାୟକଙ୍କ ଅପେକ୍ଷା ବ୍ୟୁରୋକ୍ରାଟ୍ ମାନଙ୍କୁ ଅଧିକ ବିଶ୍ଵସ୍ଥ ଭାବିଛନ୍ତି। ନବୀନଙ୍କ ବ୍ୟୁରୋକ୍ରାଟ୍ ପ୍ରେମର ପ୍ରତିକ୍ରିୟା ରଖିଛି କୋଟିଆ। ଓଡିଶାର ସୀମାନ୍ତ ଅଞ୍ଚଳରେ ଚାଲିଛି ଆନ୍ଧ୍ର ସରକାରର ଶାସନ। ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ ନାୟକ କୁନ୍ଦରା, ଲିମା, କୁସୁମି, ଗୁପ୍ତେଶ୍ୱର ଗସ୍ତ କରି ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବା ପରେ ମିଡିଆକୁ କହିଛନ୍ତି ଏହି ଅଞ୍ଚଳରେ ରାଜ୍ୟ ସରକାରଙ୍କ ଯୋଜନା ପହଞ୍ଚି ନାହିଁ।

ରାଜ୍ୟ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ମାମଲାରେ ନିଷ୍ପତ୍ତି ନେବା ଅଧିକାର ଆଉ ନବୀନ ପଟ୍ଟନାୟକଙ୍କର ନାହିଁ। ବରଂ ଫାଇଭ୍-ଟି ସଚିବ ଭିକେ ପାଣ୍ଡିୟାନ୍ ଦଳର ସୁପ୍ରିମୋ। ଦଳର କେତେକ ଗୋଛିକଟା ଏକାଠୀ ହୋଇ ଆଇଏଏସ୍ ପାଣ୍ଡିୟାନଙ୍କୁ ସ୍ୱାମୀ ଭାବେ ଗ୍ରହଣ କରି ରାଜ୍ୟ ରାଜକୋଷ ଲୁଟିବାରେ ଲାଗିଛନ୍ତି। ନିର୍ଲଜ୍ଜ କେବେ ଭାବୁନାହାଁନ୍ତି, ନବୀନଙ୍କ ଅବସର ପରେ ରାଜ୍ୟବାସୀ ଭୋଟର ନିଶ୍ଚିତରୂପେ ରାଜ୍ୟର ଜଣେ ଓଡ଼ିଆ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହିଁବେ।

ପାଣ୍ଡିୟାନଙ୍କ ନିଷ୍ପତ୍ତିକୁ ଅଗ୍ରାଧିକାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବ୍ୟୁରୋକ୍ରାଟଙ୍କ ଉପରେ ଏତେ ନିର୍ଭରଶୀଳ ନଥିଲେ। ବିଜୁବାବୁଙ୍କ ଶାସନକାଳରେ ଦଳର ଯେକୌଣସି ନେତା, ସାଂସଦ, ବିଧାୟକ, ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ତାଙ୍କୁ ସିଧାସଳଖ ଭେଟି ସମସ୍ୟା ସମାଧାନ ପାଇଁ ପରାମର୍ଶ ନେଉଥିଲେ। ଗଣତନ୍ତ୍ର ପଦ୍ଧତିରେ ନିଜ କାର୍ଯ୍ୟକାଳ ପୁରଣ କରିଥିଲେ ଦିବଙ୍ଗତ ନେତା ବିଜୁ ପଟ୍ଟନାୟକ। ଯାହାଙ୍କ କାଣିଚାଏ ଠାଣି ତାଙ୍କ ଉତ୍ତରାଧିକାରୀ ନବୀନ ବାବୁଙ୍କ ରକ୍ତରେ ନାହିଁ ବୋଲି ଲୋକେ କହୁଛନ୍ତି।

କୌତୁହଳର ବିଷୟ ନବୀନଙ୍କ ଶାସନକାଳରେ ୯୫ ଭାଗ ସାଂସଦ ଓ ବିଧାୟକ ଅନ୍ଧାରରେ ବାଡି ବୁଲାଉଛନ୍ତି। ନବୀନ ପ୍ରହେଳିକାରୁ ମୁକ୍ତ ବୁଦ୍ଧିଜୀବୀ ଏବଂ ଜନତା ଅନୁଭବ କଲେଣି, ଶାସକ ଦଳ କୌଣସି ରାଜନୈତିକ ଦଳ ନୁହେଁ, ବରଂ ଏକ ସରକାରୀ କାର୍ଯ୍ୟାଳୟ। ଦଳର ବିଧାୟକ ଓ ସାଂସଦମାନେ ଏହି କାର୍ଯ୍ୟାଳୟର ଜଣେ ଜଣେ ଚାକିରିଆ। ବ୍ୟୁରୋକ୍ରାଟ୍ ବିଜେଡିକୁ ଗ୍ରାସ କରିବା ପରେ ସ୍ୱୟଂ ମୁଖ୍ୟମନ୍ତ୍ରୀ ମଧ୍ୟ ଉଠବସ୍ ହେବା ଆରମ୍ଭ କରିଛନ୍ତି। ହୁଏତ ମୁଖ୍ୟମନ୍ତ୍ରୀ ଆସନରେ ବସିବାର ନିଶା ତାଙ୍କୁ ଉଠବସ୍ ହେବାକୁ ବାଧ୍ୟ କରୁଥାଇ ପାରେ। ଏଭଳି ପରିସ୍ଥିତିରେ ଦଳର ବିଧାୟକ, ସାଂସଦମାନେ ନିରବ ରହିବା କେତେଦୂର ଯଥାର୍ଥ !ବୁଦ୍ଧିଜୀବୀ ଏହି ଅସହାୟଙ୍କ ପାଇଁ ପରାମର୍ଶ ରଖିଛନ୍ତି, ନେତା ହେବା ଲୋଭରେ ରାଜ୍ୟକୁ ତେଲେଙ୍ଗାମୟ କରିବା ଅପେକ୍ଷା ରାଜନୀତି ଛାଡିଦିଅ।

Suv Bharat Times Suv Bharat Times is proud to have been striving to get closer to our lovely readers. We ensure that our journalism is free from political bias. We strive to be the voice of the people, and keeping our readers informed and entertained is our top priority. We appeal to all media lovers to keep supporting us for producing quality journalism that informs, entertains, and educates. Thank you for your support, and we promise to keep delivering quality journalism that you can trust.