କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ ଦୋଷୀ ସାବ୍ୟସ୍ତ, ପାଞ୍ଚ ବର୍ଷ ଜେଲଦଣ୍ଡ; ଆସନ୍ତାକାଲି ଜାମିନ ଆବେଦନର ଶୁଣାଣି ହେବ
ସଲମାନଙ୍କ ଷ୍ଟାର୍ ଷ୍ଟାଟସ ଓ ତାଙ୍କ ପାଇଁ ପୁଜ୍ଞି ବିନିଯୋଗକାରୀଙ୍କ ହତାଦର ଅବସ୍ଥା କୋର୍ଟ ରାୟକୁ କେଉଁ ଦିଶାରେ ପରିଚାଳିତ କରିବ ତାହାକୁ ନେଇ ସଲମାନଙ୍କ ସମର୍ଥକମାନଙ୍କ ମହଲରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି।
ବିରଳ କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ୍ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୀର୍ଘ ୨୦ ବର୍ଷ ଧରି ଏହି ମାମଲା ଚତୁର୍ଥ ତଥା ଶେଷ ମକଦ୍ଦମାରେ ସଲମାନଙ୍କୁ ଆଜି ଯୋଧପୁରର ଟ୍ରାଏଲ୍ କୋର୍ଟ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ଦଣ୍ଡାଦେଶ ଶୁଣାଣି ପରେ ସଲମାନଙ୍କୁ କୋର୍ଟରୁ ସିଧାସଳଖ ଯୋଧପୁର ସେଣ୍ଟ୍ରାଲ୍ ଜେଲକୁ କଡା ସୁରକ୍ଷାରେ ନିଆଯାଇଥିଲା। ଆଜିଠାରୁ ସଲମାନଙ୍କ ନୂଆ ପରିଚୟ କଏଦି ନଂ-୧୦୬, ଠିକଣା-ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ ସେଲ୍ ନମ୍ବର-୨। ଆସନ୍ତା କାଲି ତାଙ୍କୁ କଏଦି ପୋଷାକ ଦିଆଯିବ ବୋଲି ଜେଲ୍ ଅଧିକାରୀ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ମାମଲାରେ ଦଣ୍ଡାଦେଶର ଅବଧି ୩ ବର୍ଷରୁ ଅଧିକ ଥିବାରୁ ତାଙ୍କୁ ଟ୍ରାଏଲ୍ କୋର୍ଟରେ ଜାମିନ ମିଳିବା ସମ୍ଭାବନା କ୍ଷିଣ ବୋଲି ଆଇନ ବିଶେଷଜ୍ଞମାନେ ମତ ସାବ୍ୟସ୍ତ କରିଛନ୍ତି।
ସଲମାନଙ୍କ ଷ୍ଟାର୍ ଷ୍ଟାଟସ ଓ ତାଙ୍କ ପାଇଁ ପୁଜ୍ଞି ବିନିଯୋଗକାରୀଙ୍କ ହତାଦର ଅବସ୍ଥା କୋର୍ଟ ରାୟକୁ କେଉଁ ଦିଶାରେ ପରିଚାଳିତ କରିବ ତାହାକୁ ନେଇ ସଲମାନଙ୍କ ସମର୍ଥକମାନଙ୍କ ମହଲରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି। ସେପାଖେ ବଲିଉଡ୍ ଷ୍ଟାର୍ ବିବେକ୍ ଓବରୟ ଫିଲ୍ମି ଇଣ୍ଡଷ୍ଟ୍ରୀର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ପ୍ରଭୂ ସିଦ୍ଧି ବିନାୟକଙ୍କ ନିକଟରେ ଏକ କୋଟି ଟଙ୍କା ଭିକ୍ଷା ଚଢାଇବା ଘଟଣାକୁ ନେଇ ମଧ୍ୟ ନୂଆ ନୂଆ ଅଧ୍ୟାୟ ସାମ୍ନାକୁ ଆସୁଛି।
ତେବେ କୃଷ୍ଣସାର ମୃଗ ଶିକାର ମାମଲାରେ ଆସନ୍ତାକାଲି ସେସନ୍ସ କୋର୍ଟ ସଲମାନଙ୍କ ଜାମିନ ଆବେଦନ ସଂକ୍ରାନ୍ତ ଶୁଣାଣି କରିବେ। ଏହି ମାମଲାରେ ସଲମାନ ଖାନଙ୍କ ସହ ରହିଥିବା ଅନ୍ୟ ଅଭିଯୁକ୍ତ ତଥା ବଲିଉଡ୍ ଷ୍ଟାର୍ ସୈଫ୍ ଅଲ୍ଲୀ ଖାନ୍, ସୋନାଲୀ ବେନ୍ଦ୍ରେ, ନୀଲମ୍ ଏବଂ ତବୁଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ କୋର୍ଟ ନିର୍ଦ୍ଧୋଷରେ ଖଲାସ କରିଛନ୍ତି। ଟ୍ରାଭେଲ୍ ଏଜେଣ୍ଟ୍ ଦୁଶ୍ୟନ୍ତ ସିଂ, ଯିଏ ସଲମାନଙ୍କ ସହ ଅନ୍ୟ ଅଭିନେତା ଅଭିନେତ୍ରୀମାନଙ୍କୁ ଶିକାରସ୍ଥଳକୁ ନେଇ ଯାଇଥିଲେ କୋର୍ଟ ତାଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ସଲମାନଙ୍କ ସହଯୋଗୀ ଦିନେଶ ଗାୱରେ ଫେରାର୍ ଅଛନ୍ତି।


